ଅଜିତ ପାୱାର, ବିଜୟ ରୂପାଣୀ ଓ ସଞ୍ଜୟ ଗାନ୍ଧି (ଫାଇଲ ଫଟୋ)
ବିମାନ ଦୁର୍ଘଟଣାରେ ଭାରତୀୟ ରାଜନେତାଙ୍କ ଜୀବନ ଯିବା ଦେଶ ପାଇଁ ନୂଆ ନୁହେଁ। ଏପରି ଅନେକ ଦୁଃଖଦ ଘଟଣାକୁ ଦେଶବାସୀ ବାରମ୍ବାର ସମ୍ମୁଖୀନ ହୋଇ ଆସିଛନ୍ତି। ସଞ୍ଜୟ ଗାନ୍ଧିଙ୍କ ଠାରୁ ବିଜୟ ରୂପାନୀଙ୍କ ବିମାନ ଦୁର୍ଘଟଣା ଜନିତ ଦୁଃଖକୁ ଲୋକମାନେ ଭୁଲି ନଥିବା ବେଳେ ଏବେ ଆଉ ଏକ ବଡ଼ ଅଘଟଣକୁ ସମସ୍ତେ ସାମ୍ନା କରିଛନ୍ତି। ପୁଣେର ବାରାମତୀରେ ଚାର୍ଟର ବିମାନ କ୍ରାଶ ଯୋଗୁ ପ୍ରାଣ ହରାଇଛନ୍ତି ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର। ତାଙ୍କ ସହ ବିମାନରେ ଥିବା ଆଉ ୪ ଜଣଙ୍କ ମଧ୍ୟ ମୃତ୍ୟୁ ହୋଇଛି।
ମୁମ୍ବାଇରୁ ଉଡ଼ାଣ ଅରମ୍ଭ କରିଥିବା ଏହି ବିମାନ ୮.୪୫ରେ ବାରାମତୀ ଏୟାରପୋର୍ଟରେ ଲ୍ୟାଣ୍ଡ କରିବା ବେଳେ କ୍ରାଶ ହୋଇ ଜଳି ଯାଇଛି। ଅଜିତ ପାୱାର(Ajit pawar) ବାରାମତୀରେ ଆୟୋଜିତ ୪ଟି ସାଧାରଣ ସମ୍ବୋଧନ କରିବାକୁ ଆଜି ମୁମ୍ବାଇରୁ ବାହାରିଥିଲେ। କିନ୍ତୁ ସେ ବାରାମତୀରେ ସୁରକ୍ଷିତ ଭାବେ ପହଞ୍ଚି ପାରି ନାହାନ୍ତି। ଏବେ ଦେଶ ତଥା ମହାରାଷ୍ଟ୍ର ବିମାନ ଦୁର୍ଘଟଣାରେ ପୁଣି ଜଣେ ରାଜନେତାଙ୍କୁ ହରାଇଛି।
ଆକାଶପଥ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଭାରତୀୟ ରାଜନେତା
୧- ସଞ୍ଜୟ ଗାନ୍ଧି(୧୯୮୦): ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ପୁଅ ଓ ଏମର୍ଜେନ୍ସି ଯୁଗର ସବୁଠାରୁ ପ୍ରବାଶାଳୀ ଚେହେରା ଥିଲେ ସଞ୍ଜୟ ଗାନ୍ଧି। ୧୯୮୦ ମସିହା ଜୁନ ୨୩ରେ ଦିଲ୍ଲୀରେ ହୋଇଥିବା ବିମାନ କ୍ରାଶରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ସମୟରେ ସଞ୍ଜୟଙ୍କୁ ମାତ୍ର ୩୩ ବର୍ଷ ବୟସ ହୋଇଥିଲା। ୨ ସିଟର ବିମାନକୁ ନିଜେ ସଞ୍ଜୟ ଗାନ୍ଧି ଚଳାଉଥିବା ବେଳେ ସଫଦର୍ଜଙ୍ଗ ଏୟାରପୋର୍ଟ ନିକଟରେ ଏହା କ୍ରାଶ ହୋଇଯାଇଥିଲା।
୨- ମାଧବରାଓ ସିନ୍ଦିଆ(୨୦୦୧): ଭେଟରାନ କଂଗ୍ରେସ ନେତା ମାଧବରାଓ ସିନ୍ଦିଆ ଗ୍ୱାଲିୟର ରାଜ ପରିବାର ପ୍ରମୁଖ ସଦସ୍ୟ ଥିଲେ। ସେ ହେଉଛନ୍ତି ବର୍ତ୍ତମାନର କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଦିଆଙ୍କ ବାପା। ୨୦୦୧ ମସିହା ସେପ୍ଟେମ୍ବର ୩୦ ବିମାନ ଦୁର୍ଘଟଣାରେ ମାଧବରାଓ ସିନ୍ଦିଆ ପ୍ରାଣ ହରାଇଥିଲେ। ତାଙ୍କୁ ନେଇ ଯାଉଥିବା ଚାର୍ଟର ବିମାନ ଉତ୍ତର ପ୍ରଦେଶର ମୈନପୁରୀ ଜିଲ୍ଲା କ୍ରାଶ ହୋଇଥିଲା। ମାଧବରାଓ ଗୋଟିଏ ରାଜନୀତିକ ସଭାକୁ ସମ୍ବୋଧନ କରିବାକୁ ଯାଉଥିଲେ। ଦୁର୍ଘଟଣା ଯୋଗୁ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କ ଦେହାନ୍ତ ହୋଇଥିଲା।
୩-ବିଜୟ ରୂପାଣୀ(୨୦୨୫): ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ୨୦୨୫ରେ ହୋଇଥିବା ଭୟଙ୍କର ଏୟାର ଇଣ୍ଡିଆ ବୋଇଂ ୭୮୭-୮ ଡ୍ରିମଲାଇନର କ୍ରାଶରେ ଜୀବନ ହରାଇଥିଲେ। ବିମାନଟି ଅହମଦାବାଦରୁ ଉଡ଼ାଣ ଭରିଥିଲେ ହେଁ ଏୟାରପୋର୍ଟ ନିକଟରେ ହିଁ କ୍ରାଶ ହୋଇ ଜଳି ଯାଇଥିଲା। ଏଥିରେ ଜଣଙ୍କୁ ଛାଡ଼ି ବାକି ସମସ୍ତ ୨୪୧ ଜଣଙ୍କ ମୃତ୍ୟୁ ହୋଇଥିଲା।
୪- ଜିଏମସି ବାଲଯୋଗୀ(୨୦୦୨): ଲୋକସଭାର ତତ୍କାଳୀନ ବାଚସ୍ପତି ତଥା ଟିଡିପିର ବରିଷ୍ଠ ନେତା ଗଣ୍ଟି ମୋହନ ଚନ୍ଦ୍ର ବାଲଯୋଗୀ ୨୦୦୨ ମସିହା ମାର୍ଚ୍ଚ ୩ ତାରିଖ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଆନ୍ଧ୍ର ପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାରେ ବାଲଯୋଗୀଙ୍କୁ ନେଇ ଯାଉଥିବା ହେଲିକପ୍ଟର ମଝି ଆକାଶରେ ବୈଷୟିକ ତ୍ରୁଟିର ସମ୍ମୁଖୀନ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
୫- ଦୋର୍ଜୀ ଖାଣ୍ଡୁ(୨୦୧୧): ଅରୁଣାଚଳ ପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଦୋର୍ଜୀ ଖାଣ୍ଡୁ ପବବ ହଂସ ହେଲିକପ୍ଟରରେ ଯାତ୍ରା କରୁଥିବା ବେଳେ ୨୦୧୧ ମସିହା ଏପ୍ରିଲ ୩୦ରେ ଏହା ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଭାରତ-ଚାଇନା ସୀମାରେ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଥିବାରୁ ୫ ଦିନ ପରେ ଏହାକୁ ଠାବ କରାଯିବା ସହ ମୃତଦେହକୁ ଜବତ କରାଯାଇଥିଲା।
୬- ୱାଇଏସ୍ ରାଜଶେଖର ରେଡ୍ଡୀ(୨୦୦୯): ଆନ୍ଧ୍ର ପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ୱାଇଏସ୍ ରାଜଶେଖର ରେଡ୍ଡୀ ଓରଫ ୱାଇଏସ୍ଆର ୨୦୦୯ ସେପ୍ଟେମ୍ବର ୨ରେ ହେଲିକପ୍ଟର କ୍ରାଶରେ ପ୍ରାଣ ହରାଇଥିଲେ। ନାଲ୍ଲାମାଲା ପାହାଡ଼ ଉପରେ ହେଲିକପ୍ଟର କ୍ରାଶ ହେବାରୁ ଦିନକ ପରେ ଧ୍ୱଂସାବଶେଷ ସହ ମୃତଦେହକୁ ଉଦ୍ଧାର କରାଯାଇଥିଲା।
୭- ଓପି ଜିନ୍ଦଲ ଓ ସୁରେନ୍ଦ୍ର ସିଂହ(୨୦୦୫): ଶିଳ୍ପପତି ତଥା ହରିୟାଣା ଶକ୍ତି ମନ୍ତ୍ରୀ ଓପି ଜିନ୍ଦଲ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁରେନ୍ଦ୍ର ସିଂହ ୨୦୦୫ ମାର୍ଚ୍ଚ ୩୧ରେ ଉତ୍ତର ପ୍ରଦେଶର ସାହାରନପୁରରେ ହୋଇଥିବା ହେଲିକପ୍ଟର କ୍ରାଶରେ ପ୍ରାଣ ହରାଇଥିଲେ।
୮- ଗୁରନାମ ସିଂହ(୧୯୭୩): ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁରନାମ ସିଂହ ୧୯୭୩ ମସିହା ମେ’ ୩୧ରେ ଦିଲ୍ଲୀରେ ହୋଇଥିବା ବିମାନ ଦୁର୍ଘଟଣାରେ ଆଖି ବୁଜିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/28/ajit1-2026-01-28-12-44-25.jpg)