/odisha-reporter/media/post_attachments/uploadimage/library/16_9/16_9_0/PM_Modi_1754308547.jpg)
PM Modi
୨୦୧୯ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ଦୁଇ ଭାଗରେ ବିଭକ୍ତ କରି ଲଦାଖକୁ ଅଲଗା କରି ଦେଇଥିଲେ। ଜମ୍ମୁ-କଶ୍ମୀର ଓ ଲଦାଖ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହୋଇଥିଲେ। କିନ୍ତୁ ଏବେ ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ମିଳିବାର ଚର୍ଚ୍ଚା ଆରମ୍ଭ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଭେଟିବା ପରେ ଏପରି ଚର୍ଚ୍ଚା ଆରମ୍ଭ ହୋଇଛି।
ଏହାବାଦ ଜମ୍ମୁ-କଶ୍ମୀରର ବିଜେପି ମୁଖ୍ୟଙ୍କ ସମେତ ବିଭିନ୍ନ ନେତାଙ୍କ ସହ ଅମିତ ଶାହ ବୈଠକ କରିଛନ୍ତି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି ବିଜେପି ନେତୃତ୍ୱାଧୀନ ଏନଡିଏ ସାଂସଦମାନଙ୍କ ବୈଠକ ଡାକିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ କିଛି ବୈଠକ କରିବାର ଖବର ମିଳିଛି।
ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଅଗଷ୍ଟ ୫ ତାରିଖ ୨୦୧୯ରେ ହୋଇଥିଲା। ଏହାକୁ ଆସନ୍ତାକାଲି ୬ ବର୍ଷ ପୂରିବାକୁ ଯାଉଛି। ତା’ ପୂର୍ବରୁ ଏପରି ଘନଘନ ବୈଠକ ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ମିଳିବା ଚର୍ଚ୍ଚାକୁ ଆହୁରି ବଢ଼ାଇ ଦେଇଛି। ମୌସୁମୀ ଅଧିବେଶନ ଏବେ ଚାଲିଛି। ଏହା ୨୧ ତାରିଖରେ ଶେଷ ହେବ। ଏହାପୂର୍ବରୁ ସମ୍ଭବତଃ ଆସନ୍ତାକାଲି କିଛି ଗୋଟିଏ ବଡ଼ ଘୋଷଣା ହୋଇପାରେ।
ଅଗଷ୍ଟ ୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଭବନକୁ ଯାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ। ସର୍ବଦା ଏପରି ବୈଠକ ସମ୍ପର୍କରେ ପିଆଇବି ପକ୍ଷରୁ ବିବୃତି ଜାରି କରାଯାଏ। ହେଲେ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମିଟିଂକୁ ନେଇ କୌଣସି ବିବୃତି ଜାରି କରାଯାଇ ନାହିଁ।
ଏହି ବୈଠକର କିଛି ଘଣ୍ଟା ପରେ ରାଷ୍ଟ୍ରପତି ଭବନରେ ପହଞ୍ଚିଥିଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ସେ ମଧ୍ୟ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁଙ୍କ ସହ ରୁଦ୍ଧଦ୍ୱାର ଆଲୋଚନା କରିଥିଲେ। ଚଳିତ ମାସର ପ୍ରଥମ ଦୁଇ ଦିନରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଜମ୍ମୁ-କଶ୍ମୀର ବିଜେପି ମୁଖ୍ୟ ସତ ଶର୍ମା ଓ ଲଦାଖର ଉପ ରାଜ୍ୟପାଳ କବିନ୍ଦର ଗୁପ୍ତାଙ୍କ ସହ ମିଟିଂ କରିଥିଲେ। ସୋମବାର ଜମ୍ମୁ-କଶ୍ମୀର ଶିହା ଆସୋସିଏସନର ସଭାପତି ଇମରାନ ରାଜା ଅନସାରୀ ମଧ୍ୟ ଅମିତ ଶାହଙ୍କୁ ଭେଟି ଉପତ୍ୟକାର ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ।
୩ ଦିନ ହେଲା ଏପରି ଘନଘନ ବୈଠକ ପାୱାର କରିଡର ଚର୍ଚ୍ଚାକୁ ବଢ଼ାଇ ଦେଇଛି। କୁହାଯାଉଛି ଯେ ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବାକୁ କେନ୍ଦ୍ର ସରକାର ବିଲ ଆଣି ପାରନ୍ତି। କିନ୍ତୁ ସରକାରଙ୍କ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ।
ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଦିନ ଠାରୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ତେଜିବାରେ ଲାଗିଛି। ୨୦୨୩ ଡିସେମ୍ବର ମାସରେ ସୁପ୍ରିମକୋର୍ଟ ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ କାଏମ ରଖିଥିଲେ। କିନ୍ତୁ ଯଥା ଶୀଘ୍ର ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ଦେବାକୁ କହିଥିଲେ। ସମ୍ଭବତଃ ଏହି କାରଣ ପାଇଁ କେନ୍ଦ୍ର ସରକାର ବିଲ୍ ଆଣି ପାରନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
