Advertisment

ସୀମାରେ ଉତ୍ତେଜନା ହ୍ରାସ କରିବାକୁ ଭାରତ-ଚାଇନା ରାଜି, ଏଲଏସିରେ କରିବେ ପାଟ୍ରୋଲିଂ

ଦୀର୍ଘ ଦିନ ଧରି କୂଟନୀତିକ ସ୍ତରରେ ଚାଲିଥିବା ଆଲୋଚନା ଶେଷରେ ସକାରାତ୍ମକ ଫଳ ଆଣିଛି।

author-image
Hemant Lenka
LAC

LAC

ଭାରତ ଓ ଚାଇନା ମଧ୍ୟରେ ଲାଗି ରହିଥିବା ସୀମା ବିବାଦକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଦୀର୍ଘ ଦିନ ଧରି କୂଟନୀତିକ ସ୍ତରରେ ଚାଲିଥିବା ଆଲୋଚନା ଶେଷରେ ସକାରାତ୍ମକ ଫଳ ଆଣିଛି।

Advertisment

ସୀମାରୁ ସେନା ପ୍ରତ୍ୟାହାର ସହ ଉତ୍ତେଜନା ହ୍ରାସ କରିବାକୁ ଭାରତ ଓ ଚାଇନା ରାଜି ହୋଇଛି। ଏଥିସହ ବିବାଦ କାରଣରୁ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)ରେ ବନ୍ଦ ରହିଥିବା ପାଟ୍ରୋଲିଂ ଆରମ୍ଭ କରିବାକୁ ମଧ୍ୟ ଦୁଇ ଦେଶ ମଧ୍ୟରେ ସହମତି ପ୍ରକାଶ ପାଇଛି। ଏ ସମ୍ପର୍କରେ ଆଜି ଭାରତର ବୈଦେଶିକ ସଚିବ ବିକ୍ରମ ମିସ୍ରି ଘୋଷଣା କରିଛନ୍ତି।

ଆସନ୍ତାକାଲି ଠାରୁ ରୁଷରେ ୧୬ତମ ବ୍ରିକ୍ସ ସମ୍ମିଳନୀ ଆରମ୍ଭ ହେବ। ଏଥିରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯିବେ। ଏହାପୂର୍ବରୁ ଦୁଇ ଦେଶ ମଧ୍ୟରେ ବିବାଦ ଶେଷ କରିବାକୁ ସହମତି ପ୍ରକାଶ ପାଇଥିବା ଖବର ଆସିଛି। ଅକ୍ଟୋବର ୨୨ ଓ ୨୩ରେ ରୁଷରେ ବ୍ରିକ୍ସ ସମ୍ମିଳନୀ ଆୟୋଜନ ହେବ।

Advertisment

ସଚିବ ବିକ୍ରମ କହିଛନ୍ତି, “ବିଗତ ସପ୍ତାହଗୁଡ଼ିକରେ ଚାଲିଥିବା ଆଲୋଚନାର ଫଳ ସ୍ୱରୂପ ଭାରତ-ଚାଇନା ସୀମାନ୍ତ ଅଞ୍ଚଳରେ ପାଟ୍ରୋଲିଂ ବ୍ୟବସ୍ଥା କରିବାକୁ ଦୁଇ ଦେଶ ମଧ୍ୟରେ ଗୋଟିଏ ବୁଝାମଣା ହୋଇଛି। ଏହା ଉତ୍ତେଜନା ହ୍ରାସକୁ ପ୍ରୋତ୍ସାହିତ କରିଛି। ୨୦୨୦ ପରେ ସୀମାନ୍ତ ଅଞ୍ଚଳରେ ସୃଷ୍ଟି ହୋଇଥିବା ସ୍ଥିତିର ସମାଧାନ ପାଇଁ ଗୋଟିଏ ସଂକଳ୍ପ ମଧ୍ୟ ଆସିପାରିଛି।”

ବ୍ରିକ୍ସ ସମ୍ମିଳନୀରେ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ଯୋଗ ଦେବେ। ମୋଦି ଓ ଜିନପିଙ୍ଗ ଗୋଟିଏ ମଞ୍ଚରେ ଏକାଠି ହେଉଥିବାରୁ ଦ୍ୱିପାକ୍ଷିକ ଆଲୋଚନାର ସମ୍ଭାବନା ରହିଛି। ଏହ ସମ୍ପର୍କରେ ପ୍ରଶ୍ନ କରାଯିବାରୁ ବୈଦେଶିକ ସଚିବ କହିଛନ୍ତି, “ନିକଟ ସପ୍ତାହଗୁଡ଼ିକରେ ଭାରତ ଓ ଚାଇନା ମଧ୍ୟରେ କୂଟନୀତିକ ଓ ସାମରିକ ସ୍ତରୀୟ ଆଲୋଚନା ହୋଇଛି। ଆମେ ଦ୍ୱିପାକ୍ଷିକ ଆଲୋଚନାର ସମୟ ଓ ବିଷୟବସ୍ତୁ ଗୁଡ଼ିକ ଉପରେ ପରସ୍ପର ସହ କଥାବାର୍ତ୍ତା ହେଉଛୁ।” ତେବେ ସେ ଦ୍ୱିପାକ୍ଷିକ ଆଲୋଚନା ହେବ କି ନାହିଁ, ସେ ସମ୍ପର୍କରେ ସଚିବ ବିକ୍ରମ କିଛି ବି କହି ନାହାନ୍ତି।

୨୦୨୦ ଜୁଲାଇ ମାସରେ ଗଲୱାନ ଘାଟିରେ ଭାରତ ଓ ଚାଇନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା। ଏହା ପରଠାରୁ ଦୁଇ ଦେଶ ମଧ୍ୟରେ ଏଲଏସିରେ ପ୍ରବଳ ଉତ୍ତେଜନା ଲାଗି ରହିଛି।

China India-China Clash India India-china Border Tension