Advertisment

Middle East War: ଖାମେନେଇଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଲା ଭାରତ, ଇରାନୀୟ ରାଷ୍ଟ୍ରଦୂତଙ୍କୁ ଭେଟିଲେ ବୈଦେଶିକ ସଚିବ

ଶନିବାର ତେହରାନରେ ହୋଇଥିବା ଏୟାରଷ୍ଟ୍ରାଇକରେ ଖାମେନେଇଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁର ୫ ଦିନ ପରେ ଭାରତ ସରକାର ବିଧିବଦ୍ଧ ଭାବେ ଆଜି ଶୋକ ପ୍ରକାଶ କରିଛନ୍ତି।

author-image
Hemant Lenka
India

ବିକ୍ରମ ମିସ୍ରି ଓ ଇରାନ ରାଷ୍ଟ୍ରଦୂତ

Middle East War Updates: ଇସ୍ରାଏଲ ଓ ଆମେରିକାର ମିଳିତ ଏୟାରଷ୍ଟ୍ରାଇକରେ ପ୍ରାଣ ହରାଇଥିବା ଇରାନର ସୁପ୍ରିମ ଲିଡର ଆୟୋତୁଲ୍ଲା ଅଲୀ ଖାମେନେଇଙ୍କ ପାଇଁ ଶେଷରେ ଶୋକ ପ୍ରକାଶ କରିଛନ୍ତି ଭାରତ ସରକାର। ଶନିବାର ତେହରାନରେ ହୋଇଥିବା ଏୟାରଷ୍ଟ୍ରାଇକରେ ଖାମେନେଇଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁର ୫ ଦିନ ପରେ ଭାରତ ସରକାର ବିଧିବଦ୍ଧ ଭାବେ ଆଜି ଶୋକ ପ୍ରକାଶ କରିଛନ୍ତି। 

Advertisment

ଖାମେନେଇଙ୍କ ମୃତ୍ୟୁରେ ଭାରତ ସରକାର ଶୋକ ପ୍ରକାଶ କରୁ ନଥିବାରୁ ବିଭିନ୍ନ ପ୍ରଶ୍ନ ଉଠିଥିଲା। ଏପରି କି କଂଗ୍ରେସର ରାଜ୍ୟସଭା ସାଂସନ ସୋନିଆ ଗାନ୍ଧି ମଧ୍ୟ ସରକାରଙ୍କ ନୀରବତା ଉପରେ ପ୍ରଶ୍ନ ଉଠାଇଥିଲେ। ଚର୍ଚ୍ଚା ଓ ବିବାଦ ବଢ଼ୁଥିବା ବେଳେ ଆଜି ଭାରତ ସରକାର ଶୋକ ପ୍ରକାଶ କରିଛନ୍ତି। 

ଭାରତୀୟ ବୈଦେଶିକ ସଚିବ ବିକ୍ରମ ମିସ୍ରି ଆଜି ଭାରତ ସରକାରଙ୍କ ପକ୍ଷରୁ ଖାମେନେଇଙ୍କ ଶୋକ ପାଇଁ ପ୍ରସ୍ତୁତ ବହିରେ ଦସ୍ତଖତ କରିଛନ୍ତି। ଏଥିସହ ସେ ଇରାନୀୟ ରାଷ୍ଟ୍ରଦୂତଙ୍କୁ ଭେଟି ସମବେଦନା ମଧ୍ୟ ଜଣାଇଛନ୍ତି। ଦିଲ୍ଲୀରେ ଅବସ୍ଥାପିତ ଇରାନ ଦୂତାବାସକୁ ଯାଇ ଶ୍ରୀ ମିସ୍ରି ବିଧିବଦ୍ଧ ଭାବେ ଇରାନୀୟ ରାଷ୍ଟ୍ରଦୂତଙ୍କୁ ଭେଟି ତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ମଧ୍ୟ କରିଛନ୍ତି। 

Advertisment

ଖାମେନେଇଙ୍କ ହତ୍ୟା ଓ ଇସ୍ରାଏଲର ଏୟାର ଷ୍ଟ୍ରାଇକକୁ ନେଇ ପ୍ରଥମେ ରୁଷ ଓ ଚାଇନା ନିନ୍ଦା ପ୍ରସ୍ତାବ ଜାରି କରିଥିଲେ। ଇରାନ ବିରୋଧରେ ହୋଇଥିବା ସାମରିକ କାର୍ଯ୍ୟାନୁଷ୍ଠାନକୁ ଉଭୟ ଦେଶ ଅନ୍ତର୍ଜାତୀୟ ଆଇନର ଉଲ୍ଲଙ୍ଘନ ବୋଲି କହିଥିଲେ। ହେଲେ ଭାରତ ସରକାର କିମ୍ବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୌଣସି ପ୍ରତିକ୍ରିୟା ରଖିଥିଲେ।

ପରବର୍ତ୍ତୀ ଅବସ୍ଥାରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟପ୍ରାଚ୍ୟ ଯୁଦ୍ଧ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଥିଲେ ଓ ସବୁ ପକ୍ଷକୁ ଶାନ୍ତି ବଜାୟୀ ରଖିବାକୁ କହିଥିଲେ। ତଥାପି ସେ ଏୟାର ଷ୍ଟ୍ରାଇକକୁ ନିନ୍ଦା କରି ନଥିଲେ କିମ୍ବା ଖାମେନେଇଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି ନଥିଲେ। 

ହେଲେ ଆଜି ଭାରତ ସରକାରଙ୍କ ଆଭିମୁଖ୍ୟ ବଦଳିଛି। ସେହିପରି ଭାରତ ସରକାର ଶୋକ ପ୍ରକାଶ କରିବା ପୂର୍ବରୁ ଇରାନ ଆଇଆରଜିସି ବି ଭାରତକୁ ସୁହାଇଲା ଭଳି ଗୋଟିଏ ବଡ଼ ଘୋଷଣା କରିଥିଲା। ହର୍ମୁଜ ପ୍ରଣାଳୀକୁ ଭାରତୀୟ ଜାହାଜ ପାଇଁ ବନ୍ଦ କରାଯାଇ ନଥିବା ଇରାନ ପରୋକ୍ଷରେ ଘୋଷଣା କରିଛି।

ଆଇଆରଜିସିର କହିବା କଥା ଯେ ହର୍ମୁଜ ପ୍ରଣାଳୀକୁ ନିର୍ଦ୍ଦିଷ୍ଟ ଭାବେ କେବଳ ଆମେରିକା, ଇସ୍ରାଏଲ, ୟୁରୋପ ଓ ସେମାନଙ୍କ ପଶ୍ଚିମ ସହଯୋଗୀ ଦେଶଗୁଡ଼ିକ ପାଇଁ ବନ୍ଦ କରାଯାଇଛି। ଅନ୍ୟ କୌଣସି ଦେଶ ପାଇଁ ହର୍ମୁଜ ପ୍ରଣାଳୀକୁ ଇରାନ ବନ୍ଦ କରି ନଥିବା ଆଇଆରଜିସି ସ୍ପଷ୍ଟ କରିଛି। 

ଆଇଆରଜିସିର ଏପରି ଘୋଷଣା ପରେ ଶ୍ରୀ ମିସ୍ରି ଦିଲ୍ଲୀ ସ୍ଥିତ ଇରାନ ଦୂତାବାସକୁ ଯାଇ ସେଠାକାର ରାଷ୍ଟ୍ରଦୂତଙ୍କୁ ଭେଟିଛନ୍ତି ଓ ଭାରତ ସରକାରଙ୍କ ପକ୍ଷରୁ ଖାମେନେଇଙ୍କ ଶୋକ ପ୍ରସ୍ତାବ ବହିରେ ଦସ୍ତଖତ କରିଛନ୍ତି। 

Middle East war updates