Advertisment

Submarine Deal: ଆସୁଛନ୍ତି ପୁଟିନ, ରୁଷ ସହ ୨ ବିଲିୟନ ଡଲାରର ଆଣବିକ ବୁଡ଼ା ଜାହାଜ ଡିଲ ଚୂଡ଼ାନ୍ତ କଲା ଭାରତ

ଡିଲ ଅନୁସାରେ ରୁଷ ଠାରୁ ଭାରତ ଗୋଟିଏ ଆଣବିକ ଯୁଦ୍ଧାସ୍ତ୍ର ସମ୍ପନ୍ନ ବୁଡ଼ା ଜାହାଜ ଆଣିବ। ଏଥିପାଇଁ ଭାରତ ୨ ବିଲିୟନ ଡଲାର ରୁଷକୁ ଦେବ। ଡିଲ ଚୂଡ଼ାନ୍ତ ହୋଇଥିବାରୁ ଖବୁଶୀଘ୍ର ରୁଷ ପକ୍ଷରୁ ଭାରତକୁ ବୁଡ଼ା ଜାହାଜ ହସ୍ତାନ୍ତର କରାଯିବ।

author-image
Hemant Lenka
Submarine

ବୁଡ଼ା ଜାହାଜ

ଦୀର୍ଘ ଗୋଟିଏ ଦଶନ୍ଧି ଧରି ଚାଲିଥିବା ଆଲୋଚନା ସଫଳ ହୋଇଛି। ଭାରତ ଓ ରୁଷ ମଧ୍ୟରେ ଆଣବିକ ବୁଡା ଜାହାଜ ପାଇଁ ଚାଲିଥିବା ଡିଲ ଚୂଡ଼ାନ୍ତ ହୋଇଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ଦୁଇ ଦିନିଆ ଭାରତ ଗସ୍ତରେ ଆସୁଥିବା ବେଳେ ବୁଡା ଜାହାଜ(Submarine) ଡିଲ ଉପରେ ମୋହର ବାଜିଛି। 

Advertisment

ଡିଲ ଅନୁସାରେ ରୁଷ ଠାରୁ ଭାରତ ଗୋଟିଏ ଆଣବିକ ଯୁଦ୍ଧାସ୍ତ୍ର ସମ୍ପନ୍ନ ବୁଡ଼ା ଜାହାଜ ଆଣିବ। ଏଥିପାଇଁ ଭାରତ ୨ ବିଲିୟନ ଡଲାର ରୁଷକୁ ଦେବ। ଡିଲ ଚୂଡ଼ାନ୍ତ ହୋଇଥିବାରୁ ଖବୁଶୀଘ୍ର ରୁଷ ପକ୍ଷରୁ ଭାରତକୁ ବୁଡ଼ା ଜାହାଜ ହସ୍ତାନ୍ତର କରାଯିବ। ଏହି ବୁଡ଼ା ଜାହାଜ ଆସିବା ପରେ ଭାରତୀୟ ନୌସେନା ଆହୁରି ଶକ୍ତ ହେବ।

ଗୋଟିଏ ଦଶନ୍ଧି ତଳେ ଲିଜରେ ଆଣବିକ ଯୁଦ୍ଧାସ୍ତ୍ର ସମ୍ପନ୍ନ ବୁଡ଼ା ଜାହାଜ ଆଣିବା ପାଇଁ କଥାବାର୍ତ୍ତା ଆରମ୍ଭ ହୋଇଥିଲା। କିନ୍ତୁ ଦାମକୁ ନେଇ ବାଧା ସୃଷ୍ଟି ହେବାରୁ ପ୍ରାୟ ବର୍ଷେ ହେବ ଦୁଇ ଦେଶ ମଧ୍ୟରେ ଆଲୋଚନା ବନ୍ଦ ହୋଇଯାଇଥିଲା। ଏବେ ଦୁଇ ପକ୍ଷ ଡିଲ ଉପରେ ମୋହର ମାରିଛନ୍ତି। ନଭେମ୍ବର ମାସରେ ଭାରତୀୟ ଅଧିକାରୀମାନେ ରୁଷର ଗୋଟିଏ ଶିପୟାର୍ଡକୁ ଯାଇଥିଲେ। ଏହାପରେ ଡିଲ ଚୂଡ଼ାନ୍ତ ହୋଇଛି।

Advertisment

ଡିଲ ବାସ୍ତବ ରୂପ ନେଇଥିବାରୁ ଆସନ୍ତା ୨ ବର୍ଷ ମଧ୍ୟରେ ରୁଷ ପକ୍ଷରୁ ବିଧିବଦ୍ଧ ଭାବେ ଭାରତକୁ ବୁଡ଼ା ଜାହାଜ ହସ୍ତାନ୍ତର କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ନିଜ ପରିଚୟକୁ ଗୋପନ ରଖି ସୂଚନା ଦେଇଛନ୍ତି। 

ଭାରତ ପକ୍ଷରୁ ଆଣବିକ କ୍ଷମତା ସମ୍ପନ୍ନ ବୁଡ଼ା ଜାହାଜ ବାଲାଷ୍ଟିକ ମିସାଇଲକୁ ବିକଶିତ କରାଯାଇଛି। ଆଣବିକ ଯୁଦ୍ଧାସ୍ତ୍ର ସମ୍ପନ୍ନ ବୁଡ଼ା ଜାହାଜ ଡିଜେଲ ଓ ଇଲେକ୍ଟ୍ରିକ ବୁଡ଼ା ଜାହାଜ ଠାରୁ ବେଶ ଶକ୍ତିଶାଳୀ। ଏହା ସାଧାରଣତଃ ବଡ଼ ଓ ସାଧାରଣ ବୁଡ଼ା ଜାହାଜ ଠାରୁ ଏହା ଅଧିକ ସମୟ ପାଣିରେ ବୁଡ଼ି ରହିବାକୁ ସକ୍ଷମ। ପାଣିରେ ବୁଡ଼ା ଜାହାଜ ରହିଥିବା ବେଳେ ଟ୍ରାକ କରିବା ମଧ୍ୟ ଆଦୌ ସହଜ ହୋଇ ନଥାଏ। ଭାରତ ଏବେ ୧୭ଟି ଡିଜେଲ ଚାଲିତ ବୁଡ଼ା ଜାହାଜକୁ ପରିଚାଳନା କରୁଛି।

୨ ବର୍ଷ ମଧ୍ୟରେ ଭାରତକୁ ଆଣବିକ ଯୁଦ୍ଧାସ୍ତ୍ର ସମ୍ପନ୍ନ ବୁଡ଼ା ଜାହାଜ ମିଳିବାକୁ ଥିବା ବେଳେ ଏହାକୁ ଯୁଦ୍ଧରେ ବ୍ୟବହାର କରାଯାଇ ପାରିବନାହିଁ। ଲିଜ ସର୍ତ୍ତରେ ଏହାକୁ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି। ଭାରତ ନୌସେନା ସହ ରୁଷ ଠାରୁ ଲିଜରେ ଆସୁଥିବା ବୁଡ଼ା ଜାହାଜ ୧୦ ବର୍ଷ ଯାଏ ରହିବ। ଏହାପୂର୍ବରୁ ମଧ୍ୟ ଭାରତ ୧୦ ବର୍ଷ ପାଇଁ ରୁଷ ଠାରୁ ବୁଡ଼ା ଜାହାଜ ଲିଜରେ ଆଣିଥିଲା। ୨୦୨୧ ପରେ ଏହା ମସ୍କୋ ଫେରି ଯାଇଛି। ଲିଜ କଣ୍ଟ୍ରାକ୍ଟରେ ରକ୍ଷାଣବେକ୍ଷଣ ସର୍ତ୍ତ ମଧ୍ୟ ରହିଛି। 

ଆଜି ଡିଲ ଖବର ସାମ୍ନାକୁ ଆସିଥିବା ବେଳେ ଆଜି ହିଁ ରୁଷ ରାଷ୍ଟ୍ରପତି ପୁଟିନ ଭାରତ ଆସୁଛନ୍ତି। ୟୁକ୍ରେନ ସହ ପୂର୍ଣ୍ଣକାଳୀନ ଯୁଦ୍ଧ ଆରମ୍ଭ ହେବା ପରେ ଏହା ପୁଟିନଙ୍କ ପ୍ରଥମ ଭାରତ ଗସ୍ତ। ତେଣୁ ଏହା ଉପରେ ପୂରା ବିଶ୍ୱର ନଜର ରହିଛି।

ଦୁଇ ଦିନିଆ ଭାରତ ଗସ୍ତରେ ଆସୁଥିବା ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ। ପ୍ରତିରକ୍ଷା ଓ ଶକ୍ତି ସମ୍ପର୍କକୁ ଅଧିକ ମଜବୁତ କରିବା ପାଇଁ ଦୁଇ ଦେଶ ଚୁକ୍ତି କରିବାର ସମ୍ଭାବନା ରହିଛି। 

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଟାରିଫ ଲଗାଉଥିବା ବେଳେ ନୂଆଦିଲ୍ଲୀ ପକ୍ଷରୁ ରୁଷ ଓ ଚାଇନା ସହ ସମ୍ପର୍କକୁ ମଜବୁତ କରାଯାଉଛି। ରୁଷ ଓ ଚାଇନା ସହ ସମ୍ପର୍କକୁ ସୁଦୃଢ଼ କରିବା ସହ ଭାରତ ସରକାର ଆମେରିକା ସହ ମଧ୍ୟ ବାଣିଜ୍ୟ ଡିଲ କରିବାକୁ ଆଲୋଚନା ଜାରି ରଖିଛନ୍ତି। 

Submarine