Advertisment

ମଙ୍ଗଳବାର ସୁଦ୍ଧା ସୀମାରୁ ସେନା ପ୍ରତ୍ୟାହାର ଶେଷ କରିବେ ଭାରତ-ଚାଇନା!

୨୦୨୦ ବିବାଦ ପୂର୍ବରୁ ଦୁଇ ଦେଶର ସେନା ଯେଉଁ ଠାରେ ମୁତୟନ ହୋଇଥିଲେ, ସେଠାକୁ ଚାଲିଯିବେ। ସୀମାରେ ଉଭୟ ଦେଶ ନିର୍ମାଣ କରିଥିବା ଅସ୍ଥାୟୀ ଭିତ୍ତିଭୂମି ଯଥା ଟେଣ୍ଟ ଓ ଅନ୍ୟାନ୍ୟ ଜିନିଷକୁ ହଟାଇବେ।

author-image
Hemant Lenka
China

China

ଲଦାଖର ଦେପସାଙ୍ଗ ଓ ଡେମଚୋକ ଅଞ୍ଚଳରେ ଲାଗି ରହିଥିବା ବିବାଦରେ ପଡ଼ିବ ପୂର୍ଣ୍ଣଚ୍ଛେଦ। ଆସନ୍ତା ମଙ୍ଗଳବାର ସୁଦ୍ଧା ଏହି ଦୁଇ ସୀମାନ୍ତ ଅଞ୍ଚଳରୁ ଭାରତ ଓ ଚାଇନା ପରସ୍ପରର ସେନା ଯବାନଙ୍କୁ ସଂପୂର୍ଣ୍ଣ ଭାବେ ପ୍ରତ୍ୟାହାର କରିବେ।

Advertisment

୨୦୨୦ ଗଲୱାନ ଘାଟି ବିବାଦ ପରଠାରୁ ଏଠାରେ ଦୁଇ ଦେଶ ପକ୍ଷରୁ ସେନା ଯବାନଙ୍କୁ ମୁତୟନ କରାଯାଇଥିଲା। ହେଲେ ଏବେ ଉତ୍ତେଜନା ହ୍ରାସ ସହ ସେନା ପ୍ରତ୍ୟାହାର ପାଇଁ ଦୁଇ ଦେଶ ରାଜି ହୋଇଛନ୍ତି। ଏଥିସହ ସେନା ପ୍ରତ୍ୟାହାର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଥିବା ଜଣାପଡ଼ିଛି। ଆଜି ଠାରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ମଙ୍ଗଳବାର ସୁଦ୍ଧା ଏହା ଶେଷ ହେବ ବୋଲି ସେନା ସୂତ୍ରରୁ ଖବର ମିଳିଛି।

ମିଳିଥିବା ସୂଚନା ଅନୁସାରେ, ୨୦୨୦ ବିବାଦ ପୂର୍ବରୁ ଦୁଇ ଦେଶର ସେନା ଯେଉଁ ଠାରେ ମୁତୟନ ହୋଇଥିଲେ, ସେଠାକୁ ଚାଲିଯିବେ। ସୀମାରେ ଉଭୟ ଦେଶ ନିର୍ମାଣ କରିଥିବା ଅସ୍ଥାୟୀ ଭିତ୍ତିଭୂମି ଯଥା ଟେଣ୍ଟ ଓ ଅନ୍ୟାନ୍ୟ ଜିନିଷକୁ ହଟାଇବେ। ତେବେ ଗ୍ରାଉଣ୍ଡ କମାଣ୍ଡର୍ସଙ୍କ ମଧ୍ୟରେ ନିୟମିତ ମିଟିଂ ଜାରି ରହିବ।

Advertisment

ଦେସପାଙ୍ଗ ଓ ଡେମଚୋକରେ ଉଭୟ ଦେଶ ସର୍ଭେଲାନ୍ସ କରିପାରିବେ। ସେହିପରି ଏଠାରେ ପାଟ୍ରୋଲିଂ କରିବା ପୂର୍ବରୁ ଉଭୟ ଦେଶକୁ ସୂଚନା ଦେଇପାରିବେ। ଏହାଦ୍ୱାରା ଭୁଲ ବୁଝାମଣା ସୃଷ୍ଟି ହେବ ନାହିଁ।

ଗତ ସପ୍ତାହରେ ଦୁଇ ଦେଶ ଉକ୍ତ ସୀମାନ୍ତ ଅଞ୍ଚଳରେ ପାଟ୍ରୋଲିଂ ପାଇଁ ରାଜି ହୋଇଥିଲେ। ଏହାଦ୍ୱାରା ଦୀର୍ଘ ମାସ ଧରି ଏଲଏସିରେ ଜାରି ରହିଥିବା ମିଲିଟାରୀ ଓ କୂଟନୀତିକ ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିବାର ଆଶା ସୃଷ୍ଟି ହୋଇଥିଲା।

ଏହାପରେ ରୁଷରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ଦୀର୍ଘ ୫ ବର୍ଷ ପରେ ଦୁଇ ନେତା ପରସ୍ପର ସହ କଥା ହେବା ସହ ହାତ ମିଳାଇଥିଲେ। ଦୁଇ ଦେଶର ଆଲୋଚନା ପରେ ଏବେ ସେନା ପ୍ରତ୍ୟାହାର ପ୍ରକ୍ରିୟା ଖବର ସାମ୍ନାକୁ ଆସିଛି।

୨୦୨୦ରେ ଭାରତ ଓ ଚାଇନା ମଧ୍ୟରେ ପାଟ୍ରୋଲିଂକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହାପରେ ଗଲୱାନ୍ ଘାଟିରେ ଦୁଇ ଦେଶର ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଭଳି ଭୟଙ୍କର ସ୍ଥିତି ଉପୁଜିଥିଲା। ଏଥିରେ ଭାରତର ୨୦ ଜଣ ଯବାନ ସହିଦ ହୋଇଥିଲେ। ଏହାପରେ କେଉଁ ଦେଶ LACର କେତେ ଭିତର ଯାଏ ପାଟ୍ରୋଲିଂ କରିପାରିବ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।

ଏହାକୁ ନେଇ ଉଭୟ ଦେଶ ମଧ୍ୟରେ ତିକ୍ତତା ବଢ଼ିବା ସହ, ସୀମାର ଉଭୟ ପଟେ ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ସଂଖ୍ୟା ବୃଦ୍ଧି କରିଥିଲେ ଦୁଇ ଦେଶ। ଏହାର ସମାଧାନ ପାଇଁ ବହୁ ପର୍ଯ୍ୟାୟରେ କୋର୍ କମାଣ୍ଡର ସ୍ତରୀୟ ବୈଠକ ଏବଂ କୂଟନୀତିକ ଆଲୋଚନା ହୋଇଥିଲା। ଶେଷରେ ଭାରତ ଓ ଚାଇନା ମଧ୍ୟରେ ଆପୋଷ ବୁଝାମଣା ସଫଳ ହୋଇଛି।

India China Dispute India China Meeting