Pakistan
ଅପରେସନ ସିନ୍ଦୂର ପରେ ଭାରତ ଠାରୁ ବଦଲା ନେବାକୁ ଉଦ୍ୟମ କରି ଫେଲ ମାରିଛି ପାକିସ୍ତାନ। ମଙ୍ଗଳବାର ରାତି ୧.୦୫ରୁ ୧.୩୦ ମଧ୍ୟରେ ଭାରତୀୟ ସେନା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ୯ଟି ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିଥିଲା। ଭାରତୀୟ ସେନାର ବୀରତ୍ୱକୁ ସହଜରେ ହଜମ କରି ପାରି ନଥିବା ପାକିସ୍ତାନ ବୁଧବାର ରାତିରେ ପାଲଟା ଆକ୍ରମଣ କରିଥିଲା।
ଭାରତର ୧୫ଟି ସହରକୁ ପାକିସ୍ତାନ ମିସାଇଲ ଓ ଡ୍ରୋନ ଦ୍ୱାରା ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ହେଲେ ପାକିସ୍ତାନର ସବୁ ମିସାଇଲ ଓ ଡ୍ରୋନକୁ ଭାରତୀୟ ବାୟୁ ସେନାର ରୁଷ ନିର୍ମିତ ଏୟାର ଡିଫେନ୍ସ ସିଷ୍ଟମ ଏସ-୪୦୦ ଖସାଇ ଦେବାକୁ ସକ୍ଷମ ହୋଇଛି। ଏହି ଏସ୍-୪୦୦ ଏୟାର ଡିଫେନ୍ସ ସିଷ୍ଟମ ସୁଦର୍ଶନ ଚକ୍ର ଭାବେ ପରିଚିତ। ପାକିସ୍ତାନର ସବୁ ଆକ୍ରମଣ ଉଦ୍ୟମକୁ ଆକାଶ ପଥରେ ହିଁ ସୁଦର୍ଶନ ଚକ୍ର କାଟି ପକାଇଛି। ନଷ୍ଟ ହୋଇଥିବା ପାକିସ୍ତାନ ମିସାଇଲ ଓ ଡ୍ରୋନର ଭଗ୍ନାଂବଶେଷ ଏବେ ଭାରତର ଅମୃତସର ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନକୁ ମିଳିବାରେ ଲାଗିଛି।
ଆକାଶ ପଥରେ ଫେଲ ମାରିବା ପରେ ପାକିସ୍ତାନ ଏଲଓସିରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ସୀମାନ୍ତ ଗାଁ ଓ ସେନା ଆଉଟପୋଷ୍ଟକୁ ଟାର୍ଗେଟ କରିବାରେ ଲାଗିଛି। ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ୧୫ ଜଣ ଭାରତୀୟ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଓ ୫ ଜଣ ଛୋଟ ପିଲା ମଧ୍ୟ ରହିଛନ୍ତି।
ପାକିସ୍ତାନ ଅପରେସନ ସିନ୍ଦୂରର ଜବାବରେ ମିସାଇଲ ଓ ଡ୍ରୋନ ଦ୍ୱାରା ଆକ୍ରମଣ କରିବାକୁ ଚେଷ୍ଟା କରି ବିଫଳ ହୋଇଥିବା ବେଳେ ଭାରତ ପୁଣିଥରେ ପାଲଟା ଜବାବ ଦେଇଛି। ଭାରତ ପକ୍ଷରୁ ପାକିସ୍ତାନକୁ ପାନେ ଦେବା ପାଇଁ ଲାହୋରରେ ଡ୍ରୋନ ହମଲା କରାଯାଇଥିବା ସରକାର ସ୍ପଷ୍ଟ କରିଛନ୍ତି।
ସରକାରଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ବୁଧବାର ରାତିରେ ପାକିସ୍ତାନ ସେନା ଅବନ୍ତିପୁରା, ଜମ୍ମୁ, ପଠାନକୋଟ, ଅମୃତସରଳ, କପୁରତାଲା, ଜଲନ୍ଧର, ଲୁଧିଆନା, ଆଦମପୁର, ଭାଟିଣ୍ଡା, ଚଣ୍ଡିଗଡ଼, ନାଲ, ଫାଲୋଡି, ଉତ୍ତରଲାଇ ଓ ଭୁଜ ଭଳି ସହର ଏବଂ ଏଠାରେ ଥିବା ସାମରିକ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରି ମିସାଇଲ ଓ ଡ୍ରୋନ ମାଡ଼ କରିଥିଲା। କିନ୍ତୁ ସେଗୁଡ଼ିକୁ ଇଣ୍ଟିଗ୍ରେଟେଡ କାଉଣ୍ଟର ୟୁଏଏସ ଗ୍ରୀଡ ଓ ଏୟାର ଡିଫେନ୍ସ ସିଷ୍ଟମ ଦ୍ୱାରା ସେଗୁଡ଼ିକୁ ନଷ୍ଟ କରି ଦିଆଯାଇଛି। ନଷ୍ଟ ହୋଇଥିବା ମିସାଇଲ ଓ ଡ୍ରୋନର ଭଗ୍ନାଂବଶେଷଗୁଡ଼ିକ ଆଜି ସକାଳୁ ବିଭିନ୍ନ ସ୍ଥାନରୁ ମିଳିଛି। ଏହା ପାକିସ୍ତାନର ଆକ୍ରମଣକୁ ପ୍ରମାଣିତ କରିଛି।
ମିସାଇଲ ଓ ଡ୍ରୋନ ଆକ୍ରମଣ କରି ଫେଲ ମାରିଥିବା ପାକିସ୍ତାନ ଏଲଏସିରରେ ନିରବଚ୍ଛିନ୍ନ ଭାବେ ମୋର୍ଟାର ଓ ଗୁଳିମାଡ଼ କରିବାରେ ଲାଗିଛି। କୁପୱାଡା, ବାରମୁଲ୍ଲା, ପୁଞ୍ଚ, ରଜୌରୀ, ମେନ୍ଧର, ଉରି ଓ ଅଖନୁର ସେକ୍ଟରରେ ପାକିସ୍ତାନ ଗୁଳି ବର୍ଷା କରିବାରୁ ଏହାର ଜବାବ ଦିଆଯାଇଛି।
ଆଜି ସକାଳେ ଭାରତୀୟ ସେନା ପାକିସ୍ତାନର ବିଭିନ୍ନ ସହରରେ ଏୟାର ଡିଫେନ୍ସ ରାଡାର ଓ ସିଷ୍ଟମକୁ ଟାର୍ଗେଟ କରିଥିଲା। ପାକିସ୍ତାନ ଯେଉଁ ଭଳି ଆକ୍ରମଣ କରିଥିଲା ଭାରତ ମଧ୍ୟ ସମାନ ଢଙ୍ଗରେ ଏହାର ଜବାବ ଦେଇଛି। ଭାରତର ଡ୍ରୋନ ଆକ୍ରମଣରେ ପାକିସ୍ତାନର ଏୟାର ଡିଫେନ୍ସ ସିଷ୍ଟମ ନଷ୍ଟ ହୋଇଯାଇଥିବା ସରକାରଙ୍କ ବିବୃତିରେ କୁହାଯାଇଛି।
ସୂତ୍ର ଅନୁସାରେ, ଚାଇନା ପକ୍ଷରୁ ଲାହୋରରେ ଏଚକ୍ୟୁ-୯ ମିସାଇଲ ଡିଫେନ୍ସ ସିଷ୍ଟମ ଖଞ୍ଜା ଯାଇଥିଲା। ହେଲେ ଭାରତର ଜବାବୀ କାର୍ଯ୍ୟାନୁଷ୍ଠାନରେ ତାହା ନଷ୍ଟ ହୋଇଯାଇଛି। କେବଳ ଲାହୋର ନୁହେଁ, ରାୱଲପିଣ୍ଡିରେ ଥିବେ ସେନା ପ୍ରତିଷ୍ଠାକୁ ଟାର୍ଗେଟ କରି ଭାରତ ଡ୍ରୋନ ମାଡ଼ କରିଛି। ପ୍ରଥମଥର ପାଇଁ ଭାରତୀୟ ସେନା ପାକିସ୍ତାନ ଆର୍ମି ମୁଖ୍ୟାଳୟକୁ ଟାର୍ଗେଟ କରିଥିବାରୁ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ଲୋକମାନେ ଭୟରେ ରାସ୍ତା ଉପରେ ଭିଡ଼ କରିଥିବାର ଦୃଶ୍ୟ ସାମ୍ନାକୁ ଆସିଛି।
ଭାରତ ସରକାରଙ୍କ ବୟାନ ପୂର୍ବରୁ ପାକିସ୍ତାନର ଆଇଏସପିଆର ଡିଜି ଲେଫ୍ଟନାଣ୍ଟ ଜେନେରାଲ ଅହମଦ ଶରିଫ ଚୌଧୁରୀ ଦାବି କରିଥିଲେ ଯେ ସୀମା ଉଲ୍ଲଙ୍ଘନ କରି ପାକିସ୍ତାନରେ ପ୍ରବେଶ କରିଥିବା ଭାରତର ୧୨ଟି ଡ୍ରୋନକୁ ଇସଲାମାବାଦ ସଫଳତାର ସହ ଖସାଇ ଦେଇଛି। ଲାହୋର, ଗୁଜରନୱାଲା, ଚାକୱାଲ, ବାହାବଲପୁର, ମିଆନୋ, କରାଚି, ଚୋର, ରାୱଲପିଣ୍ଡି ଓ ଅଟ୍ଟୋକରେ ଭାରତୀୟ ଡ୍ରୋନକୁ ଖସାଇ ଦିଆଯାଇଥିବା ସେ ଦାବି କରିଛନ୍ତି। ଖସି ପଡ଼ିଥିବା ତଥାକଥିତ ଡ୍ରୋନର ଫଟୋ ମଧ୍ୟ ପାକିସ୍ତାନ ସେନା ଜାରି କରିଛି।
ଡିଜି ଆଇଏସ୍ପିଆରଙ୍କ କହିବା କଥା ଯେ ଲାହୋର ନିକଟରେ ଗୋଟିଏ ଡ୍ରୋନ କ୍ରାଶ ହୋଇଥିବା ବେଳେ ଏଥିରେ ୪ ଜଣ ପାକିସ୍ତାନୀ ଯବାନ ଆହତ ହୋଇଛନ୍ତି। ସେହିପରି ସିନ୍ଧ ପ୍ରଦେଶର ମିଆନୋରେ ଭାରତ କରିଥିବା ଡ୍ରୋନ ଆଟାକରେ ଜଣେ ସାଧାରଣ ଲୋକଙ୍କ ଜୀବନ ଯାଇଛି। କିନ୍ତୁ ରାୱଲପିଣ୍ଡି, ଚକୱାଲ ଓ କରାଚିରେ ଭାରତୀୟ ଡ୍ରୋନ କ୍ଷତି ପହଞ୍ଚାଇବା ପୂର୍ବରୁ ଏହାକୁ ଖସାଇ ଦିଆଯାଇଛି।
ସେ କହିଛନ୍ତି ଯେ ପାକିସ୍ତାନ ପୂରା ଆଲର୍ଟରେ ରହିଛି। ସୀମା ବିବାଦ ସମୟରେ ଭାରତ ମସଜିଦ ଓ ସାଧାରଣ ଲୋକଙ୍କୁ ଟାର୍ଗେଟ କରିଛି। ଏହାର ପରିଣାମ ଭାରତକୁ ଭୋଗିବାକୁ ପଡ଼ିବ।
ଭାରତର ଏସ-୪୦୦ ବା ସୁଦର୍ଶନ ଚକ୍ର କ’ଣ?
ରୁଷ ନିର୍ମିତ ଏସ୍-୪୦୦ ଏୟାର ଡିଫେନ୍ସ ସିଷ୍ଟମକୁ ତିଆରି କରିଛନ୍ତି। ଏହା ଶତ୍ରୁ ପକ୍ଷରୁ ମିସାଇଲ ଓ ଅନ୍ୟ ଯୁଦ୍ଧାସ୍ତ୍ରକୁ ୬୦୦ କିମି ଦୂରରୁ ଚିହ୍ନଟ କରିବାର କ୍ଷମତା ରଖିଛି। ସେହିପରି ୪୦୦ କିମି ଦୂରରୁ ସମ୍ଭାବ୍ୟ ବିପଦକୁ ମଧ୍ୟ ଏସ୍-୪୦୦ ଧରି ପାରିବ। ଯୁଦ୍ଧ ବିମାନ, ବାଲାଷ୍ଟିମ ମିସାଇଲ ଓ ଡ୍ରୋନକୁ ଏହାରୁ ରାଡାରରୁ ଖସିବା ମୁସ୍କିଲ। ଏହି ସୁଦର୍ଶନ ଚକ୍ର ଶତ୍ରୁ ପକ୍ଷରୁ ୯୦% ବିପଦକୁ ଆକାଶ ପଥରେ ଅକାମୀ କରିବାରେ ସକ୍ଷମ।
ଭାରତର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଏହାକୁ ଖଞ୍ଜା ଯାଇଛି। ଏଯାଏ ଭାରତ ୪ଟି ସ୍କ୍ୱାର୍ଡନ ଲଗାଇଛି। ଜମ୍ମୁ-କଶ୍ମୀର ଓ ପଞ୍ଜାବ ପାଇଁ ପଠାନକୋଟରେ ଏହା ରହିଥିବା ବେଳେ ରାଜସ୍ଥାନ ଓ ଗୁଜରାଟର ସୁରକ୍ଷା ପାଇଁ ଏହାକୁ ବ୍ୟବହାର କରାଯାଉଛି। ଗତକାଲି ରାତିରେ ଯେତେବେଳେ ପାକିସ୍ତାନ ମିସାଇଲ ଓ ଡ୍ରୋନ ଭାରତର ସହରଗୁଡ଼ିକୁ ଟାର୍ଗେଟ କରିଥିଲେ ସେତେବେଳେ ସୁଦର୍ଶନ ଚକ୍ର ତା’ର ଜଲୱା ଦେଖାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Pakistan_1746699245.jpg)