Advertisment

ବାଂଲାଦେଶରେ ଥିବା ଭାରତୀୟ ଓ ସଂଖ୍ୟାଲଘୁଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଭାରତ ଗଠନ କଲା କମିଟି

ଗତକାଲି ବାଂଲାଦେଶରେ ଅନ୍ତରୀଣ ସରକାର ଗଠନ କରାଯାଇଛି। ଅନ୍ତରୀଣ ସରକାରର ମୁଖ୍ୟ ଭାବେ ଶପଥ ନେଇଛନ୍ତି ଶାନ୍ତି ପାଇଁ ନୋବେଲ ପୁରସ୍କାର ପାଇଥିବା ମହମ୍ମଦ ୟୁନୁସ।

author-image
Jitendra Garnayak
Bangladesh

Bangladesh

ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଅଶାନ୍ତ ହୋଇପଡ଼ିଥିବା ବାଂଲାଦେଶରେ ସଂଖ୍ୟାଲଘୁମାନଙ୍କୁ ଆକ୍ରମଣ କରାଯାଉଥିବା କଥା ସାମ୍ନାକୁ ଆସିବା ପରେ ଭାରତ ସରକାର ଏକ କମିଟି ଗଠନ କରିଛନ୍ତି। ବାଂଲାଦେଶର ସ୍ଥିତି ଉପରେ ନଜର ରଖିବା ପାଇଁ ଏହି କମିଟି ଗଠନ କରାଯାଇଛି। ତା’ସହିତ ବାଂଲାଦେଶରେ ବସବାସ କରୁଥିବା ଭାରତୀୟ ଓ ସଂଖ୍ୟାଲଘୁଙ୍କର ସୁରକ୍ଷାକୁ ସୁନିଶ୍ଚିତ କରିବ ଏହି କମିଟି। 

Advertisment

କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଭାରତ-ବାଂଲାଦେଶ ସୀମା (IBB)ର ସ୍ଥିତି ଉପରେ ନଜର ରଖିବା ପାଇଁ ଏକ କମିଟି ଗଠନ କରାଯାଇଛି। ଏହି କମିଟି ବାଂଲାଦେଶରେ ଥିବା ସେମାନଙ୍କ ପ୍ରତିପକ୍ଷ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ ରକ୍ଷା କରି ସେଠାରେ ବସବାସ କରୁଥିବା ଭାରତୀୟ ଓ ସଂଖ୍ୟାଲଘୁ ସଂପ୍ରଦାୟର ଲୋକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବ। ସରକାରଙ୍କ ପକ୍ଷରୁ ଗଠିତ କମିଟିର ନେତୃତ୍ୱ ନେବେ ବିଏସ୍‌ଏଫ୍‌ର ଇର୍ଷ୍ଟନ କମାଣ୍ଡର ଏଡିଜି।

ବାଂଲାଦେଶରେ ସଂରକ୍ଷଣ ବିରୋଧୀ ଆନ୍ଦୋଳନ ଏତେ ଜୋର ଧରିଲା ଯେ ବ୍ୟାପକ ହିଂସାକାଣ୍ଡ ସହିତ ୩୦୦ରୁ ଅଧିକ ଜଣଙ୍କ ଜୀବନ ଚାଲିଗଲା। ଦୃଢ଼ ହସ୍ତରେ ଏହାକୁ ଦମନ କରିବାକୁ ପ୍ରୟାସ କରାଯାଇଥିଲେ ହେଁ ଆନ୍ଦୋଳନକାରୀମାନେ ଦବି ଯାଇ ନଥିଲେ। ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା ଓ ଶେଷରେ ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ଛାଡ଼ିଥିଲେ। ସେ ଏବେ ଭାରତରେ ଅଛନ୍ତି। ତେବେ ସେ ଇସ୍ତଫା ଦେବା ସତ୍ତ୍ୱେ ବାଂଲାଦେଶକୁ ଶାନ୍ତି ଫେରି ନାହିଁ। ବିଭିନ୍ନ ସ୍ଥାନରେ ଶେଖ ହସିନାଙ୍କ ଦଳର ନେତାଙ୍କ ସହିତ ସଂଖ୍ୟାଲଘୁ ଲୋକଙ୍କୁ ଆକ୍ରମଣ କରାଯାଇଥିବାର ରିପୋର୍ଟ ଆସୁଛି।  

Advertisment

ଅନ୍ୟପକ୍ଷରେ ଗତକାଲି ବାଂଲାଦେଶରେ ଅନ୍ତରୀଣ ସରକାର ଗଠନ କରାଯାଇଛି। ଅନ୍ତରୀଣ ସରକାରର ମୁଖ୍ୟ ଭାବେ ଶପଥ ନେଇଛନ୍ତି ଶାନ୍ତି ପାଇଁ ନୋବେଲ ପୁରସ୍କାର ପାଇଥିବା ମହମ୍ମଦ ୟୁନୁସ। ଦେଶକୁ ପୁଣି ଗଣତନ୍ତ୍ର ଶାସନ ବ୍ୟବସ୍ଥାକୁ ନେଇଯିବାକୁ ସେ ମାର୍ଗଦର୍ଶନ କରିବାକୁ ଶପଥ ନେଇଛନ୍ତି ବୋଲି କହିଛନ୍ତି ୟୁନୁସ। 

Bangladesh