Advertisment

ଆଲୋଚନା ପାଇଁ ଶରିଫଙ୍କ ପ୍ରସ୍ତାବ ପ୍ରସଙ୍ଗ: ପାକିସ୍ତାନକୁ ଭାରତର ରୋକଠୋକ ଜବାବ

‘ଆତଙ୍କବାଦ ଓ କଥାବାର୍ତ୍ତା ଏକା ସାଙ୍ଗରେ ହୋଇପାରିବ ନାହିଁ। ଆତଙ୍କବାଦ ଓ ବାଣିଜ୍ୟ ଏକାଠି ଚାଲିପାରିବ ନାହିଁ। ପାଣି ଓ ରକ୍ତ ଏକା ସାଙ୍ଗରେ ବହିପାରିବ ନାହିଁ।’

author-image
Jitendra Garnayak
Narendra Modi and Shehbaz Sharif

Narendra Modi and Shehbaz Sharif

ପ୍ରଥମେ ମୁହଁ ଫୁଟାଣି ମାରୁଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଦୁଇ ଦିନ ତଳେ ଇରାନରୁ ଭାରତକୁ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲେ। କଶ୍ମୀର, ଆତଙ୍କବାଦ, ଜଳ ଭାଗବଣ୍ଟା ଓ ବାଣିଜ୍ୟ ସମେତ ଅନ୍ୟାନ୍ୟ ପ୍ରସଙ୍ଗରେ ଭାରତ ସହିତ ଆଲୋଚନା ପାଇଁ ପାକିସ୍ତାନ ପ୍ରସ୍ତୁତ ବୋଲି ସେ କହିଥିଲେ। ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବ ଉପରେ ଆଜି ରୋକଠୋକ ଜବାବ ଦେଇଛି ଭାରତ।

Advertisment

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସୱାଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ପାକିସ୍ତାନ ସହିତ କଥାବାର୍ତ୍ତା ନେଇ ଆମର ଆଭିମୁଖ୍ୟ ପୂରା ସ୍ପଷ୍ଟ। ଯେକୌଣସି ପ୍ରକାର କଥାବାର୍ତ୍ତା ଦ୍ୱିପାକ୍ଷିକ ହେବ। ଆମେ ଏହା କହିବାକୁ ଚାହୁଁ ଯେ ଆତଙ୍କବାଦ ଓ କଥାବାର୍ତ୍ତା ଏକା ସାଙ୍ଗରେ ହୋଇପାରିବ ନାହିଁ। କିଛି ବର୍ଷ ତଳେ ଯେଉଁ ଆତଙ୍କବାଦୀଙ୍କ ତାଲିକା ପାକିସ୍ତାନକୁ ଦିଆଯାଇଥିଲା, ପ୍ରଥମେ ସେମାନଙ୍କୁ ଭାରତକୁ ହସ୍ତାନ୍ତର କରୁ। ପିଓକେ ଖାଲି କରି ଉକ୍ତ ଅଞ୍ଚଳକୁ ଆମକୁ ହସ୍ତାନ୍ତର କରିବା ପରେ ଜମ୍ମୁ ଓ କଶ୍ମୀର ଉପରେ ଆଲୋଚନା କରାଯାଇପାରିବ।

ସେ ଆହୁରି କହିଛନ୍ତି, ଯେତେଦୂର ସିନ୍ଧୁ ଜଳ ଚୁକ୍ତି କଥା ଉଠୁଛି, ତାହା ସେତେ ଦିନ ପର୍ଯ୍ୟନ୍ତ ସ୍ଥଗିତ ରହିବ ଯେତେଦିନ ପର୍ଯ୍ୟନ୍ତ ସୀମା ପାର ଆତଙ୍କବାଦ ପ୍ରତି ଥିବା ତା’ର ସମର୍ଥନକୁ ପାକିସ୍ତାନ ପ୍ରତ୍ୟାହାର ନ କରିଛି। ଯେମିତିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆତଙ୍କବାଦ ଓ କଥାବାର୍ତ୍ତା ଏକା ସାଙ୍ଗରେ ହୋଇପାରିବ ନାହିଁ। ଆତଙ୍କବାଦ ଓ ବାଣିଜ୍ୟ ଏକାଠି ଚାଲିପାରିବ ନାହିଁ। ପାଣି ଓ ରକ୍ତ ଏକା ସାଙ୍ଗରେ ବହିପାରିବ ନାହିଁ।

Advertisment

ସୂଚନାଯୋଗ୍ୟ, ଇରାନରେ ଶରିଫ କହିଥିଲେ, ଆମେ କଶ୍ମୀର ଠାରୁ ଆରମ୍ଭ କରି ଜଳ ସମେତ ସମସ୍ତ ବିବାଦର ସମାଧାନ ଚାହୁଁଛୁ। ବୁଝାମଣା ଭିତ୍ତିରେ ଏହାର ସମାଧାନ ହେବା ଦରକାର। ଆମେ ଆମ ପଡ଼ୋଶୀ ସହ ବାଣିଜ୍ୟ ଓ ଆତଙ୍କବାଦ ପ୍ରସଙ୍ଗରେ ମଧ୍ୟ କଥା ହେବାକୁ ପ୍ରସ୍ତୁତ। ଆମେ ଶାନ୍ତି ଚାହୁଁଛୁ। କିନ୍ତୁ ସେମାନେ ଯଦି ଉତ୍ତେଜନା ସୃଷ୍ଟି କରିବେ, ତା’ହେଲେ ଆମେ ଆମ ଅଞ୍ଚଳର ସୁରକ୍ଷା କରିବାକୁ ସବୁ ପ୍ରକାରର ପଦକ୍ଷେପ ନେବୁ। ଯଦି ସେମାନେ ଶାନ୍ତି ପାଇଁ ମୁଁ ଦେଇଥିବା ପ୍ରସ୍ତାବକୁ ଗ୍ରହଣ କରିବେ, ତା’ହେଲେ ଶାନ୍ତି ପ୍ରତିଷ୍ଠା ପାଇଁ ଆମେ କେତେ ଯତ୍ନବାନ ଓ ତତ୍ପର ରହିଛୁ ସେକଥା ଦେଖାଇବୁ। ଆମେ ଆମର ପଡ଼ୋଶୀ ସହ ଜଳ ପ୍ରସଙ୍ଗରେ ଶାନ୍ତି ଆଲୋଚନା ପାଇଁ ରାଜି। ଆମେ ବାଣିଜ୍ୟ ବୃଦ୍ଧି ଓ ଆତଙ୍କବାଦ ବିରୋଧୀ ପଦକ୍ଷେପ ସମ୍ପର୍କରେ କଥା ହେବାକୁ ପ୍ରସ୍ତୁତ। ଆମେ ଶାନ୍ତି ଚାହୁଁଥିଲୁ, ଶାନ୍ତି ଚାହୁଁଛୁ ଓ ଆମେ ଆଲୋଚନା ଦ୍ୱାରା ପୂରା ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ଉପରେ କାମ କରି ଚାଲିଥିବୁ। ସମସ୍ତ ପ୍ରକାରର ଦୀର୍ଘ କାଳୀନ ବିବାଦର ସମାଧାନ ଆମେ ଚାହୁଁଛୁ।

Pakistan India