/odisha-reporter/media/media_files/2025/10/16/trump-2025-10-16-17-53-52.jpg)
ମୋଦି ଓ ଟ୍ରମ୍ପ (ଫାଇଲ ଫଟୋ)
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମିଛକୁ ପୁଣି ଧରାଇ ଦେଇଛି ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(PM Modi)ଙ୍କ ସମ୍ପର୍କରେ ଟ୍ରମ୍ପ କରିଥିବା ଦାବିରେ କୌଣସି ସତ୍ୟତା ନଥିବା ଭାରତ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଦୁଇ ନେତାଙ୍କ ମଧ୍ୟରେ କୌଣସି ପ୍ରକାରର ଫୋନ ଯୋଗେ କଥାବାର୍ତ୍ତା କିମ୍ବା ଆଲୋଚନା ହୋଇ ନଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ ବାରମ୍ବାର ମିଛକୁ ଦୋହରାଉଥିବା ଟ୍ରମ୍ପ ବୁଧବାର ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ବଡ଼ ବୟାନ ଦେଇଥିଲେ। ରୁଷ ଠାରୁ ଭାରତ ଆଉ ତେଲ କିଣିବ ନାହିଁ ବୋଲି ମୋଦି ତାଙ୍କୁ ପ୍ରତିଶ୍ରୁତି ଦେଇଥିବା ସେ ପୂରା ବିଶ୍ୱକୁ ଜଣାଇଥିଲେ। ଏଭଳି ତଥାକଥିତ ପ୍ରତିଶ୍ରୁତି ମୋଦି ତାଙ୍କୁ ଆଜି(ବୁଧବାର) କଥାବାର୍ତ୍ତା ହେବା ବେଳେ ଦେଇଥିବା ଟ୍ରମ୍ପ କହିଥିଲେ।
ଟ୍ରମ୍ପଙ୍କ ଏପରି ବୟାନ ପରେ ବୈଦେଶିକ ମନ୍ତ୍ରଣାଳୟ ପ୍ରଥମେ ଗୋଟିଏ ବିବୃତି ଜାରି କରି ରୁଷ ଠାରୁ ଭାରତ କାହିଁକି ତେଲ କିଣୁଛି, ତା’ର ସ୍ପଷ୍ଟୀକରଣ ରଖିଥିଲା। ଏବେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସୱାଲ ନିୟମିତ ସାମ୍ବାଦିକ ସମ୍ମିଳନୀ ବେଳେ ଟ୍ରମ୍ପଙ୍କ ମିଛର ଗୁମର ଖୋଲି ଦେଇଛନ୍ତି।
ତାଙ୍କ କହିବା କଥା ଯେ ଟ୍ରମ୍ପଙ୍କ ଦାବି ସମ୍ପର୍କରେ ଭାରତର ଯାହା କହିବା କଥା ସେକଥା ମନ୍ତ୍ରଣାଳୟ ପୂର୍ବରୁ ଜାରି କରିଥିବା ବିବୃତିରେ କହି ସାରିଛି। ବାକି ରହିଲା ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା କିମ୍ବା ଫୋନ ଯୋଗେ କଥାବାର୍ତ୍ତା ପ୍ରସଙ୍ଗ। ଗତକାଲି(ବୁଧବାର) ଦୁଇ ନେତାଙ୍କ ମଧ୍ୟରେ କୌଣସି ପ୍ରକାରର ଫୋନ ଯୋଗେ କିମ୍ବା ଅନ୍ୟ କୌଣସି ମାଧ୍ୟମରେ କଥାବାର୍ତ୍ତା ହୋଇନାହିଁ ବୋଲି ସେ ସ୍ପଷ୍ଟ ଭାବେ କହିଛନ୍ତି।
ବୁଧବାର ହ୍ୱାଇଟ ହାଉସରେ ସାମ୍ବାଦିକଙ୍କୁ ସୂଚନା ଦେବା ବେଳେ ଟ୍ରମ୍ପ କହିଥିଲେ ଯେ “ସେ(ମୋଦି) ମୋର ଜଣେ ଭଳ ବନ୍ଧୁ। ଆମ ଭିତରେ ବହୁତ ଭଲ ସମ୍ପର୍କ ରହିଛି। ରୁଷ ଭୟଙ୍କର ଯୁଦ୍ଧ କରୁଥିବା ବେଳେ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ହେଉଛି।
ତଥାପି ରୁଷ ଠାରୁ ସେମାନେ(ଭାରତ) ତେଲ କିଣୁ ଥିବାରୁ ଆମେ ଖୁସି ନାହୁଁ। ଭାରତ ତେଲ କିଣୁ ଥିବାରୁ ମୁଁ ଖୁସି ନୁହେଁ। କିନ୍ତୁ ଆଜି ମୋଦି ମୋତେ ପ୍ରତିଶ୍ରୁତି ଦେଇଛନ୍ତି ଯେ ସେମାନେ ତେଲ କିଣିବା ବନ୍ଦ କରିବେ। ଏହା ଗୋଟିଏ ବଡ଼ ପଦକ୍ଷେପ। ଏବେ ଆମେ ଚାଇନାକୁ ସମାନ କାମ କରିବାକୁ କହିବୁ।”
BIG BREAKING: "Modi assured me today that India will not be buying Russian oil," says US President Donald Trump pic.twitter.com/N83LZJ2vVt
— Shashank Mattoo (@MattooShashank) October 15, 2025
ଏହାପରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ଗୋଟିଏ ବିବୃତି ଜାରି କରି ଏହାର ଜବାବ ରଖିଥିଲା। ତେଲ ଓ ଗ୍ୟାସ ଆମଦାନୀରେ ଭାରତ ଗୋଟିଏ ପ୍ରମୁଖ ରାଷ୍ଟ୍ର। ଗୋଟିଏ ଅସ୍ଥିର ଶକ୍ତି ସଙ୍କଟ ପରିସ୍ଥିତିରେ ଭାରତୀୟ ଉପଭୋକ୍ତାଙ୍କ ସ୍ୱାର୍ଥକୁ ସୁରକ୍ଷିତ କରିବା ହେଉଛି ଆମର ପ୍ରାଥମିକତାର। ଆମର ଆମଦାନୀ ନୀତି ସଂପୂର୍ଣ୍ଣ ଭାବେ ଏହା ଦ୍ୱାରା ପରିଚାଳିତ।
ସ୍ଥିର ଶକ୍ତି ମୂଲ୍ୟ ଓ ସୁରକ୍ଷିତ ସପ୍ଲାଏକୁ ସୁନିଶ୍ଚିତ କରିବା ଆମ ଶକ୍ତି ନୀତିର ଦୁଇ ପ୍ରମୁଖ ଲକ୍ଷ୍ୟ। ଶକ୍ତିର ଉତ୍ସ ଓ ମାର୍କେଟ ସର୍ତ୍ତକୁ ଦୃଷ୍ଟିରେ ରଖି ଆମେ ନିଷ୍ପତ୍ତି ନେଇଥାଉ। ଆମେରିକାର ପ୍ରଶ୍ନକୁ ବିଚାରକୁ ନେଲେ, ଆମେ ଅନେକ ବର୍ଷ ହେଲା ଆମର ଶକ୍ତି କ୍ରୟର ଉତ୍ସକୁ ଆମେରିକାର ସହ ବିସ୍ତାର କରିବା ପ୍ରୟାସରେ ରହିଛୁ।
ଗୋଟିଏ ଦଶନ୍ଧି ମଧ୍ୟରେ ଏଥିରେ ଅନେକ ପ୍ରଗତୀ ହୋଇଛି। ବର୍ତ୍ତମାନର ପ୍ରଶାସନ(ଟ୍ରମ୍ପ ପ୍ରଶାସନ) ଭାରତ ସହିତ ଶକ୍ତି ସହଯୋଗ ସମ୍ପର୍କକୁ ଅଧିକ ଦୃଢ଼ କରିବାର ଇଚ୍ଛା ଶକ୍ତି ଦେଖାଇଛନ୍ତି। ଏହା ଉପରେ ଆଲୋଚନା ଜାରି ରହିଛି।”
ଏହି ସମୟରେ ମୋଦି ଓ ଟ୍ରମ୍ପ କଥା ହୋଇଛନ୍ତି କି ନାହିଁ, ସେସମ୍ପର୍କରେ କିଛି ବି କୁହାଯାଇ ନଥିଲା। ଏବେ ରଣଧୀର ଜୈସୱାଲ ସ୍ପଷ୍ଟ ଭାବେ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟରେ କୌଣସି କଥାବାର୍ତ୍ତା ହୋଇ ନଥିବା କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
