ଇସ୍ରାଏଲ ଓ ଇରାନ ମଧ୍ୟରେ ଘମାଘୋଟ ଲଢ଼େଇ ଚାଲିଥିବା ବେଳେ ଶତାଧିକ ଭାରତୀୟ ଶିକ୍ଷାର୍ଥୀ ତେହରାନରେ ଫସି ରହିଛନ୍ତି। ଇସ୍ରାଏଲ ଆକ୍ରମଣକୁ ତୀବ୍ର କରୁଥିବାରୁ ଭାରତୀୟ ଶିକ୍ଷାର୍ଥୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଭାରତ ପକ୍ଷରୁ ଇରାନକୁ ବ୍ୟବସ୍ଥା କରିବାକୁ କୁହାଯାଇଥିଲା। ସୋମବାର ଇରାନ ପକ୍ଷରୁ ଏହାର ଜବାବ ଦିଆଯାଇଛି। ଇରାନ କହିଛି ଯେ ଯଦିଓ ଆକାଶ ପଥ ବନ୍ଦ ରହିଛି, କିନ୍ତୁ ଭାରତୀୟଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ସମସ୍ତ ସ୍ଥଳ ପଥ ଖୋଲା ରହିଛି।
ଖାଲି ସେତିକି ନୁହେଁ, ଇରାନର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ କୂଟନୀତିକ ମିଶନକୁ ସବୁଜ ସଙ୍କେତ ମିଳିଥିବା ବେଳେ ଭାରତର ସମସ୍ତ କୂଟନୀତିଜ୍ଞ ଓ ସାଧାରଣ ଲୋକଙ୍କ ସୁରକ୍ଷିତ ଉଦ୍ଧାରରେ ତେହରାନ ସହାୟତା କରବ ବୋଲି ପ୍ରତିଶ୍ରୁତି ଦିଆଯାଇଛି।
ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ “ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ଦେଶର ଏୟାରପୋର୍ଟଗୁଡ଼ିକ ବନ୍ଦ ରହିଛି। ଅନେକ ଦେଶ ପକ୍ଷରୁ ସେମାନଙ୍କ କୂଟନୀତିଜ୍ଞ ଓ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଅନୁରୋଧ କରାଯାଇଛି। ଆମେ ସେମାନଙ୍କୁ କହିବାକୁ ଚାହୁଁଛି ଯେ ଆକାଶ ପଥ ବନ୍ଦ ରହିଥିଲେ ହେଁ ସୀମା ପାର କରିବା ପାଇଁ ସମସ୍ତ ପ୍ରକାରର ସ୍ଥଳ ପଥ ଖୋଲା ରହିଛି।”
ଭାରତକୁ ସ୍ୱତନ୍ତ୍ର ଭାବେ ଉଦ୍ଧାର କାର୍ଯ୍ୟରେ ସହାୟତା କରିବା ପାଇଁ ଇରାନ ହାତ ବଢ଼ାଇଛି। ଏଥିପାଇଁ ଇରାନ ପକ୍ଷରୁ ତେହରାନରେ ଫସି ରହିଥିବା ଭାରତୀୟଙ୍କ ନାଁ, ସେମାନଙ୍କ ପାସପୋର୍ଟ ନମ୍ବର ଓ ସୀମା ପାର ପାଇଁ ବ୍ୟବହୃତ ହେବାକୁ ଥିବା ଗାଡ଼ିର ନମ୍ବର ଜେନେରାଲ ପ୍ରୋଟୋକଲ ବିଭଗ ନିକଟରେ ଦାଖଲ କରିବାକୁ କୁହାଯାଇଛି। ଏହାବାଦ ଯାତ୍ରାର ସମୟ ଓ କେଉଁ ସୀମାରେ ସେମାନେ ଇରାନକୁ ବାହାରିବାକୁ ଚାହୁଁଛନ୍ତି, ତା’ର ତଥ୍ୟ ଦେବାକୁ ଇରାନ କହିଛି। ତଥ୍ୟ ମିଳିବା ପରେ ଇରାନ ପକ୍ଷରୁ ସମସ୍ତ କୂଟନୀତିଜ୍ଞ ଓ ନାଗରିକଙ୍କ ସୁରକ୍ଷିତ ଯାତ୍ରାର ବ୍ୟବସ୍ଥା କରାଯିବ ବୋଲି ତେହରାନ ପ୍ରତିଶ୍ରୁତି ଦେଇଛି।
ଇରାନରେ ଫସିଛନ୍ତି ଭାରତୀୟ
ଇସ୍ରାଏଲ ଓ ଇରାନ ମଧ୍ୟରେ ଆକାଶ ପଥରେ ଲଢ଼େଇ ତୀବ୍ର ହେଉଥିବାରୁ ଶତାଧିକ ଭାରତୀୟ ଇରାନର ବିଭିନ୍ନ ସହରରେ ଫସି ରହିଛନ୍ତି। ଇରାନରେ ୧୫ ଶହରୁ ଅଧିକ ଶିକ୍ଷାର୍ଥୀ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ପିଲାଙ୍କ ଘର ଜମ୍ମୁ-କଶ୍ମୀରରେ। ମିସାଇଲ ମାଡ଼ ହେଉଥିବାରୁ ସେମାନେ ଉଦ୍ଧାର ପାଇଁ ଅନୁରୋଧ କରି ଚାଲିଛନ୍ତି।
ସୋମବାର ଭାରତ ସରକାର କହିଛି ଯେ ଇରାନରେ ଥିବା କିଛି ଭାରତୀୟ ଶିକ୍ଷାର୍ଥୀଙ୍କୁ ତେହରାନର ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ସବୁ ପ୍ରକାରର ବିକଳ୍ପକୁ ବିଚାର କରାଯାଉଛି। ତେହରାନରେ ଥିବା ଭାରତୀୟ ଦୂତାବାସ ସୁରକ୍ଷା ସ୍ଥିତିକୁ ସମୀକ୍ଷା କରୁଛି ଓ ଇରାନରେ ଥିବା ଭାରତୀୟ ଶିକ୍ଷାର୍ଥୀଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛି।
ଇରାନରେ ଥିବା ଭାରତୀୟଙ୍କୁ ଦୂତାବାସ ପକ୍ଷରୁ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। କିନ୍ତୁ ଆତଙ୍କିତ ନ ହେବାକୁ ପରାମର୍ଶ ଦିଆଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।