ନ୍ୟାୟପାଳିକା ବଡ଼ ନାଁ ସଂସଦ ବଡ଼? ଏହାକୁ ନେଇ ବିତର୍କ ଆରମ୍ଭ କରିଛନ୍ତି ଉପ ରାଷ୍ଟ୍ରପତି ଜଗଦୀପ ଧନକଡ଼। ସେ ସିଧାସଳଖ ସୁପ୍ରିମକୋର୍ଟଙ୍କୁ ସମାଲୋଚନା କରିବା ସହ ସଂସଦ ସମସ୍ତଙ୍କ ଠାରୁ ଉପରେ ବୋଲି କହିଛନ୍ତି। ରାଜ୍ୟ ବିଧାନସଭାରେ ପାରିତ ହେଉଥିବା ବିଲ ଉପରେ ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ ନିଜର ଐତିହାସିକ ରାୟରେ ରାଷ୍ଟ୍ରପତିଙ୍କ ପାଇଁ ୩ ମାସର ସମୟସୀମା ଧାର୍ଯ୍ୟ କରିଛନ୍ତି।
ଏହି ରାୟ ଦେବା ବେଳେ ତାମିଲନାଡୁର ରାଜ୍ୟପାଳ ବିଧାନସଭା ଦ୍ୱାରା ପାରିତ ବିଲଗୁଡ଼ିକୁ ବର୍ଷବର୍ଷ ଧରି ପକାଇ ରଖିବା ଘଟଣାକୁ ଅବୈଧ ବୋଲି କହିଥିଲେ ସୁପ୍ରିମକୋର୍ଟ। ଏସବୁ ଭିତରେ ସଂସଦ ଦ୍ୱାରା ପାରିତ ହୋଇ ଆଇନରେ ପରଣିତ ହୋଇଥିବା ୱାକଫ ସଂଶୋଧନ ବିଲ୍ର କିଛି ପ୍ରାବଧାନ ଉପରେ ବି ସୁପ୍ରିମକୋର୍ଟ ଅନ୍ତରୀଣ ରୋକ ଲଗାଇ ଦେଇଛନ୍ତି। ଏହାକୁ ବିରୋଧୀ ବଡ଼ ବିଜୟ ଭାବେ ବିବେଚନା କରୁଥିବା ବେଳେ ସରକାର ସିଧାସଳଖ ପ୍ରତିକ୍ରିୟା ଦେଇ ନାହାନ୍ତି।
ହେଲେ ପ୍ରଥମେ ବିଜେପିର ଦୁଇ ସାଂସଦ ସିଧାସଳଖ ଏହି ଘଟଣାରେ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କୁ ଟାର୍ଗେଟ କରିଥିଲେ। ଏହାପରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଉପ ରାଷ୍ଟ୍ରପତି ଜଗଦୀପ ଧନକଡ଼ ସୁପ୍ରିମକୋର୍ଟଙ୍କୁ ସମାଲୋଚନା କରିଛନ୍ତି। ତେବେ ସରକାର ନ୍ୟାୟପାଳିକାର ସମ୍ମାନ ସର୍ବୋପରି କହୁଥିବା ବେଳେ ଉପ ରାଷ୍ଟ୍ରପତିଙ୍କ ବୟାନ ସମସ୍ତଙ୍କୁ ଚକିତ କରିଛି।
ଗଣତାନ୍ତ୍ରିକ ଫ୍ରେମୱାର୍କରେ ନ୍ୟାୟପାଳିକାର ଭୂମିକା ସମସ୍ତ ସରକାରୀ ଅଧିକାରୀ ପ୍ରତିଶ୍ରୁତିବଦ୍ଧ ବୋଲି କହିବା ସହ ଦେଶର ପ୍ରଗତୀ ପାଇଁ ଦୁଇ ପ୍ରମୁଖ ସଂସ୍ଥା ମଧ୍ୟରେ ସହଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ସରକାରୀ ସୂତ୍ରରେ କୁହାଯାଇଛି ଯେ “ନ୍ୟାୟପାଳିକା ପ୍ରତି ସମ୍ମାନ ସର୍ବୋପରି। ନ୍ୟାୟିକ ବ୍ୟବସ୍ଥାର ଅଖଣ୍ଡତା ବଜାୟୀ ରଖାଯିବା ଦରକାର। ଗଣତାନ୍ତ୍ରିକ ପ୍ରକ୍ରିୟାରେ ସମସ୍ତ ପ୍ରତିଷ୍ଠାନ ମିଳିତ ଭାବେ କାମ କରିବା ଦରକାର। ଗଣତନ୍ତ୍ରର ସମସ୍ତ ସ୍ତମ୍ଭ ମିଳିତ ଭାବେ ବିକଶିତ ଭାରତ ଦିଗରେ କାମ କରୁଛନ୍ତି।”
ୱାକଫ ଆଇନ ବିରୋଧରେ ଆଗତ ପିଟିସନ ସମ୍ପର୍କରେ ସରକାରୀ ସୂତ୍ରରେ କୁହାଯାଇଛି ଯେ “ସୁପ୍ରିମକୋର୍ଟଙ୍କ କବାଟ ଠକଠକ କରିବାର ଅଧିକାର ସମସ୍ତଙ୍କର ରହିଛି। ନ୍ୟାୟପାଳିକା ଓ କାର୍ଯ୍ୟପାଳିକା ମଧ୍ୟରେ ଥିବା ସମ୍ପର୍କ ଅତୁଟ। ନ୍ୟାୟପାଳିକା ଓ କାର୍ଯ୍ୟପାଳିକା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ସମ୍ବିଧାନକୁ ଅକ୍ଷୁଣ୍ଣ ରଖିବା ପାଇଁ ନ୍ୟାୟପାଳିକା ଓ କାର୍ଯ୍ୟପାଳିକା ମଧ୍ୟରେ ଗୋଟିଏ ସମତୁଲ ଓ ପାରସ୍ପରିକ ବୁଝାମଣାର ଆବଶ୍ୟକ ରହିଛି।”
ଦେଶରେ ନ୍ୟାୟପାଳିକା ବନାମ କାର୍ଯ୍ୟପାଳିକା ବିବାଦ ତେଜିଥିବା ବେଳେ ସରକାରୀ ସୂତ୍ରରୁ ଏପରି ବୟାନ ଆସିଛି। ଏପରି ବୟାନ ଆସିବା ପୂର୍ବରୁ ଉପ ରାଷ୍ଟ୍ରପତି ଜଗଦୀପ ଧନକଡ଼ ନ୍ୟାୟପାଳିକାକୁ ଟାର୍ଗେଟ କରିଥିଲେ ଓ ସଂସଦ ସୁପ୍ରିମ ବୋଲି କହିଥିଲେ।
ଉପ ରାଷ୍ଟ୍ରପତି କହିଥିଲେ, “ସଂସଦ ଉପରେ କେହି ବଡ଼ ରହିଥିବା ସମ୍ବିଧାନ କଳ୍ପନା କରାଯାଇ ନାହିଁ। ସଂସଦ ହେଉଛି ସୁପ୍ରିମ। ମୁଁ ଆପଣମାନଙ୍କୁ କହିବାକୁ ଚାହୁଁଛି ଯେ ଦେଶର ପ୍ରତିଟି ଲୋକ ଯେତିକି ସୁପ୍ରିମ ଦେଶର ସଂସଦ ମଧ୍ୟ ସମାନ ସୁପ୍ରିମ।”
ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଗୋଟିଏ କାର୍ଯ୍ୟକ୍ରମରେ ଉପ ରାଷ୍ଟ୍ରପତି କହିଛନ୍ତି, “ଜଣେ ପ୍ରଧାନମନ୍ତ୍ରୀ(ଇନ୍ଦିରା ଗାନ୍ଧି) ଯିଏ ଏମର୍ଜେନ୍ସି ଲାଗୁ କରିଥିଲେ ସେ ୧୯୭୭(ସାଧାରଣ ନିର୍ବାଚନରେ କଂଗ୍ରେସର ପରାଜୟ)ରେ ଏଥିପାଇଁ ଉତ୍ତରଦାୟୀ ରହିଲେ। ତେଣୁ ଏଥିରେ କୌଣସି ପ୍ରକାରର ସନ୍ଦେହ ନାହିଁ। ସମ୍ବିଧାନ ଲୋକଙ୍କ ପାଇଁ ଓ ଏହାର ସୁରକ୍ଷାର ଦାୟିତ୍ୱ ନିର୍ବାଚିତ ପ୍ରତିନିଧିଙ୍କର। ସମ୍ବିଧାନର ବିଷୟବସ୍ତୁ କ’ଣ ରହିବେ, ତା’ର ଅଲ୍ଟିମେଟ ମାଷ୍ଟର ହେଉଛନ୍ତି ଜନ ପ୍ରତିନିଧି। ସମ୍ବିଧାନରେ ସଂସଦ ଠାରୁ ଉପରେ କେହି ଅଧିକାରୀ ରହିଥିବା କଳ୍ପନା କରାଯାଇନି। ସଂସଦ ଠାରୁ ଉପରେ କେହି ନୁହନ୍ତି। ସଂସଦ ହେଉଛି ସୁପ୍ରିମ ବା ସର୍ବୋଚ୍ଚ।”
ଉପ ରାଷ୍ଟ୍ରପତି ନିଜ ଭାଷଣରେ ସୁପ୍ରିମକୋର୍ଟଙ୍କ ଦୁଇଟି ପରସ୍ପର ବିରୋଧୀ ବୟାନ କଥା ଉଠାଇଛନ୍ତି। ସେ କହିଛନ୍ତି, “ଗୋଟିଏ ମାମଲା(ଗୋରଖନାଥ ମାମଲା)ରେ ସୁପ୍ରିମକୋର୍ଟ କହୁଛନ୍ତି ପ୍ରସ୍ଥାବନା ସମ୍ବିଧାନର ଅଂଶବିଶେଷ ନୁହେଁ। ଆଉ ଗୋଟିଏ ମାମଲାରେ (କେଶବନନ୍ଦ ଭାରତୀ) ପ୍ରସ୍ଥାବନା ସମ୍ବିଧାନର ଅଂଶବିଶେଷ। ଆମର ନୀରବତା ଅତ୍ୟନ୍ତ ବିପଦଜନକ। ଚିନ୍ତାଶୀଳ ମାନସିକା ଆମର ପରମ୍ପରାକୁ ସଂରକ୍ଷିତ ରଖିବା ପାଇଁ ଯୋଗଦାନ କରିବା ଦରକାର।
ଆମେ ପ୍ରତିଷ୍ଠାନକୁ ଧ୍ୱଂସ କରିବାକୁ ଅନୁମତି ଦେଇ ପାରିବା ନାହିଁ। ସାମ୍ବିଧାନିକ ଅଧିକାରୀଙ୍କ ପ୍ରତିଟି କଥା ସମ୍ବିଧାନ ଦ୍ୱାରା ପରିଚାଳିତ। ଆମେ ଆମର ଭାରତୀୟତା ପାଇଁ ନିଶ୍ଚିତ ଗର୍ବ ଅନୁଭବ କରିବା ଦରକାର। ବିଶୃଙ୍ଖଳାକୁ ଆମ ଗଣତନ୍ତ୍ର କେମିତି ସହ୍ୟ କରିବ। ସର୍ବସାଧାରଣ ସମ୍ପତ୍ତି ପୋଡ଼ା ଯାଉଛି। ସର୍ବସାଧାରଣରେ ଆଇନ ଶୃଙ୍ଖଳାକୁ ଭଙ୍ଗା ଯାଉଛି। ଆମକୁ ଏହି ଫୋର୍ସକୁ ଖତମ କରିବାକୁ ପଡ଼ିବ। ପ୍ରଥମେ ବୁଝାସୁଝା କରି ଓ ପରେ ଯଦି ଆବଶ୍ୟକ ପଡ଼େ ଉତ୍ତମ ଔଷଧ ମଧ୍ୟ ଦେବାକୁ ହେବ।”
ବିଜେପିର ଏକାଧିକ ସାଂସଦ ଓ ଉପ ରାଷ୍ଟ୍ରପତିଙ୍କ କହିବା କଥା ଯେ ନ୍ୟାୟପାଳିକା ସେମାନଙ୍କ କାର୍ଯ୍ୟରେ ଅନାଧିକାର ପ୍ରବେଶ କରୁଛନ୍ତି। ଏପରି କରି ନ୍ୟାୟପାଳିକା କାର୍ଯ୍ୟପାଳିକାକୁ ଦୁର୍ବଳ କରି ଦେଉଛନ୍ତି। ହେଲେ ସମ୍ବିଧାନର ଧାରା ୧୪୨ରେ ସୁପ୍ରିମକୋର୍ଟଙ୍କୁ ବିଶେଷ କ୍ଷମତା ଦିଆଯାଇଛି ବୋଲି ବୋଧେ ସେମାନଙ୍କୁ ଜଣାନାହିଁ। ଉକ୍ତ ଧାରା ଅନୁସାରେ ସର୍ବୋଚ୍ଚ ଅଦାଲତ ରାଷ୍ଟ୍ରପତିଙ୍କୁ ବିଲ ଉପରେ ୩ ମାସ ମଧ୍ୟରେ ବିଚାର କରିବାକୁ କହିଥିଲେ। ହେଲେ ଏହାକୁ ଉପ ରାଷ୍ଟ୍ରପତି ସହଜରେ ଗ୍ରହଣ କରି ପାରୁ ନାହାନ୍ତି।
ଅନ୍ୟପକ୍ଷରେ ସୁପ୍ରିମକୋର୍ଟ ମଧ୍ୟ ଏପରି ସମାଲୋଚନା କରାଯିବା ଘଟଣା ସମ୍ପର୍କରେ ବେଶ ଭଲ ଭାବେ ଅବଗତ ରହିଛନ୍ତି। ଏହାର ଝଲକ ହିଂସା କ୍ଷତିଗ୍ରସ୍ତ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ସର୍ବୋଚ୍ଚ ଅଦାଲତରେ ହୋଇଥିବା ଆବେଦନ ସମୟରେ ଦେଖାଯାଇଛି। ଏହି ସମୟରେ ସର୍ବୋଚ୍ଚ ଅଦାଲତ ସରକାର ଓ ସମାଲୋଚନା କରୁଥିବା ଲୋକଙ୍କୁ ତେର୍ଛା ବାଣ ମାରିଛନ୍ତି। ଜଷ୍ଟିସ ବିଆର ଗବାଇ କହିଛନ୍ତି, “ଆପଣ ଚାହୁଁଛନ୍ତି ଯେ ଆମେ ଲିଖିତ ଭାବେ ଏହାକୁ ଲାଗୁ କରିବା ପାଇଁ ରାଷ୍ଟ୍ରପତିଙ୍କୁ ନିର୍ଦ୍ଦେଶ ଦେଉ? ବର୍ତ୍ତମାନ ସ୍ଥିତିରେ ଆମେ କାର୍ଯ୍ୟପାଳିକା କ୍ଷେତ୍ରରେ ହସ୍ତକ୍ଷେପ କରୁଥିବା ଅଭିଯୋଗରେ ରହିଛୁ।”
ଆଜି ମଧ୍ୟ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତ ନ୍ୟାୟପାଳିକା ବନାମ କାର୍ଯ୍ୟପାଳିକା ମଧ୍ୟରେ ଚାଲିଥିବା ବିବାଦରେ ମତ ରଖିଛନ୍ତି। ଜଷ୍ଟିସ ସୂର୍ଯ୍ୟ କାନ୍ତ କହିଛନ୍ତି, “ଆମେ ଆଦୌ ବ୍ୟସ୍ତ ନାହୁଁ। ପ୍ରତିଦିନ ଏହି ପ୍ରତିଷ୍ଠାନ ଆକ୍ରମଣର ସମ୍ମୁଖୀନ ହେବାରେ ଲାଗିଛି।” କର୍ଣ୍ଣାଟକାର ଗୋଟିଏ ଅଦାଲତ ଅବମାନନା ମାମଲାରେ ଶୁଣାଣି ବେଳେ ସେ ଏପରି କହିଛନ୍ତି।
ଶୁଣାଣି ବେଳେ ଓକିଲ ଜଣଙ୍କ ନ୍ୟାୟପାଳିକାକୁ କରାଯାଉଥିବା ଟାର୍ଗେଟ ପ୍ରସଙ୍ଗ ଉଠାଇଥିଲେ ଓ ଲୋକଙ୍କ ବିଶ୍ୱାସ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ସର୍ବୋଚ୍ଚ ଅଦାଲତ ଏହାକୁ ଗୁରୁତର ସହ ନିଅନ୍ତୁ। ଏହାର ଜବାବରେ ଜଷ୍ଟିସ ସୂର୍ଯ୍ୟ କାନ୍ତ କହିଥିଲେ ଯେ ପ୍ରତିଷ୍ଠାନକୁ ନେଇ ଆଦୌ ବ୍ୟସ୍ତ ନାହୁଁ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।