Advertisment

ଟ୍ରମ୍ପଙ୍କ ପାଲଟା ଶୁଳ୍କ: ଫାଇଦା ଉଠାଇବ କି ଭାରତ?

ଏହି ନୀତି ଅନୁସାରେ ଏପ୍ରିଲ ୫ରୁ ୮ ଯାଏ ବିଭିନ୍ନ ରାଷ୍ଟ୍ରରୁ ଆମଦାନୀ ହେଉଥିବା ସମସ୍ତ ପ୍ରକାରର ଜିନିଷ ଉପରେ ୧୦% ଶୁଳ୍କ ଲାଗୁ କରାଯିବ।

ଅଦ୍ୟତନ ହୋଇଛି
Donald Trump

Donald Trump

Advertisment

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ପୂର୍ବ ଯୋଜନା ଅନୁସାରେ ଏସିଆ ସମେତ ବିଶ୍ୱର ବିଭିନ୍ନ ରାଷ୍ଟ୍ର ଉପରେ ରେସିପୋକାଲ ବା ପାରସ୍ପରିକ ବା ପାଲଟା ଶୁଳ୍କ ଲାଗୁ କରିଛନ୍ତି। ନୂଆ ଟିକସ ବ୍ୟବସ୍ଥା ଲାଗୁ କରି ସେ ଆମେରିକାର ଶିଳ୍ପ ଅଭାବକୁ ପୂରଣ କରିବା ଓ ଘରୋଇ ଉତ୍ପାଦନକୁ ବୁଷ୍ଟର ଦେବା ଲକ୍ଷ୍ୟରେ ରହିଛନ୍ତି। ମେକ ଆମେରିକା ୱେଲଦି ଏଗନ ନାରା ଦେଇ ସେ ପାଲଟା ଶୁଳ୍କ ନୀତି ସମ୍ପର୍କରେ ଘୋଷଣା କରିଛନ୍ତି।

Advertisment

ଏହି ନୀତି ଅନୁସାରେ ଏପ୍ରିଲ ୫ରୁ ୮ ଯାଏ ବିଭିନ୍ନ ରାଷ୍ଟ୍ରରୁ ଆମଦାନୀ ହେଉଥିବା ସମସ୍ତ ପ୍ରକାରର ଜିନିଷ ଉପରେ ୧୦% ଶୁଳ୍କ ଲାଗୁ କରାଯିବ। ଏପ୍ରିଲ ୯ରୁ ବିଭିନ୍ନ ରାଷ୍ଟ୍ର ଠାରୁ ଘୋଷଣା ହୋଇଥିବା ପାଲଟା ଶୁଳ୍କ ଆଦାୟ କରାଯିବ। ଆମେରିକା ବଜାର ସହ ଜଡ଼ିତ ବିଭିନ୍ନ ରାଷ୍ଟ୍ରର ୬୦ଟି ଉତ୍ପାଦ ଏହାଦ୍ୱାରା ପ୍ରଭାବିତ ହେବେ।

୩ ପ୍ରକାରର ଆମଦାନୀ ଉପରେ ନୀତି ପର୍ଯ୍ୟବେସିତ

ଫାର୍ମାସିଟ୍ୟୁକାଲ, ସେମି କଣ୍ଡକଣ୍ଡକ୍ଟର, କପର ଓ ଶକ୍ତି ସହ ଜଡ଼ିତ ଦ୍ରବ୍ୟଗୁଡ଼ିକ ସମସ୍ତ ପ୍ରକାରର ନୂଆ ଶୁଳ୍କ ବ୍ୟବସ୍ଥାରୁ ବାହାରେ ରହିଛନ୍ତି।

Advertisment

ଶିଳ୍ପ କ୍ଷେତ୍ର ସହ ଜଡ଼ିତ ଯଥା ଷ୍ଟିଲ, ଆଲୁମିନିୟମ ଓ ଅଟୋ ମୋବାଇଲ ଦ୍ରବ୍ୟ ଗୁଡ଼ିକ ଉପରେ ୨୫% ଟାରିଫ ବା ଶୁଳ୍କ ଲାଗୁ ହେବ।

ବାକି ରହିଥିବା ଅନ୍ୟ ସମସ୍ତ ଉତ୍ପାଦ ଓ ଦ୍ରବ୍ୟ ଦେଶ ଭିତ୍ତିକ ପାଲଟା ଶୁଳ୍କ ଅଧୀନରେ ରହିବେ।

ଟ୍ରମ୍ପଙ୍କ ପାଲଟା ଶୁଳ୍କ ଯୋଗୁ ଆମେରିକା ସହ ଅଧିକ ବାଣିଜ୍ୟ କରୁଥିବା ଏସୀୟ ଦେଶଗୁଡ଼ିକ ସବୁଠାରୁ ଅଧିକ ପ୍ରଭାବିତ ହେବେ। ଏହି ତାଲିକାରେ ସବୁଠାରୁ ଉପରେ ରହିଛି ଚାଇନା। ଟ୍ରମ୍ପ ଚାଇନା ଉପରେ ୩୪% ପାଲଟା ଶୁଳ୍କ ଲଗାଇଛନ୍ତି। ପୂର୍ବରୁ ଚାଇନାରୁ ଆମଦାନୀ ହେଉଥିବା ଜିନିଷ ଗୁଡ଼ିକ ଉପରେ ୨୦% ଶୁଳ୍କ ଲାଗୁ ହେଉଥିଲା। ତେଣୁ ଚାଇନାର ଦ୍ରବ୍ୟ ଗୁଡ଼ିକ ଉପରେ ଏଣିକି ୫୪% ଟିକସ ଲାଗିବ। ଭିଏତନାମରେ ୪୬%, ବାଂଲାଦେଶ ଉପରେ ୩୭% ଓ ଥାଇଲ୍ୟାଣ୍ଡ ଉପରେ ୩୬% ପାଲଟା ଶୁଳ୍କ ଲାଗୁ କରାଯାଇଛି।

ଏହାବାଦ କାମ୍ବୋଡିଆ ଉପରେ ୪୯%, ଲାଓସ ଉପରେ ୪୮%, ମିଆଁମାର ଉପରେ ୪୪%, ଶ୍ରୀଲଙ୍କା ଉପରେ ୪୪%, ତାଇୱାନ ଉପରେ ୩୨%, ଇଣ୍ଡୋନେସିଆ ଉପରେ ୩୨%, କାଜାଖସ୍ତାନ ଉପରେ ୨୭%, ଭାରତ ଉପରେ ୨୬%, ଦକ୍ଷିଣ କୋରିଆ ଉପରେ ୨୫%, ଜାପାନ ଉପରେ ୨୪%, ମାଲେସିୟା ଉପରେ ୨୪%, ବ୍ରୁନେଇ ଉପରେ ୨୪%, ଫିଲିପାଇନ୍ସ ଉପରେ ୧୭%, ପାକିସ୍ତାନ ଉପରେ ୨୯% ଓ ସିଙ୍ଗାପୁର ଉପରେ ଟ୍ରମ୍ପ ୧୦% ପାଲଟା ଶୁଳ୍କ ଲଗାଇଛନ୍ତି।

ଟ୍ରମ୍ପ ଭାରତ ଉପରେ ୨୬% ପାଲଟା ଶୁଳ୍କ ଲଗାଇବା ପରେ ଏହାର ପ୍ରଭାର ଘରୋଇ ଶିଳ୍ପ ଉପରେ କେଉଁ ପ୍ରକାରର ରହିବ, ତା’ର ବିଶ୍ଲେଷଣ କରାଯାଉଥିବା କର୍ମସ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସେ କହିଛନ୍ତି, “ମନ୍ତ୍ରଣାଳୟ ଘୋଷଣା ହୋଇଥିବା ଟାରିଫର ପ୍ରଭାବ ଉପରେ ଆଲୋଚନା କରୁଛି। ଆମେରିକା ନୀତିରେ କୋହଳ ବ୍ୟବସ୍ଥା ରହିଛି। ଯଦି ଗୋଟିଏ ଦେଶ ଆମେରିକା କରୁଥିବା ଚିନ୍ତାକୁ ଠିକ ଭାବେ ଦୂର କରିପାରିବ, ତା’ହେଲେ ଟ୍ରମ୍ପ ପ୍ରଶାସନ ଘୋଷଣା କରିଥିବା ପାଲଟା ଶୁଳ୍କକୁ ଉକ୍ତ ଦେଶ ବିରୋଧରେ ବଦଳା ଯାଇପାରିବ।”

ଭାରତ ଉପରେ ଲାଗିଥିବା ଶୁଳ୍କ ଆଣିପାରେ ନୂଆ ସୁଯୋଗ

ଟ୍ରମ୍ପଙ୍କ ନୂଆ ଟିକସ ନୀତିରେ ଭାରତ ପାଇଁ ଭରପୂର ସୁଯୋଗ ରହିଛି। ଅନ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କ ତୁଳନାରେ ଭାରତ ଉପରେ ଅପେକ୍ଷାକୃତ କମ ଶୁଳ୍କ ଲାଗୁ କରାଯାଇଛି। ଗ୍ଲୋବାଲ ଟ୍ରେଡ ରିସର୍ଚ୍ଚ ଇନିସିଏଟି ବା ଜିଟିଆରଆଇ ରିପୋର୍ଟରେ କୁହାଯାଇଛି ଯେ ଭାରତର ରପ୍ତାନୀ ହେଉଥିବା ଷ୍ଟିଲ, ଆଲୁମିନିୟମ ଓ ଅଟୋ ମୋବାଇଲ ଜିନିଷ ଗୁଡ଼ିକ ଉପରେ ୨୫% ଟାରିଫ ଆଦାୟ କରାଯିବ। ଫାର୍ମାସିଟ୍ୟୁକାଲ, ସେମିକଣ୍ଡକ୍ଟର, କପର ଓ ଶକ୍ତି ସହ ଜଡ଼ିତ ଉତ୍ପାଦ ଉପରେ କୌଣସି ପ୍ରକାରର ଟିକସ ଲାଗୁ ହେବ ନାହିଁ। ଏପ୍ରିଲ ୯ରୁ ବାକି ଦ୍ରବ୍ୟ ଗୁଡ଼ିକ ଉପରେ ୨୬% ଶୁଳ୍କ ଲାଗୁ ହେବ। ୨୬% ପାଲଟା ଶୁଳ୍କ ସହ ଅଟୋ ମୋବାଇଲ ଉତ୍ପାଦ ଗୁଡ଼ିକ ଉପରେ ଅତିରିକ୍ତ ୨୫% ଶୁଳ୍କ ଆଦାୟ କରାଯିବ।

୨୬% ପାଲଟା ଶୁଳ୍କର ପ୍ରଭାବ ନିଶ୍ଚିତ ବ୍ୟାପକ। କିନ୍ତୁ ଏହା ଅନ୍ୟ ଏସିଆନ ପ୍ରତିଦ୍ୱନ୍ଦ୍ୱୀମାନେ ସାମ୍ନା କରୁଥିବା ଟିକସ ବ୍ୟବସ୍ଥା ଠାରୁ ଯଥେଷ୍ଟ କମ। ଏପରି କମ ଶୁଳ୍କ ବ୍ୟବସ୍ଥା ଭାରତ ଆଗରେ ନୂଆ ସମ୍ଭାବନା ଓ ସୁଯୋଗ ସୃଷ୍ଟି କରିବ। ଭାରତୀୟ ବ୍ୟବସାୟୀମାନେ ଆମେରିକା ମାର୍କେଟରେ ସେମାନଙ୍କ ଶେୟାର ବୃଦ୍ଧି କରିବାର ସୁଯୋଗ ପାଇବେ। କିନ୍ତୁ ଯଦି ସେମାନଙ୍କ ଦ୍ରବ୍ୟର ଦାମ, ଗୁଣବତ୍ତା ଓ ଚାହିଦା ଅନୁସାରେ ଘରୋଇ ଆବଶ୍ୟକତା ବାଦ ଅଧିକ ରହିବ, ତା’ହେଲେ ଭାରତର ଦବଦବା ଆମେରିକା ମାର୍କେଟରେ ବୃଦ୍ଧି ପାଇବ। ଭାରତ ତୁଳନାରେ ଚାଇନା, ଭିଏତନାମ, ତାଇୱାନ, ଥାଇଲ୍ୟାଣ୍ଡ ଓ ବାଂଲାଦେଶ ଉପରେ ଅଧିକ ପରିମାଣର ପାଲଟା ଶୁଳ୍କ ଲାଗିଛି। ତେଣୁ ଏହା ଭାରତୀୟ ଦ୍ରବ୍ୟ ଚାହିଦାକୁ ଆମେରିକା ବଜାରରେ ବୃଦ୍ଧି କରିବାରେ ସହାୟକ ହୋଇପାରେ।

କେଉଁ ସବୁ କ୍ଷେତ୍ରରେ ଭାରତ ପାଇଁ ସୁଯୋଗ ରହିଛି?

୧- ଟେକ୍ସଟାଇଲ୍ସ ଓ ଗାରମେଣ୍ଟସ: ଟ୍ରମ୍ପଙ୍କ ପାଲଟା ଶୁଳ୍କ ଘୋଷଣା ପରେ ଭାରତର ବୟନଶିଳ୍ପ କ୍ଷେତ୍ର ସ୍ପଷ୍ଟ ଭାବେ ବିଜେତା ଭାବେ ଉଭା ହୋଇଛି। ଆମେରିକା ପକ୍ଷରୁ ଚାଇନା ଓ ବାଂଲାଦେଶରୁ କପଡ଼ା ଆମଦାନୀ ହୋଇଥାଏ। କିନ୍ତୁ ଚାଇନା ଉପରେ ୫୪% ଓ ବାଂଲାଦେଶ ଉପରେ ୩୭% ପାଲଟା ଶୁଳ୍କ ଲାଗୁ କରାଯାଇଛି। ଏପରି ସ୍ଥିତିରେ ଭାରତୀୟ ଉତ୍ପାଦର ଦାମ ଆମେରିକା ବଜାରରେ କମ ରହିବ ଓ ଏହାର ଚାହିଦା ମଧ୍ୟ ବଢ଼ିବ।

ଭାରତ ପାଖରେ ବଡ଼ଧରଣର ବୟନଶଳ୍ପ ଉତ୍ପାଦନ କେନ୍ଦ୍ର ରହିଛି। ଭାରତୀୟ ଦ୍ରବ୍ୟର ଦାମ କମ ରହିଥିବାରୁ ଆମେରିକୀୟ ରିଟେଲରମାନେ ନୂଆ ଆର୍ଡର ପାଇଁ ନୂଆଦିଲ୍ଲୀକୁ ନିଜର ପ୍ରଥମ ପସନ୍ଦ ଭାବେ ବାଛି ପାରନ୍ତି। ସେହିପରି ବିଶ୍ୱ ସ୍ତରୀୟ ବ୍ରାଣ୍ଡଗୁଡ଼ିକ ନିଜର ଉତ୍ପାଦନ କେନ୍ଦ୍ରକୁ ଚାଇନା ଓ ବାଂଲାଦେଶରୁ ଆଣି ଭାରତରେ ସ୍ଥାପନ କରିବାର ସମ୍ଭାବନା ରହିଛି। ଏହାଦ୍ୱାରା ସେମାନଙ୍କୁ ମଧ୍ୟ କମ ପାଲଟା ଶୁଳ୍କର ସାମ୍ନା କରିବାକୁ ପଡ଼ିବ।

୨- ଇଲେକ୍ଟ୍ରୋନିକ୍ସ ଓ ସ୍ମାର୍ଟ ଫୋନ: ବୈଦ୍ୟୁତିକ କ୍ଷେତ୍ରରୁ ଭାରତକୁ ମଧ୍ୟ ଫାଇଦା ମିଳିପାରେ। ଭିଏତନାମ ଓ ଥାଇଲ୍ୟାଣ୍ଡ ଇଲେକ୍ଟ୍ରୋନିକ୍ସ ଓ ଟେଲିକମ ଜିନିଷ ଉପରେ ଆମେରିକାର ବଡ଼ଧରଣର ଶୁଳ୍କର ସାମ୍ନା କରିବେ। ଏପରି ସ୍ଥିତିରେ ଭାରତ ବିକଳ୍ପ ଭାବେ ଉଭା ହୋଇପାରେ। ଭାରତର ପ୍ରଡକ୍ସନ ଲିଙ୍କଡ ଇନସେନଟିଭ ବା ପିଏଲଆଇ ସ୍କିମ ଯୋଗୁ ବିଶ୍ୱସ୍ତରୀୟ ବଜାରରେ ନିଜର ଦବଦବା ସୃଷ୍ଟି କରିଥିବା ଆପଲ ଓ ସାମସଙ୍ଗ ଭଳି କମ୍ପାନୀକୁ ନିଜ ଆଡ଼କୁ ଆକୃଷ୍ଟ କରିପାରିଛି। ଏବେ ଟାରିଫରୁ ମିଳିଥିବା ସୁଯୋଗ ଭାରତର ଇଲେକ୍ଟ୍ରୋନିକ୍ସ ସପ୍ଲାଏ ଚେନକୁ ଆହୁରି ମଜବୁତ କରିପାରିବ। ବିଶେଷ କରି ସ୍ମାର୍ଟଫୋନ ଓ ଏହାର ସରଞ୍ଜାମ କ୍ଷେତ୍ରରେ ଭାରତ ନୂଆ ଖେଳାଳି ଭାବେ ସାମ୍ନାକୁ ଆସିପାରେ।

୩- ସେମିକଣ୍ଡକ୍ଟର: ତାଇୱାନ ଓ ଦକ୍ଷିଣ କୋରିଆ ତୁଳନାରେ ଭାରତ ଅବଶ୍ୟ ସେମିକଣ୍ଟକର ଉତ୍ପାଦନ କ୍ଷମତାରେ ବହୁତ ପଛରେ ରହିଛି। କିନ୍ତୁ ତାଇୱାନ ଦ୍ରବ୍ୟ ଉପରେ ଆମେରିକା ଲଗାଇଥିବା ୩୨% ଟାରିଫ କମ୍ପାନୀ ଗୁଡ଼ିକୁ ଭାରତ ପ୍ରତି ଆକୃଷ୍ଟ କରିପାରେ। ଭାରତ ପାଖରେ ପ୍ୟାକେଜିଂ, ଟେଷ୍ଟିଂ ଓ ପୂର୍ବରୁ ବ୍ୟବହାର ହୋଇ ସାରିଥିବା ଚିପ୍‌ର ବ୍ୟବହାର କରିବାର କ୍ଷମତା ବୃଦ୍ଧିର ସୁଯୋଗ ରହିଛି। ସ୍ଥିର ଭିତ୍ତିଭୂମି ବିକାଶ ଓ ନୀତି ବଳରେ ଭାରତ ବେଶ ସକ୍ରିୟ ଭାବେ ବିଶ୍ୱସ୍ତରୀୟ ଚିପ୍‌ ଇକୋସିଷ୍ଟମରେ ପ୍ରମୁଖ ଭୂମିକା ଗ୍ରହଣ କରିପାରେ।

୪-ମେସିନାରୀ ଓ କଣ୍ଢେଇ : ଆମେରିକାର ଟାରିଫ ଘୋଷଣା ପୂର୍ବରୁ ମେସିନାରୀ, ଅଟୋ ମୋବାଇଲ ପାର୍ଟସ ଓ କଣ୍ଢେଇ ରପ୍ତାନୀ କରୁଥିବା ଚାଇନିଜ ଓ ଥାଇ ବ୍ୟବସାୟୀ ପ୍ରଭାବିତ ହୋଥିଲେ। ତେଣୁ ଭାରତ ଯଦି ଠିକ ଭାବେ କାର୍ଡ ଖେଳିବ, ତା’ହେଲେ ଏହି କ୍ଷେତ୍ରରେ ନୂଆଦିଲ୍ଲୀ ବିକଳ୍ପ ଖେଳାଳି ଭାବେ ସାମ୍ନାକୁ ଆସିପାରିବ। କିନ୍ତୁ ଏଥିପାଇଁ ଏଫଡିଆକୁ ଆକର୍ଷିତ କରିବାକୁ ପଡ଼ିବ, ଉତ୍ପାଦନ ବୃଦ୍ଧି କରିବାକୁ ହେବ ଓ ଉତ୍ପାଦଗୁଡ଼ିକର ଗୁଣବତ୍ତାକୁ ବିଶ୍ୱସ୍ତରୀୟ କରିବାକୁ ପଡ଼ିବ।

ଭାରତ ଫାଇଦା ସର୍ତ୍ତମୂଳକ, ସ୍ୱଂୟକ୍ରିୟ ନୁହେଁ

ଟାରିଫ ଘୋଷଣାର ସୁଯୋଗ ଭାରତ ପାଖରେ ରହିଥିଲେ ହେଁ ଏହା ଦ୍ୱାରା ଯେ ଫାଇଦା ମିଳିବ, ତା’ର ଗ୍ୟାରେଣ୍ଟୀ ନାହିଁ। ଏହି ସ୍ଥିତିର ଫାଇନା ଉଠାଇବା ପାଇଁ ଭାରତ ସାମ୍ନା କରୁଥିବା ସାଂଗଠନିକ ପ୍ରସଙ୍ଗକୁ ମୁକାବିଲା କରିବାକୁ ପଡ଼ିବ। ଏଥିପାଇଁ ଉତ୍ପାଦନ ଅଭିବୃଦ୍ଧି ପ୍ରଭାବିତ ହେଉଛି।

୧- ଭାରତକୁ ଉତ୍ପାଦନର କ୍ଷମତା ବୃଦ୍ଧି କରି ବଡ଼ଧରଣ ରପ୍ତାନୀ ଅର୍ଡରକୁ ପୂରଣ କରିବାକୁ ପଡ଼ିବ

୨- ଘରୋଇ ଢାଞ୍ଚାକୁ ତ୍ୱରାନ୍ୱିତ କରିବାକୁ ହେବ। ଏହାଦ୍ୱାରା ଦ୍ରବ୍ୟଗୁଡ଼ିକ ଏଠାରେ କେବଳ ଖଞ୍ଜା ଯିବ ନାହିଁ, ବରଂ ଉତ୍ପାଦନ ମଧ୍ୟ ହେବ

୩- ଇଜ ଅଫ ଡୁଇଂ ବିଜନେସନରେ ଉନ୍ନତି ଆଣିବାକୁ ହେବ। ବିଶେଷ କରି ଶ୍ରମ ଆଇନ, ବ୍ୟବସାୟ ଜଡ଼ିତ ଥିବା ସମସ୍ୟା ଓ ଟିକସ ବ୍ୟବସ୍ଥାରେ ପରିବର୍ତ୍ତନ କରିବାକୁ ପଡ଼ିବ

୪- ଲଜିଷ୍ଟିକ ଓ ଭିତ୍ତିଭୂମିର ଆଧୁନିକୀକରଣ କରି ଖର୍ଚ୍ଚକୁ କମ କରିବା ସହ ସପ୍ଲାଇ ଚେନରେ ଉନ୍ନତି ଆଣିବାକୁ ହେବ

୫- ସମସ୍ତ କ୍ଷେତ୍ରର ଉତ୍ପାଦନ ଅଭିବୃଦ୍ଧି ପାଇଁ ଶିକ୍ଷା ଓ ବୈଷୟିକ ଦକ୍ଷତା ବୃଦ୍ଧିରେ ଦୀର୍ଘ ମିଆଦି ନିବେଶ କରିବାକୁ ପଡ଼ିବ

India-USA Discussion USA India Donald Trump
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe