Advertisment

Middle East War: ଇରାନ ଯୁଦ୍ଧକୁ ନେଇ କାହିଁକି ରାଜ୍ୟସଭାରେ ଏମିତି କହିଲେ ବୈଦେଶିକ ମନ୍ତ୍ରୀ?

ଭାରତୀୟ ଉପଭୋକ୍ତାଙ୍କ ସ୍ୱାର୍ଥ ସବୁବେଳେ ଭାରତ ସରକାରଙ୍କ ପାଇଁ ସର୍ବୋପରି ହୋଇ ରହିବ। ମଧ୍ୟପ୍ରାଚ୍ୟରେ ଚାଲିଥିବା ବିବାଦ ଯୋଗୁ ଯୋଗଣା ପ୍ରକ୍ରିୟାରେ ସାଂଘାତିକ ବିଭ୍ରାଟ ସୃଷ୍ଟି ହୋଇପାରେ ବୋଲି ମଧ୍ୟ ସେ ଆଶଙ୍କା କରିଛନ୍ତି।

author-image
Hemant Lenka
Jaishankar

ଏସ୍‌ ଜୟଶଙ୍କର

Middle East War Updates: ମଧ୍ୟପ୍ରାଚ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥିବା ବେଳେ ଗ୍ୟାସ ଠାରୁ ଆରମ୍ଭ କରି ଖାଇବା ତେଳର ଦାମ ବଢ଼ିବାରେ ଲାଗିଛି। ବିଶ୍ୱ ବଜାରରେ ଅଶୋଧିତ ତୈଳର ଦର ବଢ଼ୁଥିବାରୁ ଆଗକୁ ମହଙ୍ଗା ମାଡ଼ର ସ୍ଥିତି ସୃଷ୍ଟି ହୋଇପାରେ। ଏହାକୁ ନେଇ ଭାରତୀୟ ଉପଭୋକ୍ତାମାନେ ଚିନ୍ତାରେ ଥିବା ବେଳେ ଇରାନ ଯୁଦ୍ଧକୁ ନେଇ ରାଜ୍ୟସଭାରେ ବଡ଼ ବୟାନ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର।

Advertisment

ଭାରତୀୟ ଉପଭୋକ୍ତାଙ୍କ ସ୍ୱାର୍ଥ ସବୁବେଳେ ଭାରତ ସରକାରଙ୍କ ପାଇଁ ସର୍ବୋପରି ହୋଇ ରହିବ। ମଧ୍ୟପ୍ରାଚ୍ୟରେ ଚାଲିଥିବା ବିବାଦ ଯୋଗୁ ଯୋଗଣା ପ୍ରକ୍ରିୟାରେ ସାଂଘାତିକ ବିଭ୍ରାଟ ସୃଷ୍ଟି ହୋଇପାରେ ବୋଲି ମଧ୍ୟ ସେ ଆଶଙ୍କା କରିଛନ୍ତି।

ବିରୋଧୀ ସାଂସଦଙ୍କ ନାରାବାଜୀ ମଧ୍ୟରେ ରାଜ୍ୟସଭାରେ ଜୟଶଙ୍କର କହିଛନ୍ତି ଯେ ବର୍ତ୍ତମାନ ମଧ୍ୟପ୍ରାଚ୍ୟରେ ବିବାଦ ତୀବ୍ର ହୋଇଛି। ଏଥିଯୋଗୁ ଶକ୍ତି ଯୋଗାଣ, ଶିପିଂ ମାର୍ଗ ଓ ବିଶ୍ୱ ଶିଳ୍ପ ପରିବହନକୁ ନେଇ ଚିନ୍ତା ପ୍ରକାଶ ପାଇଛି। ତଥାପି ସରକାର ପୂରା ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଭାରତର ଅର୍ଥନୀତି ଓ ଯୋଗାଣ ଚେନ ଉପରେ ଏହାର ପ୍ରଭାବ ପଡ଼ିବାରେ ବୋଲି ମଧ୍ୟ ଜୟଶଙ୍କର ଆଶଙ୍କା କରିଛନ୍ତି। 

Advertisment

ସେ କହିଛନ୍ତି, “ଆମ ସରକାର ଫେବୃଆରୀ ୨୦ରେ ଗୋଟିଏ ବିବୃତିରେ ସ୍ଥିତିକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଥିଲେ ଓ ସମସ୍ତ ପକ୍ଷଙ୍କୁ ସଂଯମତା ରକ୍ଷା କରିବାକୁ କହିଥିଲେ। ଆମେ ଏବେ ବି ବିବାଦର ସମାଧାନ କେବଳ ଆଲୋଚନା ଓ କୂଟନୀତିକ ସ୍ତରରେ ସମ୍ଭବ ବୋଲି ପରାମର୍ଶ ଦେଉଛୁ। ଭାରତର ଅର୍ଥନୀତି ଓ ବିଶ୍ୱ ଶକ୍ତି ବଜାର ପାଇଁ ପଶ୍ଚିମ ଏସିଆରରେ ସ୍ଥିରତା ବେଶ ଗୁରୁତ୍ୱପୂର୍ଣ୍ଣ। ପଶ୍ଚିମ ଏସିଆ ନିଶ୍ଚିତ ଭାବେ ସ୍ଥିର ଓ ଶାନ୍ତି ରହିବା ଉଚିତ।” 

ଜୟଶଙ୍କର କହିଛନ୍ତି ଯେ ଶକ୍ତି ସୁରକ୍ଷା ଓ ଭାରତୀୟ ଗ୍ରାହକଙ୍କ କଲ୍ୟାଣ ସମେତ ଭାରତର ଜାତୀୟ ସ୍ୱାର୍ଥ ସବୁବେଳେ ସରକାରଙ୍କ ପ୍ରାଥମିକତା ରହି ଆସିଛି। ମଧ୍ୟପ୍ରାଚ୍ୟରେ କାମ କରୁଥିବା ଓ ସେଠାରେ ରହୁଥିବା ଭାରତୀୟଙ୍କ ସୁରକ୍ଷାକୁ ସରକାର ଧ୍ୟାନ ଦେଉଥିବା ସେ ସୂଚନା ଦେଇଛନ୍ତି। ଏଥିସହ ମଧ୍ୟପ୍ରାଚ୍ୟରେ ଯୁଦ୍ଧ କାରଣରୁ ଫସି ରହିଥିବା ପ୍ରାୟ ୬୭ ହଜାର ଲୋକ ଭାରତ ଫେରିଥିବା ମଧ୍ୟ ସେ ରାଜ୍ୟସଭାକୁ ଅବଗତ କରାଇଛନ୍ତି।

ତେବେ ଇରାନ ଯୁଦ୍ଧ ଉପରେ ବିସ୍ତୃତ ଆଲୋଚନା ପାଇଁ ବିରୋଧୀ ଦାବି କରୁଥିଲେ ହେଁ ଏଥିପାଇଁ ରାଜ୍ୟସଭା ଅଧ୍ୟକ୍ଷ ଅନୁମତି ଦେଇ ନାହାନ୍ତି। ଏହାକୁ ନେଇ ବିରୋଧୀ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଜୟଶଙ୍କର ବୟାନ ବେଳେ ନାରାବାଜୀ କରୁଥିବା ଦେଖିବାକୁ ମିଳିଛି। 

Middle East war updates