/odisha-reporter/media/media_files/2025/12/31/india-2025-12-31-11-32-44.jpg)
ଭାରତ-ଚାଇନା
ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧ ବିରତିର ଶ୍ରେୟ ନେବାକୁ ଚେଷ୍ଟା କରିଛି ଚାଇନା। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧ ବିରତିରେ ମଧ୍ୟସ୍ଥତା କରିଥିବା ଦାବି କରିଥିଲେ। ଏବେ ଚାଇନା ମଧ୍ୟ ସମାନ ଦାବି କରିଛି।
ତେବେ ଚାଇନା(China)ର ଏହି ମଧ୍ୟସ୍ଥତା ଦାବିକୁ ଦୃଢ଼ ଭାବେ ଖଣ୍ଡନ କରିଛି ଭାରତ। ଯୁଦ୍ଧ ବିରତି ନିଷ୍ପତ୍ତିରେ କୌଣସି ତୃତୀୟ ପକ୍ଷ ଭୂମିକା ଗ୍ରହଣ କରି ନଥିଲେ ବୋଲି ଭାରତ ପକ୍ଷରୁ କୁହାଯାଇଛି।
ଅପରେସନ ସିନ୍ଦୂର ପରେ ଭାରତ ଓ ପାକିସ୍ତାନ ମେ’ ୧୦ ତାରିଖରେ ଯୁଦ୍ଧ ବିରତି ଲାଗୁ କରିଥିଲେ। ଭାରତ ଓ ପାକିସ୍ତାନର ଡିଜିଏମଓ ପରସ୍ପର ସହ କଥା ହୋଇ ସାମରିକ ବିବାଦ ବନ୍ଦ କରିବାକୁ ସହମତି ହୋଇଥିଲେ। କିନ୍ତୁ ପ୍ରଥମେ ଟ୍ରମ୍ପ ଓ ଏବେ ଚାଇନା ଏହାର ଶ୍ରେୟ ନେବାକୁ ପ୍ରତିଯୋଗିତା ଆରମ୍ଭ କରି ଦେଇଛନ୍ତି। କିନ୍ତୁ ଭାରତ(India) ଦୃଢ଼ ଭାବେ ଆରମ୍ଭରୁ ହିଁ ଏହାକୁ ଖଣ୍ଡନ କରି ଆସିଛି।
ଭାରତ ସରକାରଙ୍କ ସୂତ୍ରରେ କୁହାଯାଇଛି ଯେ “ଆମେ ପୂର୍ବରୁ ହିଁ ଏପରି ଦାବିକୁ ଖଣ୍ଡନ କରି ଆସିଛୁ। ଭାରତ ଓ ପାକିସ୍ତାନ(Pakistan) ମଧ୍ୟରେ ଥିବା ଦ୍ୱିପାକ୍ଷିକ ପ୍ରସଙ୍ଗରେ କୌଣସି ତୃତୀୟ ପକ୍ଷରୁ ଭୂମିକା ନାହିଁ। ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧ ବିରତି ଦୁଇ ଦେଶର ଡିଜିଏମଓ ସ୍ତରୀୟ ଆଲୋଚନା ପରେ ଲାଗୁ ହୋଇଥିଲା ବୋଲି ଆମେ ପୂର୍ବରୁ ଅନେକ ଥର କରି ସାରିଛୁ। ଆମେ ପୂର୍ବରୁ ଆମ ପକ୍ଷ ସ୍ପଷ୍ଟ କରି ସାରିଛୁ।”
ଭାରତ ସରକାରଙ୍କ ଏପରି ବୟାନ ପୂର୍ବରୁ ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଭଳି ଦାବି କରିଥିଲେ। ସେ କହିଥିଲେ ଯେ ଚାଇନା ଏକାଧିକ ବିଶ୍ୱସ୍ତରୀୟ ବିବାଦର ସମାଧାନ ପାଇଁ ୨୦୨୫ରେ ମଧ୍ୟସ୍ଥତା କରିଥିଲା। ଏହା ମଧ୍ୟରେ ଭାରତ-ପାକିସ୍ତାନ ସାମରିକ ବିବାଦ ମଧ୍ୟ ରହିଛି।
ମଙ୍ଗଳବାର ୱାଙ୍ଗ ୟି କହିଥିଲେ,“ଦ୍ୱିତୀୟ ବିଶ୍ୱ ଯୁଦ୍ଧ ଶେଷ ହେବା ପରେ ଏହି ବର୍ଷ ସ୍ଥାନୀୟ ଯୁଦ୍ଧ ଓ ସୀମା ପାର ସଂଘର୍ଷ ଭୀଷଣ ରୂପ ଧାରଣ କରିଥିଲା। ଏପରି ସ୍ଥିତିରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠାରେ ଚାଇନା ପ୍ରମୁଖ ଭୂମିକା ଗ୍ରହଣ କରିଥିଲା।
ପ୍ରମୁଖ ପ୍ରସଙ୍ଗର ସମାଧାନ ପାଇଁ ଆମେ ନର୍ଦ୍ଦନ ମିଆଁମାର, ଇରାନର ପରମାଣୁ ପ୍ରସଙ୍ଗ, ପାକିସ୍ତାନ ଓ ଭାରତ ମଧ୍ୟରେ ଦେଖାଯାଇଥିବା ବିବାଦ, ପାଲେଷ୍ଟାଇନ ଓ ଇସ୍ରାଏଲ ମଧ୍ୟରେ ଥିବା ପ୍ରସଙ୍ଗ ଏବଂ ନିକଟରେ ଥାଇଲାଣ୍ତ ଓ କାମ୍ବୋଡ଼ିଆ ମଧ୍ୟରେ ହୋଇଥିବା ବିବାଦରେ ମଧ୍ୟସ୍ଥତା କରିଥିଲୁ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
