ତାମିଲନାଡୁରେ ଓଡ଼ିଆ ଝିଅଙ୍କୁ ୫ ବର୍ଷ ଧରି ଦୁଷ୍କର୍ମ!

ଖାଲି ସେତିକି ନୁହେଁ, ନିର୍ଯାତନାକୁ ବିରୋଧ କଲେ ତାଙ୍କୁ ପିଞ୍ଜରାରେ ଥିବା ମାଙ୍କଡ଼ମାନଙ୍କ ଆଗକୁ ଫିଙ୍ଗି ମଧ୍ୟ ଦିଆଯାଉଥିଲା।

representational image

  • Published: Wednesday, 15 February 2023
  • , Updated: 15 February 2023, 05:10 PM IST

ତାମିଲନାଡୁରେ ଜଣେ ଓଡ଼ିଆ ଝିଅଙ୍କୁ ଦିଆଯାଇଛି ଅକଥନୀୟ ନିର୍ଯାତନା। ତାଙ୍କୁ ଦୀର୍ଘ ୫ ବର୍ଷ କାଳ ଚେନରେ ବାନ୍ଧି ମାଡ଼ ମରାଯିବା ସହ ବାରମ୍ବାର ଦୁଷ୍କର୍ମ କରାଯାଇଛି। ଖାଲି ସେତିକି ନୁହେଁ, ନିର୍ଯାତନାକୁ ବିରୋଧ କଲେ ତାଙ୍କୁ ପିଞ୍ଜରାରେ ଥିବା ମାଙ୍କଡ଼ମାନଙ୍କ ଆଗକୁ ଫିଙ୍ଗି ମଧ୍ୟ ଦିଆଯାଉଥିଲା ବୋଲି ଅଭିଯୋଗ ହୋଇଛି। ଭିଲ୍ଲୁପୁରମରେ ଥିବା ଗୋଟିଏ ଘରୋଇ କେୟାର ହୋମରେ ଓଡ଼ିଆ ଝିଅଙ୍କ ସହ ଏପରି ବର୍ବରକାଣ୍ଡ କରାଯାଉଥିଲା।

ଖାଲି ଓଡ଼ିଆ ଝିଅ ନୁହେଁ, ଏଠାରେ ରହୁଥିବା ପ୍ରାୟ ସବୁ ଅନ୍ତେବାସୀଙ୍କୁ କେୟାର ହୋମର କର୍ମଚାରୀମାନେ ଅନେକ ଦୀର୍ଘଦିନ ହେଲା ନିର୍ଯାତନା ଦେଉଥିଲେ। ଏବେ କେୟାର ହୋମ ନାଁରେ ଚାଲିଥିବା ଭୟଙ୍କର କାମର ତଥ୍ୟ ସାମ୍ନାକୁ ଆସିଛି।

୨୦୨୧ ଡିସେମ୍ବର ମାସରେ ସଲିମ ଖାନ ତାଙ୍କ ଶ୍ୱଶୂରଙ୍କୁ ଏହି କେୟାର ହୋମରେ ଛାଡ଼ିଥିଲେ। ହେଲେ ଗତବର୍ଷ ଅଗଷ୍ଟରେ ସେ ଏଠାକୁ ଆସିଥିଲେ ମଧ୍ୟ ଶ୍ୱଶୂରଙ୍କୁ ଆଉ ପାଇ ନଥିଲେ। ଏହାପରେ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ଅଭିଯୋଗ ପରେ ଗୋଟିଏ ଟିମ ତଦନ୍ତ ଆରମ୍ଭ କରିଥିଲେ। ଏହି ସମୟରେ କେଦାର ନିକଟରେ ଥିବା ଅମ୍ବୁ ଜ୍ୟୋତି ଆଶ୍ରମରେ ଚାଲିଥିବା ଭୟଙ୍କର କାଣ୍ଡ ସବୁ ସାମ୍ନାକୁ ଆସିଛି।

ସ୍ୱେଚ୍ଛାସେବୀମାନେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଆଶ୍ରମ ଭିତରେ ରହିଥିବା ୧୦୯ ଜଣ ପୁରୁଷ, ୩୩ ଜଣ ମହିଳା ଓ ଗୋଟିଏ ପିଲାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ଆଶ୍ରମରେ ରହୁଥିବା କିଛି ମହିଳାଙ୍କୁ କର୍ମଚାରୀମାନେ ଦୁଷ୍କର୍ମ କରୁଥିଲେ। କିଛି ଅନ୍ତେବାସୀଙ୍କୁ ଲୁହା ଚେନରେ ବାନ୍ଧି ରଖୁଥିଲେ ଓ ସେମାନଙ୍କୁ ମାଡ଼ ମାରୁଥିଲେ।

ପୁଲିସ୍‌ ଏହି ଘଟଣାରେ ୱାର୍ଡର ମୁତୁମାରୀ, କମ୍ପ୍ୟୁଟର ଅପରେଟର ଗୋପିନାଥ, ଆଟେଡାଣ୍ଟ ଇୟାପ୍ପାନ ଓ ଡ୍ରାଇଭର ବିଜୁଙ୍କୁ ଗିରଫ କରିଛନ୍ତି। ଏବହାବାଦ ଆଉ ୪ ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ଏହି ୪ ଜଣଙ୍କ ମଧ୍ୟ କେୟାର ହୋମର ପ୍ରୋପାଇଟର ବି ଜୁବି ଓ ତାଙ୍କ ପତ୍ନୀ ଜେ ମାରିଆଙ୍କ ନାଁ ରହିଛି।

କେୟାର ହୋମରୁ ଉଦ୍ଧାର ହୋଇଥିବା ଅନ୍ତେବାସୀମାନେ ନିର୍ଯାତନା ପାଇ ପୂରା ସ୍ତବ୍ଧ ହୋଇଯାଇଛନ୍ତି। ସେମାନଙ୍କ ଯନ୍ତ୍ରଣା ଯେତିକି ଭୟଙ୍କର ସେତିକି ଦୁଃଖଦ। ଜଣେ ପୀଡ଼ିତା ସ୍ୱେଚ୍ଛାସେବୀଙ୍କୁ କହିଛନ୍ତି ଯେ ସେ କିଶୋରୀ ଅବସ୍ଥାରେ ଭିକ ମାଗି ଅର୍ଥ ସଂଗ୍ରହ କରିବାକୁ ଓଡ଼ିଶାରୁ ଭିଲ୍ଲୁପୁରମ ଚାଲି ଆସିଥିଲେ। ଏଠାରେ ‘ରେସ୍କ୍ୟୁ ଗ୍ରୁପ’ ତାଙ୍କୁ ଅମ୍ବୁ ଜ୍ୟୋତି ଆଶ୍ରମ ନେଇ ଯାଇଥିଲେ।

ସେଠାରେ ପରବର୍ତ୍ତୀ ୫ ବର୍ଷ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରାଯିବା ସହ ମାଡ଼ ମରାଯାଇଥିଲା। ମୁହଁ ବନ୍ଦ ରଖିବାକୁ ତାଙ୍କୁ ଧମକ ମଧ୍ୟ ମିଳିଥିଲା। ବେଳେବେଳେ ସେ ନିର୍ଯାତନା ସହି ନପାରି ସ୍ୱର ଉଠାଉଥିଲେ। କିନ୍ତୁ ଆଶ୍ରମର କର୍ମଚାରୀ ତାଙ୍କୁ ପିଞ୍ଜର ମଧ୍ୟରେ ଥିବା ଦୁଇଟି ହିଂସ୍ର ମାଙ୍କଡ଼ ଆଗକୁ ଫୋପାଡ଼ି ଦେଉଥିଲେ। ଏପରି ଭାବେ ସେଠାରେ ସେ ୫ ବର୍ଷ ଧରି ରହିଥିଲେ ବୋଲି ସାମାଜିକ ସଚେତନତା ସୋସାଇଟିର ସ୍ୱେଚ୍ଛାସେବୀ ଆର ଲଳିତାଙ୍କୁ ଓଡ଼ିଆ ଝିଅ ଜଣଙ୍କ କହିଛନ୍ତି।

ସେ କହିଛନ୍ତି, ଅନେକ ମହିଳାଙ୍କୁ ଲୁହା ଚେନ ଦ୍ୱାରା ଝରକା ଗ୍ରୀଲ୍‌ରେ ବାନ୍ଧି ରଖାଯାଉଥିଲା। ସେମାନଙ୍କୁ ନିଶା ବଟିକା ଦିଆଯାଉଥିଲା ଓ ଦୁଷ୍କର୍ମ କରାଯାଉଥିଲା। ଯେଉଁମାନେ ଏହାକୁ ବିରୋଧ କରୁଥିଲେ ସେମାନଙ୍କୁ ଲୁହା ରଡରେ ମାଡ଼ ମରାଯାଉଥିଲା ଓ ମାଙ୍କଡ଼ ଆଗକୁ ଫିଙ୍ଗି ଦିଆଯାଉଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆଶ୍ରମରେ ରହୁଥିବା ୧୫ ଜଣ ଅନ୍ତେବାସୀଙ୍କ ନଖୋଜ ଅଛନ୍ତି। ଅନେକ ଅନ୍ତେବାସୀଙ୍କ ଦେହରେ ନିର୍ଯାତନାର ଚିହ୍ନ ମଧ୍ୟ ରହିଛି।

୨୦୦୫ରୁ ଏହି କେୟାର ହୋମ କାର୍ଯ୍ୟକ୍ଷମ ଥିବା ବେଳେ କୌଣସି ସରକାରୀ ଅଧିକାରୀ ସେଠାକୁ ଯାଇ ନଥିଲେ। ତେଣୁ ସେଠାରେ ଆଶ୍ରମ କର୍ମଚାରୀମାନେ ନିଜ ଇଚ୍ଛାରେ ସବୁ କିଛି କରୁଥିଲେ। କେୟାର ହୋମ ସରକାରଙ୍କ ନିକଟରେ ପଞ୍ଜୀକରଣ କରି ନଥିଲେ ମଧ୍ୟ ଏଠାରେ ରାଜସ୍ଥାନ, ବେଙ୍ଗଲ, କର୍ଣ୍ଣାଟକା ଓ ଓଡ଼ିଶାର ଅନେକ ନିରାଶ୍ରୟ ଲୋକ ରହୁଥିଲେ। ତଦନ୍ତକାରୀ ଟିମ ଅନେକ ଅନ୍ତେବାସୀଙ୍କୁ ଉଦ୍ଧାର କରିଥିବା ବେଳେ ଏବେ ବି ଅନେକଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନି।

Related story