Trump
ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଚରମସୀମାରେ ପହଞ୍ଚିଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ଦାବି କରିଛନ୍ତି। ଉଭୟ ଭାରତ ଓ ପାକିସ୍ତାନ ତୁରନ୍ତ ସଂପୂର୍ଣ୍ଣ ଅସ୍ତ୍ରବିରତି ପାଇଁ ରାଜି ହୋଇଥିବା ଟ୍ରମ୍ପ ଏକ୍ସରେ ପୋଷ୍ଟ କରିଛନ୍ତି। ସେ ଏକ୍ସରେ କହିଛନ୍ତି ଯେ “ଆମେରିକା ମଧ୍ୟସ୍ଥତାରେ ରାତିତମାମ ହୋଇଥିବା ଆଲୋଚନା ପରେ ମୁଁ ବେଶ ଉତ୍ସାହ ଓ ଖୁସିର ସହ ଘୋଷଣା କରୁଛି ଯେ ଭାରତ ଓ ପାକିସ୍ତାନ ତୁରନ୍ତ ସଂପୂର୍ଣ୍ଣ ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି। ଦୁଇ ଦେଶ ନିଜର ସାଧାରଣ ଜ୍ଞାନ ବ୍ୟବହାର କରିଥିବାରୁ ମୁଁ ଉଭୟଙ୍କୁ ଶୁଭେଚ୍ଛା ଜଣାଉଛି। ଏହି ପ୍ରସଙ୍ଗରେ ଆପଣ ଧ୍ୟାନ ଦେଇଥିବାରୁ ଧନ୍ୟବାଦ।”
ଟ୍ରମ୍ପଙ୍କ ଘୋଷଣା ପରେ ବୈଦେଶିକ ସଚିବ ବିକ୍ରିମ ମିସ୍ରି ମଧ୍ୟ ସାମ୍ବାଦିକ ସମ୍ମିଳନୀ କରି ଅସ୍ତ୍ରବିରତି ଆଜି ସନ୍ଧ୍ୟା ୫ଟାରୁ ଲାଗୁ ହୋଇଥିବା କଥା ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ଆଜି ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପାଇଁ ସହମତି ହୋଇଛି। ଭାରତୀୟ ସମୟ ଆଜି ସଂଧ୍ୟା ୫ଟାରୁ ଅସ୍ତ୍ରବିରତି ଲାଗୁ ହୋଇଛି। ଜଳ, ସ୍ଥଳ ଓ ଆକାଶ ପଥରେ ଆକ୍ରମଣ ନ କରିବାକୁ ଉଭୟ ଦେଶ ରାଜି ହୋଇଛନ୍ତି। ଉଭୟ ଦେଶ ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି।
ସେ ଆହୁରି କହିଛନ୍ତି ଯେ ଦୁଇ ଦେଶର ଡିଜିଏମଓ ସ୍ତରୀୟ କଥାବାର୍ତ୍ତା ହୋଇଥିଲା। ଆଜି ଅପରାହ୍ନ ୩ଟା ୩୦ରେ ଡିଜିଏମଓ ସ୍ତରୀୟ ଆଲୋଚନା ହୋଇଥିଲା। ଏହାପରେ ଅସ୍ତ୍ରବିରତି ପାଇଁ ସହମତି ପ୍ରକାଶ ପାଇଛି। ଅସ୍ତ୍ରବିରତି ସମ୍ପର୍କରେ ୩ ବାହିନୀକୁ ଉଭୟ ଦେଶ ପକ୍ଷରୁ ଜଣାଇ ଦିଆଯାଇଛି। ଆସନ୍ତା ୧୨ ତାରିଖ ଦିନ ୧୨ଟାରେ ଦୁଇ ଦେଶ ମଧ୍ୟରେ ଡିଜିଏମଓ ସ୍ତରୀୟ ଆଲୋଚନା ହେବ।
ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଚରମସୀମାରେ ପହଞ୍ଚିଥିବା ବେଳେ ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଉଭୟ ଦେଶ ସହ ଯୋଗାଯୋଗ କରିଥିଲେ। ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଓ ସେନାଧ୍ୟକ୍ଷ ମୁନିରଙ୍କ ସହ ରୁବିଓ କଥା ହୋଇଥିଲେ। ସେ ଉଭୟ ଦେଶକୁ ଉତ୍ତେଜନା ହ୍ରାସ କରିବାକୁ ଅନୁରୋଧ କରିଥିଲେ। ଏବେ ଟ୍ରମ୍ପ ନିଜେ ଏକ୍ସରେ ଅସ୍ତ୍ରବିରତି ସମ୍ପର୍କରେ ସୂଚନା ଦେଇଛନ୍ତି।
ଭାରତ ଦୀର୍ଘ ବର୍ଷ ହେଲାଣି ସୀମା ପାର ଆତଙ୍କବାଦର ଶିକାର ହୋଇ ଆସୁଛି। ନିକଟରେ ଏହାର ଜ୍ୱଳନ୍ତ ଉଦାହରଣ କଶ୍ମୀରର ପହଲଗାମରେ ଦେଖିବାକୁ ମିଳିଥିଲା। ଏଠାରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀମାନେ ଭାରତର ୨୬ ଜଣ ନିରୀହ ଲୋଙ୍କୁ ଗୁଳି କରି ହତ୍ୟା କରିଥିଲେ।
ଏହାର ଜବାବରେ ଭାରତୀୟ ସେନା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ୯ଟି ଆତଙ୍କୀ ଆଡ୍ଡା ଉପରେ ମିସାଇଲ ମାଡ଼ କରିଥିଲା। ଭାରତୀୟ ସେନା ପକ୍ଷରୁ ପାକିସ୍ତାନର ସାମରିକ ପ୍ରତିଷ୍ଠାନକୁ ଆଦୌ ଟାର୍ଗେଟ କରି ନଥିଲା। ହେଲେ ପାକିସ୍ତାନ ସେନା ଆତଙ୍କୀ ଆଡ୍ଡାରେ ହୋଇଥିବା ଆକ୍ରମଣର ବଦଲା ନେବାକୁ ଭାରତ ଉପରେ ହମଲା କରି ସ୍ଥିତିକୁ ଉତ୍ତେଜନାପୂର୍ଣ୍ଣ କରିଛି।
ଏଥିରୁ ପାକିସ୍ତାନ ସେନା ସମର୍ଥନରେ ଆତଙ୍କବାଦୀମାନେ ଭାରତରେ ହମଲା କରୁଥିବା ପ୍ରମାଣିତ ହୋଇଛି। ପାକିସ୍ତାନ ସରକାର ଓ ସେନା ସେମାନଙ୍କୁ ସବୁ ପ୍ରକାରର ସହାୟତା ଯୋଗାଇ ଦେଉଥିବା ସ୍ପଷ୍ଟ ଭାବେ ସାମ୍ନାକୁ ଆସିଛି। ଖାସ ସେଥିପାଇଁ ଭାରତ ଆତଙ୍କୀ ଆଡ୍ଡା ଧ୍ୱଂସ କରିଥିବାରୁ ପାକିସ୍ତାନ ସେନା ପ୍ରତିଶୋଧ ନେବାକୁ ଭାରତକୁ ଟାର୍ଗେଟ କରୁଛି।
ଭାରତୀୟ ସେନା ଓ ଗୁଇନ୍ଦା ସଂସ୍ଥା ଜାଣିବାକୁ ପାଇଛି ଯେ ପାକିସ୍ତାନ ଆର୍ମି ବିଶେଷ କରି ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ସବୁବେଳେ ପିଓକରେ ଆତଙ୍କବାଦୀଙ୍କୁ ସବୁ ପ୍ରକାରର ସହାୟତା କରୁଛି। ସେମାନଙ୍କ ଟ୍ରେନିଂ ଠାରୁ ପାଣ୍ଠି ଯୋଗାଣ ଦାୟିତ୍ୱ ଆଇଏସଆଇ ବୁଝୁଛି। ଭାରତ ଆକ୍ରମଣରୁ ବର୍ତ୍ତିବା ପାଇଁ ଆତଙ୍କବାଦୀମାନେ ପାକିସ୍ତାନ ସେନାର ଭିତ୍ତିଭୂମିକୁ ମଧ୍ୟ ବ୍ୟବହାର କରୁଥିବାର ନଜିର ରହିଛି।
କିନ୍ତୁ ଏଣିକି ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ଯଦି ଭାରତରେ ହମଲା କରିବେ କିମ୍ବା ଭାରତକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିବେ, ତା’ହେଲେ ଏହାକୁ ଯୁଦ୍ଧ ଭାବେ ବିବେଚନା କରାଯିବ। ଭାରତ ସରକାରଙ୍କ ଏପରି ନିଷ୍ପତ୍ତି ପରେ ଟ୍ରମ୍ପଙ୍କ ଏକ୍ସ ପୋଷ୍ଟ ସାମ୍ନାକୁ ଆସିଛି। ଅର୍ଥାତ ଭାରତ ସରକାର ଭବିଷ୍ୟତରେ ଆତଙ୍କବାଦ କାର୍ଯ୍ୟକଳାପକୁ ବରଦାସ୍ତ କରିବ ନାହିଁ ବୋଲି ସର୍ତ୍ତ ରଖି ଅସ୍ତ୍ରବିରତି ପାଇଁ ରାଜି ହୋଇଥିବା ଚର୍ଚ୍ଚା ହେଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Trump_1746879738.jpg)