ଜୀବନକୁ ବାଜି ଲଗାଇ ପାହାଡ଼ ଚଢ଼ିଲେ। ରାତିର ଅନ୍ଧାକାରରେ ଚାଲିଲେ। ଜଙ୍ଗଲିଆ ରାସ୍ତା ଅତିକ୍ରମ କଲେ। ପାଦରେ ଶହଶହ କିମି ରାସ୍ତା ଚାଲିଲେ। ଏତେ କଷ୍ଟ ସହିବାର ମୁଖ୍ୟ କାରଣ ହେଲା ନିଜର ଆମେରିକା ସ୍ୱପ୍ନକୁ ପୂରଣ କରିବେ। ଯେତେ କଷ୍ଟ ହେଲେ ମଧ୍ୟ ଆମେରିକାରେ ପ୍ରବେଶ କରିବା ହିଁ ଏକମାତ୍ର ଲକ୍ଷ୍ୟ ରହିଥିଲା। ବେଶ କିଛି ମାସ ଧରି ସେମାନେ ଏକାଧିକ ମହାଦ୍ୱୀପରେ ବୁଲିଲେ। କିନ୍ତୁ ଏତେ ସବୁ ପରେ ମଧ୍ୟ ସେମାନଙ୍କୁ ସ୍ୱାଧୀନତା ମିଳିଲା ନାହିଁ।
ଆମେରିକା ବଦଳରେ ସେମାନଙ୍କୁ ମିଳିଲା ଅକଥନୀୟ ନିର୍ଯାତନା। ଆମେରିକାରେ ପ୍ରବେଶ କରିବା ବେଳେ ସେମାନଙ୍କୁ ଧରିଲା ଆମେରିକା ବର୍ଡର ପ୍ୟାଟ୍ରୋଲ। ଶେଷରେ ସେମାନଙ୍କୁ ଆମେରିକାରୁ ବିଦା ହେବାକୁ ପଡ଼ିଲା। ବୁଧବାର ଭାରତର ଅମୃତସରକୁ ଆମେରିକାରୁ ପ୍ରତ୍ୟର୍ପିତ ହୋଇଥିବା ୧୦୪ ଭାରତୀୟଙ୍କ ଆମେରିକା ସ୍ୱପ୍ନ କେମିତି ଭାଙ୍ଗି ଚୂରମାର ହୋଇଛି, ତା’ର ତଥ୍ୟ ସାମ୍ନାକୁ ଆସିଛି। ସେମାନଙ୍କ ସ୍ୱପ୍ନ ଆମେରିକୀୟ ଦୁଃସ୍ୱପ୍ନରେ ପରିଣତ ହୋଇଯାଇଛି।
ଆମେରିକାର ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରେ ପ୍ରଥମଥର ପାଇଁ ୧୦୪ ଜଣ ଭାରତୀୟଙ୍କୁ ସେଠାରୁ ବିଦା କରିଛନ୍ତି। ଆମେରିକାର ଗୋଟିଏ ସାମରିକ ବିମାନ ସେମାନଙ୍କୁ ଆଣି ଅମୃତସରରେ ଛାଡ଼ିଛି। ବେଆଇନ ଭାବେ ଆମେରିକାରେ ପ୍ରବେଶ କରିବାକୁ ଏମାନେ ଉଦ୍ୟମ କରି ଧରାପଡ଼ିଥିଲେ। ଏବେ ସେମାନଙ୍କୁ ପଶୁଙ୍କ ଭଳି ବ୍ୟବହାର କରି ଭାରତକୁ ପ୍ରତ୍ୟର୍ପଣ କରିଦିଆଯାଇଛି।
କେମିତି ଅଣାଗଲା
ସମସ୍ତ ୧୦୪ ଭାରତୀୟଙ୍କୁ ବିମାନରେ ଏକାଠି ଭର୍ତ୍ତି କରାଯାଇଥିଲା। ସେମାନଙ୍କ ହାତରେ ହ୍ୟାଣ୍ଡକଫ ପଡ଼ିଥିଲା ଓ ଗୋଡ଼ରେ ଜଞ୍ଜିର ବନ୍ଧା ହୋଇଥିଲା। ବିମାନ ଯାତ୍ରା ବେଳେ ସେମାନଙ୍କୁ କୌଣସି ପ୍ରକାରର ସୁବିଧାସୁଯୋଗ ମିଳି ନଥିଲା। ସେମାନେ ଗୋଟିଏ ସିଟରେ ହିଁ ବସି ରହିଥିଲେ। ଭାରତରେ ପହଞ୍ଚିବା ପରେ ସେମାନଙ୍କ ହାତରୁ ହ୍ୟାଣ୍ଡକଫ ଓ ଗୋଡ଼ରୁ ଜଞ୍ଜିର ଖୋଲା ଯାଇଥିଲା।
ଏହି ପ୍ରବାସୀମାନେ ଭାରତର ବିଭିନ୍ନ ରାଜ୍ୟରୁ ଆମେରିକା ସ୍ୱପ୍ନ ନେଇ ବେଆଇନ ଭାବେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ସେମାନଙ୍କୁ ଧରି ଆମାରିକା ପ୍ରଶାସନ ଭାରତ ପଠାଇ ଦେଇଛି। ଏହି ୧୦୪ ପ୍ରତ୍ୟର୍ପିତ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ଗୁଜରାଟ ଓ ହରିୟାଣାରୁ ସର୍ବାଧିକ ୩୩ ଜଣ, ପଞ୍ଜାବରୁ ୩୦ ଜଣ, ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶରୁ ୩ ଜଣ ଲେଖାଏ ଏବଂ ଚଣ୍ଡିଗଡ଼ରୁ ୨ ଜଣ ରହିଛନ୍ତି। ସେହିପରି ୧୯ ଜଣ ମହିଳା ଓ ୧୩ ଜଣ ଛୋଟ ପିଲାଙ୍କୁ ମଧ୍ୟ ଆମେରିକା ପ୍ରଶାସନ ଅତ୍ୟନ୍ତ ଅମାନବୀୟ ଢଙ୍ଗରେ ଭାରତକୁ ବିଦା କରିଛି।
ଧୋକା ଓ କଷ୍ଟ
ଏହି ୧୦୪ ପ୍ରବାସୀଙ୍କ ମଧ୍ୟରୁ ଅନେକ ଆମେରିକାରେ ପ୍ରବେଶ କରିବା ଲକ୍ଷ୍ୟରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିଲେ। ଅନେକ ଋଣ କରି ନିଜର ଆମେରିକା ସ୍ୱପ୍ନ ସାକାର କରିବାକୁ ଚାହୁଁଥିଲେ। କିନ୍ତୁ ଟଙ୍କା ଖର୍ଚ୍ଚ କରି ସେମାନଙ୍କୁ କେବଳ ଧୋକା ମିଳିଛି। ଆମେରିକା ବଦଳରେ ସେମାନଙ୍କୁ ଏକାଧିକ ଦେଶରେ ମାସାଧିକ ସମୟ କାଟିବାକୁ ପଡ଼ିଛି। ମାନବ ଚାଲାଣକାରୀ ପ୍ରସ୍ତୁତ କରିଥିବା କଠିନ ରାସ୍ତାରେ ବି ସେମାନେ ଚାଲିଛନ୍ତି।
USBP and partners successfully returned illegal aliens to India, marking the farthest deportation flight yet using military transport. This mission underscores our commitment to enforcing immigration laws and ensuring swift removals.
— Chief Michael W. Banks (@USBPChief) February 5, 2025
If you cross illegally, you will be removed. pic.twitter.com/WW4OWYzWOf
ପ୍ରତ୍ୟର୍ପିତଙ୍କ ମଧ୍ୟରେ ଥିବା ପଞ୍ଜାବର ୩୬ ବର୍ଷୀୟ ଯଶପାଲ ସିଂହ କହିଛନ୍ତି, ଆଇନଗତ ଉପାୟରେ ଆମେରିକାରେ ପ୍ରବେଶ କରିବାର ପ୍ରତିଶ୍ରୁତି ମିଳିବାରୁ ସେ ଜଣେ ଏଜେଣ୍ଟଙ୍କୁ ୩୦ ଲକ୍ଷ ଟଙ୍କା ଦେଇଥିଲେ। ପ୍ରଥମେ ତାଙ୍କୁ ବ୍ରାଜିଲ ନିଆଯାଇଥିଲା। ସେଠାରୁ ଆମେରିକା ବିମାନରେ ଯିବ ବୋଲି କୁହାଯାଇଥିଲା। ହେଲେ ତାଙ୍କୁ ବଳପୂର୍ବକ ବିପଦଜନକ ଡଙ୍କି ରାସ୍ତାରେ ଯିବାକୁ ବାଧ୍ୟ କରାଯାଇଥିଲା। ମାନବ ଚାଲାଣକାରୀମାନେ ଏହି ବିପଦଜନକ ରାସ୍ତାକୁ ସବୁବେଳେ ବ୍ୟବହାର କରି ବିଭିନ୍ନ ଲୋକଙ୍କୁ ଆମେରିକା ପଠାଇ ଥାଆନ୍ତି।
ଶ୍ରୀ ସିଂହ ବ୍ରାଜିଲରେ ୬ ମାସ ରହିବା ପରେ ଆମେରିକାରେ ପ୍ରବେଶ ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ତାଙ୍କୁ ଜାନୁଆରୀ ୨୪ରେ ଆମେରିକା ବର୍ଡର ପ୍ୟାଟ୍ରୋଲ ଧରିଥିଲା। ତାଙ୍କୁ ଅଟକ କେନ୍ଦ୍ରରେ ୧୧ ଦିନ ରହିବାକୁ ପଡ଼ିଥିଲା। ସେ କହିଛନ୍ତି, “ଆମକୁ କେଉଁ ଆଡ଼େ ନିଆଯାଉଥିଲା, ସେକଥା ଆମେ ଜାଣି ନଥିଲୁ। ଆମେ ଭାବିଥିଲୁ ଯେ ଆମକୁ ଆଉ ଗୋଟିଏ ଅଟକ କେନ୍ଦ୍ରକୁ ନିଆଯାଉଛି। କିନ୍ତୁ ଅଧା ରାସ୍ତାରେ ସେମାନେ ଆମକୁ କହିଥିଲେ ଯେ ଆମେ ଭାରତ ଫେରୁଛୁ। ଆମ ହାତରେ ହ୍ୟାଣ୍ଡକଫ ରହିଥିଲା ଓ ଗୋଡ଼ରେ ଚେନ ବନ୍ଧା ହୋଇଥିଲା। ଅମୃତସର ପହଞ୍ଚିବା ପରେ ଆମକୁ ମୁକ୍ତ କରାଯାଇଛି।”
ପଞ୍ଜାବର ହୋଶିଆରପୁର ହରବିନ୍ଦର ସିଂହ ଆମେରିକାରେ ପ୍ରବେଶ ପାଇଁ ଜଣେ ଏଜେଣ୍ଟଙ୍କୁ ୪୨ ଲକ୍ଷ ଟଙ୍କା ଦେଇଥିବା କହିଛନ୍ତି। ଆମେରିକା ଯିବା ପୂର୍ବରୁ ତାଙ୍କୁ ଏଜେଣ୍ଟ ଜଣଙ୍କ କତାର, ବ୍ରାଜିଲ, ପେରୁ, କଲୋମ୍ବିଆ, ପାନାମା, ନିକାରଗୁଆ ଓ ମେକ୍ସି ଭଳି ଦେଶକୁ ନେଇଥିଲା। ସେ କହିଛନ୍ତି, “ଆମକୁ ଶହଶହ କିମି ପାଦରେ ଚାଲିବାକୁ ପଡ଼ିଛି। ଆମେ ପାହାଡ଼ ଅତିକ୍ରମ କରିଛୁ। ଗୋଟିଏ ସମୟରେ ଆମେ ସମୁଦ୍ରରେ ବୁଡ଼ି ଯିବା ସ୍ଥିତିରେ ପହଞ୍ଚି ଯାଇଥିଲୁ। ଆମ ସହ ଥିବା ଜଣେ ବ୍ୟକ୍ତି ପାନାମା ଜଙ୍ଗଲରେ ପ୍ରାଣ ହରାଇଥିବା ବେଳେ ଆଉ ଜଣେ ସମୁଦ୍ରରେ ବୁଡ଼ି ଯାଇଥିଲେ।”
ପ୍ରବାସୀ ଭାରତୀୟମାନଙ୍କୁ ଆମେରିକାରେ ପ୍ରବେଶ ପାଇଁ ୧୭ରୁ ୧୮ଟି ପାହାଡ଼ ଅତିକ୍ରମ କରିବାକୁ ପଡ଼ିଥିଲା। ଯଦି କାହାର ଗୋଡ଼ ସେଠାରେ ଖସିବ, ତା’ହେଲେ ବଞ୍ଚିବାର କୌଣସି ଆଶା ନଥିଲା। ଯଦି କେହି ଆହତ ହେଉଥିଲେ, ତାଙ୍କୁ ସେଇଠାରେ ମରିବା ପାଇଁ ଛାଡ଼ି ଦିଆଯାଉଥିଲା। ଆମେ ରାସ୍ତାରେ ଏକାଧିକ ଶବ ପଡ଼ିଥିବାର ଦେଖିବାକୁ ପାଇଥିବା ଆଉ ଜଣେ ପ୍ରବାସୀ କହିଛନ୍ତି।
ଏହି ସବୁ ପ୍ରବାସୀଙ୍କ ମୁଣ୍ଡରେ ଆର୍ଥିକ ବୋଝ ରହିଛି। ଅନେକ ପରିବାର ପୁଳାପୁଳା ଟଙ୍କା ଋଣ କରିଛନ୍ତି। କିଛି ଲୋକ ସେମାନଙ୍କ ଘର ବନ୍ଧା ରଖିଛନ୍ତି କିମ୍ବା ସମ୍ପର୍କୀୟଙ୍କ ଠାରୁ ଧାରା ଆଣିଛନ୍ତି। ସମସ୍ତଙ୍କର ଆଶା ଥିଲା ଯେ ସେମାନଙ୍କ ପ୍ରିୟଜନ କେମିତି ଆମେରିକା ଯାଇ ଭଲ ରୋଜଗାର କରିବେ। କିନ୍ତୁ ଏବେ ସେମାନେ ଧୋକା ଓ କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି।
ସରକାରଙ୍କ ପଦକ୍ଷେପ
ଅମୃତସରରେ ୧୦୪ ପ୍ରବାସୀ ଭାରତୀୟ ପହଞ୍ଚିବା ପରେ ସେମାନଙ୍କୁ ଏକାଧିକ ସୁରକ୍ଷା ଏଜେନ୍ସି ପ୍ରଶ୍ନ କରିଥିଲେ। ପଞ୍ଜାବ ପୁଲିସ୍ ଓ କେନ୍ଦ୍ରୀୟ ଗୁଇନ୍ଦା ଅଧିକାରୀମାନେ ସେମାନଙ୍କ ଅପରାଧିକ ରେକର୍ଡ ଯାଞ୍ଚ କରିଥିଲେ। କିଛି ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୱାଶିଂଟନ ଗସ୍ତ କରିବେ। ସେଠାରେ ସେ ଡୋନାଲ୍ଡ ଟ୍ରମ୍ପଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ। ଏହାପୂର୍ବରୁ ଏପରି ପ୍ରବାସୀଙ୍କ ପ୍ରତ୍ୟର୍ପଣ ଆମେରିକା କରିଛି। ତେଣୁ ଏହି ପ୍ରସଙ୍ଗ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ପାଲଟିବାର ସମ୍ଭାବନା ରହିଛି।
ସଂସଦର ଉଭୟ ଗୃହରେ ବିରୋଧୀ ଆମେରିକାର ଅମାନବୀୟ କାଣ୍ଡ ପ୍ରସଙ୍ଗ ଉଠାଇଛନ୍ତି। ସେହିପରି ବିବାଦ ବଢ଼ୁଥିବାରୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।