IDF
ଭାରତକୁ ନିଜର ଭୁଲ ପାଇଁ କ୍ଷମା ମାଗିଛି ଇସ୍ରାଏଲ। ବର୍ତ୍ତମାନ ଇରାନ ସହ ଯୁଦ୍ଧ କରୁଥିବା ଇସ୍ରାଏଲ ସେନା ଶୁକ୍ରବାର ଗୋଟିଏ ମ୍ୟାପ ଜାରି କରିଥିଲା। ଏଥିରେ ଇସ୍ରାଏଲ ସେନା ନିଜର ମିସାଇଲର ଲକ୍ଷ୍ୟ ଭେଦ କ୍ଷମତା କେତେ ରହିଛି, ସେକଥା ଦର୍ଶାଇଥିଲା। କିନ୍ତୁ ଏହି ମ୍ୟାପରେ ଭାରତର ଜମ୍ମୁ-କଶ୍ମୀରକୁ ଇସ୍ରାଏଲ ସେନା ପାକିସ୍ତାନର ବୋଲି ଦର୍ଶାଇଥିଲା।
ଖାଲି ସେତିକି ନୁହେଁ, ଭାରତର ଉତ୍ତର ପୂର୍ବ ରାଜ୍ୟକୁ ମଧ୍ୟ ଇସ୍ରାଏଲ ସେନା ନେପାଳର ବୋଲି ମ୍ୟାପରେ ଦେଖାଇଥିଲା। ଏହାକୁ ନେଇ ବିବାଦ ତୀବ୍ର ହେବାରୁ ଶନିବାର ଇସ୍ରାଏଲ ସେନା ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଛି। ନିର୍ଦ୍ଦିଷ୍ଟ ଜାତୀୟ ସୀମା ରେଖାକୁ ଦର୍ଶାଇବା ଏହି ମ୍ୟାପର ଉଦ୍ଦେଶ୍ୟ ନଥିଲା ବୋଲି ଇସ୍ରାଏଲ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।
ଶୁକ୍ରବାର ଇସ୍ରାଏଲ ଡିଫେନ୍ସ ଫୋର୍ସ ବା ଆଇଡିଏଫ ନିଜର ଏକ୍ସ ଆକାଉଣ୍ଟରେ ଗୋଟିଏ ମ୍ୟାପ ପୋଷ୍ଟ କରିଥିଲା। ଏଥିରେ ଇସ୍ରାଏଲ ପାଖରେ ଥିବା ମିସାଇଲର ରେଞ୍ଜ ଭିତରେ କେଉଁ ସବୁ ଦେଶ ରହିଛନ୍ତି, ତା’କୁ ଗ୍ରାଫିକ୍ସ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା। ଆଇଡିଏଫ କହିଥିଲା ଯେ “ଇରାନ ବିଶ୍ୱକୁ ବିପଦ। ଏହା କେବଳ ଆରମ୍ଭ। ଆମ ପାଖରେ କାର୍ଯ୍ୟାନୁଷ୍ଠାନ ନେବା ସହ କୌଣସି ବିକଳ୍ପ ନଥିଲା।”
ଆଇଡିଏଫ ଜାରି କରିଥିବା ମ୍ୟାପ୍ରେ ଇସ୍ରାଏଲର ମିସାଇଲ ରେଞ୍ଜରେ ଭାରତ ମଧ୍ୟ ରହିଥିବା ଦେଖାଯାଇଥିଲା। କିନ୍ତୁ ଭାରତର କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର, ଲଦାଖ ସମେତ ଉତ୍ତର ପୂର୍ବ ରାଜ୍ୟ ସିକ୍କିମ ଓ ଅରୁଣା ଚଳପ୍ରଦେଶକୁ ନୂଆଦିଲ୍ଲୀର ନୁହେଁ ବୋଲି ଦର୍ଶାଯାଇଥିଲା। ଏହାକୁ ନେଇ ଭାରତରେ ପ୍ରତିକ୍ରିୟା ପ୍ରକାଶ ପାଇବାରୁ ଇସ୍ରାଏଲ କ୍ଷମା ମାଗିଛି।
ଭାରତ ବ୍ୟତୀତ ରୁଷ, ୟୁକ୍ରେନ, ଚାଇନା ଓ ସୁଦାନ ଭଳି ୧୫ଟି ରାଷ୍ଟ୍ର ଇସ୍ରାଏଲ ପାଖରେ ଥିବା ମିସାଇଲର ରେଞ୍ଜ ମଧ୍ୟରେ ରହିଥିବା ତେଲ ଅଭିଭ ପୂରା ବିଶ୍ୱକୁ ଜଣାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IDF_1749888179.jpg)