Advertisment

ଚଳିତ ବର୍ଷ କେମିତି ରହିବ ମୌସୁମୀ?

ଚଳିତ ବର୍ଷ ମୌସୁମୀ କେବେ ଭାରତରେ ପ୍ରବେଶ କରିବ, ସେକଥା ଆଇଏମଡି କହି ନାହିଁ। କିନ୍ତୁ ଚଳିତ ବର୍ଷ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ ବୋଲି ଆକଳନ କରିଛି।

author-image
Hemant Lenka
Monsoon

Monsoon

ଭାରତ ଗୋଟିଏ କୃଷି ପ୍ରଧାନ ଦେଶ। ଦେଶର ଚାଷ ସବୁବେଳେ ମୌସୁମୀ ବର୍ଷା ଉପରେ ନିର୍ଭର କରେ। ଚାଷୀ କୁଳ ସବୁବେଳେ ମୌସୁମୀ ଉପରେ ନିର୍ଭର କରି ରୁହନ୍ତି। ତେଣୁ ଦେଶରେ ମୌସୁମୀ କେମିତି ରହିବ, ସେକଥା ଜାଣିବା ପାଇଁ ସମସ୍ତେ ଅପେକ୍ଷା କରି ରହିଥାଆନ୍ତି। ଏହିକ୍ରମରେ ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ପ୍ରଭାବ ଦେଶରେ କେମିତି ରହିବ, ତା’ର ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ।

Advertisment

୨୦୨୫ ବର୍ଷରେ ମୌସୁମୀ ସ୍ୱାଭାବିକ ଠାରୁ ଅଧିକ ବର୍ଷିବ। ଚଳିତ ବର୍ଷ ସମଗ୍ର ଦେଶରେ ଦୀର୍ଘ ଅବଧିରେ ହାରହାରି ୧୦୫% ବା ୮୭ ସେମି ଯାଏ ବର୍ଷା ହେବ। ଏହି ଆକଳନ ୫% ଅଧିକ କିମ୍ବା ୫% କମ ହୋଇପାରେ ବୋଲି ଆଇଏମଡି କହିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ପାରମ୍ପରିକ ଭାବେ କେରଳ ଦେଇ ଭାରତର ବିଭିନ୍ନ ସ୍ଥାନକୁ ପ୍ରବେଶ କରିଥାଏ। ଜୁନ ୧ରେ ଏହା କେରଳ ସ୍ପର୍ଶ କରିବା ସହ ସେପ୍ଟେମ୍ବର ଯାଏ ସମଗ୍ର ଦେଶରେ ନିଜର ଦବଦବା ଦେଖାଇଥାଏ।

ଚଳିତ ବର୍ଷ ମୌସୁମୀ କେବେ ଭାରତରେ ପ୍ରବେଶ କରିବ, ସେକଥା ଆଇଏମଡି କହି ନାହିଁ। କିନ୍ତୁ ଚଳିତ ବର୍ଷ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ ବୋଲି ଆକଳନ କରିଛି। ଏପରି ଆକଳନ କୃଷି କ୍ଷେତ୍ରକୁ ଆଶ୍ୱସ୍ତି ଦେଇଛି।

Advertisment

ଆଇଏମଡିର କହିବା କଥା ଯେ ଚଳିତ ବର୍ଷ ଦେଶରେ ଭଲ ବର୍ଷା ହେବ। କିଛି ସ୍ଥାନକୁ ଛାଡ଼ି ଦେଲେ ବାକି ସବୁ ସ୍ଥାନରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଲଦାଖ, ଉତ୍ତରପୂର୍ବର କିଛି ଅଞ୍ଚଳ ଓ ତାମିଲନାଡୁରେ ସ୍ୱାଭାବିକ ଠାରୁ କମ ବର୍ଷା ହୋଇପାରେ। ୯୬%ରୁ ୧୦୪% ମଧ୍ୟରେ ହେଉଥିବା ବର୍ଷାକୁ ସ୍ୱାଭାବିକ ବର୍ଷା ଭାବେ ବିବେଚନା କରାଯାଏ। ଏହାଠାରୁ ଅଧିକ ହେଲେ ଏହାକୁ ସ୍ୱାଭାବିକ ଠାରୁ ଅଧିକ ବର୍ଷା ବୋଲି ଧରାଯାଏ।

ମୌସୁମୀ ପ୍ରବାହ ଉପରେ ଏଲ ନିନୋର ଭୂମିକା ଗୁରୁତ୍ୱ ବହନ କରେ। ବର୍ତ୍ତମାନ ଏଲ ନିନୋ ଓ ଇଣ୍ଡିଆନ ଓସେନ ଡିପୋଲ(ଆଇଡି) ନ୍ୟୁଟ୍ରାଲ ଫେଜରେ ରହିଛି। ଏଲ ନିନୋର ପ୍ରଭାବ ଅଧିକ ନଥିବାରୁ ଏଥର ଭଲ ମୌସୁମୀ ବର୍ଷା ହେବ। ଏହାବାଦ ଇରୋସିୟା ଓ ହିମାଳୟ ରିଜନରେ ଚଳିତ ବର୍ଷ ବରଫ ଆସ୍ତରଣ ହ୍ରାସ ପାଇଛି। ଏଠାରେ ବରଫ ଆସ୍ତରଣ କମ ଥିବାରୁ ଶକ୍ତିଶାଳୀ ମୌସୁମୀ ବର୍ଷାର ସମ୍ଭାବନା ଯଥେଷ୍ଟ ଅଧିକ।

ଦେଶର ଜିଡିପିରେ କୃଷି କ୍ଷେତ୍ରର ଅବଦାନ ୧୮%। ସେହିପରି ଦେଶର ୪୨% ଲୋକ କୃଷି ଉପରେ ନିର୍ଭର କରନ୍ତି। ତେଣୁ ମୌସୁମୀ ସ୍ୱାଭାବିକ ଠାରୁ ଅଧିକ ବର୍ଷିବା ଏକ ଭଲ ସଙ୍କେତ। ମୌସୁମୀ ଉପରେ ଦେଶର ୫୨% ଉତ୍ପାଦନ ନିର୍ଭର କରିଥାଏ। ସେହିପରି ପିଇବା ପାଣି ଯୋଗାଣ ଓ ବିଜୁଳି ଉତ୍ପାଦନରେ ମଧ୍ୟ ଭଲ ମୌସୁମୀ ସହାୟକ ହୋଇଥାଏ।

ଆଇଏମଡି ମୁଖ୍ୟ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, “ଜୁନରୁ ସେପ୍ଟେମ୍ବର ମଧ୍ୟରେ ଦେଶରେ ମୌସୁମୀ ସ୍ୱାଭାବିକ ଠାରୁ ଅଧିକ ରହିବ। ଦେଶରେ ୧୦୫% ବର୍ଷା ହୋଇପାରେ। ଚଳିତ ବର୍ଷ ଏଲ ନିନୋର ପ୍ରଭାବ ମଧ୍ୟ ମୌସୁମୀ ଉପରେ ପଡ଼ିବାର ନାହିଁ।”

Monsoon Monsoon Session Monsoon Forecast