/odisha-reporter/media/media_files/2025/12/09/dmk-2025-12-09-16-59-25.jpg)
ଦାବି ପତ୍ର ଦେଲେ ସାଂସଦ
ମାଡ୍ରାସ ହାଇକୋର୍ଟ ବିଚାରପତି ଜଷ୍ଟିସ ଜିଆର ସ୍ୱାମୀନାଥନଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିଛନ୍ତି ବିରୋଧୀ ଦଳର ସାଂସଦ। ତାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ କାର୍ଯ୍ୟକାରୀ କରିବାକୁ ଡିଏମକେ ପକ୍ଷରୁ ୧୨୦ ଜଣ ସାଂସଦଙ୍କ ଦସ୍ତଖତ ଥିବା ଗୋଟିଏ ଦାବିପତ୍ର ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ହସ୍ତାନ୍ତର କରାଯାଇଛି। ବିଚାରପତି ଜଷ୍ଟିସ ଜିଆର ସ୍ୱାମୀନାଥନଙ୍କୁ ବହିଷ୍କାର କରିବାକୁ ଏଥିରେ ଦାବି କରାଯାଇଛି।
ଡିଏମକେ ସଂସଦୀୟ ଦଳ ନେତ୍ରୀ କାନିମୋଝୀ, ଦଳର ଲୋକସଭା ନେତା ଟିଆର ବାଲୁ, ସପା ନେତା ଅଖିଲେଶ ଯାଦବ ଓ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ପ୍ରମୁଖ ଉପସ୍ଥିତ ରହି ମହାଭିଯୋଗ ପ୍ରସ୍ତାବ ବାଚସ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି।
ସମ୍ବିଧାନର ଧାରା ୨୧୭ ଓ ୧୨୪ ଅଧୀନରେ ଏପରି ନୋଟିସ ଦିଆଯାଇ ମାଡ୍ରାସ ହାଇକୋର୍ଟ ବିଚାରପତି(Madras High Court)ଙ୍କୁ ବହିଷ୍କାର କରିବାକୁ ଅନୁରୋଧ କରାଯାଇଛି।
ନୋଟିସରେ କୁହାଯାଇଛି ଯେ ଜଷ୍ଟିସ ଜିଆର ସ୍ୱାମୀନାଥନଙ୍କ କାର୍ଯ୍ୟକଳାପ ଯୋଗୁ ନ୍ୟାୟପାଳିକାର ନିରପେକ୍ଷତା ଓ ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗୋଟିଏ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଜଣେ ବରିଷ୍ଠ ଓକିଲ ଓ ଅନ୍ୟ ଆଇନଜୀବୀମାନଙ୍କୁ ସେ ଅନୁକମ୍ପା ଦେଖାଉଛନ୍ତି।
ତାଙ୍କ ରାୟ ରାଜନୀତିକ ବିଚାରଧାରା ଦ୍ୱାରା ପ୍ରଭାବିତ। ଏହା ନିରପେକ୍ଷ ସାମ୍ବିଧାନିକ ନୀତିର ବିରୋଧାଚାରଣ କରୁଥିବା ନୋଟିସରେ ଉଲ୍ଲେଖ କରାଯାଇଛି। ଏହାର କପି ବା ନକଲକୁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କ ପାଖକୁ ମଧ୍ୟ ପଠାଯାଇଛି।
ଥିରୁପାରନକୁନ୍ଦ୍ରମ ଗୋଟିଏ ପାହାଡ଼ରେ ମନ୍ଦିର ଓ ଦର୍ଘା ରହିଛି। ସେଠାରେ ଥିବା କାର୍ଥିଗାଇ ଦୀପମ ଲ୍ୟାମ୍ପରେ ଦୀପ ଜାଳିବାକୁ ଅନୁମତି ଦେଇଥିଲେ ଜଷ୍ଟିସ ଜିଆର ସ୍ୱାମୀନାଥନ। ନିଜ ରାୟରେ ସେ ଦୀପଥୋନ ସ୍ତମ୍ଭରେ ଦୀପ ଲଗାଇବାକୁ କହିଥିଲେ। ତେବେ ଏହାକୁ ମନ୍ଦିର ପ୍ରଶାସନ ଓ ଦର୍ଘା ପରିଚାଳକ ଗ୍ରହଣ କରି ନଥିଲେ।
ଏହାଦ୍ୱାରା ମୁସଲିମ ସଂପ୍ରଦାୟର ଧାର୍ମିକ ଅଧିକାର କ୍ଷୁଣ୍ଣ ହେବ ଓ ସାଂପ୍ରଦାୟିକ ଉତ୍ତେଜନା ବୃଦ୍ଧି ପାଇବ ବୋଲି ସେମାନେ ମତ ରଖିଥିଲେ। ଆଇନଶୃଙ୍ଖଳା ପରିସ୍ଥିତି ଯୋଗୁ ରାଜ୍ୟର ଡିଏମକେ(DMK) ସରକାର ଏହାକୁ ଲାଗୁ କରି ନଥିଲେ।
ଏହାକୁ ନେଇ ତଥାକଥିତ ହିନ୍ଦୁ ସପକ୍ଷବାଦୀ ସଂଗଠନ ଓ ପୁଲିସ୍ ମଧ୍ୟରେ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଥିଲା। ଏବେ ଏହା ବିବାଦକୁ ଆହୁରି ତୀବ୍ର କରିଛି। ମାମଲା ସୁପ୍ରିମକୋର୍ଟରେ ମଧ୍ୟ ପହଞ୍ଚିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
