Advertisment

ଭାରତର ଜନସଂଖ୍ୟା ୧୪୬ କୋଟି, କିନ୍ତୁ ଜନ୍ମ ହାର କମୁଛି

ଭାରତର ଜନ୍ମ ହାର ହ୍ରାସ ପାଇଥିଲେ ହେଁ ଦେଶରେ ଯୁବକଙ୍କ ସଂଖ୍ୟା ଅଧିକ ରହିଛି। ଭାରତର ମୋଟ ଜନସଂଖ୍ୟାର ୨୪%ଙ୍କ ବୟସ ହେଉଛି ୦ରୁ ୧୪ ବର୍ଷ। ୧୭% ଲୋକଙ୍କ ବୟସ ୧୦ରୁ ୧୯ ବର୍ଷ, ୧୦ରୁ ୨୪ ବର୍ଷ ବୟସ ବର୍ଗରେ ୨୬%, ୧୫ରୁ ୬୪ ବର୍ଷ ବୟସ ବର୍ଗରେ ୬୮% ଓ ୬୫ ବର୍ଷ ବୟସରୁ ଅଧିକ ବୟସ୍କ ସଂଖ୍ୟା ୭% ରହିଛି।

author-image
Hemant Lenka
Population

Population

ମିଳିତ ଜାତିସଂଘର ଗୋଟିଏ ରିପୋର୍ଟରେ ଆକଳନ କରାଯାଇଛି ଯେ ଭାରତର ଜନସଂଖ୍ୟା ୧୪୬ କୋଟିରେ ପହଞ୍ଚି ଯାଇଛି। କିନ୍ତୁ ଦେଶରେ ଜନ୍ମ ହାର ବା ଟିଏଫଆର ହ୍ରାସ ପାଇବାରେ ଲାଗିଛି। ଜାତିସଂଘ କହିଛି ଯେ ବିଶ୍ୱର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର ତାଲିକାର ୧ନଂ ସ୍ଥାନରେ ଭାରତ ରହିଛି। ଭାରତର ଜନସଂଖ୍ୟା ୧୪୬ କୋଟି ୩୯ ଲକ୍ଷ। ଏହା ଜାତିସଂଘର କେବଳ ଗୋଟିଏ ଆକଳନ। କାରଣ ଭାରତ ସରକାର ୨୦୧୧ରୁ ଦେଶରେ ଜନଗଣନା କରି ନାହାନ୍ତି।

Advertisment

ଜାତିସଂଘ ଜନସଂଖ୍ୟା ଫଣ୍ଡ(ୟୁଏନଏଫପିଏ)ର ୨୦୨୫ ବିଶ୍ୱ ଜନସଂଖ୍ୟା ରିପୋର୍ଟକୁ ମଙ୍ଗଳବାର ରିଲିଜ କରାଯାଇଥିଲା। ଏଥିରେ କୁହାଯାଇଛି ଯେ ଭାରତର ଜନସଂଖ୍ୟା ୧୭୦ କୋଟିରେ ପହଞ୍ଚିବା ପରେ ହ୍ରାସ ପାଇବ। ଏଥିପାଇଁ ଆମକୁ ଏବେଠାରୁ ୪୦ ବର୍ଷ ଯାଏ ଅପେକ୍ଷା କରିବାକୁ ପଡ଼ିବ। ୨୦୨୫ ସୁଦ୍ଧା ଚାଇନାର ଜନସଂଖ୍ୟା ୧୪୧ କୋଟି ରହିଥିବା ଜାତିସଂଘ ଆକଳନ କରିଛି।

ଭାରତର ମୋଟ ଜନସଂଖ୍ୟା ଗତବର୍ଷ ୧୪୪ କୋଟି ରହିଥିଲା। ବର୍ଷକ ମଧ୍ୟରେ ଜନସଂଖ୍ୟା ୧୪୬ କୋଟିରେ ପହଞ୍ଚିଛି। ୟୁଏନଏଫପିଏ ରିପୋର୍ଟରେ ଦର୍ଶାଯାଇଛି ଯେ ଭାରତର ଟୋଟାଲ ଫର୍ଟିଲିଟି ରେଟ(ଟିଆରଏଫ) ବା ଭାରତରେ ପ୍ରତି ମହିଳାଙ୍କ ସନ୍ତାନ ଜନ୍ମ ହାର ୧.୯କୁ ହ୍ରାସ ପାଇଛି। ପୂର୍ବରୁ ଏହା ୨.୧ ରହିଥିଲା।

Advertisment

ଏଥିରୁ ସଙ୍କେତ ମିଳିଛି ଯେ ଭବିଷ୍ୟତରେ ଜନସଂଖ୍ୟା ଆକାରରେ ସନ୍ତୁଳନ ରକ୍ଷା କରିବା ପାଇଁ ଆବଶ୍ୟକ ସନ୍ତାନ ତୁଳନାରେ ମହିଳାମାନେ କମ ଜନ୍ମ କରୁଛନ୍ତି। ଟିଆରଏଫ ହ୍ରାସ ପାଇବାର ଅର୍ଥ ଜନସଂଖ୍ୟା କମୁଛି। ଜନ୍ମ ହାର କମୁ ଥିଲେ ହେଁ ଜନସଂଖ୍ୟା ବୃଦ୍ଧି ପାଇଛି। ଏହାର କାରଣ ହେଲା ଭାରତରେ ଲୋକଙ୍କ ଜୀବନ ଅବଧି ବା ଆୟୁ ବଢ଼ୁଛି। ଜନ୍ମ ହାର କମ କରିବାରେ ଭାରତ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ବେଳେ ବିଭିନ୍ନ ରାଜ୍ୟ, ଜାତି ଓ ଆୟ ବର୍ଗରେ ଏଥିରେ ଅସମାନତା ଦେଖାଯାଉଛି।

ଦିଲ୍ଲୀ, କେରଳ, ତାମିଲନାଡୁ, ଶିକ୍ଷିତ ମଧ୍ୟବିତ୍ତମାନେ ପିଲା ଜନ୍ମ କରିବାରେ ବ୍ରେକ ଲଗାଇଛନ୍ତି

ଜାତିସଂଘ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ କୁହାଯାଇଛି ଯେ ଯଦିଓ ଭାରତର ଜନ୍ମ ହାର ହ୍ରାସ ପାଉଛି, ଦେଶରେ ଅନେକ ଲୋକ ବିଶେଷ କରି ମହିଳାମାନେ ଏବେ ସେମାନଙ୍କ ପ୍ରଜନନ ଜୀବନ ସମ୍ପର୍କରେ ମୁକ୍ତ ଓ ସଠିକ ନିଷ୍ପତ୍ତି ନେବାରେ ଅନେକ ବାଧାବିଘ୍ନର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟା ଯୋଗୁ ଭାରତରେ ଉଚ୍ଚ ଜନ୍ମ ହାର ଓ ନିମ୍ନ ଜନ୍ମ ହାର ମଧ୍ୟରେ ସ୍ଥଳ ବିଶେଷରେ ଭିନ୍ନତା ଦେଖାଯାଉଥିବା ରିପୋର୍ଟରେ ଇଙ୍ଗିତ କରାଯାଇଛି।

୧୯୭୦ରେ ପ୍ରତି ମହିଳାଙ୍କ ସନ୍ତାନ ଜନ୍ମ କରିବାର ହାର ୫ ରହିଥିବା ବେଳେ ଏବେ ଏହା ୨କୁ ଖସି ଆସିଛି। ଶିକ୍ଷା ଓ ସ୍ୱାସ୍ଥ୍ୟଗତ ସଚେତନା ଯୋଗୁ ଏହା ସମ୍ଭବ ହୋଇଛି। ୨୦୧୯-୨୧ରେ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେରେ ଜଣାପଡ଼ିଥିଲା ଯେ ଦେଶର ଟିଆରଏଫ ପ୍ରଥମଥର ପାଇଁ ୨.୦ ତଳକୁ ଖସି ଆସିଛି। କିନ୍ତୁ ବିହାର, ଝାରଖଣ୍ଡ ଓ ଉତ୍ତର ପ୍ରଦେଶ ଭଳି ରାଜ୍ୟରେ ଜନ୍ମ ହାର ଏବେ ବି ଉଚ୍ଚ ସ୍ତରରେ ରହିଛି। ଏଠାରେ ଖରାପ ଗର୍ଭନିରୋଧକ ଓ ସ୍ୱାସ୍ଥ୍ୟ ସେବା ତଥା ଲିଙ୍ଗ ମାନଦଣ୍ଡ କାରଣରୁ ଏଠାରେ କମ ଅନ୍ତାଳରେ ସନ୍ତାନ ଜନ୍ମ ହେଉଛନ୍ତି।

ଅନ୍ୟପକ୍ଷରେ ଦିଲ୍ଲୀ, କେରଳ, ତାମିଲନାଡୁରେ ଜନ୍ମ ହାର କମ ରହିଛି। କାରଣ ଏଠାରେ ଦମ୍ପତି ସନ୍ତାନ ଜନ୍ମ କରିବାରେ ବିଳମ୍ବ କରନ୍ତି କିମ୍ବା ଖର୍ଚ୍ଚ ଏବଂ କାର୍ଯ୍ୟ ବ୍ୟସ୍ତତା କାରଣରୁ ସନ୍ତାନ ଜନ୍ମ କରିବାକୁ ପସନ୍ଦ କରନ୍ତି ନାହିଁ। ବିଶେଷ କରି ଶିକ୍ଷିତ ମଧ୍ୟବିତ୍ତ ବର୍ଗର ମହିଳାଙ୍କ କ୍ଷେତ୍ରରେ ଏପରି ଦେଖାଯାଉଛି।

ରିପୋର୍ଟରେ କୁହାଯାଇଛି ଯେ ଜନ୍ମ ହାର ହ୍ରାସ ପାଇବା ଯୋଗୁ ଆତଙ୍କିତ ନ ହୋଇ ପ୍ରଜନନ ଲକ୍ଷ୍ୟ ସମ୍ପର୍କରେ ସମସ୍ତଙ୍କୁ ବୁଝିବାକୁ ପଡ଼ିବ। କାରଣ ଦେଶର ଲକ୍ଷଲକ୍ଷ ଲୋକ ଟିଏଫଆର ଲକ୍ଷ୍ୟ ହାସଲ ନେଇ ଅଜ୍ଞ ରହିଛନ୍ତି। କମ ଜନସଂଖ୍ୟା କିମ୍ବା ଅଧିକ ଜନସଂଖ୍ୟା ସମସ୍ୟା ନୁହେଁ। ବରଂ ପ୍ରକୃତ ସମସ୍ୟା ହେଉଛି ନିଜର ଲକ୍ଷ୍ୟ ସମ୍ପର୍କରେ ନ ଜାଣିବା। ଏଥିପାଇଁ ସଚେନତାର ଆବଶ୍ୟକ ରହିଛି।

ଅନ୍ୟପକ୍ଷରେ ଭାରତର ଜନ୍ମ ହାର ହ୍ରାସ ପାଇଥିଲେ ହେଁ ଦେଶରେ ଯୁବକଙ୍କ ସଂଖ୍ୟା ଅଧିକ ରହିଛି। ଭାରତର ମୋଟ ଜନସଂଖ୍ୟାର ୨୪%ଙ୍କ ବୟସ ହେଉଛି ୦ରୁ ୧୪ ବର୍ଷ। ୧୭% ଲୋକଙ୍କ ବୟସ ୧୦ରୁ ୧୯ ବର୍ଷ, ୧୦ରୁ ୨୪ ବର୍ଷ ବୟସ ବର୍ଗରେ ୨୬%, ୧୫ରୁ ୬୪ ବର୍ଷ ବୟସ ବର୍ଗରେ ୬୮% ଓ ୬୫ ବର୍ଷ ବୟସରୁ ଅଧିକ ବୟସ୍କ ସଂଖ୍ୟା ୭% ରହିଛି। ଭାରତରେ ପୁରୁଷଙ୍କ ଆୟୁ ହାରାହାରି ୭୧ ବର୍ଷ ରହିଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ଏହା ୭୪।

India Balanced Population Indian Population