ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାର ରାଜନୀତିକୁ ଆସିବେ ବୋଲି ଗତ ବର୍ଷଠାରୁ ଆଲୋଚନା ହେଉଥିବା ବେଳେ ଏବେ ଏହା ଜୋର ଧରିଛି। ଚଳିତ ବର୍ଷ ଶେଷ ଆଡ଼କୁ ବିହାର ବିଧାନସଭା ନିର୍ବାଚନ ଥିବା ବେଳେ ଜେଡି (ୟୁ)ର ଅନେକ ନେତା ଓ କର୍ମୀ ଚାହୁଁଛନ୍ତି ନିଶାନ୍ତ କୁମାର ମଇଦାନକୁ ଓହ୍ଲାନ୍ତୁ। ଏମିତିକି ଏହାର କିଛି ସହଯୋଗୀ ଦଳ ମଧ୍ୟ ନିଶାନ୍ତଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହି ସାରିଲେଣି। ହେଲେ ଏଯାଏଁ ଏହି ପ୍ରସଙ୍ଗରେ ମୁହଁ ଖୋଲି ନାହାନ୍ତି ନିଜେ ନିଶାନ୍ତ କୁମାର। ସେହିପରି ତାଙ୍କ ବାପା ତଥା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ କିଛି କହି ନାହାନ୍ତି।
ନୀତୀଶ କିମ୍ବା ନିଶାନ୍ତ ନୀରବ ଥିବା ସତ୍ତ୍ୱେ ପ୍ରତିଦିନି ଏମିତି କିଛି କିଛି ଘଟଣା ଘଟୁଛି କିମ୍ବା ବୟାନ ଆସୁଛି, ଯାହା ଏହି ପ୍ରସଙ୍ଗକୁ କେବଳ ଉଜ୍ଜୀବିତ କରି ରଖୁ ନାହିଁ, ବରଂ ଏ ସଂପର୍କିତ ଆଲୋଚନା ତଥା କଳ୍ପନାଜଳ୍ପନାକୁ ଖୋରାକ ଯୋଗାଉଛି। ଇତି ମଧ୍ୟରେ ଜେଡି (ୟୁ)ର ପାଟନା ସ୍ଥିତ କାର୍ଯ୍ୟାଳୟ ବାହାରେ ଗେଟ୍ ପାଖରେ ନିଶାନ୍ତଙ୍କ ସମର୍ଥନରେ ଏକ ବଡ଼ ପୋଷ୍ଟର ଲାଗିଛି। ପାର୍ଟିର କେତେ ଜଣ କାର୍ଯ୍ୟକର୍ତ୍ତା ଏହି ପୋଷ୍ଟର ଲଗାଇଛନ୍ତି। ଏଥିରେ ନୀତୀଶ କୁମାରଙ୍କ ସହିତ ନିଶାନ୍ତଙ୍କ ଫଟୋ ରହିଛି। ନିଶାନ୍ତଙ୍କ ଫଟୋଟି ନୀତୀଶଙ୍କଠାରୁ ବଡ଼ ହୋଇଛି। ଆଉ ଏଥିରେ ଲେଖାଯାଇଛି- ‘ବିହାର କରେ ପୁକାର, ଆଇୟେ ନିଶାନ୍ତ କୁମାର’। ନିଶାନ୍ତ କୁମାର ରାଜନୀତିକୁ ଆସନ୍ତୁ ବୋଲି ଏହି କାର୍ଯ୍ୟକର୍ତ୍ତାମାନେ ଅନୁରୋଧ କରିଛନ୍ତି। ଏହି କାର୍ଯ୍ୟକର୍ତ୍ତାଙ୍କ ଫଟୋ ମଧ୍ୟ ଉକ୍ତ ପୋଷ୍ଟରରେ ରହିଛି। ସେମାନେ ହେଉଛନ୍ତି- ସୁନୀଲ ସିଂହ, ଅଭୟ ପଟେଲ, ବରୁଣ କୁମାର ଓ ଚନ୍ଦନ ପଟେଲ।
ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ ଜେଡି(ୟୁ)ର ଏହି କାର୍ଯ୍ୟକର୍ତ୍ତାମାନେ କହିଛନ୍ତି, ବିହାରର ଲୋକମାନେ ଜଣେ ନବମ ଫେଲ୍ ନେତା (ଲାଲୁ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବ)ଙ୍କୁ ଚାହୁଁନାହାନ୍ତି। ସେମାନଙ୍କୁ ଜଣେ ପାଠୁଆ ଇଞ୍ଜିନିୟର ଦରକାର, ଯିଏ ରାଜ୍ୟର ନବ ନିର୍ମାଣ କରିପାରିବେ। ଏହାକୁ ଦୃଷ୍ଟିରେ ରଖି ଆମେ ଏହି ପୋଷ୍ଟର ମାରିଛୁ। ନିଶାନ୍ତ କୁମାର କେବଳ ନୀତୀଶ କୁମାରଙ୍କ ପୁଅ ନୁହନ୍ତି, ବିହାରକୁ ନେତୃତ୍ୱ ପ୍ରଦାନ କରିବାର ଦକ୍ଷତା ତାଙ୍କ ପାଖରେ ଅଛି। ଏହି ପୋଷ୍ଟର ମାରିବା ପାଇଁ ଆମକୁ କୌଣସି ନେତା କହି ନାହାନ୍ତି। ଜନତାଙ୍କ ଭାବନାକୁ ସମ୍ମାନ ଜଣାଇ ଆମେ ଏହି ପୋଷ୍ଟର ମାରିଛୁ।
ଏନ୍ଡିଏରେ ସାମିଲ ଥିବା ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ନେତା ତଥା କେନ୍ଦ୍ର ମନ୍ତ୍ରୀ ଜୀତନ ରାମ ମାଂଝୀ ଶନିବାର କହିଥିଲେ ଯେ ନିଶାନ୍ତ କୁମାର ରାଜନୀତିକୁ ଆସିଲେ ସ୍ୱାଗତ କରାଯିବ। ସେ କହିଛନ୍ତି ଯେ ଡାକ୍ତରର ପୁଅ ଡାକ୍ତର ହେଉଛନ୍ତି। ଆଇଏଏସ୍ର ପୁଅ ଆଇଏଏସ୍ ହେଉଛନ୍ତି। ଇଞ୍ଜିନିୟରର ପୁଅ ଇଞ୍ଜିନିୟର ହେଉଛନ୍ତି। କିନ୍ତୁ ନେତାର ପୁଅ ନେତା ହେଲେ କାହିଁକି ପ୍ରଶ୍ନ ଉଠୁଛି। ଏହା ଠିକ୍ ନୁହେଁ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କୁ ରାଜନୀତିକୁ ସ୍ୱାଗତ କରୁଛୁ। ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ନିଶାନ୍ତଙ୍କ ସହିତ ଅଛି ବୋଲି ଶ୍ରୀ ମାଂଝୀ କହିଛନ୍ତି। ଅର୍ଥାତ୍ ସେ ନୀତୀଶ କୁମାରଙ୍କ ଉଦ୍ଦେଶ୍ୟରେ ସିଧାସଳଖ କହିଛନ୍ତି ଯେ ନିଶାନ୍ତଙ୍କୁ ରାଜନୀତିକୁ ଓହ୍ଲାଇଲେ କୌଣସି ସମସ୍ୟା ନାହିଁ।
ପ୍ରଶ୍ନ ଉଠୁଛି, ଏତେ ସମର୍ଥନ ଥିବା ସତ୍ତ୍ୱେ ନିଶାନ୍ତ କାହିଁକି ବର୍ତ୍ତମାନ ସୁଦ୍ଧା ପଲିଟିକାଲ ଡେବ୍ୟୁ ନେଇ ମୁହଁ ଖୋଲି ନାହାନ୍ତି? ସେ ତାଙ୍କ ବାପା ନୀତୀଶ କୁମାରଙ୍କ ଅନୁମତିକୁ ଅପେକ୍ଷା କରିଛନ୍ତି କି? ନିଶାନ୍ତ ରାଜନୀତି କରନ୍ତୁ ବୋଲି ନୀତୀଶ ଚାହୁଁ ନାହାନ୍ତି କି? ନା ଉଭୟ ନୀତୀଶ ଓ ନିଶାନ୍ତ ସଠିକ୍ ସମୟକୁ ଅପେକ୍ଷା କରିଛନ୍ତି? ଭିତରେ ଭିତରେ ସେମାନେ ସ୍ଥିତି ପରଖୁଛନ୍ତି କି? ନା ଅଲଗା କିଛି କାରଣ ଅଛି? କୁହାଯାଉଛି, ନୀତୀଶ ହୁଏତ ଏ ପ୍ରସଙ୍ଗକୁ ନେଇ ଟିକେ ଦ୍ୱନ୍ଦ୍ୱରେ ଥିବେ। କାରଣ ସେ ବିଭିନ୍ନ ସମୟରେ ରାଜନୀତିରେ ପରିବାରବାଦ କଥା ଉଠାଇ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେଥିପାଇଁ ହୁଏତ ନୀତୀଶ ଭାବୁଥିବେ ଯେ ନିଶାନ୍ତ ରାଜନୀତିରେ ପାଦ ଥାପିଲେ, ତାହା ତାଙ୍କ ପାଇଁ ବୁମେରାଂ ସାବ୍ୟସ୍ତ ହେବ ନାହିଁ ତ। ଲୋକେ କେତେ ମାତ୍ରାରେ ଏହାକୁ ଗ୍ରହଣ କରିବେ, ହୁଏତ ତାକୁ ନେଇ ନୀତୀଶ ସନ୍ଦେହରେ ଥିବେ। ସେଥିପାଇଁ ସେ ଏ ପ୍ରସଙ୍ଗରେ କିଛି ସ୍ପଷ୍ଟ କରିବା ପୂର୍ବରୁ ସମୟ ନେଉଥିବେ।
ବିହାର ବିଜେପି ସଭାପତି ଦିଲ୍ଲୀପ ଜୟାସୱାଲଙ୍କ ବୟାନରୁ ଏମିତି କିଛି ଆଭାସ ମଧ୍ୟ ମିଳୁଛି। ସେ କହିଛନ୍ତି ଯେ ନିଶାନ୍ତଙ୍କୁ ୧୦-୧୫ ବର୍ଷ ପୂର୍ବରୁ ରାଜନୀତିରେ ସାମିଲ ହୋଇଯିବାର ଥିଲା। ତେବେ ତା’ ସହିତ ନିଶାନ୍ତ କାହିଁକି ଏ ପର୍ଯ୍ୟନ୍ତ ରାଜନୀତିରୁ ଦୂରେଇ ରହିଛନ୍ତି, ତା’ର ସମ୍ଭାବ୍ୟ କାରଣ ମଧ୍ୟ କହିଛନ୍ତି।
ସେ କହିଛନ୍ତି, ନୀତୀଶ କୁମାର ଚାହିଁଥିଲେ ୧୦-୧୫ ବର୍ଷ ପୂର୍ବରୁ ନିଶାନ୍ତଙ୍କୁ ରାଜନୀତିକୁ ଆଣିପାରିଥା’ନ୍ତେ। କିନ୍ତୁ ନୀତୀଶ କୁମାର ଜଣେ ମହାନ ବାପା। ସେ ଏଯାବତ ଏ ବିଷୟରେ ଚିନ୍ତା କରି ନାହାନ୍ତି। ଏହା ସମସ୍ତଙ୍କ ପାଇଁ ଏକ ଉଦାହରଣ। କାରଣ ଲୋକେ ତ ଛୁଆ ଜନ୍ମ ହେଉ ହେଉ ତାକୁ ବିଧାୟକ ଓ ମନ୍ତ୍ରୀ କରିବାକୁ ଘୋଷଣା କରି ଦିଅନ୍ତି। ଲାଲୁଙ୍କ ପରିବାର ଓ ପରିବାରବାଦରେ ବିଶ୍ୱାସ ରଖୁଥିବା ଲୋକେ ସେମାନଙ୍କ ଘରେ ଛୁଆ ଜନ୍ମ ହେଲାମାତ୍ରେ ସେ ବିଧାୟକ ହେବ, ମନ୍ତ୍ରୀ ହେବ ଓ ମୁଖ୍ୟମନ୍ତ୍ରୀ ହେବ ବୋଲି ଘୋଷଣା କରି ଦିଅନ୍ତି। କିନ୍ତୁ ନୀତୀଶ କୁମାର ପରିବାରବାଦ ବିରୋଧୀ।
ଅନ୍ୟପକ୍ଷରେ ନିଶାନ୍ତ ରାଜନୀତିରେ ପାଦ ଥାପିବା ପୂର୍ବରୁ ତାଙ୍କ ବିରୋଧରେ ପୋଷ୍ଟର ଲଗାଇ ସାରିଲେଣି ଏଥର କଂଗ୍ରେସ ଟିକେଟରେ ହରନୌତ ଆସନରୁ ବିହାର ବିଧାନସଭା ନିର୍ବାଚନ ଲଢ଼ିବାକୁ ଆଶା ରଖିଥିବା ରବି ଗୋଲଡେନ କୁମାର। ସେ ପୋଷ୍ଟର ମାରି ଲେଖିଛନ୍ତି, ରାଜାର ପୁଅ ରାଜା ହୋଇପାରିବ ନାହିଁ। ହରନୌତର ବାସିନ୍ଦା ଯାହାଙ୍କୁ ଚାହିଁବେ, ରାଜା କରିବେ। ଏହା ସହିତ ଏହି ପୋଷ୍ଟରରେ ରବି ଗୋଲ୍ଡେନ କୁମାର ନିଜକୁ ପ୍ରଜାଙ୍କ ପୁଅ ବୋଲି ଦର୍ଶାଇଛନ୍ତି। ତେଣୁ ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ଏଭଳି ପ୍ରଚାରକୁ ହୁଏତ ନୀତୀଶ ଡରୁଥିବେ।
ନୀତୀଶ କୁମାରଙ୍କ ଭଳି ଦେଶର ଜଣେ ବଡ଼ ନେତା ତଥା ମୁଖ୍ୟମନ୍ତ୍ରୀଙ୍କ ପୁଅ ହୋଇଥିବା ସତ୍ତ୍ୱେ ନିଶାନ୍ତ ସବୁ ବେଳେ ସାଧାରଣ ଜୀବନଯାପନ କରି ଆସିଛନ୍ତି। ସେ ସବୁବେଳେ ନିଜକୁ ଲାଇମଲାଇଟ୍ରୁ ଦୂରେଇ ରଖନ୍ତି। ନିଶାନ୍ତ ପାଟନାରେ ଥିବା ସେଣ୍ଟ କ୍ୟାରେନ୍ସ ସ୍କୁଲରେ ପଢୁଥିଲେ। କିନ୍ତୁ ଥରେ ଜଣେ ଶିକ୍ଷକଙ୍କ ମାଡ଼ରେ ତାଙ୍କୁ ଗୁରୁତର ଆଘାତ ଲାଗିଥିଲା। ତେଣୁ ବାପା ନୀତୀଶ ତାଙ୍କ ନାଁ ମସୁରୀର ମାନବ ଭାରତୀ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସ୍କୁଲରେ ଲେଖାଇଥିଲେ। ସେଠାରେ ପାଠପଢ଼ା ଶେଷ କରିବା ପରେ ନିଶାନ୍ତ ଝାରଖଣ୍ଡର ରାଞ୍ଚି ସ୍ଥିତ ବିରଲା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜୀରୁ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିଲେ। ଆଧ୍ୟାତ୍ମିକତା ପ୍ରତି ଢଳି ରହୁଥିବା ୪୯ ବର୍ଷୀୟ ନିଶାନ୍ତ ଏଯାଏଁ ବିବାହ କରି ନାହାନ୍ତି। ନିଜକୁ ବାପାଙ୍କ ରାଜନୀତି ଓ ସମାଜିକ ଜୀବନରୁ ଦୂରେଇ ରଖୁଥିବା ନିଶାନ୍ତ ପ୍ରାୟ ବର୍ଷେ ହେଲାଣି ବାପାଙ୍କ ସହିତ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି। ତେଣୁ ତାଙ୍କର ରାଜନୀତିକ ଆକାଂକ୍ଷା ନେଇ ଆଲୋଚନା ଧୀରେ ଧୀରେ ଜୋର ଧରିଛି। ନିକଟରେ ନୀତୀଶ କୁମାରଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପ୍ରଶ୍ନ ଉଠିଥିବା ବେଳେ ତାଙ୍କୁ ସମର୍ଥନ କରି ନିଶାନ୍ତ କୁମାର ବାହାରକୁ ଆସିଥିଲେ। ନୀତୀଶ କୁମାର ପୂରା ଫିଟ୍ ଥିବା ଓ ତାଙ୍କୁ ଆଉ ଥରେ ଭୋଟ୍ ଦେଇ ମୁଖ୍ୟମନ୍ତ୍ରୀ କରିବାକୁ ସେ ବିହାରବାସୀଙ୍କୁ ଅପିଲ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।