/odisha-reporter/media/media_files/2026/02/03/usa-2026-02-03-13-08-19.jpg)
ଭାରତ-ଆମେରିକା
ଭାରତ ସହ ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହି ଡିଲ ଅନୁସାରେ ଭାରତ ଉପରେ ଆମେରିକା ଲାଗୁ କରୁଥିବା ୨୫% ପାରସ୍ପରିକ ଟାରିଫ ବା ଶୁଳ୍କ ୧୮% ଖସି ଯାଇଛି। ସେହିପରି ଡିଲରେ ହୋଇଥିବା ବୁଝାମଣା ଅନୁସାରେ ଭାରତ ମଧ୍ୟ ଆମେରିକା ଦ୍ରବ୍ୟଗୁଡ଼ିକ ଉପରେ ଲାଗୁ କରୁଥିବା ଟାରିଫ ଓ ଅଣ ଶୁଳ୍କ କଟକଣାକୁ ହ୍ରାସ କରି ଶୂନ କରିବ।
ଟ୍ରୁଥ ସୋଶାଲରେ ଟ୍ରମ୍ପ କହିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇଛନ୍ତି ଓ ତାଙ୍କୁ ନିଜର ମହାନ ବନ୍ଧୁ ଏବଂ ଜଣେ ଶକ୍ତିଶାଳୀ ଏବଂ ସମ୍ମାନଜନକ ନେତା ଭାବେ ଚିତ୍ରିତ କରିଛନ୍ତି। ଦୁଇ ନେତା ଫୋନରେ ବାଣିଜ୍ୟ ଡିଲ ଓ ରୁଷ-ୟୁକ୍ରେନ ଯୁଦ୍ଧର ପରିସମାପ୍ତି ଉପରେ କଥା ହୋଇଥିବା ମଧ୍ୟ ଟ୍ରମ୍ପ ସୂଚନା ଦେଇଛନ୍ତି।
ଆମେରିକା ପକ୍ଷରୁ ଭାରତ ଉପରେ ଲାଗୁ ହେଉଥିବା ପାରସ୍ପରିକ ଟାରିଫକୁ କେବଳ ହ୍ରାସ କରାଯାଇ ନାହିଁ, ବରଂ ରୁଷ ଠାରୁ ତେଲ କିଣିବା ଯୋଗୁ ନୂଆଦିଲ୍ଲୀ ଉପରେ ଜୋରିମାନା(US India Tariff War) ଆକାରରେ ୱାଶିଂଟନ ଲଗାଉଥିବା ଅତିରିକ୍ତ ୨୫% ଟାରିଫ ମଧ୍ୟ ଉଚ୍ଛେଦ କରିଛି। ଟ୍ରମ୍ପ କହିଛନ୍ତି ଯେ ରୁଷ ଠାରୁ ତେଲ ନ କିଣିବାକୁ ପ୍ରଧାନମନ୍ତ୍ରୀ ମୋଦି ରାଜି ହୋଇଛନ୍ତି। ରୁଷ ବଦଳରେ ଆମେରିକା ଓ ସମ୍ଭାବ୍ୟ ଭେନେଜୁଏଲା ତେଲ ଭାରତ ଅଧିକ ପରିମାଣର କରିବ। ଏହାଦ୍ୱାରା ୟୁକ୍ରେନରେ ରୁଷ କରୁଥିବା ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି ଟ୍ରମ୍ପ ଆଶା କରିଛନ୍ତି।
ବ୍ୟବସାୟିକ ଭାଷାରେ କହିଲେ ଏହା ସାଧାଣତଃ ଆମେରିକାର କିଛି ନିର୍ଦ୍ଦିଷ୍ଟ ଉତ୍ପାଦ ଉପରେ ଲାଗୁ ହେଉଥିବା ଆମଦାନୀ ଶୁଳ୍କ(Tariffs On US Goods) କମ କରିବା କିମ୍ବା ପର୍ଯ୍ୟାୟକ୍ରମେ ଏହାକୁ ସଂପୂର୍ଣ୍ଣ ଭାବେ ହଟାଇବାର ପ୍ରତିବଦ୍ଧତାକୁ ଦର୍ଶାଇଥାଏ। ଆମଦାନୀ ଶୁଳ୍କକୁ ତୁରନ୍ତ ଶେଷ କରିବା ଏହି ଡିଲର ଅର୍ଥ ନୁହେଁ।
ଅଣ ଟାରିଫ କଟକଣା ମଧ୍ୟରେ ଲାଇସେନ୍ସ ନିୟମ, କୋଟା, ପ୍ରମାଣପତ୍ରର ଆବଶ୍ୟକତା, ସ୍ଥାନୀୟ ସୋର୍ସିଂ ମାନଦଣ୍ଡ ଓ ନିୟମ ଅନୁମୋଦିତ ଭଳି ପ୍ରତିବନ୍ଧକ ରହିଛି। ଏହା ମାର୍କେଟରେ ପହଞ୍ଚିବା କାମକୁ ସୀମିତ କରିଥାଏ।
ଯଦି ଡିଲ(Tariff Rules) ସଫଳ ରୂପେ କାର୍ଯ୍ୟକରେ, ତା’ହେଲେ ଏହା ଭାରତର ଦୀର୍ଘ କାଳିନ ବାଣିଜ୍ୟ ଆଭିମୁଖ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଭାରତ ସବୁଳେ ଘରୋଇ ଉତ୍ପାଦକୁ ସହାୟତା କରିବା ଉଦ୍ଦେଶ୍ୟରେ ରକ୍ଷଣଶୀଳ ଆଭିମୁଖ୍ୟ ଗ୍ରହଣ କରିଥାଏ। ହେଲେ ବାଣିଜ୍ୟ ଡିଲ ଦ୍ୱାରା ବିଶାଳ ମାର୍କେଟର ବିକଳ୍ପ ଉପଲବ୍ଧ ହେବ। ଆମେରିକୀୟ କୃଷି ଦ୍ରବ୍ୟ, ଶକ୍ତି ସପ୍ଲାଏ ଓ ଉତ୍ପାଦନ ଦ୍ରବ୍ୟ ପାଇଁ ବାଟ ଫିଟିବ।
ତେବେ ଭାରତ ସରକାର ଏଯାଏ ଆମେରିକା ଦ୍ରବ୍ୟଗୁଡ଼ିକ ଉପରେ ଲାଗୁ ହେଉଥିବା କଟକଣାକୁ ହଟାଇବା ସମ୍ପର୍କରେ ଘୋଷଣା କରିନାହାନ୍ତି। ତେଣୁ ବାଣିଜ୍ୟ ନୀତିକୁ କାର୍ଯ୍ୟକାରୀ କରିବାକୁ ନୂଆଦିଲ୍ଲୀ କେତେ ମାତ୍ରାରେ ପ୍ରସ୍ତୁତ ରହିଛି, ତା’ ଉପରେ ପ୍ରଶ୍ନ ଉଠିବାରେ ଲାଗିଛି। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବାଣିଜ୍ୟ ଡିଲକୁ ସ୍ୱାଗତ କରିଛନ୍ତି। ଏହା ମେକ ଇନ ଇଣ୍ଡିଆ ଦ୍ରବ୍ୟକୁ ବଳ ଦେବ ବୋଲି କହିଛନ୍ତି। ହେଲେ ଟ୍ରମ୍ପ କହିଥିବା ବାକି କଥା ଉପରେ ସେ କୌଣସି ମତ ରଖି ନାହାନ୍ତି।
ହାଇପ୍ରୋଫାଇଲ ଘୋଷଣା ସତ୍ତ୍ୱେ ବୁଝାମଣାର ଏକାଧିକ ଦିଗ ଏବେ ବି ଅସ୍ପଷ୍ଟ ରହିଛି। ଅଣ ଟାରିଫ କଟକଣା କେମିତି ହ୍ରାସ ପାଇବ କିମ୍ବା ଆମେରିକାର କେଉଁ ସବୁ ଦ୍ରବ୍ୟ କିଣିବାକୁ ଭାରତ ପ୍ରତିଶ୍ରୁତି ଦେଇଛି, ସେକଥା ଟ୍ରମ୍ପ ନିଜ ପୋଷ୍ଟରେ ଉଲ୍ଲେଖ କରିନାହାନ୍ତି। ଉଭୟ ପକ୍ଷରୁ ଅଧିକାରୀମାନେ ଡିଲକୁ ନେଇ ମଧ୍ୟ କୌଣସି ମତ ରଖି ନାହାନ୍ତି।
ଟ୍ରମ୍ପ କହିଛନ୍ତି ଯେ ଆମେରିକା ଠାରୁ ଭାରତ ୫୦୦ ବିଲିୟନ ଡଲାରର ଶକ୍ତି, ଟେକ୍ନୋଲୋଜି, କୃଷି, କୋଇଲା ଓ ଅନ୍ୟ ଦ୍ରବ୍ୟ କିଣିବାକୁ ମୋଦି ପ୍ରତିଶ୍ରୁତି ଦେଇଛନ୍ତି। ହେଲେ ଭାରତ ଏ ସମ୍ପର୍କରେ କିଛି ବି କହିନି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
