Advertisment

ଭାରତ ଆସିପାରିବେନି କାନାଡା ଲୋକ, କୂଟନୀତିଜ୍ଞଙ୍କ ସଂଖ୍ୟା ହ୍ରାସ କରିବ ଅଟ୍ଟାୱା

ପରବର୍ତ୍ତୀ ନିର୍ଦ୍ଦେଶ ଯାଏ କାନାଡାର କୌଣସି ଲୋକ ଭାରତ ଆସିପାରିବେ ନାହିଁ। ଭାରତ ଆସିବା ପାଇଁ ଉପଲବ୍ଧ ହେଉଥିବା ଭିସା ବ୍ୟବସ୍ଥାକୁ ଆଜି ସରକାର ବାତିଲ କରି ଦେଇଛନ୍ତି।

author-image
Hemant Lenka
Canada

Canada

ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନାଜିରର ହତ୍ୟାକୁ ନେଇ ଭାରତ ଓ କାନାଡା ମଧ୍ୟରେ କୂଟନୀତିକ ଯୁଦ୍ଧ ଆହୁରି ତୀବ୍ର ହୋଇଛି। ହରଦୀପର ହତ୍ୟା ପଛରେ ଭାରତୀୟ ଏଜେଣ୍ଟଙ୍କ ସମ୍ଭାବ୍ୟ ହାତ ଥିବା କାନାଡା କହିବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଦେଖାଯାଇଛି।

Advertisment

ଏସବୁ ଭିତରେ ଭାରତ ସରକାର ଆଜି ନୂଆ ପଦକ୍ଷେପ ନେଇଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ଯାଏ କାନାଡାର କୌଣସି ଲୋକ ଭାରତ ଆସିପାରିବେ ନାହିଁ। ଭାରତ ଆସିବା ପାଇଁ ଉପଲବ୍ଧ ହେଉଥିବା ଭିସା ବ୍ୟବସ୍ଥାକୁ ଆଜି ସରକାର ବାତିଲ କରି ଦେଇଛନ୍ତି।

ବିଏଲଏସ୍‌ ଇଣ୍ଟରନ୍ୟାଶନାଲ ପକ୍ଷରୁ କୁହାଯାଇଛି ଯେ ଅପରେସନାଲ କାର୍ଯ୍ୟ ପାଇଁ ଭାରତୀୟ ଭିସା ସେବା ପରବର୍ତ୍ତୀ ନୋଟିସ ଯାଏ ବାତିଲ ହୋଇଛି। ବିଏସଏଲ ହେଉଛି ଗୋଟିଏ ଘରୋଇ ସଂସ୍ଥା। ଭିସା ପାଇଁ କାନାଡା ନାଗରିକମାନେ କରୁଥିବା ଆବେଦନର ପ୍ରାଥମିକ ଯାଞ୍ଚ ଏହି ସଂସ୍ଥା କରିଥାଏ। ଏହି ସଂସ୍ଥା ପକ୍ଷରୁ ଆଜି ଭିସା ସେବା ବାତିଲ କରାଯାଇଥିବା କୁହାଯାଇଛି।

Advertisment

ସୋମବାର କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କହିଥିଲେ ଯେ ହରଦୀପ ସିଂହ ନାଜିର ହତ୍ୟା ପଛରେ ଭାରତୀୟ ଏଜେଣ୍ଟଙ୍କ ସମ୍ଭାବ୍ୟ ହାତ ଥିବା ତଥ୍ୟ ମିଳିଛି। ଭାରତ ଏହାକୁ ଖଣ୍ଡନ କରିଥିଲେ ମଧ୍ୟ କାନାଡା ସରକାର ସେଠାରେ ଅବସ୍ଥାପିତ ଜଣେ ଭାରତୀୟ ରାଷ୍ଟ୍ରଦୂତଙ୍କୁ ନିଲମ୍ବିତ କରିଥିଲେ।

ଭାରତ ମଧ୍ୟ ଯେସାକୁ ତେସା ନୀତି ଆପଣାଇ ନୂଆଦିଲ୍ଲୀରେ ଅବସ୍ଥାପିତ କାନାଡା ରାଷ୍ଟ୍ରଦୂତଙ୍କୁ ୫ ଦିନ ମଧ୍ୟରେ ଦେଶ ଛାଡ଼ିବାକୁ କହିଥିଲା। ଏବେ ଭାରତ ସରକାର ଭିସା ସେବା ବାତିଲ କରିଛନ୍ତି। କିନ୍ତୁ କୂଟନୀତିକ ଯୁଦ୍ଧ ଯୋଗୁ ଯେ ଏପରି ପଦକ୍ଷେପ ନିଆଯାଇଛି, ସେକଥା କୁହାଯାଇ ନାହିଁ।

ଏହାବାଦ କାନାଡାରେ ରହୁଥିବା ଭାରତୀୟ ଶିକ୍ଷାର୍ଥୀ ଓ ଲୋକଙ୍କ ପାଇଁ ନୂଆଦିଲ୍ଲୀ ପକ୍ଷରୁ ବୁଧବାର ସତର୍କତା ଜାରି କରାଯାଇଥିଲା। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚି ଏନେଇ ଏକ୍ସରେ ଏକ ପୋଷ୍ଟ କରି କାନାଡାରେ ଥିବା ଭାରତୀୟ ନାଗରିକଙ୍କୁ ସତର୍କତା ଅବଲମ୍ୱନ କରିବାକୁ ପରାମର୍ଶ ଦେଇଥିଲେ।

ଏହାର କିଛି ଘଣ୍ଟା ପୂର୍ବରୁ କାନାଡା ମଧ୍ୟ ତା'ର ନାଗରିକଙ୍କ ପାଇଁ ଏକ ଟ୍ରାଭେଲ୍ ଆଡଭାଇଜରି ଜାରି କରିଥିଲା। ଭାରତକୁ ବୁଲିବାକୁ ଆସୁଥିବା କାନାଡା ନାଗରିକଙ୍କୁ ସତର୍କ ରହିବାକୁ ଜଷ୍ଟିନ ଟ୍ରୁଡୋଙ୍କ ସରକାର ପରାମର୍ଶ ଦେଇଥିଲେ। ଆଜି କାନାଡା ସରକାର ଭାରତରେ କାର୍ଯ୍ୟ କରୁଥିବା ରାଷ୍ଟ୍ରଦୂତଙ୍କ ସଂଖ୍ୟା ସୁରକ୍ଷା କାରଣରୁ ହ୍ରାସ କରାଯିବ ବୋଲି ମଧ୍ୟ କହିଛନ୍ତି। ସୋଶାଲ ମିଡିଆରେ କାନାଡା କୂଟନୀତିଜ୍ଞମାନଙ୍କୁ ଧମକ ମିଳୁଛି। ଭାରତରେ ସେମାନଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଅଟ୍ଟାୱା ପକ୍ଷରୁ କୂଟନୀତିଜ୍ଞଙ୍କ ସଂଖ୍ୟା ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି। 

ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନାଜିରର ହତ୍ୟାକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ବଢ଼ିଛି। ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ହରଦୀପକୁ ଜୁନ ୧୮ରେ ଦୁଇ ଜଣ ବନ୍ଧୁକଧାରୀ ହତ୍ୟା କରିଥିଲେ। ଏହି ହତ୍ୟା ପଛରେ ଭାରତୀୟ ଗୁଇନ୍ଦା ସଂସ୍ଥା RAWର ସମ୍ଭାବ୍ୟ ହାତ ରହିଥିବା ବଳିଷ୍ଠ ଅଭିଯୋଗ ମିଳିଛି ବୋଲି କାନାଡା କହିବା ପରେ ବିବାଦ ଦେଖାଯାଇଛି। 

Canada Canada Prime Minister Justin Trudeau India Canada Relation