Advertisment

UNGAର ଭୋଟ୍‌ରୁ ଦୂରେଇ ରହିଲା ଭାରତ, ପ୍ରିୟଙ୍କା କହିଲେ- ଲଜ୍ଜାଜନକ

ଭାରତର ଭୋଟିଂ ଠାରୁ ନିଜକୁ ଦୂରେଇ ରଖିବା ନିଷ୍ପତ୍ତିକୁ ପସନ୍ଦ କରିନାହାନ୍ତି ପ୍ରିୟଙ୍କା।

author-image
Madhupriya Mistry
Priyanka Gandhi

Priyanka Gandhi

ଇସ୍ରାଏଲ୍‌ ଓ ହମାସ ମଧ୍ୟରେ ଲାଗିଥିବା ଯୁଦ୍ଧ ଉପରେ ବିରାମ ଲଗାଇବା ନେଇ ଜାତିସଂଘରେ ଶୁକ୍ରବାର ଏକ ପ୍ରସ୍ତାବ ଆଗତ କରାଯାଇଛି। ଏହାକୁ ବହୁମତରେ ପାରିତ କରାଯାଇଥିଲା। ହେଲେ ଭାରତ ଏହି ଭୋଟିଂରୁ ଦୂରେଇ ରହିଥିଲା। ଏବେ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି। ଭାରତ ଜାତିସଂଘରେ ମତଦାନ ନ କରିବା ଲଜ୍ଜାଜନକ ବୋଲି କହିଛନ୍ତି କଂଗ୍ରେସର ସାଧାରଣ ସମ୍ପାଦିକା।

Advertisment

ଭାରତ ଭୋଟିଂ ଠାରୁ ନିଜକୁ ଦୂରେଇ ରଖିବା ନିଷ୍ପତ୍ତିକୁ ପସନ୍ଦ କରିନାହାନ୍ତି ପ୍ରିୟଙ୍କା। ସେ କହିଛନ୍ତି, ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କାହାର ସମର୍ଥନ ନ କରିବା ଏବଂ ଚୁପ୍‌ଚାପ ଦେଖିବା ଶୁଭଙ୍କର ନୁହେଁ। ଏହା ବେଶ୍ ଲଜ୍ଜାଜନକ। କାରଣ ମାନବିକତା ସମସ୍ତ ଆଇନର ଉର୍ଦ୍ଧ୍ୱରେ। ଶତାଧିକ ଲୋକ ଖାଦ୍ୟଅଭାବ, ଚିକିତ୍ସାରେ ଅସୁବିଧା, ଯୋଗାଯୋଗ ବିଚ୍ଛିନ୍ନ, ବିଜୁଳି କାଟ୍‌ ଆଦି ସମସ୍ୟା ଦେଇ ଗତି କରୁଛନ୍ତି। ପାଲେଷ୍ଟାଇନ୍‌ରେ ହଜାର ହଜାର ପୁରୁଷ, ମହିଳା ଏବଂ ଶିଶୁଙ୍କ ହତ୍ୟା କରାଯାଉଛି। ଏକ ରାଷ୍ଟ୍ର ଭାବେ ଆମ ଦେଶ ସର୍ବଦା ଏସବୁ ବିଷୟକୁ ବିରୋଧ କରି ଆସିଛି ବୋଲି ସେ କହିଛନ୍ତି। କେବଳ ସେତିକି ନୁହେଁ ମହାତ୍ମାଗାନ୍ଧିଙ୍କ ଉଦାହରଣ ଦେଇ ପ୍ରିୟଙ୍କା କହିଛନ୍ତି, ଆଖି ବଦଳରେ ଆଖି, ପୂରା ବିଶ୍ୱକୁ ଅନ୍ଧ କରିଦିଏ।

ଗାଜାରେ ଯୁଦ୍ଧବିରାମ ଆଣିବା ଲାଗି ଜାତିସଂଘରେ ଏକ ପ୍ରସ୍ତାବ ଆଗତ କରାଯାଇଥିଲା। ୧୨୦ ଦେଶ ଏହାକୁ ସମର୍ଥନ କରିଥିବା ବେଳେ ଭାରତ ସମେତ ୪୫ ଦେଶ ମତଦାନଠାରୁ ଦୂରରେ ରହିଥିଲେ। ତେବେ ପ୍ରସ୍ତାବରେ ଆତଙ୍କବାଦୀ ସଂଗଠନ ହମାସକୁ ନେଇ କିଛି କୁହାଯାଇ ନ ଥିବାରୁ ଭାରତ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।

Advertisment

ଅକ୍ଟୋବର ୭ରେ ହମାସ ଦ୍ୱାରା କରାଯାଇଥିବା ଅଚାନକ ଆକ୍ରମଣ ପରେ ଇସ୍ରାଏଲ ସେନା ଜବାବ ଦେଉଛି। ତୁହାକୁ ତୁହା ରକେଟ୍‌ ମାଡ ସହ ସ୍ଥଳଭାଗରୁ ମଧ୍ୟ ଆକ୍ରମଣ ଜୋରଦାର କରିଦେଇଛି ଇସ୍ରାଏଲ। ଏହି ଆକ୍ରମଣ ଯୋଗୁ ଏଯାବତ ଗାଜାରେ ୭୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି। ସେହିଭଳି ଇସ୍ରାଏଲର ମଧ୍ୟ ୧୪୦୦ ଲୋକ ପ୍ରାଣ ହରାଇଛନ୍ତି।

Priyanka Gandhi Vadra Israel-Palestine Conflict UNGA