Advertisment

କାହିଁକି ସୀମାରେ ଅଟକିଲା ବ୍ୟାଣ୍ଡ, ବାଜା ଓ ବରାତ?

୪ ବର୍ଷ ହେଲା ଅନେକ ଥର ଦୁଇ ପରିବାର ସୀମା ପାର ବାହାଘର ପାଇଁ ଚେଷ୍ଟା କରିଥିଲେ ହେଁ ଭିସା ସବୁବେଳେ ବାଧା ସୃଷ୍ଟି କରୁଥିଲା।

Indian Groom

Indian Groom

Advertisment

ଦୀର୍ଘ ୪ ବର୍ଷ ତଳେ ରାଜସ୍ଥାନର ଶୈତାନ ସିଂହ ଓ ପାକିସ୍ତାନର ସିନ୍ଧ ପ୍ରଦେଶରେ ରହୁଥିବା କେସର କନୱରଙ୍କ ନିର୍ବନ୍ଧ ହୋଇଥିଲା। ୪ ବର୍ଷ ହେଲା ଅନେକ ଥର ଦୁଇ ପରିବାର ସୀମା ପାର ବାହାଘର ପାଇଁ ଚେଷ୍ଟା କରିଥିଲେ ହେଁ ଭିସା ସବୁବେଳେ ବାଧା ସୃଷ୍ଟି କରୁଥିଲା। ଏବେ ସବୁ କିଛି ଠିକ ଠାକ ହୋଇଥିଲେ ହେଁ ପୁଣିଥରେ ଦୁଇ ପରିବାରର ବାହାଘର ସ୍ୱପ୍ନ ଅଧାରେ ଅଟକି ଯାଇଛି।

Advertisment

ପହଲଗାମ ନରସଂହାର ଶୈତାନ ଓ କେସରଙ୍କ ବାହାଘରରେ ବାଧା ସୃଷ୍ଟି କରିଛି। ବାହାଘର ପାଇଁ ସବୁ ପ୍ରସ୍ତୁତି ସରିଥିବା ବେଳେ ଭାରତ ସରକାର ପହଲଗାମ ନରସଂହାର ପରେ ଅଟ୍ଟାରୀ ସୀମାକୁ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିଯୋଗୁ ବର ଘର ପକ୍ଷ ପାକିସ୍ତାନ ଯିବାକୁ ସକ୍ଷମ ହୋଇ ନାହାନ୍ତି। 

ଏପ୍ରିଲ ୩୦ରେ ପାକିସ୍ତାନର ଅମରକୋଟ ସହରରେ ଶୈତାନ ଓ କେସରଙ୍କ ବାହାଘର ହେବାର ଥିଲା। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଥିଲା। ଶୈତାନ ସିଂହ ମଧ୍ୟ ନିଜର ବାହାଘର ପୋଷାକ କିଣି ସାରିଥିଲେ। ମଙ୍ଗଳବାର ସେ ବରଯାତ୍ରୀ ଓ ବାଜା ସହ ପରିବାର ଲୋକଙ୍କୁ ଧରି ବାରମେର ଜିଲ୍ଲାରୁ ଅଟ୍ଟାରୀ ଅଭିମୁଖେ ବାହାରିଥିଲେ।

Advertisment

କିନ୍ତୁ ସେମାନେ ସେଠାରେ ପହଞ୍ଚିଲା ବେଳକୁ ସବୁ କିଛି ଶେଷ ହୋଇ ଯାଇଥିଲା। ବୁଧବାର ଭାରତ ସରକାର ତୁରନ୍ତ ଅଟ୍ଟାରୀ-ୱାଘା ସୀମାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇ ସାରିଥିଲେ। ତେଣୁ ଶୈତାନ କିମ୍ବା ତାଙ୍କ ବରଯାତ୍ରୀଙ୍କୁ ପ୍ରଶାସନ ସୀମା ପାର କରିବାକୁ ଅନୁମତି ଦେଇନାହିଁ।

ଶ୍ରୀ ସିଂହ କହିଛନ୍ତି, “ଆମେ ଏହି ଦିନ(ବାହାଘର)କୁ ଦୀର୍ଘ ସମୟ ହେଲା ଅପେକ୍ଷା କରିଥିଲୁ। ଦୀର୍ଘ ବର୍ଷର ଉଦ୍ୟମ ପରେ ଫେବୃଆରୀ ୧୮ରେ ମୋତେ, ବାପା ଓ ଭାଇଙ୍କୁ ପାକିସ୍ତାନ ଯିବାକୁ ଭିସା ମିଳିଥିଲା। ହେଲେ ଏବେ ସବୁ କିଛି ବଦଳି ଯାଇଛି। ଆମେ ସୀମା ପାର କରିପାରିନୁ।”

ବରଙ୍କ ସମ୍ପର୍କୀୟ ଭାଇ ସୁରେନ୍ଦ୍ର ସିଂହ କହିଛନ୍ତି, “ଏପରି ନିଷ୍ପତ୍ତି ଦୁଇ ପରିବାରକୁ ମର୍ମାହତ କରିଛି। ପାକିସ୍ତାନରେ ରହୁଥିବା ଆମ ସମ୍ପର୍କୀୟମାନେ ଏଠାକୁ ଆସିଥିଲେ। କିନ୍ତୁ ସେମାନଙ୍କୁ ଫେରିବାକୁ ପଡ଼ୁଛି। ଆମେ ବହୁତ ନିରାଶ। ଆତଙ୍କବାଦୀ ଆକ୍ରମଣ ଅନେକ କ୍ଷତି କରିଛି। ସମ୍ପର୍କ ବିଗିଡ଼ିଛି। ସୀମାରେ ଗତିବିଧି ବନ୍ଦ ହୋଇଯାଇଛି।”

ସୀମାରେ ତିକ୍ତତା ଲାଗି ରହିଥିବା ବେଳେ ବାରମେର ଜିଲ୍ଲାର ଇନ୍ଦୋରି ଗାଁର ଶୈତାନ ସିଂହଙ୍କ ଭିସା ଅବଧି ମେ ୧୨ ଯାଏ ରହିଛି। ତେଣୁ ବାହାଘରକୁ ନେଇ ଦୁଇ ପରିବାର ଲୋକଙ୍କ ଚିନ୍ତା ବଢ଼ି ଯାଇଛି। ଶୈତାନ ସିଂହ କହିଛନ୍ତି, “ଆତଙ୍କବାଦୀ ଯାହା ବି କରିଛନ୍ତି, ସେସବୁ ଭୁଲ। ବାହାଘରରେ ବାଧା ଦେଖାଯାଇଛି। କ’ଣ କରାଯିବ? ଏହା ସୀମାର କଥା।”

ସୀମା ପାର ବାହାଘର ପରିବାର ତରଫରୁ ସ୍ଥିର କରାଯାଇଥିଲା। ସୋଧା ରାଜପୁତ ପରିବାରର ଏହା ହେଉଛି ପରାମ୍ପରା। ପାକିସ୍ତାନର ସିନ୍ଧ ପ୍ରଦେଶରେ ଏହି ସଂପ୍ରଦାୟର ଲୋକ ଅଧିକ ରହିଛନ୍ତି। ଅନେକ ନିଜ ଜାତିରେ ବାହା ହେବାକୁ ପସନ୍ଦ କରନ୍ତି। ସେମାନେ ସର୍ବଦା ସୀମା ଡେଇଁ ନିଜ ପସନ୍ଦର ବର କିମ୍ବା କନ୍ୟା ପସନ୍ଦ କରିବାର ନଜିର ରହିଛି।

ଆର୍ଥିକ କାରବର କ୍ଷେତ୍ରରେ କାମ କରୁଥିବା ଶୈତାନ ସିଂହଙ୍କ ଅଧିକାଂଶ ସମ୍ପର୍କୀୟ ପାକିସ୍ତାନରେ ରୁହନ୍ତି। ଏବେ ପରିବାର ଲୋକ ସୀମାରେ ଶାନ୍ତି ପ୍ରତିଷ୍ଠା ଯାଏ ଅପେକ୍ଷା କରିଛନ୍ତି। ସ୍ଥିତିରେ ସୁଧାର ଆସିଲେ ବାହାଘର ହେବ ବୋଲି ସେମାନେ ଆଶା ରଖିଛନ୍ତି।

Pakistan Terror Attack Jammu Kashmir Pahalgam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe