Advertisment

ପାକିସ୍ତାନୀ ମିରାଜ ଧ୍ୱଂସ, ପରବର୍ତ୍ତୀ ଲଢ଼େଇ ପାଇଁ ଭାରତ ପ୍ରସ୍ତୁତ

ଭାରତର ଜବାବୀ ହମଲାରେ ପାକିସ୍ତାନର ଗୋଟିଏ ମିରାଜ ଯୁଦ୍ଧ ବିମାନ ବି ପୂରା ଛିନଛତ୍ର ହୋଇଯାଇଛି।

author-image
Hemant Lenka
Mirage

Mirage

ଅପରେସନ ସିନ୍ଦୂରର ବଦଲା ନେବାକୁ ପାକିସ୍ତାନ ଜୋରଦାର ଉଦ୍ୟମ କରିଥିଲା। ପାକିସ୍ତାନ ପକ୍ଷରୁ ଡ୍ରୋନ, ମିସାଇଲ, ରକେଟ ଓ ଯୁଦ୍ଧ ବିମାନ ଦ୍ୱାରା ଭାରତର ବିଭିନ୍ନ ସହରକୁ ଟାର୍ଗେଟ କରାଯାଇଥିଲା। ହେଲେ ଭାରତର ଏୟାର ଡିଫେନ୍ସ ସିଷ୍ଟମ ପାକିସ୍ତାନର ସବୁ ଉଦ୍ୟମକୁ ଆକାଶ ପଥରେ ହିଁ ପଣ୍ଡ କରି ଦେଇଛି। ଭାରତର କାଉଣ୍ଟର ଆଟାକରେ ପାକିସ୍ତାନ ବ୍ୟାପକ କ୍ଷତି ସହିଛି।

Advertisment

ଭାରତର ଜବାବୀ ହମଲାରେ ପାକିସ୍ତାନର ଗୋଟିଏ ମିରାଜ ଯୁଦ୍ଧ ବିମାନ ବି ପୂରା ଛିନଛତ୍ର ହୋଇଯାଇଛି। ଭାରତୀୟ ସେନା ପକ୍ଷରୁ ଆଜି ପାକିସ୍ତାନର ବିଭିନ୍ନ ଡ୍ରୋନ, ମିସାଇଲ ଓ ରକେଟର ଧ୍ୱଂସାବଶେଷର ଭିଡିଓ ଜାରି କରାଯାଇଛି। ଏହି ଭିଡିଓରୁ ସ୍ପଷ୍ଟ ଭାବେ ଗୋଟିଏ ପାକିସ୍ତାନୀ ମିରାଜ ଯୁଦ୍ଧ ବିମାନ ଧ୍ୱଂସ ହୋଇଥିବା ଦେଖିବାକୁ ମିଳିଛି। ଆଉ କିଛି ଯୁଦ୍ଧ ବିମାନ ମଧ୍ୟ ପାକିସ୍ତାନ ହରାଇଛି। କିନ୍ତୁ ସେଗୁଡ଼ିକ ପାକିସ୍ତାନ ସୀମାରେ ଖସି ଥିବାରୁ ଏହାର ଧ୍ୱଂସାବଶେଷ ମିଳିପାରି ନାହିଁ। ଏହା ମଧ୍ୟରେ ପାକିସ୍ତାନ ବନ୍ଧୁ ଚାଇନା ଠାରୁ ଆଣିଥିବା ଜେଏଫ-୧୭ ଯୁଦ୍ଧ ବିମାନ ରହିଥିବା କୁହାଯାଉଛି।

ଅସ୍ତ୍ରବିରତି ସର୍ତ୍ତ ଅନୁସାରେ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ଡିଜିଏମଓ ସ୍ତରୀୟ ବୈଠକ ସନ୍ଧ୍ୟାରେ ବସିବ। ଏହାପୂର୍ବରୁ ଭାରତର ୩ ସେନାର ଡିଜିଏମଓ ପୁଣି ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଅପରେସନ ସିନ୍ଦୂର ସମ୍ପର୍କରେ ସେମାନେ ଆଉ କିଛି ଅପଡେଟ ଦେବା ସହ ଭାରତ ପରବର୍ତ୍ତୀ ଲଢ଼େଇ ପାଇଁ ଭଲ ଭାବେ ପ୍ରସ୍ତୁତ ଥିବା କହିଛନ୍ତି।

Advertisment

ଏୟାର ମାର୍ଶଲ ଏକେ ଭାରତୀୟ କହିଛନ୍ତି, “ଆମର ଲଢ଼େଇ ଆତଙ୍କବାଦୀଙ୍କ ବିରୋଧରେ ଥିଲା। କିନ୍ତୁ ପାକିସ୍ତାନ ସେନା ଆତଙ୍କବାଦୀଙ୍କ ସାଥ ଦେଲା। ଆତଙ୍କବାଦୀଙ୍କ ଆଡ୍ଡା ଅପରେସନ ସିନ୍ଦୂରରେ ଧ୍ୱଂସ ହୋଇଥିବାରୁ ପାକିସ୍ତାନ ସେନା ଆମ ସାଙ୍ଗରେ ଲଢ଼େଇ ପାଇଁ ଆଗେଇ ଆସିଲା। ଏହାର ଜବାବ ବେଶ ଭଲ ଭାବେ ଦିଆଯାଇଛି।”

ଭାରତ କରିଥିବା କାଉଣ୍ଟର ଆଟାକରେ ପାକିସ୍ତାନର ୧୧ଟି ଏୟାରବେସ୍‌ ଧ୍ୱଂସ ହୋଇଥିଲା। ଆଜି ସାମ୍ବାଦିକ ସମ୍ମିଳନୀ ବେଳେ ନୂର ଖାନ ଓ ରଫିକ୍ୟୁ ଏୟାର ବେସ୍‌ରେ ଭାରତର ଆଟାକ ଯୋଗୁ ହୋଇଥିବା କ୍ଷୟକ୍ଷତିର ପ୍ରମାଣ ଭିଡିଓ ଆକାରରେ ଉପସ୍ଥାପନ କରାଯାଇଛି। ସେହିପରି ଭାରତ ଉପରେ ଆକ୍ରମଣ କରିବା ପାଇଁ ପାକିସ୍ତାନ ବ୍ୟବହାର କରିଥିବା ଚାଇନିଜ ମିଜାଇଲର ଭଗ୍ନାବଶେଷ ଫଟୋ ଦେଖାଯାଇଛି। ପିଏଲ-୧୫ ଏୟାର ଟୁ ଏୟାର ମିଜାଇଲ୍‌କୁ ଭାରତୀୟ ଏୟାର ଡିଫେନ୍ସ ନଷ୍ଟ କରିଛି। ସେହିପରି ତୁର୍କୀ ନିର୍ମିତ ୟିହା ଓ ସୋନଗାର ଡ୍ରୋନ୍ସକୁ ବି ଧ୍ୱଂସ କରାଯାଇଛି।

ଡିଜିଏମଓ ସ୍ତରୀୟ ପ୍ରେସମିଟ୍‌ରେ ଏୟାର ମାର୍ଶଲ ଏକେ ଭାରତୀ କହିଛନ୍ତି, ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ୩ ସେନା ସର୍ବଦା ପୂରା ପ୍ରସ୍ତୁତ ହୋଇ ରହିଛନ୍ତି। ଭାରତର ସମସ୍ତ ସାମରିକ ଘାଟି ଓ ଅପରେସନନାଲ୍‌ ସିଷ୍ଟମ ଆକ୍ଟିଭ ରହିଛି। ଯଦି ଭବିଷ୍ୟତରେ ସେପରି କିଛି ପରିସ୍ଥିତି ଉତ୍ପନ୍ନ ହୁଏ, ତା’ହେଲେ ଏହାର ମୁକାବିଲା ପାଇଁ ସମସ୍ତେ ପ୍ରସ୍ତୁତ। ଯଦି ଆଗକୁ କେବେ ଲଢ଼େଇ ହେବ, ତା’ହେଲେ ତାହା ପୂର୍ବାପେକ୍ଷା ଅଲଗା ହେବ। ଏଥିପାଇଁ ଆମେ ସମସ୍ତ ପ୍ରକାର କୌଶଳକୁ ଆପଣାଉଛୁ। ଭଗବାନ କରନ୍ତୁ ଲଢ଼େଇ ନ ହେଉ, ଯଦି ହୁଏ ପୂରା ଅଲଗା ହେବ। ଭାରତ ବେଶ ପ୍ରଭାବଶାଳୀ ଢଙ୍ଗରେ ଜବାବ ଦେବ ବୋଲି ଏକେ ଭାରତୀୟ ସ୍ପଷ୍ଟ କରିଛନ୍ତି।

Jammu Kashmir Pahalgam Operation Sindoor