Advertisment

ୱାଶିଂମେସିନ ପାଇଁ ଯୁକ୍ତିତର୍କ: ସ୍ତ୍ରୀ ସାମ୍ନାରେ ସ୍ୱାମୀଙ୍କ ମୁଣ୍ଡରୁ ଗଣ୍ଡିକୁ ଅଲଗା କରିଦେଲା, ପୁଅ ସ୍ତବ୍ଧ

ସାମାନ୍ୟ ଯୁକ୍ତିତର୍କରୁ ୫୦ ବର୍ଷୀୟ ବ୍ୟକ୍ତିଙ୍କ ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ଦିଅଯାଇଛି। ଆମେରିକାର ଡାଲାସ ସ୍ଥିତ ଗୋଟିଏ ମୋଟେଲରେ ଏପରି ଘଟଣା ଘଟିଛି।

author-image
Hemant Lenka
USA

USA

ସ୍ତ୍ରୀ ଓ ପୁଅ ସାମ୍ନାରେ ଜଣେ ୫୦ ବର୍ଷୀୟ ଭାରତୀୟଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ଆମେରିକାରେ ହତ୍ୟା କରାଯାଇଛି। ସାମାନ୍ୟ ଯୁକ୍ତିତର୍କରୁ ୫୦ ବର୍ଷୀୟ ବ୍ୟକ୍ତିଙ୍କ ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ଦିଅଯାଇଛି। ଆମେରିକାର ଡାଲାସ ସ୍ଥିତ ଗୋଟିଏ ମୋଟେଲରେ ଏପରି ଘଟଣା ଘଟିଛି। ସାମାନ୍ୟ ୱାଶିଂମେସିନ ପାଇଁ ଆରମ୍ଭ ହୋଇଥିବା ଯୁକ୍ତିତର୍କ ଶେଷରେ ଏତେ ବଡ଼ ହିଂସାକାଣ୍ଡର ରୂପ ନେଇଛି।

Advertisment

ସାମ୍ନାକୁ ଛାତି ଥରାଇ ଦେବା ଭଳି ଭିଡିଓ ମଧ୍ୟ ଆସିଛି। ଯେଉଁଥିରେ ୫୦ ବର୍ଷୀୟ ବ୍ୟକ୍ତି ଜଣଙ୍କ ଜୀବନ ବଞ୍ଚାଇବାକୁ ଚିତ୍କାର କରି ଦୌଡ଼ୁ ଥିବା ବେଳେ ତାଙ୍କୁ ଜଣେ ଗୋରା ଲୋକ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରୁଛି। ଗୋରା ଲୋକଟି ଗୋଟିଏ ଧାରୁଆ ଅସ୍ତ୍ରରେ ଭାରତୀୟ ବ୍ୟକ୍ତିଙ୍କ ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ଭୟଙ୍କର ଢଙ୍ଗରେ ତାଙ୍କୁ ହତ୍ୟା କରିଛି।

ଏହି ଘଟଣାରେ ପୁଲିସ୍‌ ୩୭ ବର୍ଷୀୟ ୟୋରଡାନିସ କୋବୋସ- ମାର୍ଟିନେଜକୁ ଗିରଫ କରିଛି। ହୋମଲ୍ୟାଣ୍ଡ ସିକ୍ୟୁରିଟୀ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ମାର୍ଟିନେଜ ଜଣେ କ୍ୟୁବା ନାଗରିକ। ଏହି ଭୟଙ୍କର ହତ୍ୟାକାଣ୍ଡ ବୁଧବାର ସକାଳେ ଘଟିଛି।

Advertisment

ଡାଲାସର ଡାଉନଟାଉନ ସୁଟ୍ସ ମୋଟେଲରେ ୫୦ ବର୍ଷୀୟ ଭାରତୀୟ ଚନ୍ଦ୍ର ନାଗାମାଲ୍ଲଇ ଓ ମାର୍ଟିନେଜ କାମ କରୁଥିଲେ। ମାର୍ଟିନେଜ ଓ ମୋଟେଲର ଜଣେ ମହିଳା କର୍ମଚାରୀ ଗୋଟିଏ ରୁମ ସଫା କରୁଥିବା ବେଳେ ଚନ୍ଦ୍ର ସେମାନଙ୍କ ପାଖରେ ପହଞ୍ଚିଥିଲେ। ଉଭୟଙ୍କୁ ସେ ଭାଙ୍ଗି ଯାଇଥିବା ୱାଶିଂମେସିନ ବ୍ୟବହାର ନ କରିବାକୁ କହିଥିଲେ।

ଚନ୍ଦ୍ର ଯେଉଁ କଥା କହିଲେ ସେକଥା ଅନୁବାଦ କରି ମାର୍ଟିନେଜକୁ କହିବାକୁ ମହିଳା କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଚନ୍ଦ୍ର ସିଧାସଳଖ କାହିଁକି ମାର୍ଟିନଜକୁ ଏକଥା କହିଲେ ନାହିଁ, ତା’କୁ ନେଇ ବିବାଦ ହୋଇଥିଲା। ଏହାକୁ ନେଇ ମାର୍ଟିନେଜ ଓ ଚନ୍ଦ୍ରଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି ଯୁକ୍ତି ତର୍କ ବେଳେ ରାଗରେ ରୁମରୁ ବାହାରି ଯାଇଥିଲା ମାର୍ଟିନେଜ।

ସେ ବାହାରେ ରହିଥିବା ଗୋଟିଏ କାତି ଆଣି ସିଧା ଚନ୍ଦ୍ରଙ୍କ ଉପରେ ଆକ୍ରମଣ କରିଥିଲା। ଆକ୍ରମଣରୁ ବର୍ତ୍ତିବା ପାଇଁ ଚନ୍ଦ୍ର ମୋଟେଲର କାର୍‌ ପାର୍କିଂ ଅଞ୍ଚଳକୁ ଚିତ୍କାର କରି ଦୌଡ଼ିଥିଲେ। କିନ୍ତୁ ମାର୍ଟିନେଜ ତାଙ୍କ ପିଛା କରିଥିଲା ଓ ତାଙ୍କୁ କାତିରେ ବାରମ୍ବାର ଆକ୍ରମଣ କରିଥିଲା।

ଶେଷରେ ଚନ୍ଦ୍ରଙ୍କ ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ଦେଇଥିଲା। କଟା ମୁଣ୍ଡ ଓ ରକ୍ତ ଭିଜା କାତି ସହ ମୋଟେଲ ସାମ୍ନାକୁ ଆସିବା ବେଳେ ପୁଲିସ୍‌ ତା’କୁ ଗିରଫ କରିଛି। ଘଟଣା ବେଳେ ମୋଟେଲର ସାମ୍ନା ପଟ ଅଫିସରେ ଚନ୍ଦ୍ରଙ୍କ ପତ୍ନୀ ଓ ପୁଅ ରହିଥିଲେ। ସେମାନେ ଚିତ୍କାର କରି ତାଙ୍କୁ ରକ୍ଷା କରିବାକୁ ଦୌଡ଼ି ଥିଲେ। ହେଲେ ମାର୍ଟିନେଜ ସେମାନଙ୍କୁ ଧକ୍କା ମାରି ତଳେ ପକାଇ ଦେଇଥିଲା। ସେମାନଙ୍କ ସାମ୍ନାରେ ଚନ୍ଦ୍ରଙ୍କ ମୁଣ୍ଡରୁ ଗଣ୍ଡି ଅଲଗା ହେବା ଯାଏ ହାଣି ଚାଲିଥିଲା। ଗିରଫ ପରେ ମାର୍ଟିନେଜ ନିଜର ଅପରାଧକୁ ସ୍ୱୀକାର କରିଛି। ହେଲେ ଏହା ଯୋଜନାବଦ୍ଧ ନା ଅତର୍କିତ, ସେନେଇ ପୁଲିସ୍‌ ତଦନ୍ତ କରୁଛି।

USA Beheading Husband