Pakistan
ପହଲଗାମ ନରସଂହାର ପରେ ପାକିସ୍ତାନକୁ ଗୋଟିଏ ପରେ ଗୋଟିଏ ଝଟକା ଦେଇ ଚାଲିଛି ଭାରତ। ପ୍ରଥମେ ପାକିସ୍ତାନକୁ କୂଟନୀତିକ ଓ ଡିଜିଟାଲ ଝଟକା ଦିଆଯାଇଥିଲା। ଏବେ ପାକିସ୍ତାନକୁ ଆର୍ଥିକ ସ୍ତରରେ ଦୁର୍ବଳ କରିବାକୁ ଭାରତ ସରକାର ଗୋଟି ଚାଳନା କରିଛନ୍ତି। ଅଲଆଉଟ ସାମରିକ ଷ୍ଟ୍ରାଇକ ପୂର୍ବରୁ ଭାରତ ପକ୍ଷରୁ ପାକିସ୍ତାନକୁ ଚାରିପଟୁ ଘେରାବନ୍ଦୀ କରିବାକୁ ଚେଷ୍ଟା କରାଯାଉଛି।
ଭାରତର ଗୋଟିଏ ପରେ ଗୋଟିଏ ଝଟକା ଯୋଗୁ ଭୟରେ ଥରୁଥିବା ପାକିସ୍ତାନ କେବଳ ଯୁଦ୍ଧାଭ୍ୟାସ କରି ନୂଆଦିଲ୍ଲୀକୁ ନାଲି ଆଖି ଦେଖାଇ ଚାଲିଛି। ହେଲେ ଭାରତ ହାତରେ ନ ମାରି ଭାତରେ ମାରିବା ଭଳି ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।
ପୂର୍ବରୁ ପାକିସ୍ତାନୀଙ୍କୁ ଭାରତ ମନା ହୋଇଥିଲା। ପାକିସ୍ତାନୀଙ୍କୁ ମିଳିଥିବା ଭିସାକୁ ଭାରତ ସରକାର ରଦ୍ଦ କରି ଏପ୍ରିଲ ୩୦ ସୁଦ୍ଧା ଦେଶ ଛାଡ଼ିବାକୁ କହିଥିଲେ। ଏହାପରେ ପାକିସ୍ତାନର ଏକାଧିକ ୟୁଟ୍ୟୁବ ଚ୍ୟାନେଲ ଭାରତରେ ବନ୍ଦ ହୋଇଥିଲା। ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟି ଓ କ୍ରିକେଟରଙ୍କ ସୋଶାଲ ମିଡିଆ ଆକାଉଣ୍ଟ ମଧ୍ୟ ଭାରତରେ ନିଷିଦ୍ଧ ହୋଇଛି। ପାକିସ୍ତାନ ସହ ସିନ୍ଧୁ ଜଳ ଚୁକ୍ତି ଉପରେ ମଧ୍ୟ ଭାରତ ସରକାର ରୋକ ଲଗାଇଛନ୍ତି। ଏସବୁକୁ ନେଇ ବିଚଳିତ ହୋଇପଡ଼ିଥିବା ପାକିସ୍ତାନକୁ ଆଜି ଭାରତ ସରକାର ଏକାଧିକ ଝଟକା ଦେଇଛନ୍ତି।
ପାକିସ୍ତାନୀଙ୍କ ଭଳି ପାକିସ୍ତାନ ଜନିଷ ମଧ୍ୟ ଭାରତରେ ବ୍ୟାନ ହୋଇଛି। ଏହାର ଅର୍ଥ ପାକିସ୍ତାନ ସହ ବ୍ୟବସାୟିକ ସମ୍ପର୍କକୁ ବାତିଲ କରାଯାଇଛି। ପାକିସ୍ତାନରୁ ହେଉଥିବା ସମସ୍ତ ପ୍ରକାରର ଆମଦାନୀକୁ ଭାରତ ସରକାର ବନ୍ଦ କରି ଦେଇଛନ୍ତି। ଉଭୟ ପରୋକ୍ଷ ଓ ପ୍ରତ୍ୟେକ୍ଷ ଆମଦାନୀ ଉପରେ ରୋକ ଲଗା ଯାଇଛି। ପୂର୍ବରୁ ପାକିସ୍ତାନରୁ ସିଧାସଳଖ ଆମଦାନୀ ଉପରେ ଏକ ପ୍ରକାରର ଅଘୋଷିତ ରୋକ ଲାଗିଥିଲା। କିନ୍ତୁ କିଛି ଜିନିଷ ତୃତୀୟ ପାର୍ଟି ଦ୍ୱାରା ପାକିସ୍ତାନରୁ ଭାରତକୁ ଆମଦାନୀ ହେଉଥିଲା। କିନ୍ତୁ ତା’ ଉପରେ ମଧ୍ୟ ଭାରତ ସରକାର ରୋକ ଲଗାଇ ଦେଇଛନ୍ତି।
ଏହାବାଦ ପାକିସ୍ତାନୀ ଜାହାଜଗୁଡ଼ିକ ମଧ୍ୟ ଆଉ ଭାରତୀୟ ବନ୍ଦରର ବ୍ୟବହାର କରିପାରିବେ ନାହିଁ। ପାକିସ୍ତାନକୁ ଅନ୍ୟ ଦେଶର ବନ୍ଦରକୁ ବ୍ୟବହାର କରି ନିଜର ଜିନିଷକୁ ତୃତୀୟ ଦେଶକୁ ରପ୍ତାନୀ କରିବାକୁ ପଡ଼ିବ। ଏହାର ପ୍ରଭାବ ପାକିସ୍ତାନର ଅର୍ଥନୀତିକ ଉପରେ ପଡ଼ିବ। ପୂର୍ବରୁ ପାକିସ୍ତାନ ବିମାନଗୁଡ଼ିକ ପାଇଁ ଭାରତ ସରକାର ଆକାଶ ପଥ ବନ୍ଦ କରିଥିଲେ।
ଆଜି ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ ବୈଦେଶିକ ବାଣଜ୍ୟ ନୀତି(ଏଫଟିପି)ରେ ଗୋଟିଏ ନୂଆ ନିୟମ ଯୋଡ଼ା ଯାଇ ପାକିସ୍ତାନରେ ଉତ୍ପାଦନ ହେଉଥିବା କିମ୍ବା ପାକିସ୍ତାନରୁ ରପ୍ତାନୀ ହେଉଥିବା ସମସ୍ତ ପ୍ରକାରର ପ୍ରତ୍ୟେକ୍ଷ, ପରୋକ୍ଷ ଓ ଟ୍ରାଞ୍ଜିଟରେ ଥିବା ଜିନିଷ ଉପରେ ତତ୍କାଳ ଭାବେ ନିଷେଧାଦେଶ ଲାଗୁ କରାଯାଉଥିବା କୁହାଯାଇଛି। ଜାତୀୟ ସୁରକ୍ଷା ଓ ସର୍ବସାଧାରଣ ନୀତିର ସ୍ୱାର୍ଥ ଦୃଷ୍ଟିରୁ ଏପରି ପ୍ରୋଭିଜନ ଅଣା ଯାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।ଚ
ସେହିପରି ପଣ୍ୟବାହୀ ଜାହାଜ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ପାକିସ୍ତାନ ପତାକା ଥିବା କୌଣସି ଜାହାଜକୁ ଭାରତୀୟ ବନ୍ଦରଗୁଡ଼ିକର ବ୍ୟବହାର ପାଇଁ ଅନୁମତି ମିଳିବ ନାହିଁ। ଭାରତୀୟ ସମ୍ପତ୍ତି, କାର୍ଗୋ ଓ ଯୋଗାଯୋଗ ଭିତ୍ତିଭୂମିର ସୁରକ୍ଷା ପାଇଁ ଏପରି ପଦକ୍ଷେପ ନିଆଯାଇଛି।
ଦୁଇ ଦେଶ ମଧ୍ୟରେ ବ୍ୟବସାୟ ବନ୍ଦ
ପାକିସ୍ତାନ ଓ ଭାରତ ମଧ୍ୟରେ ତିକ୍ତତା ବଢ଼ୁଥିବା ବେଳେ ବାଣିଜ୍ୟ ଏଥିରେ ପ୍ରଥମେ ବଳି ପଡ଼ିଛି। ଭାରତ ପକ୍ଷରୁ ପୂର୍ବରୁ ହିଁ ଦୁଇ ଦେଶ ମଧ୍ୟରେ ଥିବା ଏକମାତ୍ର ସ୍ଥଳ ପଥ ଅଟ୍ଟାରୀ-ୱାଘା ସୀମାକୁ ବନ୍ଦ କରିବାକୁ ଘୋଷଣା କରାଯାଇ ସାରିଛି। ଯେସାକୁ ତେସା ନୀତିରେ ପାକିସ୍ତାନ ମଧ୍ୟ ଭାରତ ସହ ସବୁ ପ୍ରକାରର ବାଣିଜ୍ୟ ସମ୍ପର୍କକୁ ଚ୍ଛିନ୍ନ କରିଛି।
ଦୁଇ ଦେଶ ମଧ୍ୟରେ ସିଧାସଳଖ ବାଣିଜ୍ୟ ସମ୍ପର୍କ ପୂର୍ବରୁ ହିଁ ଟଳମଳ ସ୍ଥିତିରେ ରହିଥିଲା। ୨୦୧୯ ପୁଲୱାମା ହମଲାରେ ୪୦ ଜଣ ଯବାନ ସହିଦ ହେବା ପରେ ଭାରତ ସରକାର ପାକିସ୍ତାନ ଠାରୁ ମୋଷ୍ଟ ଫେଭରଡ ନେଶନ ବା ସବୁଠାରୁ ଅଧିକ ପସନ୍ଦର ଦେଶ ମାନ୍ୟତା ପ୍ରତ୍ୟାହାର କରି ନେଇଥିଲେ। ଏଥିଯୋଗୁ ଦୁଇ ଦେଶ ମଧ୍ୟରେ ବାଣିଜ୍ୟକ ସମ୍ପର୍କ ହ୍ରାସ ପାଇଥିଲା।
ତଥାପି ୨୦୨୩-୨୪ରେ ଅଟ୍ଟାରୀ-ୱାଘା ସୀମାରେ ୩,୮୮୬.୫୩ କୋଟିର ବ୍ୟବସାୟିକ କାରବାର ହୋଇଥିଲା। ଏବେ ଭାରତର ନେଇଥିବା ପଦକ୍ଷେପ ପାକିସ୍ତାନର ଛୋଟ ଛୋଟ ବ୍ୟବସାୟୀ ଓ ଉତ୍ପାଦନକାରୀଙ୍କ ଉପରେ ଗଭୀର ଭାବେ ପ୍ରଭାବ ପକାଇବ। ବିଗତ କିଛି ବର୍ଷ ଧରି ପାକିସ୍ତାନ ଠାରୁ ଆମଦାନୀ କମି ସାରିଥିଲେ ହେଁ କିଛି ଜିନିଷ ଦୁବାଇ, ସିଙ୍ଗାପୁର ଓ କଲମ୍ବୋ ଦେଇ ପାକିସ୍ତାନରୁ ଭାରତକୁ ଆସୁଥିଲା।
୨୦୨୩-୨୪ ତଥ୍ୟ ଅନୁସାରେ, ଭାରତ ୩ ମିଲିୟନ ଡଲାରର ଜନିଷ ପାକିସ୍ତାନ ଠାରୁ ଆମଦାନୀ କରିଥିଲା। ଏହା ମଧ୍ୟରେ କୃଷି ଭିତ୍ତିକ ଜିନିଷ ସବୁଠାରୁ ଅଧିକ ରହିଥିଲେ। କିନ୍ତୁ ପାକିସ୍ତାନ ସବୁବେଳେ ଭାରତ ଉପରେ ଫାର୍ମାସିଟ୍ୟୁକାଲ ଜିନିଷ ପାଇଁ ନିର୍ଭର କରି ଆସୁଛି। ଭାରତ ଯେହେତୁ ସମସ୍ତ ପ୍ରକାରର ବ୍ୟବସାୟିକ ସମ୍ପର୍କ ଉପରେ ରୋକ ଲଗାଇ ଦେଇଥିବାରୁ ପାକିସ୍ତାନ ନିଜର ଫାର୍ମାସିଟ୍ୟୁକାଲ ଆବଶ୍ୟକତା ପାଇଁ ବିକଳ୍ପ ସୁଯୋଗ ଖୋଜିବା ଆରମ୍ଭ କରିଛି।
ଆମଦାନୀ ଓ ଜାହାଜ ବ୍ୟାନ ବ୍ୟତୀତ ଭାରତ ସରକାର ପାକିସ୍ତାନକୁ ପାର୍ସଲ ଝଟକା ମଧ୍ୟ ଦେଇଛି। ପାକିସ୍ତାନ ସହ ସମସ୍ତ ପ୍ରକାରର ପାର୍ସଲ ଆଦାନ ପ୍ରଦାନକୁ ଭାରତ ସରକାର ତତ୍କାଳ ଭାବେ ବନ୍ଦ କରିଛନ୍ତି। ଆକାଶ ପଥ ଓ ସ୍ଥଳ ପଥରେ ପାର୍ସଲ ଏବଂ ଡାକ ସେବାକୁ ବନ୍ଦ କରାଯାଇଛି। ଏନେଇ ଯୋଗାଯୋଗ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Pakistan__1746267535.jpg)