/odisha-reporter/media/media_files/2026/02/23/iran-2026-02-23-15-18-48.jpg)
ଆମେରିକା ଯୁଦ୍ଧ ବିମାନ
ଇରାନ ଉପରେ ଆମେରିକା(US-Iran Conflict) ଯେକୌଣସି ମୁହୂର୍ତ୍ତରେ କରିପାରେ ଆକ୍ରମଣ। ଆକ୍ରମଣର ଭୟ ତୀବ୍ର ହେବାରୁ ତେହରାନ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ନିଜ ଦେଶର ଲୋକଙ୍କୁ ଶୀଘ୍ର ଇରାନ ଛାଡ଼ିବାକୁ ପରାମର୍ଶ ଦିଆଯାଇଛି। ଇରାନରୁ ବାହାରକୁ ଯିବା ପାଇଁ ଥିବା ସମସ୍ତ ପ୍ରକାରର ପରିବହନ ବ୍ୟବସ୍ଥାକୁ ବ୍ୟବହାର କରି ଭାରତୀୟମାନେ ତେହରାନ ଛାଡ଼ି ଦିଅନ୍ତୁ ବୋଲି ଦୂତାବାସ ପକ୍ଷରୁ କୁହାଯାଇଛି।
ଗୋଟିଏ ପଟେ ଇରାନ ଉପରେ ଆମେରିକାର ଆକ୍ରମଣ ଆଶଙ୍କା ବଢ଼ୁଥିବା ବେଳେ ଅନ୍ୟପଟେ ଦେଶରେ ପୁଣିଥରେ ସରକାରୀ ବିରୋଧୀ ଆନ୍ଦୋଳନ ତୀବ୍ର ହୋଇଛି। ଏହାକୁ ନେଇ ଇରାନ ସ୍ଥିତି ବିଗୁଡ଼ୁଥିବାରୁ ଭାରତୀୟମାନଙ୍କୁ ଏପରି ପରାମର୍ଶ ଦୂତାବାସ ପକ୍ଷରୁ ଦିଆଯାଇଛି।
ଦୂତାବସ ପକ୍ଷରୁ ଜାରି ପରାମର୍ଶ ବିବୃତିରେ କୁହାଯାଇଛି ଯେ “ଭାରତ ସରକାରଙ୍କ ପକ୍ଷରୁ ୨୦୨୬ ମସିହା ଜାନୁଆରୀ ୫ରେ ଜାରି କରାଯାଇଥିବା ପରାମର୍ଶ ଓ ଇରାନରେ ସୃଷ୍ଟି ହେଉଥିବା ସ୍ଥିତିକୁ ଦୃଷ୍ଟିରେ ରଖି ଇରାନରେ ଥିବା ସମସ୍ତ ଭାରତୀୟ ନାଗରିକ-ଶିକ୍ଷାର୍ଥୀ, ତୀର୍ଥଯାତ୍ରୀ, ବ୍ୟବସାୟୀ ଓ ପର୍ଯ୍ୟଟକମାନଙ୍କୁ ପରାମର୍ଶ ଦିଆଯାଉଛି ଯେ ସେମାନେ ପରିବହନ ପାଇଁ ଉପଲବ୍ଧ ଥିବା ସମସ୍ତ ବ୍ୟବସ୍ଥାକୁ ବ୍ୟବହାର କରି ଇରାନ ଛାଡ଼ି ଦିଅନ୍ତୁ।”
ଗୁରୁବାର ଜେନେଭାରେ ଇରାନ ଓ ଆମେରିକା ମଧ୍ୟରେ ଆଣବିକ ଡିଲକୁ ନେଇ ଆଲୋଚନା ହେବ। କିନ୍ତୁ ଆଲୋଚନା ପୂର୍ବରୁ ହିଁ ଇରାନ ଉପରେ ଆମେରିକା ଆକ୍ରମଣ କରି ଗୋଟିଏ ଚାପ ସୃଷ୍ଟି କରିବା ମୁଡରେ ରହିଛି। ଏହାକୁ ନଜରରେ ରଖି ଦୂତାବାସ ପକ୍ଷରୁ ନିଜ ଦେଶର ଲୋକଙ୍କୁ ଇରାନ ଛାଡ଼ିବାକୁ କୁହାଯାଇଛି।
ଆଜି ଜାରି ହୋଇଥିବା ସତର୍କ ସୂଚନାରେ ଦୂତାବାସ ପକ୍ଷରୁ ପୁଣିଥରେ ଇରାନରେ ଥିବା ଲୋକଙ୍କୁ ଅତ୍ୟଧିକ ସତର୍କ ରହିବାକୁ କୁହାଯାଇଛି। ଭାରତୀୟମାନେ କୌଣସି ଆନ୍ଦୋଳନ କିମ୍ବା ବିକ୍ଷୋଭ ସ୍ଥଳକୁ ଯାଆନ୍ତୁ ନାହିଁ।
ସେମାନେ ନିୟମିତ ଦୂତାବାସ ଯୋଗାଯୋଗରେ ରୁହନ୍ତୁ ଓ ସ୍ଥାନୀୟ ଗଣମାଧ୍ୟମରୁ ସ୍ଥିତି ସମ୍ପର୍କରେ ସୂଚନା ହାସଲ କରନ୍ତୁ। ଭାରତୀୟ ନାଗରିକମାନେ ସବୁ ସମୟରେ ନିଜ ପାଖରେ ନିଜ ଯାତ୍ରା ସଂକ୍ରାନ୍ତ କାଗଜପତ୍ର ପ୍ରସ୍ତୁତ କରି ରଖି ଥାଆନ୍ତୁ। ଆବଶ୍ୟକ ପଡ଼ିଲେ ସେ ଦୂତାବାସର ସହାୟତା ନିଅନ୍ତୁ ବୋଲି କୁହାଯାଇଛି।
ଇରାନ ନିକଟରେ ଆମେରିକା ତା’ର ସମରସଜ୍ଜା ଜାରି ରଖିଛି। ଅତ୍ୟାଧୁନିକ ଯୁଦ୍ଧ ତୋପ ଠାରୁ ଆରମ୍ଭ କରି ଯୁଦ୍ଧ ବିମାନ ଓ ସୈନ୍ୟମାନଙ୍କୁ ଆମେରିକା ଇରାନ ସୀମାରେ ମୁତୟନ କରିଛି। ସମସ୍ତେ ଆକ୍ରମଣ ମୁଦ୍ରାରେ ରହିଥିବା ବେଳେ କେବଳ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି।
ଟ୍ରମ୍ପ ନିୟମିତ ଭାବେ ଇରାନ ଉପରେ ଆଣବିକ ଡିଲ ପାଇଁ ଚାପ ପକାଉଛନ୍ତି। ସାମରିକ ଭୟ ସୃଷ୍ଟି କରି ଟ୍ରମ୍ପ ଡିଲ କରିବାକୁ ଚାହୁଁଥିବା ବେଳେ ଏଯାଏ ଇରାନ ଏଥିରେ ରାଜି ହୋଇନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
