ଶତାଧିକ, ସମ୍ଭବତଃ ହଜାର ହଜାର ଲୋକ ଅଧିକ ଲାଭ ପାଇବା ଲୋଭରେ କୋଟି କୋଟି ଟଙ୍କା ହରାଇଛନ୍ତି। ତେଲଙ୍ଗାନା ଓ ଆନ୍ଧ୍ର ପ୍ରଦେଶ ସମେତ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ଫାଲକନ ଇନଭଏସ ଡିସକାଉଣ୍ଟିଂ(ଏଫଆଇଡି) ଠକେଇର ଶିକାର ହୋଇଛନ୍ତି। ଫାଲକନ ଇନଭଏସ ଡିସକାଉଣ୍ଟିଂ ହେଉଛି ଗୋଟିଏ ପି୨ପି ୱେବ ପ୍ଲାଟଫର୍ମ। ଏହି ଫ୍ଲାଟଫର୍ମ ଜରିଆରେ ଏଫଆଇଡିର ମ୍ୟାନେଜମେଣ୍ଟ ଲୋକଙ୍କୁ ପ୍ରଲୋଭିତ କରିଥିଲେ। ଲୋକଙ୍କୁ ବ୍ୟୟ ଅନୁସାରେ ଅଧିକ ଆୟ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ପ୍ରତିଷ୍ଠିତ କମ୍ପାନୀଗୁଡ଼ିକର ଅନାଦେୟ ଇନଭଏସକୁ ନଗଦ ଅଗ୍ରିମରେ ପରିଣତ କରି ନିବେଶକମାନଙ୍କୁ ଉଚ୍ଚ ଲାଭର ପ୍ରତିଶ୍ରୁତି ଦେଇ କମ୍ପାନୀ ପୁଞ୍ଜି ନିବେଶ କରିବାକୁ କହିଥିଲା।
ଲୋକମାନେ ମଧ୍ୟ ଅଧିକରୁ ଅଧିକ ପୁଞ୍ଜି ନିବେଶ କରି ଚାଲିଥିଲେ। ହାଇଦ୍ରାବାଦର ହାଇଟେକ ସିଟିରେ କମ୍ପାନୀର ଅଫିସ ମଧ୍ୟ ରହିଥିଲା। ହେଲେ ଏବେ କମ୍ପାନୀର ଅଫିସ ଆଗରେ ଗୋଟିଏ ପୋଷ୍ଟର ମରାଯାଇଛି। ଏଥିରେ କମ୍ପାନୀ ବନ୍ଦ ହେଉଛି ବୋଲି ଉଲ୍ଲେଖ କରାଯାଇଛି। ଏହି ନୋଟିସ ଦେଖି ନିବେଶକାରୀଙ୍କ ହୋସ ଉଡ଼ି ଯାଇଛି। ୱେବ ପ୍ଲାଟଫର୍ମକୁ ବିଶ୍ୱାସ କରି ନିଜର କଷ୍ଟ ଉପାର୍ଜିତ ଅର୍ଥକୁ ଲଗାଇଥିବା ଲୋକମାନେ ଏବେ ଚିନ୍ତାରେ ପଡ଼ିଛନ୍ତି।
ଠକେଇ ଖବର ସାମ୍ନାକୁ ଆସିବା ପରେ ସାଇବରାବାଦ ପୁଲିସ୍ କମ୍ପାନୀର ମ୍ୟାନେଜମେଣ୍ଟ ବିରୋଧରେ ୩ଟି ଅପରାଧିକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। କମ୍ପାନୀର ଅଧ୍ୟକ୍ଷ ଅମରଦୀପ କୁମାରଙ୍କ ନାଁରେ ମଧ୍ୟ ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଛି। ଅମରଦୀପଙ୍କ ବ୍ୟତୀତ ଯୋଗଦ୍ର ସିଂହ, ଆର୍ଯ୍ୟ ସିଂହ ଓ ଅନୀତା ସିଂହଙ୍କ ଭଳି ୨୦ ଜଣଙ୍କ ବିରୋଧରେ ଠକେଇ ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି।
ଦୁବାଇ, ଅଷ୍ଟିନ, ଆମେରିକା ଓ ହାଇଦ୍ରାବାଦରେ କମ୍ପାନୀର ଅଫିସ ରହିଛି। କମ୍ପାନୀ ପକ୍ଷରୁ ହଜାର ହଜାର ଲୋକଙ୍କୁ ଠକେଇ କରାଯାଇଛି। କୋଟି କୋଟି ଟଙ୍କା ଠକେଇ ହୋଇଥିଲେ ହେଁ ଏଯାଏ କେବଳ ୬୦ ଜଣ ସାମ୍ନାକୁ ଅଭିଯୋଗ କରିବାକୁ ଆସିଛନ୍ତି। ହାଇଦ୍ରବାଦ ବ୍ୟତୀତ ବେଙ୍ଗାଲୁରୁ କିଛି ଲୋକ ମଧ୍ୟ କମ୍ପାନୀ ବିରୋଧରେ ଅଭିଯୋଗ କରିଛନ୍ତି।
କେମିତି କାମ କରୁଥିଲା ଫାଲକନ୍?
ଫାଲକନ ନିଜର ୱେବସାଇଟ ଓ ମୋବାଇଲ ଆପ୍ ଦ୍ୱାରା କାର୍ଯ୍ୟ କରୁଥିଲା। ପ୍ରତିଷ୍ଠିତ କମ୍ପାନୀଗୁଡ଼ିକର ଇନଭଏସକୁ ବ୍ୟବହାର କରି ଲୋକଙ୍କୁ ପୁଞ୍ଜି ନିବେଶ କରିବାକୁ କହୁଥିଲା। ଲୋକମାନେ ଅଧିକ ପାଇବା ଆଶାରେ ନିବେଶ କରିବାରେ ଲାଗିଥିଲେ। କିନ୍ତୁ ଯେତେବେଳେ ଜାନୁଆରୀ ଦ୍ୱିତୀୟ ସପ୍ତାହରୁ ଟଙ୍କା ଦେବାରେ କମ୍ପାନୀ ବିଳମ୍ବ କରିଥିଲା ସେତେବେଳେ ଏହା ଉପରେ ସନ୍ଦେହ ବଢ଼ିଥିଲା। କିଛି ଲୋକ କମ୍ପାନୀର ଅଫିସରେ ପହଞ୍ଚି ଟଙ୍କା ମାଗିଥିଲେ। ସେମାନେ ଅଫିସରେ ମଧ୍ୟ ଭଙ୍ଗାରୁଜା କରିଥିଲେ। ଏଥିଯୋଗୁ ଫେବୃଆରୀ ୧୦ରେ ଫାଲକନ ତା’ର ଅଫିସକୁ ବନ୍ଦ କରି ଦେଇଥିଲା।
ସୂତ୍ର ଅନୁସାରେ, ଟଙ୍କା ଫେରସ୍ତ ନ କରି କମ୍ପାନୀ ଲୋକଙ୍କୁ ୧୦ ଦିନ ଧରି ବିଭିନ୍ନ ପ୍ରକାରର ଆଳ ଦେଖାଇ ଚାଲିଥିଲା। ପୁଣି ସେବା କାର୍ଯ୍ୟକ୍ଷମ ହେବ ବୋଲି କମ୍ପାନୀ କହିବାରେ ଲାଗିଥିଲା। କିନ୍ତୁ ହଠାତ୍ କମ୍ପାନୀ କାହାକୁ କିଛି ନ କହି ଅଫିସକୁ ବନ୍ଦ କରି ଦେବାରୁ ଲୋକମାନେ ଏବେ ଚିନ୍ତାରେ ପଡ଼ିଛନ୍ତି।
ପୁଲିସ୍ ତଦନ୍ତରୁ ଜଣାପଡ଼ିଛି ଯେ କମ୍ପାନୀରେ ଲାଗିଥିବା କମ୍ପ୍ୟୁଟରଗୁଡ଼ିକରେ ହାର୍ଡ ଡିସ୍କ ନାହିଁ। କମ୍ପାନୀ ଲୋକଙ୍କୁ ୨୪% ରିଟର୍ଣ୍ଣର ଲୋଭ ଦେଖାଇଥିଲା। କିନ୍ତୁ ଏସବୁ ଠକେଇର ଗୋଟିଏ ମାଧ୍ୟମ ଥିଲା ବୋଲି ସ୍ପଷ୍ଟ ହୋଇଛି। ଆନ୍ଧ୍ର, ତେଲଙ୍ଗାନା, ଦିଲ୍ଲୀ, କର୍ଣ୍ଣାଟକା, ମହାରାଷ୍ଟ୍ର, ଗୁଜରାଟ ଓ ତାମିଲନାଡୁର ଅଧିକ ଲୋକ ଠିକେଇର ଶିକାର ହୋଇଛନ୍ତି। ଏମାନଙ୍କ ବ୍ୟତୀତ ରାଜସ୍ଥାନ, ହରିୟାଣା, କେରଳ, ଓଡ଼ିଶା, ବିହାର, ପଞ୍ଜାବ, ଅରୁଣାଚଳ ପ୍ରଦେଶ, ତ୍ରିପୁରା ଓ ଲଦାଖର ମଧ୍ୟ କିଛି ଲୋକ ପୁଞ୍ଜି ନିବେଶ କରିଥିଲେ।
ଠକେଇ ଅଭିଯୋଗ ସାମ୍ନାକୁ ଆସିବା ପରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ପେଶାଲ ଟିମ ଗଠନ କରାଯାଇଛି। ତେବେ ଅଭିଯୁକ୍ତମାନେ ଭାରତରେ ଅଛନ୍ତି ନା ବିଦେଶ ଫେରାର ହୋଇଯାଇଛନ୍ତି, ସେକଥା ତଦନ୍ତକାରୀ ସଂସ୍ଥା ଏଯାଏ ଜାଣିପାରି ନାହିଁ।
ସାଇବରବାଦ ପୁଲସ୍ କହିଛି, “ନିବେଶକାରୀଙ୍କ ମଧ୍ୟରେ ଜଣେ ଡାକ୍ତର ଅଛନ୍ତି। ସେ ୫ କୋଟିର କ୍ଷତି ସହିଛନ୍ତି। ଗୋଟିଏ ଦଫାରେ ଅଭିଯୋଗ କରିଥିବା ୫୬ ଜଣ ୨୧ କୋଟି ହରାଇଛନ୍ତି। ସେହିପରି ଦିଲ୍ଲୀର ୪ଜଣ ଲୋକ ୬ କୋଟିର କ୍ଷତି ସହିଛନ୍ତି।”
ବୁଧବାର ହାଇଦ୍ରାବାଦ ଠାରୁ ଆରମ୍ଭ କରି ଦିଲ୍ଲୀ, ରୋହତକ, କୋଏମ୍ବାଟୁର ଓ ବେଙ୍ଗାଲୁରୁର ନିବେଶକାରୀମାନେ ଅଫିସର ରିସେପସନ ଅଞ୍ଚଳକୁ ଆସି କମ୍ପାନୀ ସମ୍ପର୍କରେ ସୂଚନା ହାସଲ କରିବାକୁ ଚେଷ୍ଟା କରିଥିଲେ। ବେଶ କିଛି ଦିନ ହେଲା ଲୋକମାନେ ଏଠାକୁ ଆସୁଛନ୍ତି। ସୋମବାର ଠାରୁ କିନ୍ତୁ ଅଫିସ ବନ୍ଦ ରହିଛି। ତେଣୁ ଲୋକମାନେ ଭଙ୍ଗାରୁଜା ମଧ୍ୟ କରିଛନ୍ତି। ମଙ୍ଗଳବାର ପୁଲିସ୍ ଅଫିସରେ ଯାଞ୍ଚ କରିବା ସହ ଏହାକୁ ଲକ କରିଦେଇଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କମ୍ପାନୀ ଜାନୁଆରୀ ମାସରୁ ଅଫିସ ବାବଦ ଭଡ଼ା ମଧ୍ୟ ଦେଇ ନାହିଁ। ୨୦୨୨ରୁ ଫାଲକନରେ ନିବେଶ କରି ଚାଲିଥିବା ଜଣେ ବ୍ୟକ୍ତି ୩ କୋଟି ହରାଇଥିବା କହିଛନ୍ତି। ତାଙ୍କ କହିବା କଥା ଯେ ଫାଲକନ ସବୁବେଳେ ପ୍ରତିଷ୍ଠିତ କମ୍ପାନୀର ଇନଭଏସ ଦାଖଲ କରୁଥିଲା ଓ ଠିକଣା ସମୟରେ ଟଙ୍କା ଦେଉଥିଲା। ଏଥିଯୋଗୁ ସେ ଜାନୁଆରୀ ୧୦ ଯାଏ ଅଧିକରୁ ଅଧିକ ଟଙ୍କା ନିବେଶ କରି ଚାଲିଥିଲେ। ହେଲେ ଏବେ ସେ ୩ କୋଟି ଟଙ୍କା ହରାଇ ଚିନ୍ତାରେ ପଡ଼ିଛନ୍ତି।
ରୋହତକର ଜଣେ ବ୍ୟକ୍ତି ନିଜ ପରିବାର ସଦସ୍ୟଙ୍କ ଜରିଆରେ ଫାଲକନ ସହ ଯୋଡ଼ି ହୋଇଥିଲେ। ସେ ପ୍ରାୟ ୧୯ ଲକ୍ଷ ଟଙ୍କାର କ୍ଷତି ସହିଛନ୍ତି। ନିକଟରେ ତାଙ୍କ ଭାଇ ନିବେଶ କରିବା ଆରମ୍ଭ କରିଥିଲେ। କିନ୍ତୁ ସେ ୨ ଲକ୍ଷ ଟଙ୍କାର କ୍ଷତି ସହିଛନ୍ତି।
କେବଳ ଏହି ଦୁଇ ଭାଇ ନୁହନ୍ତି, ଏମାନଙ୍କ ଭଳି କୋଟିକୋଟି ଲୋକ ଠକେଇର ଶିକାର ହୋଇ ନ୍ୟାୟ ପାଇଁ ଦାବି କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।