Advertisment

ଗାଜାକୁ ସହାୟତା ପଠାଇଲା ଭାରତ

ମାନବିକ ସହାୟତା ଶନିବାର ଠାରୁ ଗାଜାରେ ପହଞ୍ଚିବା ଆରମ୍ଭ କରିଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
sends Humanitarian aid to the people of sends Humanitarian aid to the people of

sends Humanitarian aid to the people of Gaza

ଇସ୍ରାଏଲ ଓ ହମାସ ମଧ୍ୟରେ ୧୫ ଦିନରୁ ଉର୍ଦ୍ଧ୍ୱ ହେଲାଣି ଜାରି ରହିଛି ଯୁଦ୍ଧ। ଏହାରି ଭିତରେ ଏବେ ଗାଜାକୁ ସହାୟତାର ହାତ ବଢ଼ାଇଛି ଭାରତ। ଗାଜାର ନାଗରିକଙ୍କ ପାଇଁ ଭାରତ ପକ୍ଷରୁ ପଠାଯାଇଛି ମାନବୀୟ ସହାୟତା।

Advertisment

ହାମାସ ଉପରେ ଇସ୍ରାଏଲର ପ୍ରତିଶୋଧ ପରାୟଣ କାର୍ଯ୍ୟ ହେତୁ ଗାଜାର ଲୋକମାନେ ବଡ଼ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ଏମାନଙ୍କୁ ସହାୟତା କରିବା ପାଇଁ ଏବେ ଭାରତ ଆଗେଇ ଆସିଛି। ଗାଜାକୁ ମାନବୀୟ ସହାୟତା ପଠାଯାଇଥିବା ନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି।

ଗାଜାକୁ ପଠାଯାଇଥିବା ଏହି ସହାୟତା ଜିନିଷ ମଧ୍ୟରେ ଅତ୍ୟାବଶ୍ୟକ ଜୀବନ ରକ୍ଷାକାରୀ ଔଷଧ, ସର୍ଜିକାଲ୍ ଆଇଟମ୍, ଟେଣ୍ଟ୍, ଶୋଇବା ବ୍ୟାଗ୍, ଟର୍ପାଲିନ୍, ପରିମଳ ସୁବିଧା, ଜଳ ବିଶୋଧନ ଟାବଲେଟ୍ ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ସାମିଲ ରହିଛି। ପାଲେଷ୍ଟାଇନବାସୀଙ୍କ ପାଇଁ ପ୍ରାୟ ୬.୫ ଟନ୍ ଚିକିତ୍ସା ସହାୟତା ଏବଂ ୩୨ଟନ୍ ବିପର୍ଯ୍ୟୟ ପ୍ରଶମନ ସାମଗ୍ରୀ ନେଇ IAF C-17 ବିମାନ ଇଜିପ୍ଟର ଏଲ୍-ଆରିଶ ବିମାନ ବନ୍ଦରକୁ ଯାଇଥିବା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

Advertisment

ମାନବିକ ସହାୟତା ଶନିବାର ଠାରୁ ଗାଜାରେ ପହଞ୍ଚିବା ଆରମ୍ଭ କରିଛି। ମାନବିକ ସହାୟତା ଗାଜାରେ ପହଞ୍ଚାଇବା ପାଇଁ ଇଜିପ୍ଟ ରାଫା ସୀମା ଖୋଲିଛି। ଆମେରିକା, ଇସ୍ରାଏଲ, ଇଜିପ୍ଟ ଏବଂ ମିଳିତ ଜାତିସଂଘର ଆଲୋଚନା ପରେ ମାନବିକ ସହାୟତା ପାଇଁ ଇଜିପ୍ଟ ଏବଂ ଗାଜା ମଧ୍ୟରେ ଥିବା ରାଫା କ୍ରସିଂ ପଏଣ୍ଟକୁ ଦୁଇ ସପ୍ତାହ ମଧ୍ୟରେ ପ୍ରଥମ ଥର ପାଇଁ ଶନିବାର ଦିନ ଖୋଲା ଯାଇଥିଲା।

ଆମେରିକାର ମଧ୍ୟସ୍ଥିରେ ହୋଇଥିବା ବୁଝାମଣା ଜରିଆରେ ଶନିବାର ଇଜିପ୍ଟର ରେଡ୍‌ କ୍ରସେଣ୍ଟରୁ ପାଲେଷ୍ଟାଇନ୍ ରେଡ୍ କ୍ରସେଣ୍ଟ ସଙ୍ଗଠନ ଯାଏଁ ସହାୟତା ପହଞ୍ଚାଇବା ପାଇଁ କେବଳ ୨୦ଟି ଟ୍ରକ୍‌କୁ ରାଫା ବର୍ଡର ପାର୍‌ କରିବାକୁ ଅନୁମତି ଦିଆଯାଇଥିଲା। ସେପଟେ ପାଲେଷ୍ଟାଇନ ରେଡ କ୍ରେସେଣ୍ଟ ସୋସାଇଟି କହିଛି ଯେ ଗାଜାରେ ଶନିବାରର ମାନବିକ ସହାୟତା ବିତରଣ ଏକ ଆଶାର ସ୍ୱାଗତଯୋଗ୍ୟ ଝଲକ। ଏହି ମାମୁଲି ସହାୟତା କେବଳ ସମୁଦ୍ରକୁ ଶଙ୍ଖେ।

ଇସ୍ରାଏଲର ଆକ୍ରମଣରେ ଗାଜା ଷ୍ଟ୍ରିପରେ ୪ ହଜାର ୪୪୬ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ପାଲେଷ୍ଟାଇନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେହିପରି ହମାସ ଆକ୍ରମଣରେ ଇସ୍ରାଏଲର ୧୪ ଶହ ଲୋକଙ୍କ ମୃତ୍ୟୁ ହୋଇଛି। ଇସ୍ରାଏଲ ଏବେ ଉତର ସହ ଦକ୍ଷିଣ ଗାଜାରେ ମଧ୍ୟ ମିସାଇଲ ମାଡ କରୁଛି। ଶନିବାର ଦକ୍ଷିଣ ଗାଜାରେ ହୋଇଥିବା ଆକ୍ରମଣରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ପାଲେଷ୍ଟାଇନ ଗଣମାଧ୍ୟମ ରିପୋର୍ଟ କରିଛି।

India Israel-Palestine Conflict