/odisha-reporter/media/post_attachments/uploadimage/library/16_9/16_9_0/POK_1705148270.jpg)
POK
ପାକିସ୍ତାନରେ ଅବସ୍ଥାପିତ ବ୍ରିଟେନ ରାଷ୍ଟ୍ରଦୂତଙ୍କ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ଗସ୍ତକୁ ନେଇ ଖପ୍ପା ହୋଇଛି ଭାରତ। ବ୍ରିଟିଶ ରାଷ୍ଟ୍ରଦୂତ ଜାନେ ମାରିଅଟ ଜାନୁଆରୀ ୧୦ରେ ପିଓକେର ମୀରପୁର ଗସ୍ତ କରିଥିଲେ। ଏବେ ଏହାକୁ ଭାରତ ସରକାର ବିରୋଧ କରିଛନ୍ତି।
ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ମାରିଅଟଙ୍କ ଗସ୍ତ ଅତ୍ୟନ୍ତ ଆପତ୍ତିଜନକ। ଏପରି ଆଭିମୁଖ୍ୟ ଭାରତର ସଂପ୍ରଭୃତା ଓ ସୀମାନ୍ତ ଅଖଣ୍ଡତାକୁ ଉଲ୍ଲଙ୍ଘନ କରିବା ସହ ସମାନ।
ଏନେଇ ବୈଦେଶିକ ସଚିବ ବିନୟ ମୋହନ କ୍ୱାତ୍ରା ଭାରତରେ ଅବସ୍ଥାପିତ ବ୍ରିଟିଶ ହାଇକମିଶନଙ୍କର ନିକଟରେ ବିଧିବଦ୍ଧ ଭାବେ ଆପତ୍ତି ଜଣାଇଛନ୍ତି। ମନ୍ତ୍ରଣାଳୟ ଆହୁରି କହିଛି, କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଓ ଲଦାଖ ସବୁବେଳେ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଛି। ଆଗକୁ ମଧ୍ୟ ଏହା ରହିବ। ତେଣୁ ଏଠାରେ କୌଣସି ପ୍ରକାରର ଉଲ୍ଲଙ୍ଘନ ଆଦୌ ଗ୍ରହଣୀୟ ନୁହେଁ।
ଜାନୁଆରୀ ୧୦ରେ ପିଓକେ ଗସ୍ତ ସମ୍ପର୍କରେ ମାରିଅଟ ଫଟୋ ପୋଷ୍ଟ କରି ସୂଚନା ଦେଇଥିଲେ। ସେ କହିଥିଲେ, “ମୀରପୁରରୁ ସଲାମ। ବ୍ରିଟେନ ଓ ପାକିସ୍ତାନ ଲୋକଙ୍କ ମଧ୍ୟରେ ହୃଦୟର ସମ୍ପର୍କ ରହିଛି। ୭୦% ବ୍ରିଟିଶ ପାକିସ୍ତାନୀଙ୍କ ମୂଳଦୁଆ ମୀରପୁର ଦେଇ ଯାଇଛି। ଆପଣମାନଙ୍କ ଆତିଥ୍ୟ ପାଇଁ ଧନ୍ୟବାଦ।”
ତାଙ୍କର ଏପରି ଗସ୍ତକୁ ଅନେକ ସୋଶାଲ ମିଡିଆରେ ସମାଲୋଚନା କରିଥିଲେ। ବ୍ରିଟେନ ସରକାର ତାଙ୍କ ପ୍ରତିନିଧିଙ୍କୁ ପିଓକେ ପଠାଇବା ଲଜ୍ଜାଜନକ ବୋଲି ଅନେକ କହିଥିଲେ। ସେହିପରି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ତୁରନ୍ତ ମାରିଅଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ମଧ୍ୟ ଦାବି କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
