Rain
ଦକ୍ଷିଣ ପଶ୍ଚିମ ମୌସୁମୀ ଯୋଗୁ ଜାରି ରହିଥିବା ବର୍ଷା ଏବେ ଦେଶର ଅଧିକାଂଶ ରାଜ୍ୟରେ ବନ୍ୟା ଭଳି ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ବିଶେଷ କରି ଦିଲ୍ଲୀ ଓ ଉତ୍ତର ଭାରତୀୟ ରାଜ୍ୟଗୁଡ଼ିକରେ ବନ୍ୟା ସ୍ଥିତି ଜଟିଳ ହୋଇଛି। ଏବେ ବି ଲଗାଣ ବର୍ଷା ଜାରି ରହିଥିବାରୁ ଆଗକୁ ସ୍ଥିତି ଆହୁରି ଭୟଙ୍କର ହେବାର ଆଶଙ୍କା ପ୍ରକାଶ ପାଇଛି। ଦେଶର ପ୍ରାୟ ସବୁ ବଡ଼ ନଦୀରେ ଜଳସ୍ତର ବିପଦ ସଙ୍କେତ ପାର କରି ସାରିଲାଣି।
ଏପରି ସ୍ଥିତି ସୃଷ୍ଟି ହେବାର କାରଣ ସ୍ୱଭାବିକ ଠାରୁ ଅଧିକ ବର୍ଷା। ଭାରତୀୟ ପାଣିପାଗ ବିଭାଗ ଜାରି କରିଥିବା ତଥ୍ୟରୁ ଜଣାପଡ଼ିଛି ଯେ ଗତ ସପ୍ତାହରେ ସମଗ୍ର ଦେଶରେ ସ୍ୱାଭାବିକ ଠାରୁ ୪୮% ଅଧିକ ବର୍ଷା ରେକର୍ଡ କରାଯାଇଛି। ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୩ ମଧ୍ୟରେ ମୌସୁମୀ ପ୍ରବଳ ବର୍ଷିଥିବା ଭାରତୀୟ ପାଣିପାଗ ବିଭାଗ କହିଛି।
ବିଭାଗର ସୂଚନା ଅନୁସାରେ, ଗତ ସପ୍ତାହରେ ଦେଶରେ ୭୫.୨ ମିମି ବର୍ଷା ରେକର୍ଡ କରାଯାଇଛି। ଏହି ସମୟରେ ସାଧାରଣତଃ ୪୯ ମିମି ବର୍ଷା ହେବା କଥା। କିନ୍ତୁ ଚଳିତ ଥର ବ୍ୟତିକ୍ରମ ଦେଖାଦେଇଛି ଓ ସ୍ୱାଭାବିକ ଠାରୁ ୪୮% ଅଧିକ ବର୍ଷା ହୋଇଛି।
ଏହାବାଦ ଜୁନ ୧ରୁ ସେପ୍ଟେମ୍ବର ୩ ମଧ୍ୟରେ ଦେଶରେ ୭୮୦.୮ ମିମି ବର୍ଷା ହୋଇଛି। ସାଧାରଣତଃ ଏହି ସମୟରେ ୭୨୧.୧ ମିମି ବର୍ଷା ରେକର୍ଡ ହେବା କଥା। ଅର୍ଥାତ ଏହି ସମୟସୀମା ମଧ୍ୟରେ ୮% ଅଧିକ ବର୍ଷା ରେକର୍ଡ କରାଯାଇଛି।
ଦେଶରେ ଅଧିକ ବର୍ଷା ହେବାର କାରଣ ହେଉଛି ମୌସୁମୀ ଟ୍ରଫ ଲାଇନ ତା’ର ସ୍ୱାଭାବିକ ସ୍ଥାନରୁ ଦକ୍ଷିଣରେ ଅଛି ଓ ବାୟୁମଣ୍ଡଳର ନିମ୍ନ ଅଂଶକୁ ଲମ୍ବିଛି। ତେଣୁ ଏହା ସକ୍ରିୟ ମୌସୁମୀର ସଙ୍କେତ। ଟ୍ରଫ ଲାଇନ ସାଧାରଣତଃ ଉତ୍ତରପୂର୍ବ ଆରବ ସାଗରରୁ ଉତ୍ତରପଶ୍ଚିମ ବଙ୍ଗପୋସାଗର ଯାଏ ବାୟୁମଣ୍ଡଳର ନିମ୍ନ ଓ ମଧ୍ୟ ଭାଗ ଦେଇ ଗତି କରିଥାଏ ବୋଲି ଆଇଏମଡି କହିଛି।
ଉତ୍ତର ଭାରତରେ ପ୍ରଳୟ କରୁଛି ଲଗାଣ ବର୍ଷା
ହମାଚଳ ପ୍ରଦେଶ, ଜମ୍ମୁ-କଶ୍ମୀର, ପଞ୍ଜାବ ଓ ହରିୟାଣାରେ ଲଗାଣ ବର୍ଷା ଯୋଗୁ ୩୦୦ରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଲାଣି। ଭୂସ୍ଖଳନ ଓ ଅଚାନକ ବନ୍ୟା ଶତାଧିକ ଗାଁକୁ ବୁଡ଼ାଇ ଦେଇଛି। ଜାତୀୟ ରାଜପଥରେ ଯାତାୟାତ ମଧ୍ୟ ବନ୍ଦ ହୋଇଯାଇଛି। ଲଗାଣ ବର୍ଷା ପରେ ଆସିଥିବା ବନ୍ୟା ହଜାର ହଜାର କୋଟିର ଫସଲକୁ ଉଜାଡ଼ି ଦେଇଛି। ଲୋକମାନେ ହାହା କାର ସ୍ଥିତିରେ ରହିଛନ୍ତି।
ପଞ୍ଜାବ ଗୋଟିଏ ଦଶନ୍ଧି ମଧ୍ୟରେ ବନ୍ୟାର ସବୁଠାରୁ ଭୟଙ୍କର ରୂପକୁ ସାମ୍ନା କରିଛି। ଏଠାରେ ବନ୍ୟା ଯୋଗୁ ୪୩ ଜଣଙ୍କ ଜୀବନ ଯାଇଥିବା ବେଳେ ୧.୭୧ ଲକ୍ଷ ହେକ୍ଟର ଚାଷ ଜମି ନଷ୍ଟ ହୋଇଯାଇଛି। ୨୩ଟି ଜିଲ୍ଲାର ୧୯୦୨ଟି ଗାଁ ବନ୍ୟାରେ ପ୍ରଭାବିତ ହୋଇଥିବା ବେଳେ ୩.୮୪ ଲୋକ ଜଳବନ୍ଦୀ ସ୍ଥିତିର ସମ୍ମୁଖୀନ ହୋଇଛନ୍ତି।
ଆଗାମୀ ୩ ଦିନ ଯାଏ ଉତ୍ତର ଭାରତର ବିଭିନ୍ନ ରାଜ୍ୟରେ ଲଗାଣ ବର୍ଷାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ସେହିପରି ୮ ତାରିଖ ଯାଏ ଉତ୍ତରାଖଣ୍ଡ ଓ ରାଜସ୍ଥାନର କିଛି ସ୍ଥାନରେ ପ୍ରବଳ ବର୍ଷାର ଆଶଙ୍କା ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Rain_1757061277.jpg)