ଆତଙ୍କବାଦ ବିରୋଧୀ ଲଢ଼େଇରେ ଭାରତ ଓ ରୁଷ ଏକାଠି ଅଛନ୍ତି। ଦ୍ୱିପାକ୍ଷିକ ଆଲୋଚନା ପରେ ଶୁକ୍ରବାର ଅପରାହ୍ନରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଏକ ମିଳିତ ପ୍ରେସ ବିବୃତିରେ ଏହି କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ସେ କହିଛନ୍ତି, ପହଲଗାମ ଆକ୍ରମଣ (ଗତ ଏପ୍ରିଲ ମାସରେ ଜୈଶ-ଇ-ମହମ୍ମଦ ଆତଙ୍କବାଦୀଙ୍କ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିଲା) ହେଉ ଅବା କ୍ରୋକସ୍ ସିଟି ହଲ୍ ଆକ୍ରମଣ (୨୦୨୪ ମାର୍ଚ୍ଚରେ ମସ୍କୋରେ ଇସଲାମିକ ଷ୍ଟେଟ ଖୋରାସାନ ଦ୍ୱାରା ହୋଇଥିବା ଏହି ଆକ୍ରମଣରେ ୧୪୯ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା)- ଏହି ସବୁ ଘଟଣାର ଚେର ସମାନ। ଭାରତର ଅଟଳ ବିଶ୍ୱାସ ଯେ ଯେକୌଣସି ଆତଙ୍କବାଦୀ ଆକ୍ରମଣ ମାନବିକ ମୂଲ୍ୟବୋଧ ଉପରେ ସିଧାସଳଖ ଆକ୍ରମଣ। ଆଉ ଏହା ବିରୋଧରେ ସାରା ବିଶ୍ୱ ଏକାଠି ହେବା ଆମର ସବୁଠୁ ବଡ଼ ବଳ। ଆତଙ୍କବାଦ ଯେକୌଣସି ରୂପରେ ଥାଉନା କାହିଁକି, ତା’ର ମୂଳୋତ୍ପାଟନରେ ରୁଷ ସର୍ବଦା ଭାରତ ସହିତ ରହିଛି।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଗତ ଆଠ ଦଶନ୍ଧିରେ ବିଶ୍ୱ ଅନେକ ଉତ୍ଥାନ ଓ ପତନ ଦେଖିଛି। ମାନବଜାତିକୁ ଅନେକ ଆହ୍ୱାନ ଓ ସଙ୍କଟ ଦେଇ ଗତି କରିବାକୁ ପଡ଼ିଛି। କିନ୍ତୁ ଏସବୁ ମଧ୍ୟରେ ଭାରତ-ରୁଷର ସଂପର୍କ ସର୍ବଦା ଦୃଢ଼ ରହିଛି। ଏହି ସଂପର୍କ ପରସ୍ପର ପ୍ରତି ଥିବା ସମ୍ମାନ ଓ ବିଶ୍ୱାସ ଯୋଗୁ ସମ୍ଭବ ହୋଇଛି।
ମୋଦି ଓ ପୁଟିନଙ୍କ ଏହି ମିଳିତ ବିବୃତିରେ ଉଭୟ ଦେଶ ମଧ୍ୟରେ ବେପାର ବାଣିଜ୍ୟ, ଅର୍ଥନୀତିକ ସହଯୋଗ ସହିତ ଜାହାଜ ଚଳାଚଳ କ୍ଷେତ୍ରରେ ହୋଇଥିବା ଏକ ଚୁକ୍ତି ସଂପର୍କରେ ମଧ୍ୟ ଉଲ୍ଲେଖ ରହିଛି। ପୁଟିନ କହିଛନ୍ତି ଯେ ଭାରତ ସହିତ ବାର୍ଷିକ ଦ୍ୱିପାକ୍ଷିକ ବାଣିଜ୍ୟ କାରବାରକୁ ୧୦୦ ବିଲିୟନ ଆମେରିକୀୟ ଡଲାରକୁ ବୃଦ୍ଧି କରିବାକୁ ରୁଷ ଲକ୍ଷ୍ୟ ରଖିଛି।
ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭାରତକୁ ନିରନ୍ତର ଭାବେ ଇନ୍ଧନ ଯୋଗାଇ ଦେବାକୁ ରୁଷ ଆଗ୍ରହୀ ବୋଲି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସ୍ପଷ୍ଟ କରିଛନ୍ତି। ରୁଷଠାରୁ ତୈଳ ନକିଣିବା ପାଇଁ ଦିଲ୍ଲୀ ଉପରେ ଆମେରିକା ଚାପ ପକାଇ ଆସୁଥିବା ବେଳେ ରୁଷ ରାଷ୍ଟ୍ରପତି ଏହି କଥା କହିଛନ୍ତି।
ଭାରତ ପ୍ରତି ଥିବା ପ୍ରତିବଦ୍ଧତା ପାଇଁ ରାଷ୍ଟ୍ରପତି ପୁଟିନଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତ ଓ ରୁଷର ଭାଗିଦାରୀରେ ଶକ୍ତି ସୁରକ୍ଷା ଏକ ଶକ୍ତ ଓ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ହୋଇ ରହିଆସିଛି ବୋଲି କହିଛନ୍ତି ମୋଦି। ତେବେ ସେ ନିର୍ଦ୍ଦିଷ୍ଟ ଭାବେ ତୈଳ କଥା ଉଲ୍ଲେଖ ନକରି ଆଣବିକ ଓ ସ୍ୱଚ୍ଛ ଶକ୍ତି ବିଷୟରେ କହିଛନ୍ତି। ଏହି ସହଯୋଗକୁ ଭାରତ ବଜାୟ ରଖିବ ବୋଲି ସେ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/12/05/putin-and-modi-2025-12-05-18-59-32.jpg)