/odisha-reporter/media/post_attachments/uploadimage/library/16_9/16_9_0/Corona_1681119669.jpg)
Corona
ପୁଣିଥରେ ଗତ ୨୪ ଘଣ୍ଟାରେ ଦେଶରୁ ୫,୮୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ପରେ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୫,୧୯୯କୁ ବୃଦ୍ଧି ପାଇଛି। ତେବେ ଦୈନିକ ପଜିଟିଭିଟି ରେଟ୍ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ଏବେ ଦୈନିକ ଟିପିଆର ୬.୯୧% ଥିବା ବେଳେ ସାପ୍ତାହିକ ଟିପିଆର ୩.୬୭% ରହିଛି। ଦେଶରେ ଏବେ କମ ସଂଖ୍ୟକ ଟେଷ୍ଟିଂ ହେଉଥିବାରୁ ଟିପିଆର ବୃଦ୍ଧି ପାଉଥିବା କୁହାଯାଉଛି।
ସେହିପରି ଦୈନିକ ସଂକ୍ରମଣ ବୃଦ୍ଧି ପାଇବା ପଛର କାରଣ ମଧ୍ୟ ଇଣ୍ଡିଆନ ମେଡିକାଲ ଆସୋସିଏସନ କହିଛି। କୋଭିଡ୍ ଉଚିତ ବ୍ୟବହାର ନିୟମ କୋହଳ ହେବା, କମ ସଂଖ୍ୟକ ଟେଷ୍ଟିଂ ଓ କରୋନାର ନୂଆ ଭାରିଏଣ୍ଟ ପାଇଁ ସମ୍ଭବତଃ ଦେଶରେ ସଂକ୍ରମଣ ବଢ଼ୁଥିବା ଆଇଏମଏ କହିଛି। ରବିବାର ସମଗ୍ର ଦେଶରେ କେବଳ ୮୫,୦୭୬ଟି ନୁମନାର ଟେଷ୍ଟ ହୋଇଥିଲା। ସେମାନଙ୍କ ମଧ୍ୟରୁ ୫ ହଜାରୁ ଅଧିକ ଲୋକଙ୍କ ରିପୋର୍ଟ ପଜିଟିଭ ଆସିଛି।
ଦେଶରେ ଏଯାଏ କରୋନାକୁ ୪,୪୧,୯୬,୩୧୮ ଜଣ ମାତ ଦେଇଥିବା ବେଳେ ଆରୋଗ୍ୟ ହାର ୯୮.୭୪% ରହିଛି। ୨୪ ଘଣ୍ଟାରେ କରୋନା ଆଉ ୧୪ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫,୩୦,୯୭୯କୁ ବୃଦ୍ଧି ପାଇଛି। ରବିବାର ମାତ୍ର ୨୦୫ ଡୋଜର ଟିକାକରଣ ହୋଇଛି। ଏଯାଏ ମୋଟ ୨୨୦,୬୬,୨୩,୫୨୭ ଡୋଜ ଟିକାକରଣ ଶେଷ ହୋଇଥିବା ସରକାର କହିଛନ୍ତି।
ଅନ୍ୟପକ୍ଷରେ ସଂକ୍ରମଣ ବଢ଼ୁଥିବାରୁ ବିଭିନ୍ନ ରାଜ୍ୟର ସରକାରମାନେ ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କରିବା ଆରମ୍ଭ କରିଛନ୍ତି। କିଛି ରାଜ୍ୟରେ ମାସ୍କ ବାଧ୍ୟତାମୂଳକ କରାଯାଇଥିବା ବେଳେ ଆଉ କିଛି ରାଜ୍ୟରେ ହସ୍ପିଟାଲ ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଛି।
ଉତ୍ତର ପ୍ରଦେଶ ସରକାର ସମସ୍ତ ହସ୍ପିଟାଲର ଏମର୍ଜେନ୍ସି ୱାର୍ଡରେ କରୋନା ଟେଷ୍ଟ ବାଧ୍ୟତାମୂଳକ କରିଛନ୍ତି। ଜରୁରୀକାଳିନ ୱାର୍ଡକୁ ଆସୁଥିବା ରୋଗୀଙ୍କ ଆର-ଟିପିସିଆର ଓ ଆଣ୍ଟିଜେନ ଟେଷ୍ଟ କରାଯିବ। ରାଜ୍ୟରେ ରବିବାର ୩୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୧୯୨ରେ ପହଞ୍ଚିଛି। ସ୍ଥିତିକୁ ଦେଖି ଶନିବାର ଠାରୁ ଉତ୍ତର ପ୍ରଦେଶ ସରକାର ବିଦେଶ ଫେରନ୍ତାଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରିଥିଲେ।
ଦିଲ୍ଲୀରେ ମଧ୍ୟ କରୋନା ସ୍ଥିତି ଚିନ୍ତାଜନକ ରହିଛି। ଏଠାରେ ୬୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଟିପିଆର ୨୧.୧୫% ରହିଛି। ୪ ଜଣ କରୋନା ଭାଇରସରେ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
