Trump
ଆମେରିକା ଓ ଭାରତ ମଧ୍ୟରେ କୂଟନୀତିକ ସମ୍ପର୍କ ବିଗିଡ଼ିବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ଧମକ ପରେ ଭାରତ ସରକାର ଏହାର ଉପଯୁକ୍ତ ଜବାବ ଦେଇଥିଲେ। ରୁଷ ଠାରୁ ଭାରତ ତେଲ କିଣୁଥିବାରୁ ଟ୍ରମ୍ପ ବାରମ୍ବାର ନୂଆଦିଲ୍ଲୀକୁ ଧମକ ଦେଇ ଚାଲିଛନ୍ତି।
ସୋମବାର ରାତିରେ ଭାରତ ସରକାର ଆମେରିକା ଓ ୟୁରୋପୀୟ ୟୁନିୟନର ଦୋମୁହାଁ ନୀତିର ପର୍ଦ୍ଦାଫାସ କରିଥିଲେ। ଭାରତକୁ ରୁଷ ସହ ବ୍ୟବସାୟ କରିବାକୁ ବାରଣ କରୁଥିବା ଆମେରିକା ଓ ୟୁରୋପୀୟ ୟୁନିୟନ ଏବେ ବି ମସ୍କୋ ସହ ବାଣିଜ୍ୟ କାରବାର ଜାରି ରଖିଥିବା ନୂଆଦିଲ୍ଲୀ ପକ୍ଷରୁ କୁହାଯାଇଥିଲା।
ମଙ୍ଗଳବାର ଭାରତୀୟ ସେନା ୧୯୭୧ ମସିହାର ଗୋଟିଏ ପେପର କଟିଂକୁ ସୋଶାଲ ମିଡିଆରେ ପୋଷ୍ଟ କରି ଆମେରିକାକୁ କଟାକ୍ଷ କରିଛି। ଆମେରିକା ଦୀର୍ଘ ଦଶନ୍ଧି ଧରି କେମିତି ଭାରତ ବିରୋଧରେ ଯାଇ ପାକିସ୍ତାନକୁ ସମର୍ଥନ କରି ଆସୁଛି, ସେକଥା ଭାରତୀୟ ସେନା ନିଜର ପୋଷ୍ଟ ମାଧ୍ୟମରେ ପୂରା ବିଶ୍ୱକୁ ଜଣାଇଛି।
ସୋମବାର ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ରୁଷ ଠାରୁ ତେଲ କିଣୁଥିବା ଭାରତକୁ ଟାରିଫ ଧମକ ଦେଇଥିଲେ। ଭାରତୀୟ ଦ୍ରବ୍ୟ ଉପରେ ଆମେରିକା ଅଧିକ ପରିମାଣର ଟାରିଫ ଲଗାଇବ ବୋଲି ସେ କହିବାର ଦିନକ ପରେ ଭାରତୀୟ ସେନାର ପୋଷ୍ଟ ସାମ୍ନାକୁ ଆସିଛି।
ଭାରତୀୟ ସେନାର ଇଷ୍ଟର୍ଣ୍ଣ କମାଣ୍ଡ ପକ୍ଷରୁ ଶେୟାର କରାଯାଇଥିବା ପୋଷ୍ଟଟି ୧୯୭୧ ମସିହା ଅଗଷ୍ଟ ୫ ତାରିଖର। ଆମେରିକା କେମିତି ଦୀର୍ଘ ଦଶନ୍ଧି ଧରି ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଆସୁଛି, ସେକଥା ଏଥିରେ ଉଲ୍ଲେଖ ରହିଛି। ଏପରି ଯୋଗାଣ କରି ପାକିସ୍ତାନକୁ ୧୯୭୧ ମସିହା ଯୁଦ୍ଧ ପାଇଁ ଆମେରିକା ପ୍ରସ୍ତୁତ କରିଥିଲା ବୋଲି ଭାରତୀୟ ସେନା କହିଛି। ସେନା ଉକ୍ତ କ୍ଲିପ ସହ ଲେଖିଛି ଯେ “ଏହି ଦିନ, ସେହି ବର୍ଷ ଯୁଦ୍ଧ ପାଇଁ ପ୍ରସ୍ତୁତି କରିବା-ଅଗଷ୍ଟ ୫, ୧୯୭୧।”
ଖବରକାଗଜ କ୍ଲିପରେ ଉଲ୍ଲେଖ ରହିଛି ଯେ ବାଂଲାଦେଶରେ ଇସଲାମାବାଦର ସଶସ୍ତ୍ର କାର୍ଯ୍ୟାନୁଷ୍ଠାନ ସମୟରେ ନାଟୋ ରାଷ୍ଟ୍ର ଓ ସୋଭିଏତ ୟୁନିୟନକୁ ପାକିସ୍ତାନ କେମିତି ଅସ୍ତ୍ରଶସ୍ତ୍ର ପାଇବା ପାଇଁ ଯୋଗାଯୋଗ କରିଥିଲା, ସେକଥା ତତ୍କାଳୀନ ପ୍ରତିରକ୍ଷା ଉତ୍ପାଦନ ମନ୍ତ୍ରୀ ଭିସି ଶୁକ୍ଳା ରାଜ୍ୟସଭାକୁ ଅବଗତ କରାଇଥିଲେ। ସୋଭିଏତ ୟୁନିୟନ ଓ ଫ୍ରାନ୍ସ ସରକାରଙ୍କ ପକ୍ଷରୁ ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ଯୋଗାଣ ପାଇଁ ମନା କରି ଦିଆଯାଇଥିଲା। କିନ୍ତୁ ଆମେରିକା ସହାୟତାର ହାତ ବଢ଼ାଇଥିବା ଏଥିରେ ଉଲ୍ଲେଖ ରହିଛି।
ଏଥିରରେ ଆହୁରି କୁହାଯାଇଛି ଯେ ଆମେରିକା ଓ ଚାଇନା ବହୁତ କମ ଦାମରେ ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଇଥିଲେ। ଏହି ଦୁଇ ଦେଶ ପକ୍ଷରୁ ମିଳିଥିବା ଅସ୍ତ୍ରଶସ୍ତ୍ର ଦ୍ୱାରା ପାକିସ୍ତାନ ୧୯୭୧ରେ ଭାରତ ସହ ଯୁଦ୍ଧ କରିଥିଲା। ୧୯୫୪ରୁ ୧୯୭୧ ମଧ୍ୟରେ ଆମେରିକା ପକ୍ଷରୁ ପାକିସ୍ତାନକୁ ୨ ବିଲିୟନ ଡଲାର ମୂଲ୍ୟର ଯୁଦ୍ଧାସ୍ତ୍ର ଯୋଗାଇ ଦିଆଯାଇଥିବା ରିପୋର୍ଟ ପ୍ରକାଶ ପାଇଥିଲା।
ଆମେରିକା ଏବେ ବି ଭାରତ ବିରୋଧରେ ଯାଇ ପାକିସ୍ତାନକୁ ଟାରିଫରେ କୋହଳ ମନୋଭାବ ପୋଷଣ କରିଛି। ଆମେରିକା ବ୍ୟବସାୟକୁ ଫାଇଦା ଦେବା ପାଇଁ ଟ୍ରମ୍ପ ଅଗଷ୍ଟ ୧ରେ ଏକାଧିକ ରାଷ୍ଟ୍ର ଉପରେ ବର୍ଦ୍ଧିତ ଟାରିଫ ଲାଗୁ କରିଥିଲେ। କିନ୍ତୁ ପାକିସ୍ତାନ ଉପରେ ଲାଗୁ ହେଉଥିବା ଟାରିଫକୁ ୨୯%ରୁ ୧୯%କୁ ହ୍ରାସ କରି ଦେଇଥିଲେ।
ଭାରତ ଉପରେ ୨୫% ଟାରିଫ ଲାଗୁ କରିବା ସହ ରୁଷ ସହ ବ୍ୟବସାୟ କରୁଥିବାରୁ ଅତିରିକ୍ତ ଜୋରିମାନା ଲଗାଇବାକୁ ଟ୍ରମ୍ପ ପଛାଇ ନଥିଲେ। ଟ୍ରମ୍ପଙ୍କ ଟାରିଫ ଝଟକାରେ ଭାରତ କୌଣସି ପ୍ରତିକ୍ରିୟା ଦେଇ ନଥିଲା। ସୋମବାର ଟ୍ରମ୍ପ ପୁଣି ଟାରିଫ ବୃଦ୍ଧିର ଧମକ ଦେବାରୁ ପ୍ରଥମେ ସରକାର ଓ ଏବେ ଭାରତୀୟ ସେନା ଆମେରିକାକୁ ଆଇନ ଦେଖାଇଛନ୍ତି।
ଟ୍ରମ୍ପଙ୍କ ଧମକ, ଭାରତର ଜବାବ
ରୁଷ ଠାରୁ ଭାରତ ତେଳ କିଣୁଥିବାରୁ ଟ୍ରମ୍ପ ପାରସ୍ପରିକ ଟାରିଫ ବୃଦ୍ଧିର ଧମକ ଦେଇଥିଲେ। ଭାରତ ଉପରେ ୨୫% ଟାରିଫ ଲାଗୁ କରିଥିବା ଟ୍ରମ୍ପ ରୁଷ ସହ ବ୍ୟବସାୟ କଲେ ଆଗକୁ ଏହା ବୃଦ୍ଧି ପାଇବ ବୋଲି କହିଥିଲେ। ସେ କହିଥିଲେ, “ଭାରତ କେବଳ ରୁଷ ଠାରୁ ବିପୁଳ ପରିମାଣର ତେଲ କିଣୁ ନାହିଁ, ବରଂ ଏହାକୁ ଖୋଲା ବଜାରରେ ବିକ୍ରି ଲାଭ ପାଉଛନ୍ତି। ରୁଷର ଯୁଦ୍ଧାସ୍ତ୍ରରେ ୟୁକ୍ରେନରେ କେତେ ଲୋକ ମରୁଛନ୍ତି, ସେଥିପ୍ରତି ଭାରତର ନିଘା ନାହିଁ। ଏହି କାରଣ ପାଇଁ ଆମେରିକାକୁ ଭାରତ ଦେଉଥିବା ଟାରିଫକୁ ମୁଁ ବୃଦ୍ଧି କରିବି।”
ତେବେ ଟ୍ରମ୍ପଙ୍କ ଏପରି ଧମକର ଜବାବ ଭାରତ ପକ୍ଷରୁ ଦିଆଯାଇଛି। ୟୁକ୍ରେନ ସହ ଯୁଦ୍ଧ ଆରମ୍ଭ ପରେ ଆମେରିକା କେମିତି ରୁଷ ଠାରୁ ତୈଳ ଆମଦାନୀ ଆରମ୍ଭ କରିଥିଲା, ସେକଥା ଭାରତ ସରକାର ମନେ ପକାଇ ଦେଇଛନ୍ତି। ଆମେରିକା ଓ ୟୁରୋପୀୟ ସଂଘ ରୁଷ୍ ସହ ଜାରି ରଖିଥିବା ବାଣିଜ୍ୟିକ ସମ୍ପର୍କ କଥା ଭାରତ ପକ୍ଷରୁ ସମସ୍ତଙ୍କୁ ଅବଗତ କରାଯାଇଛି।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ୟୁରୋପ-ରୁଷିଆ ବାଣିଜ୍ୟ ସମ୍ପର୍କ କେବଳ ତୈଳ ଭଳି ଶକ୍ତିରେ ସୀମିତ ନୁହେଁ। ବରଂ ସାର, ଖଣି ଉତ୍ପାଦ, ରାସାୟନିକ ପଦାର୍ଥ, ଲୁହା, ଇସ୍ପାତ, ଯନ୍ତ୍ରପାତି ଓ ପରିବହନ ଉପକରଣ ମଧ୍ୟ ଅନ୍ତର୍ଭୁକ୍ତ। ଏପରି କି ପରମାଣୁ ଶିଳ୍ପ ପାଇଁ ୟୁରାନିୟମ ହେକ୍ସାଫ୍ଲୋରାଇଡ, EV ଶିଳ୍ପ ପାଇଁ ପାଲାଡିୟମ, ସାର ଓ ରାସାୟନିକ ପଦାର୍ଥ ମଧ୍ୟ ରୁଷରୁ ଆମଦାନୀ କରାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Trump_1754380692.jpg)