Advertisment

ଡର ଲାଗୁଛି, ଶୀଘ୍ର ଆସ: ମୃତ୍ୟୁର କିଛି ସମୟ ପୂର୍ବରୁ ମା’ଙ୍କୁ ଫୋନ କରି ଏମିତି କହିଥିଲେ ୧୮ ବର୍ଷୀୟ ଛାତ୍ର

ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଛାତ୍ର ଜଣଙ୍କ ତାଙ୍କ ମା’ଙ୍କୁ ଫୋନ କରିଥିଲେ। ଏହି ସମୟରେ ତାଙ୍କୁ ବହୁତ ଡର ଲାଗୁଛି ବୋଲି ସେ କହିବା ସହ ତୁରନ୍ତ ଆସି ନେଇ ଯିବାକୁ ମଧ୍ୟ ମା’ଙ୍କୁ ନିବେଦନ କରିଥିବା ଜଣାପଡ଼ିଛି।

UC

UC

Advertisment

କୋଲକାତାର ଯାଦବପୁର ବିଶ୍ୱବିଦ୍ୟାଳୟରେ ଜଣେ ୧୮ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ ନେଇ ହଇଚଇ ସୃଷ୍ଟି ହୋଇଛି। ଛାତ୍ର ଜଣଙ୍କ ଗୋଟିଏ ହଷ୍ଟେଲ ଦ୍ୱିତୀୟ ମହଲାରୁ ତଳକୁ ପଡ଼ି ପ୍ରାଣ ହରାଇଛନ୍ତି। ସେ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ଏହା ପଛରେ ରାଗିଂର ସାଂଘାତିକ ଖେଳ ରହିଥିବା ମଧ୍ୟ ଅଭିଯୋଗ ହୋଇଛି।

Advertisment

ତେବେ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଛାତ୍ର ଜଣଙ୍କ ତାଙ୍କ ମା’ଙ୍କୁ ଫୋନ କରିଥିଲେ। ଏହି ସମୟରେ ତାଙ୍କୁ ବହୁତ ଡର ଲାଗୁଛି ବୋଲି ସେ କହିବା ସହ ତୁରନ୍ତ ଆସି ନେଇ ଯିବାକୁ ମଧ୍ୟ ମା’ଙ୍କୁ ନିବେଦନ କରିଥିବା ଜଣାପଡ଼ିଛି। ବାପା ମା’ ହଷ୍ଟେଲ ଠାରୁ ୧୦୦ କିମି ଦୂରରେ ରହୁଥିଲେ। ସେମାନେ କିଛି ବୁଝିବା ଆଗରୁ ପୁଅ ତାଙ୍କୁ ସବୁ ଦିନ ପାଇଁ ଛାଡ଼ି ଚାଲି ଯାଇଛି।

ପରିବାର ଓ ସାଙ୍ଗସାଥୀମାନେ ଏପରି ମୃତ୍ୟୁ ପଛରେ ରାଗିଂ କାରଣ ରହିଛି ବୋଲି କହିଛନ୍ତି। ଏବେ ଏଦିଗରେ ତଦନ୍ତ ଆରମ୍ଭ ହୋଇଛି। ୧୮ ବର୍ଷୀୟ ସ୍ୱପ୍ନଦୀପ କୁଣ୍ଡୁଙ୍କର ଅନେକ ସ୍ୱପ୍ନ ଥିଲା। ସେ ଯାଦବପୁର ବିଶ୍ୱବିଦ୍ୟାଳୟରେ ବେଙ୍ଗଲୀ ଅନର୍ସର ପ୍ରଥମ ବର୍ଷର ଛାତ୍ର ଥିଲେ।

Advertisment

କିନ୍ତୁ ବୁଧବାର ରାତି ପ୍ରାୟ ୧୧.୪୫ରେ ସେ ବିଶ୍ୱବିଦ୍ୟାଳୟ ମୁଖ୍ୟ ହଷ୍ଟେଲର ଦ୍ୱିତୀୟ ମହଲାରୁ ତଳକୁ ପଡ଼ି ଯାଇଥିଲେ। ତାଙ୍କୁ ତୁରନ୍ତ ଘଟଣା ପରେ ହସ୍ପିଟାଲ ନିଆ ଯାଇଥିଲା। କିନ୍ତୁ ଗୁରୁବାର ଭୋର ୪.୩୦ରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ରାଗିଂ ଯୋଗୁ ସ୍ୱପ୍ନଦୀପ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ସ୍ୱପ୍ନଦୀପଙ୍କ ଅଙ୍କଲ ଅରୂପ କୁଣ୍ଡୁ କହିଛନ୍ତି, “ବୁଧବାର ସନ୍ଧ୍ୟାରେ ଆମ ପୁଅ ତା’ ମା’ ସହ କଥା ହୋଇଥିଲା। ତାକୁ ଭଲ ଲାଗୁନି ଓ ଡର ଲାଗୁଥିବା କହିଥିଲା। କ’ଣ ହୋଇଛି ବୋଲି ତାକୁ ମା’ ପଚାରିଥିଲା। ହେଲେ ସେ କେବଳ ତୁମେ ମାନେ ଶୀଘ୍ର ଆସ। ତମ ମାନଙ୍କୁ ମୋତେ ବହୁତ କିଛି କହିବାର ଅଛି ବୋଲି କହିଥିଲା।

କିଛି ସମୟରେ ସ୍ୱପ୍ନଦୀପକୁ ତା’ ମା’ ଫୋନ କରିଥିଲେ। କିନ୍ତୁ ସେ ଆଉ ଫୋନ ଉଠାଇ ନଥିଲା। ଏହାର ପ୍ରାୟ ଘଣ୍ଟାଏ ପରେ ଘରକୁ ଗୋଟିଏ ଫୋନ ଆସିଥିଲା। ପୁଅ ହଷ୍ଟେଲର ବାଲକୋନୀରୁ ପଡ଼ି ଯାଇଥିବା ଆମକୁ ଖବର ଦିଆଯାଇଥିଲା।

ମୃତଦେହକୁ ସଂପୂର୍ଣ୍ଣ ଭାବେ ଘୋଡ଼ାଇ ରଖାଯାଇଛି। କିନ୍ତୁ ଡାକ୍ତର ମୋତେ ଗୋଟିଏ କାଗଜ ଦେଖାଇଛନ୍ତି। ଏଥିରେ ଶରୀରରେ କ୍ଷତିଚିହ୍ନ ଥିବା ଉଲ୍ଲେଖ ରହିଛି। ଏସବୁ କେମିତି ହେଲା? ଏହା କ’ଣ ରାଗିଂ ନୁହେଁ?”

ସ୍ୱପ୍ନଦୀପଙ୍କ ବାପା ରାମପ୍ରସାଦ ହଷ୍ଟେଲର କିଛି ସିନିୟର ପିଲାଙ୍କ ବିରୋଧରେ ପୁଲିସ୍‌ରେ ଅଭିଯୋଗ କରିଛନ୍ତି। ସ୍ୱପ୍ନଦୀପଙ୍କ ଜଣେ ସାଙ୍ଗ ମଧ୍ୟ ଫେସବୁକରେ ଏମିତି କିଛି ପୋଷ୍ଟ କରିଛନ୍ତି, ଯାହା ରାଗିଂ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।

ପୁଲିସ୍‌ ଘଟଣାର ତଦନ୍ତ ସମ୍ପର୍କରେ କିଛି ବି କହିନି। ସେହିପରି ବିଶ୍ୱ ବିଦ୍ୟାଳୟର କର୍ତ୍ତୃପକ୍ଷ ମଧ୍ୟ ଚୁପ ରହିଛନ୍ତି। ତେବେ ଗୁରୁବାର ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ବିଶ୍ୱବିଦ୍ୟାଳୟ ପରିସରରେ ସ୍ୱପ୍ନଦୀପଙ୍କ ପରିବାର ଲୋକଙ୍କୁ  ଭେଟିଛନ୍ତି। ଏଥିସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

West Bengal Students
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe