/odisha-reporter/media/post_attachments/uploadimage/library/16_9/16_9_0/SCO_1750924456.jpg)
SCO
ଚାଇନାରେ ଚାଲିଥିବା ଶଙ୍ଘାଇ କର୍ପୋରେସନ ଅର୍ଗାନାଇଜେସନ ବା ଏସ୍ସିଓ ଶିଖର ସମ୍ମିଳନୀରେ କଡ଼ା ଆଭିମୁଖ୍ୟ ପ୍ରଦର୍ଶନ କରିଛି ଭାରତ। ପଡ଼ୋଶୀଙ୍କୁ ଉପଯୁକ୍ତ ବାର୍ତ୍ତା ଦେବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏସ୍ସିଓ ସମ୍ମିଳନୀରେ ଜାରି ହୋଇଥିବା ମିଳିତ ଘୋଷଣାପତ୍ରରେ ଦସ୍ତଖତ କରି ନାହାନ୍ତି। ମିଳିତ ଘୋଷଣା ପତ୍ରରେ ପାକିସ୍ତାନ ଓ ଚାଇନାର ଚାଲ ଜଳଜଳ ହୋଇ ଦେଖାଯାଉଛି। ଏଥିରେ ପହଲଗାମ ନରସଂହାର ବିଷୟରେ ଉଲ୍ଲେଖ ନଥିବା ବେଳେ ଆତଙ୍କବାଦ ପ୍ରସଙ୍ଗରେ ଭାରତର କଡ଼ା ଆଭିମୁଖ୍ୟର ପ୍ରତିଫଳନ ନାହିଁ।
ମିଳିତ ଘୋଷଣାପତ୍ରରେ ପହଲଗାମ ନରସଂହାରକୁ ପାକିସ୍ତାନ ଓ ଚାଇନା ବାଦ ଦେଇଥିବା ବେଳେ ବାଲୁଚିସ୍ତାନ କଥା ଉଲ୍ଲେଖ କରିଛନ୍ତି। ବାଲୁଚିସ୍ତାନ କଥା ଉଲ୍ଲେଖ କରି ବେଶ ଚାଲାକି ଢଙ୍ଗରେ ସେଠାରେ ଭାରତ ଅସ୍ଥିରତା ସୃଷ୍ଟି କରୁଥିବା କଥା ମଧ୍ୟ ଦର୍ଶାଇବାକୁ ଚେଷ୍ଟା କରାଯାଇଛି। ଚାଇନା ଏସ୍ସିଓ ଶିଖର ସମ୍ମିଳନୀର ଅଧ୍ୟକ୍ଷତା କରୁଥିବା ବେଳେ ପାକିସ୍ତାନ କଥାରେ ଜାଣିଶୁଣି ପହଲଗାମ ନରସଂହାରକୁ ଏଥିରେ ସାମିଲ କରାଯାଇ ନାହିଁ। ଖାସ ଏହି କାରଣ ପାଇଁ ଭାରତ ମିଳିତ ଘୋଷଣାପତ୍ରରେ ଦସ୍ତଖତ କରିନାହିଁ।
ବାଲୁଚିସ୍ତାନରେ ବିଦ୍ରୋହର ସମ୍ମୁଖୀନ ହେଉଥିବା ପାକିସ୍ତାନ ସବୁବେଳେ ଭାରତକୁ ଦୋଷ ଦେଇ ଆସୁଛି। ଏହାକୁ ଭାରତ ଖଣ୍ଡନ କରିବା ସହ ପାକିସ୍ତାନ ନିଜକୁ ଥରେ ଦେଖୁ ଓ ଆତଙ୍କବାଦକୁ ସମର୍ଥନ କରିବା ବନ୍ଦ କରୁ ବୋଲି କହି ଚାଲିଛି। ତଥାପି ପାକିସ୍ତାନ ଓ ଚାଇନା ମିଳିତ ଭାବେ ବାଲୁଚିସ୍ତାନ ପ୍ରସଙ୍ଗରେ ଭାରତକୁ ପରୋକ୍ଷରେ ଦାୟୀ କରିବାକୁ ଏସ୍ସିଓ ସମ୍ମିଳନୀରେ ଚେଷ୍ଟା କରିଛନ୍ତି।
ପ୍ରତିରକ୍ଷା ମନ୍ତ୍ରଣାଳୟର ଗୋଟିଏ ସୂତ୍ରରେ କୁହାଯାଇଛି ଯେ “ମିଳିତ ଘୋଷଣାପତ୍ରରେ ରହିଥିବା ଭାଷା ଭାରତକୁ ସନ୍ତୁଷ୍ଟ କରିନାହିଁ। ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ଏଥିରେ କିଛି କୁହାଯାଇ ନାହିଁ। ପାକିସ୍ତାନରେ ଘଟିଥିବା ଘଟଣା ଗୁଡ଼ିକକୁ ଏଥିରେ ପ୍ରମୁଖ ଭାବେ ସ୍ଥାନ ଦିଆଯାଇଛି। ତେଣୁ ଭାରତ ମିଳିତ ଘୋଷଣାପତ୍ରରେ ଦସ୍ତଖତ କରିବାକୁ ମନା କରି ଦେଇଛି।”
ଏସ୍ସିଓ ଦେଶଗୁଡ଼ିକ ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ବୈଠକରେ ଯୋଗ ଦେବାକୁ ଶ୍ରୀ ସିଂହ ଏବେ ଚାଇନାର କ୍ୱିଙ୍ଗଡାଓରେ ରହିଛନ୍ତି। ଏଥିରେ ଭାରତ ବ୍ୟତୀତ ରୁଷ, ଚାଇନା ଓ ପାକିସ୍ତାନ ଭଳି ଦେଶର ସଦସ୍ୟ ଯୋଗ ଦେଇଛନ୍ତି। ଆଞ୍ଚଳିକ ଓ ଅନ୍ତର୍ଜାତୀୟ ସୁରକ୍ଷା ସମ୍ପର୍କରେ ଆଲୋଚନା କରିବାକୁ ଏହି ବୈଠକ ଅନୁଷ୍ଠିତ ହେଉଛି।
୨୦୦୧ରେ ଗଠିତ ହୋଇଥିବା ଏସ୍ସିଓର ଲକ୍ଷ୍ୟ ହେଲା ମିଳିତ ସହଯୋଗରେ ଆଞ୍ଚଳିକ ସ୍ଥିରତାକୁ ପ୍ରୋତ୍ସାହିତ କରିବା। ବର୍ତ୍ତମାନ ଏହି ଗ୍ରୁପରେ ୧୦ଟି ଦେଶ-ବେଲାରୁସ, ଚାଇନା, ଭାରତ, ଇରାନ, କାଜଖସ୍ତାନ, କିର୍ଗିସ୍ତାନ, ପାକିସ୍ତାନ, ରୁଷ, ତାଜିକିସ୍ତାନ ଓ ଉଜବେକିସ୍ତାନ ରହିଛନ୍ତି।
ସମ୍ମିଳନୀକୁ ସମ୍ବୋଧନ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଥିଲେ ଯେ “ଏସ୍ସିଓ ସଦସ୍ୟମାନେ ସାମୂହିକ ସୁରକ୍ଷା ପାଇଁ ଏକାଠି ହୋଇ ଆତଙ୍କବାଦର ମୂଳପୋଛ କରିବା ଦରକାର। ଏହି ରିଜନରେ ଶାନ୍ତି, ସୁରକ୍ଷା ଓ ବିଶ୍ୱାସ ସାମ୍ନା କରୁଥିବା ପ୍ରମୁଖ ସମସ୍ୟା ହେଲା ମୌଳବାଦ, ଉଗ୍ରବାଦ ଓ ଆତଙ୍କବାଦ। ଶାନ୍ତି ଓ ସୌହାର୍ଦ୍ଦ୍ୟ କେବେ ହେଲେ ଆତଙ୍କବାଦ ସହ ଜଡ଼ିତ ହୋଇ ରହିପାରିବ ନାହିଁ।
ଅସାମାଜିକ ତତ୍ତ୍ୱ ଓ ଆତଙ୍କବାଦୀ ସଂଗଠନ ହାତରେ ଭୟଙ୍କର ଧ୍ୱଂସ ଲୀଳା କରୁଥିବା ଅସ୍ତ୍ର ରହିବା ବିପଦଜନକ। ଏହି ସମସ୍ୟାର ମୁକାବିଲା ପାଇଁ କଠୋର ଆଭିମୁଖ୍ୟ ପ୍ରଦର୍ଶନ ଓ କାର୍ଯ୍ୟାନୁଷ୍ଠାନ ନେବାକୁ ହେବ। ଯେଉଁମାନେ ନିଜର ସ୍ୱାର୍ଥ ସାଧାନ ପାଇଁ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛନ୍ତି ଓ ଆତଙ୍କବାଦର ବ୍ୟବହାର କରୁଛନ୍ତି, ସେମାନଙ୍କୁ ଉପଯୁକ୍ତ ଦଣ୍ଡ ଦେବାକୁ ହେବ।
କିଛି ଦେଶ ସୀମା ପାର ଆତଙ୍କବାଦକୁ ସେମାନଙ୍କ ନୀତି ଭାବେ ଗ୍ରହଣ କରିଛନ୍ତି। ସେମାନେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଛନ୍ତି। ଏପରି ଦୋମୁହାଁ ନୀତିର କୌଣସି ସ୍ଥାନ ନାହିଁ। ଏସ୍ସିଓ ସେଭଳି ଦେଶକୁ ସମାଲୋଚନା କରିବାରେ ଆଦୌ ପଛ ଘୁଞ୍ଚା ଦେବା କଥା ନୁହେଁ।”
ପହଲଗାମ ନରସଂହାର କଥା କହି ରାଜନାଥ ସିଂହ କହିଛନ୍ତି, “ପହଲଗାମ ଆତଙ୍କୀ ହମଲା ବେଳେ ଲୋକଙ୍କୁ ସେମାନଙ୍କ ଧର୍ମ ପଚାରି ଗୁଳି କରାଯାଇଥିଲା। ମିଳିତ ଜାତିସଂଘ ଦ୍ୱାରା ଆତଙ୍କୀ ସଂଗଠନ ଘୋଷିତ ହୋଇଥିବା ଲସ୍କର-ଇ-ତାଏବାର ଚ୍ଛାୟା ସଂଗଠନ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା। ପୂର୍ବରୁ ଭାରତରେ ଲସ୍କର କରିଥିବା ଆକ୍ରମଣ ସହ ପହଲଗାମ ହମଲାର ବେଶ ସାମାଞ୍ଜସ୍ୟ ରହିଛି।
ଆତଙ୍କବାଦ ବିରୋଧରେ ଭାରତର ଶୂନ ସହନଶୀଳତାକୁ କାର୍ଯ୍ୟାନୁଷ୍ଠାନ ଦ୍ୱାରା ପ୍ରଦର୍ଶନ କରାଯାଇଛି। ଆତଙ୍କବାଦ ବିରୋଧରେ ନିଜକୁ ରକ୍ଷା କରିବା ପାଇଁ ଏହା ଆମର ଅଧିକାର। ଆତଙ୍କବାଦର ଗଡ଼ ଆଉ ସୁରକ୍ଷିତ ନୁହେଁ ବୋଲି ଆମେ ସମସ୍ତଙ୍କୁ ଦେଖାଇ ଦେଇଛୁ ଓ ଆମେ ଆଗକୁ ମଧ୍ୟ ସେମାନଙ୍କୁ ଟାର୍ଗେଟ କରିବାକୁ ପଛାଇବୁ ନାହିଁ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
