Advertisment

୨୦୧୩ ଭଳି ସ୍ଥିତି ନାହିଁ, ନିଜକୁ ମଜବୁତ କରିଛି ଭାରତ: ମୋର୍ଗାନ ଷ୍ଟାନଲୀ

୧୦ ବର୍ଷରୁ କମ ସମୟରେ ଭାରତର ଚିତ୍ର କେମିତି ବଦଳି ଗଲା, ତା’ର ଉପରେ ସଂସ୍ଥା ରିପୋର୍ଟ ଦେଇଛି। ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପରେ ୧୦ଟି ବଡ଼ ପରିବର୍ତ୍ତନ ସମ୍ପର୍କରେ ମଧ୍ୟ ଏହି ରିପୋର୍ଟରେ କୁହାଯାଇଛି।

author-image
Hemant Lenka
Morgan Stanley

Morgan Stanley

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧୀନରେ ଭାରତ ନିଜକୁ ବଦଳାଇଛି। ବିଶ୍ୱସ୍ତରରେ ନିଜର ସ୍ଥିତିକୁ ମଜବୁତ କରିଛି ଓ ଏସିଆ ଏବଂ ବିଶ୍ୱର ଅଭିବୃଦ୍ଧିରେ ପ୍ରମୁଖ ସଦସ୍ୟ ସାଜିଛି ବୋଲି ଆମେରିକୀୟ ବ୍ୟାଙ୍କିଂ ସଂସ୍ଥା ମୋର୍ଗାନ ଷ୍ଟାନଲୀ ତା’ ରିପୋର୍ଟରେ ଦାବି କରିଛି।

Advertisment

ସଂସ୍ଥା ତା’ର ରିପୋର୍ଟରେ କହିଛି ଯେ “ଭାରତର ଅଭିବୃଦ୍ଧି କରିଛି। ବିଶେଷ କରି ବିଦେଶୀ ସଂସ୍ଥାର ପୁଞ୍ଜିନିବେଶ କ୍ଷେତ୍ରରେ ଭାରତ ଆଗରେ ରହିଛି। ୨୦୧୩ରେ ଭାରତ ଯାହା ଥିଲା ଏବେ ଏହା ସଂପୂର୍ଣ୍ଣ ଭାବେ ବଦଳି ଯାଇଛି। ୧୦ ବର୍ଷର ଛୋଟିଆ ଅବଧିରେ ଭାରତ ପୂରା ବିଶ୍ୱରେ ନିଜର ସ୍ଥିତିକୁ ମଜବୁତ କରିଛି। ଏହି ସମୟରେ ମାଇକ୍ରୋ ଓ ମାର୍କେଟ କ୍ଷେତ୍ରକୁ ମହତ୍ତ୍ୱପୂର୍ଣ୍ଣ ଏବଂ ସକାରାତ୍ମକ ଫଳ ମିଳିଛି।”

୧୦ ବର୍ଷରୁ କମ ସମୟରେ ଭାରତର ଚିତ୍ର କେମିତି ବଦଳି ଗଲା, ତା’ର ଉପରେ ସଂସ୍ଥା ରିପୋର୍ଟ ଦେଇଛି। ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପରେ ୧୦ଟି ବଡ଼ ପରିବର୍ତ୍ତନ ସମ୍ପର୍କରେ ମଧ୍ୟ ଏହି ରିପୋର୍ଟରେ କୁହାଯାଇଛି। କର୍ପୋରେଟ ଟିକସ ଓ ଭିତ୍ତିଭୂମି କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ସପ୍ଲାଏ ବଢ଼ିବା ସହ ଅଭିବୃଦ୍ଧି ହୋଇଛି। ଏକାଧିକ କେନ୍ଦ୍ରୀୟ ଓ ରାଜ୍ୟ ଟିକସକୁ ପରିବର୍ତ୍ତନ କରି ଜିଏସଟି ନିୟମ ଯୋଗୁ ରାଜସ୍ୱ ବଢ଼ିଛି। ଡିଜିଟାଲ ନେଣଦେଣ ଯୋଗୁ ଅର୍ଥନୀତି ସ୍ୱାଭାବିକ ହୋଇଥିବା ସଂସ୍ଥା କହିଛି।

Advertisment

ଯୋଗାଣ କ୍ଷେତ୍ର ପାଇଁ ନୀତି ସଂସ୍କାର, ଅର୍ଥ ବ୍ୟବସ୍ଥାର ଫରମାଲାଇଜେସନ, ରିଏଲ୍ ଇଷ୍ଟେଟ୍ (ନିୟମାବଳୀ ଓ ବିକାଶ) ଅଧିନିୟମ, ବିଭିନ୍ନ ସେବାର ଡିଜିଟାଇଜେସନ୍, ଇନ୍ସଲଭେନ୍ସି ଓ ଦେବାଳିଆ କୋଡ୍, ଫ୍ଲେକ୍ସିବୁଲ ମୁଦ୍ରାସ୍ଫୀତି ଲକ୍ଷ୍ୟ, ଏଫଡିଆଇ ଉପରେ ଫୋକସ, କର୍ପୋରେଟ୍ ଲାଭ ପାଇଁ ସରକାରୀ ସହାୟତା ଆଦି ବଡ଼ ପରିବର୍ତ୍ତନ ୧୦ ବର୍ଷ ମଧ୍ୟରେ ହୋଇଛି।

ଗତ ୧୦ ବର୍ଷ ହେଲା ଭାରତରେ କର୍ପୋରେଟ୍ ଟିକସ ହାର ୨୫ ପ୍ରତିଶତରୁ କମ୍ ଥିବାବେଳେ ମାର୍ଚ୍ଚ ୨୪ ପୂର୍ବରୁ କାର୍ଯ୍ୟ ଆରମ୍ଭ କରିବାକୁ ଥିବା ନୂଆ କମ୍ପାନୀଗୁଡିକ ପାଇଁ ଏହା ୧୫% ରହିଛି। ଭିତ୍ତିଭୂମି ବିକାଶ ଦୃଷ୍ଟିରୁ ଏହି ରିପୋର୍ଟରେ ଜାତୀୟ ରାଜପଥ, ବ୍ରଡବ୍ୟାଣ୍ଡ ଗ୍ରାହକ ଆଧାର, ଅକ୍ଷୟ ଶକ୍ତି ଓ ରେଳ ମାର୍ଗ ଭଳି ଜିନିଷକୁ ବିଚାରକୁ ନିଆଯାଇଛି।

ରିପୋର୍ଟରେ ଭାରତ ଖୁବଶୀଘ୍ର ଏସିଆ ଓ ବିଶ୍ୱ ଅଭିବୃଦ୍ଧିର ପ୍ରମୁଖ ରାଷ୍ଟ୍ର ସାଜିବ ବୋଲି ଦାବି କରାଯାଇଛି। ଭାରତ ବିଶ୍ୱର ଦ୍ୱିତୀୟ ଦ୍ରୁତତମ ଅଭିବୃଦ୍ଧି ରାଷ୍ଟ୍ର ଓ ୨୫ ବର୍ଷ ହେଲା ଷ୍ଟକ ମାର୍କେଟରେ ଭଲ ପ୍ରଦର୍ଶନ କରୁଥିବା ଦେଶ ହୋଇଥିଲେ ମଧ୍ୟ ଦକ୍ଷତା ଅନୁସାରେ ଏହା ସେବା ଯୋଗାଇ ପାରୁ ନଥିବା ଅନେକ ନିବେଶକାରୀ ମତ ରଖୁଥିଲେ। ହେଲେ ୨୦୧୪ ପରେ ହୋଇଥିବା ପରିବର୍ତ୍ତନ ଏସବୁ ଆଭିମୁଖ୍ୟକୁ ବଦଳାଇଛି ବୋଲି ସଂସ୍ଥା କହିଛି।

ଭାରତର ମୁଣ୍ଡ ପିଛା ଆୟ ୨,୨୦୦ ଆମେରକୀୟ ଡଲାରରୁ ବୃଦ୍ଧି ପାଇଁ ୨୦୩୨ ଆର୍ଥିକ ବର୍ଷ ସୁଦ୍ଧା ୫,୨୦୦ ଡଲାରରେ ପହଞ୍ଚିବ। ରିୟଲ ଟାଇମ ପେମେଣ୍ଟ ଓ ଡିଜିଟାଲ ନେଣଦେଶରେ ଭାରତ ଖୁବଶୀଘ୍ର ବିଶ୍ୱସ୍ତରୀୟ ରାଷ୍ଟ୍ର ବନିବ। ମୁଦ୍ରାସ୍ଫୀତିର ପ୍ରଭାବ ଦେଶର ଅର୍ଥ ବ୍ୟବସ୍ଥା ଉପରେ ପଡ଼ିବ ନାହିଁ ବୋଲି ରିପୋର୍ଟରେ ମୋର୍ଗାନ ଷ୍ଟାନଲୀ ଦାବି କରିଛି।

Indian Economy