/odisha-reporter/media/post_attachments/uploadimage/library/16_9/16_9_0/SC_1753249100.jpg)
SC
ନିଜର ପୂର୍ବତନ ସ୍ୱାମୀ ଓ ଶ୍ୱଶୁରଙ୍କୁ ନିଃସର୍ତ୍ତ କ୍ଷମା ମାଗିବାକୁ ଜଣେ ଆଇପିଏସଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ମହିଳା ଆଇପିଏସ ଜଣଙ୍କ ସ୍ୱାମୀ ଓ ଶ୍ୱଶୁର ଘର ଲୋକଙ୍କୁ ଶାରୀରିକ ଓ ମାନସିକ ଅଶାନ୍ତି ମଧ୍ୟରେ ରଖିଥିବାରୁ ତାଙ୍କୁ ସର୍ବସାଧାରଣେ କ୍ଷମା ମାଗିବାକୁ ସର୍ବୋଚ୍ଚ ଅଦାଲତ କହିଛନ୍ତି। ବୈବାହିକ ବିବାଦ ସମୟରେ ମହିଳା ଆଇପିଏସ ଜଣଙ୍କ ଏକାଧିକ ମିଥ୍ୟା କେସ୍ ଫାଇଲ କରିଥିଲେ। ସୁପ୍ରିମକୋର୍ଟ କ୍ଷମା ମାଗିବା ପାଇଁ ନିର୍ଦ୍ଦେଶ ଦେବା ସହ ପେଣ୍ଡିଂ ରହିଥିବା ସମସ୍ତ ମାମଲାକୁ ଖାରଜ ମଧ୍ୟ କରିଛନ୍ତି।
ପ୍ରଧାନ ବିଚାରପତି ଜଷ୍ଟିସ ବିଆର ଗବାଇ ଓ ଜଷ୍ଟିସ ଏଜି ମାସିଙ୍କ ଖଣ୍ଡପୀଠ ବିବାହରେ ମଧ୍ୟ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ଦମ୍ପତି ୨୦୧୮ରୁ ଅଲଗା ଅଲଗା ରହୁଥିବାରୁ ଖଣ୍ଡପୀଠ ଏପରି ପଦକ୍ଷେପ ନେଇଛନ୍ତି। କୋର୍ଟ କହିଛନ୍ତି, ଦମ୍ପତିଙ୍କ ଝିଅ ମା’ଙ୍କ ପାଖରେ ରହିବେ। ସ୍ୱାମୀ ଓ ତାଙ୍କ ପରିବାର ଲୋକ ଝିଅକୁ ଦେଖିବାକୁ ଯାଇ ପାରିବେ।
କୋର୍ଟ ନିଜର ରାୟରେ କହିଛନ୍ତି, ସ୍ୱାମୀଙ୍କୁ ୧୦୯ ଦିନ ଓ ତାଙ୍କ ବାପାଙ୍କୁ ୧୦୩ ଦିନ ଜେଲରେ ରହିବାକୁ ପଡ଼ିଥିଲା। ସେମାନେ ଏହି ସମୟରେ ଭୋଗିଥିବା ଯନ୍ତ୍ରଣାକୁ ଭରଣ କରାଯାଇ ପାରିବ ନାହିଁ। ତଥାପି ମିଥ୍ୟା କେସ୍ରେ ସେମାନଙ୍କୁ ଜେଲ ପଠାଇଥିବା ମହିଳା ଆଇପିଏସ ନିଃସର୍ତ୍ତ କ୍ଷମା ମାଗିବେ।
ମହିଳା ଓ ତାଙ୍କ ପରିବାର ଲୋକ ମିଳିତ ଭାବେ ସ୍ୱାମୀ ଓ ତାଙ୍କ ପରିବାର ବର୍ଗଙ୍କୁ ନିଃସର୍ତ୍ତ କ୍ଷମା ମାଗିବେ। ଏହି କ୍ଷମା ପ୍ରାର୍ଥନାକୁ ଗୋଟିଏ ବଡ଼ ଇଂରାଜୀ ଓ ହିନ୍ଦୀ ଖବରକାଗଜର ଜାତୀୟ ସଂସ୍କରଣରେ ସେମାନେ ଛାପିବେ। ଏହାବାଦ କ୍ଷମା ନିବେଦନ ଫେସବୁକ, ଇନଷ୍ଟାଗ୍ରାମ, ୟୁଟ୍ୟୁବ ଓ ଅନ୍ୟ ସୋଶାଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ପ୍ରଚାର ପ୍ରସାର ହେବ। ରାୟର ୩ ଦିନ ମଧ୍ୟରେ ମହିଳା ଓ ତାଙ୍କ ପରିବାର ଲୋକ ଏପରି ପଦକ୍ଷେପ ନେବେ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।
କୋର୍ଟ ମହିଳାଙ୍କୁ ନିଜର ପଦ ଓ କ୍ଷମତାର ଦୁର୍ବ୍ୟବହାର ନ କରିବାକୁ କହିଛନ୍ତି। ଏଥିସହ ନିଜର ସମକର୍ମୀଙ୍କ ଜରିଆରେ ସ୍ୱାମୀ କିମ୍ବା ତାଙ୍କ ପରିବାର ଲୋକଙ୍କ ବିରୋଧରେ ମହିଳା ଜଣଙ୍କ କୌଣସି ମାମଲା କରିପାରିବେ ନାହିଁ। ସ୍ୱାମୀଙ୍କୁ ମଧ୍ୟ ମହିଳାଙ୍କ କ୍ଷମା ପ୍ରାର୍ଥନାକୁ ଅଲଗା ପ୍ରସଙ୍ଗରେ ବ୍ୟବହାର ନ କରିବାକୁ କୋର୍ଟ ତାଗିଦ କରିଛନ୍ତି।
ବୈବାହିକ ବିବାଦ କାରଣରୁ ମହିଳା ଆଇପିଏସ ଜଣଙ୍କ ନିଜର ସ୍ୱାମୀ ଓ ତାଙ୍କ ଘର ଲୋକଙ୍କ ବିରୋଧରେ ଅପରାଧିକ ମାମଲା କରିଥିଲେ। ସମାନ୍ତରଳ ଭାବେ ଭରଣପୋଷଣ ଓ ଛାଡ଼ପତ୍ର ପାଇଁ ପରିବାର ଅଦାଲତରେ ମଧ୍ୟ ଆବେଦନ କରିଥିଲେ। ସ୍ୱାମୀ ଜଣଙ୍କ ମଧ୍ୟ ଯେସାକୁ ତେସା ନୀତି ଆପଣାଇଥିଲେ। ଏହା ବ୍ୟତୀତ ତୃତୀୟ ପକ୍ଷ ମଧ୍ୟ ପରସ୍ପର ବିରୋଧରେ ମାମଲା କରିଥିଲେ।
ଉଭୟ ସ୍ୱାମୀ ଓ ସ୍ତ୍ରୀ ନିଜ ନିଜ ଅଞ୍ଚଳକୁ ସମସ୍ତ ପ୍ରକାରର ମାମଲାକୁ ସ୍ଥାନାନ୍ତର କରିବାକୁ ଆବେଦନ କରିଥିବା ବେଳେ ସୁପ୍ରିମକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
