/odisha-reporter/media/post_attachments/uploadimage/library/16_9/16_9_0/IMAGE_1687178939.jpg)
Jagadish Shettar
କର୍ଣ୍ଣାଟକା ବିଧାନ ପରିଷଦ ଉପନିର୍ବାଚନ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାରଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ନିକଟରେ ଶେଷ ହୋଇଥିବା କର୍ଣ୍ଣାଟକା ବିଧାନସଭା ନିର୍ବାଚନରେ ସେ ହାରି ଯାଇଥିଲେ। ପୂର୍ବରୁ ବିଜେପିରେ ଥିବା ଜଗଦୀଶ ଶେଟ୍ଟାରଙ୍କୁ ବିଧାନସଭା ନିର୍ବାଚନ ପାଇଁ ଟିକେଟ ନମିଳିବାରୁ ସେ ଦଳ ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ। କଂଗ୍ରେସ ତାଙ୍କୁ ହୁବଲି ଧାରୱାଡ ସେଣ୍ଟ୍ରାଲ ଆସନରୁ ପ୍ରାର୍ଥୀ କରିଥିଲା। ତେବେ ସେ ହାରି ଯାଇଥିଲେ।
ଜଗଦୀଶ ଶେଟ୍ଟାର ଜଣେ ଲିଙ୍ଗାୟତ ନେତା। ସେ ବିଧାନସଭା ନିର୍ବାଚନ ହାରିଯିବା ପରେ ତାଙ୍କୁ କେଉଁଠି ଥଇଥାନ କରାଯିବ, ସେ ନେଇ ଦଳ ଟିକେ ଚିନ୍ତିତ ଥିଲା। ତେଣୁ ଦଳ ତାଙ୍କୁ ବିଧାନ ପରିଷଦ ଉପନିର୍ବାଚନ ପାଇଁ ପ୍ରାର୍ଥୀ କରିବାକୁ ଘୋଷଣା କରିଛି। ଜଗଦୀଶ ଶେଟ୍ଟାରଙ୍କ ବ୍ୟତୀତ ତିପ୍ପନପ୍ପା କାମାକନୁର ଓ ଏନ୍.ଏସ୍ ବୋସେରାଜୁଙ୍କୁ କଂଗ୍ରେସ ବିଧାନ ପରିଷଦ ଉପନିର୍ବାଚନ ପାଇଁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛି।
ବିଜେପିର ୩ ଜଣ ନେତା- ଲକ୍ଷ୍ମଣ ସାବାଡ଼ି, ବାବୁରାଓ ଚିନଚାନସୁର ଓ ଆର. ଶଙ୍କର ଇସ୍ତଫା ଦେବା ପରଠୁ ବିଧାନ ପରିଷଦରେ ଏହି ଆସନଗୁଡ଼ିକ ଖାଲି ପଡ଼ିଛି। ବିଧାନସଭା ନିର୍ବାଚନ ପାଇଁ ଦଳ ସେମାନଙ୍କୁ ଟିକେଟ ନ ଦେବାରୁ ସେମାନେ ବିଧାନ ପରିଷଦରୁ ଇସ୍ତଫା ଦେଇଥିଲେ। ଜୁନ୍ ୩୦ ତାରିଖରେ କର୍ଣ୍ଣାଟକା ବିଧାନ ପରିଷଦ ଉପନିର୍ବାଚନ ଅନୁଷ୍ଠିତ ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
