Advertisment

ଜାତିସଂଘରେ ପାକିସ୍ତାନକୁ ଧୋଇଲା ଭାରତ

ସିନ୍ଧୁ ଜଳ ଚୁକ୍ତିକୁ ନେଇ ପାକିସ୍ତାନ କରୁଥିବା ମିଛର ବେପାର ଓ ଆତଙ୍କବାଦ ପ୍ରସଙ୍ଗରେ ଭାରତ ସରକାର ଇସଲାମାବାଦର ମୁଖା ଖୋଲି ଦେଇଛନ୍ତି।

author-image
Hemant Lenka
UN

UN

ମିଳିତ ଜାତିସଂଘରେ ପାକିସ୍ତାନକୁ ଭଲ ଭାବେ ଧୋଇଛି ଭାରତ। ସିନ୍ଧୁ ଜଳ ଚୁକ୍ତିକୁ ନେଇ ପାକିସ୍ତାନ କରୁଥିବା ମିଛର ବେପାର ଓ ଆତଙ୍କବାଦ ପ୍ରସଙ୍ଗରେ ଭାରତ ସରକାର ଇସଲାମାବାଦର ମୁଖା ଖୋଲି ଦେଇଛନ୍ତି। ପହଲଗାମ ନରସଂହାର ପରେ ଭାରତ ସରକାର ପାକିସ୍ତାନ ସହ ହୋଇଥିବା ସିନ୍ଧୁ ଜଳ ଚୁକ୍ତି ଉପରେ ରୋକ ଲଗାଇ ଦେଇଛନ୍ତି। ଏହାକୁ ନେଇ ପାକିସ୍ତାନ ଔଷଧ ବିକଳରେ ତାଟିଆ କାମୁଡ଼ିବା ସ୍ଥିତିରେ ରହିଛି। ଏଥିପାଇଁ ପାକିସ୍ତାନ ମିଛର ବେପାର ଆରମ୍ଭ କରିଦେଇଛି।

Advertisment

ମିଳିତ ଜାତିସଂଘରେ ଅବସ୍ଥାପିତ ଭାରତର ସ୍ଥାୟୀ ପ୍ରତିନିଧି ପି ହରିଶ କହିଛନ୍ତି ଯେ ୬୫ ବର୍ଷ ପୁରୁଣା ଚୁକ୍ତିରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ପାଇଁ ରୋକ ଲଗା ଯାଇଛି। ଏହାପୂର୍ବରୁ ପାକିସ୍ତାନର ମିଳିତ ଜାତିସଂଘ ସଦସ୍ୟ ସିନ୍ଦୁ ଜଳ ଚୁକ୍ତି କଥା ଉଠାଇଥିଲେ। ସେ କହିଥିଲେ ଯେ “ଜଳ ହେଉଛି ଜୀବନ। ଏହା କେବେ ହେଲେ ଯୁଦ୍ଧର ଅସ୍ତ୍ର ହୋଇ ନପାରେ।” ବାସ ଏହାର ଜବାବ ଭାରତ ପକ୍ଷରୁ ଜୋରଦାର ଢଙ୍ଗରେ ଦିଆଯାଇଛି।

ପି ହରିଶ କହିଛନ୍ତି, “ଭାରତ ସବୁବେଳେ ଗୋଟିଏ ଉପର ତଟରେ ଥିବା ଦାୟିତ୍ୱବାନ ରାଷ୍ଟ୍ର ଭଳି କାମ କରି ଆସିଛି। ଭାରତ ୬୫ ବର୍ଷ ତଳେ ସିନ୍ଧୁ ଜଳ ଚୁକ୍ତିରେ ବିଶ୍ୱାସ ରଖି ସାମିଲ ହୋଇଥିଲା। ଭାରତ ମନରେ କିଛି ବି ନଥିଲା। ଚୁକ୍ତିର ପ୍ରସ୍ତାବନାରେ ଏହା କେମିତି ବନ୍ଧୁତା ଓ ଭାବନା ଦ୍ୱାରା ପ୍ରସ୍ତୁତ ହୋଇଥିଲା, ସେକଥା ଉଲ୍ଲେଖ ରହିଛି। ୬୫ ବର୍ଷର ଚୁକ୍ତି ମଧ୍ୟରେ ପାକିସ୍ତାନ ୩ ଥର ଯୁଦ୍ଧ କରି ଏହାର ଭାବନାକୁ ଉଲ୍ଲଙ୍ଘନ କରିଛି।

Advertisment

୬୫ ବର୍ଷ ମଧ୍ୟରେ ପାକିସ୍ତାନ ହଜାର ହଜାର ଆତଙ୍କବାଦୀ ଆକ୍ରମଣ ଭାରତରେ କରିଛି। ଗତ ୪ ଦଶନ୍ଧି ମଧ୍ୟରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ହମଲାରେ ୨୦ ହଜାରରୁ ଅଧିକ ଭାରତୀୟ ପ୍ରାଣ ହରାଇଛନ୍ତି। ଭାରତରେ ପାକିସ୍ତାନ ପ୍ରାୟୋଜିତ ସୀମା ପାର ଆତଙ୍କବାଦ ସାଧାରଣ ଲୋକଙ୍କ ଜୀବନ, ଧାର୍ମିକ ସଦଭାବନା ଓ ଆର୍ଥିକ ସମୃଦ୍ଧିକୁ ବାନ୍ଧି ରଖିବାକୁ ଚେଷ୍ଟା କରୁଛି।

ଏହି ୬୫ ବର୍ଷ ମଧ୍ୟରେ ଦୂରଗାମୀ ମୌଳିକ ପରିବର୍ତ୍ତନ ସବୁ ହୋଇଛି। ସୀମା ପାର ଆତଙ୍କବାଦୀ ହମଲା ଯୋଗୁ କେବଳ ସୁରକ୍ଷା ସମ୍ପର୍କିତ ଚିନ୍ତା ବଢ଼ି ନାହିଁ, ବରଂ ସ୍ୱଚ୍ଛ ବିଜୁଳି ଉତ୍ପାଦନ, ଜଳବାୟୁ ପରିବର୍ତ୍ତନ ଓ ଜନସଂଖ୍ୟାରେ ପରିବର୍ତ୍ତନର ବର୍ଦ୍ଧିତ ଆବଶ୍ୟକତା ମଧ୍ୟ ସାମ୍ନାକୁ ଆସିଛି।”

ହରିଶ ଆହୁରି କହିଛନ୍ତି, “ ପରିଚାଳନା ଓ ଜଳ ବ୍ୟବହାରର ସୁରକ୍ଷା ଏବଂ ଦକ୍ଷତାକୁ ସୁନିଶ୍ଚିତ କରିବା ପାଇଁ ଡ୍ୟାମ ଭିତ୍ତିଭୂମିକୁ ନୂଆ ଟେକ୍ନୋଲୋଜି ଦ୍ୱାରା ପରିବର୍ତ୍ତନ କରାଯାଇଛି। କିଛି ପୁରୁଣା ଡ୍ୟାମକୁ ନେଇ ଗଭୀର ସୁରକ୍ଷା ଚିନ୍ତା ରହିଛି। ତଥାପି ପାକିସ୍ତାନ ବିପଦରେ ଥିବା ଡ୍ୟାମ ଗୁଡ଼ିକର ଭିତ୍ତିଭୂମିରେ ପରିବର୍ତ୍ତନ ପାଇଁ ହେଉଥିବା ଉଦ୍ୟମକୁ ନିୟମିତ ବିରୋଧ କରି ଚାଲିଛି। ଚୁକ୍ତିରେ ପରିବର୍ତ୍ତନ ପାଇଁ ବ୍ୟବସ୍ଥା ରହିଥିଲେ ହେଁ ପାକିସ୍ତାନ ଏହାକୁ ଖାତିର କରୁ ନାହିଁ।”

ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ୨୦୧୨ରେ କେମିତି ତୁଲବୁଲ ନାଭିଗେସନ ପ୍ରକଳ୍ପ ଉପରେ ହମଲା କରିଥିଲେ, ସେକଥା ହରିଶ ଜାତିସଂଘକୁ ଅବଗତ କରାଇଛନ୍ତି। ସେ କହିଛନ୍ତି, “ଏପରି ନିନ୍ଦନୀୟ ଓ ଘୃଣ୍ୟ କାମ ଆମର ପ୍ରକଳ୍ପ ଓ ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ଭାରତ ବିଗତ ୨ ବର୍ଷ ମଧ୍ୟରେ ଏକାଧିକ ଥର ପାକିସ୍ତାନ ସହ ପ୍ରଚଳିତ ବ୍ୟବସ୍ଥାରେ ସଂଶୋଧନ ସମ୍ପର୍କରେ ଆଲୋଚନା କରିବାକୁ କହିଛି।

ହେଲେ ପାକିସ୍ତାନ ଏହାକୁ ଅଗ୍ରାହ୍ୟ କରି ଚାଲିଛି। ପାକିସ୍ତାନର ବାଧା ସୃଷ୍ଟି କରିବା ଭଳି ଦୃଷ୍ଟିକୋଣ ଭାରତକୁ ତା’ର ବୈଧ ଅଧିକାରକୁ ପୂର୍ଣ୍ଣ ଉପଯୋଗ କରିବାକୁ ଦେଉନାହିଁ। ପାକିସ୍ତାନର ଏପରି ଆଭିମୁଖ୍ୟ ଯୋଗୁ ଭାରତ ସରକାର ଶେଷରେ ବାଧ୍ୟ ହୋଇ ସିନ୍ଧୁ ଜଳ ଚୁକ୍ତି ଉପରେ ରୋକ ଲଗାଇଛନ୍ତି। ପାକିସ୍ତାନ ସୀମା ପାର ଆତଙ୍କବାଦକୁ ନ ବନ୍ଦ କରିବା ଯାଏ ସିନ୍ଦୁ ଜଳ ଚୁକ୍ତି ଉପରେ ରୋକ ଲାଗିଥିବ।”

Pakistan India