ବାଟ ଭୁଲିଗଲା ଯାତ୍ରୀବାହି ବିମାନ। ଭାରତ ସୀମାରୁ ବାହାରି ଯାଇ ଭୁଲବଶତଃ ପାକିସ୍ତାନରେ ପଶି ଗଲା। ଏହି ଇଣ୍ଡିଗୋ ବିମାନ ଅମୃତସରରୁ ଅହମଦାବାଦ୍ ଯାଉଥିଲା। ଖରାପ ପାଗ କାରଣରୁ ବାଟଭୁଲି ଏହି ବିମାନ ପାକିସ୍ତାନର ଲାହୋର ନିକଟ ଗୁଜରନୱାଲା ଆକାଶରେ ଉଡ଼ିଥିଲା। ତେବେ ପରେ ଏହା ଗତିପଥ ବଦଳାଇ ସୁରକ୍ଷିତ ଭାରତ ସୀମାକୁ ଆସି ଯାଇଥିଲା ଓ ସୁରକ୍ଷିତ ଅବତରଣ କରିଥିଲା। ଶନିବାର ଖରାପ ପାଗ କାରଣରୁ ଏଭଳି ଘଟଣା ଘଟିଥିବା ଆଜି ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି।
ଏହି ବିମାନ ଶନିବାର ରାତି ପ୍ରାୟ ସାଢ଼େ ୭ଟା ବେଳେ ଲାହୋରର ଉତ୍ତର ଭାଗରେ ପ୍ରବେଶ କରିଥିଲା ଏବଂ ୮ଟା ୧ ମିନିଟ୍ ବେଳେ ଭାରତୀୟ ସୀମାକୁ ଚାଲି ଆସିଥିଲା। ବିମାନଟି ପାକିସ୍ତାନ ଚାଲି ଯାଇଥିବା ଜଣାପଡ଼ିବା ପରେ ପାକିସ୍ତାନ ସରକାରଙ୍କ ସହ ଅମୃତସର ଏଟିସି ଫୋନ୍ ଯୋଗେ ଯୋଗାଯୋଗ କରିଥିଲା। ପାକିସ୍ତାନ ସରକାରଙ୍କ ସହଯୋଗ ଯୋଗୁ ଏହା ଅହମଦାବାଦ୍ ସୁରକ୍ଷିତ ଫେରି ଆସିଥିଲା।
ସୂଚନା ଥାଉକି, ଗତ ମେ’ ମାସରେ ସମାନ ଘଟଣା ଘଟିଥିଲା। ପାକିସ୍ତାନରେ ପ୍ରବଳ ବର୍ଷା ଯୋଗୁ ପାକିସ୍ତାନ ଇଣ୍ଟର ନ୍ୟାସନାଲ ଏୟାରଲାଇନ୍ସର ଏକ ବିମାନ ଭାରତୀୟ ବାୟୁସୀମା ଭିତରକୁ ପଶି ଆସିଥିଲା। ୧୦ ମିନିଟ୍ ଭାରତୀୟ ଆକାଶରେ ଉଡ଼ିବା ପରେ ଏହା ସୁରକ୍ଷିତ ପାକିସ୍ତାନ ସୀମାକୁ ଯାଇଥିଲା।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।