Advertisment

ଇଡିର ‘ସୁଇମିଂ ପୁଲ’ ଯୁକ୍ତିକୁ ଶୁଣିଲେନି ସୁପ୍ରିମକୋର୍ଟ, ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଅବଧି ବଢ଼ିଲା

୨୦୨୨ରୁ ସତ୍ୟେନ୍ଦ୍ର ଜୈନ ଗୋଟିଏ ମନି ଲଣ୍ତରିଂ ମାମଲାରେ ଗିରଫ ହୋଇ ଇଡି ହେଫାଜତରେ ରହିଥିଲେ।

author-image
Hemant Lenka
satyendar jain

satyendar jain

ଆପ ନେତା ତଥା ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଅବଧି ଆବେଦନକୁ ବିରୋଧ କରି ଇଡି ଫେଲ ମାରିଛି। ସତ୍ୟେନ୍ଦ୍ର ଜୈନ ଏବେ ମେଡିକାଲ ଚିକିତ୍ସା ପାଇଁ ଜେଲ ବାହାର ଥିବା ବେଳେ ଏ ଅବଧିକୁ ବୃଦ୍ଧି କରିବାକୁ ଆବେଦନ କରିଥିଲେ।

Advertisment

ଏହା ବିରୋଧରେ ଇଡି ସୁପ୍ରିମକୋର୍ଟରେ ସୁଇମିଂ ପୁଲ ଯୁକ୍ତି ରଖିଥିଲା। ସତ୍ୟେନ୍ଦ୍ର ଜୈନ ଜେଲ ଭିତରେ ସୁଇମିଂ ପୁଲ ଚାହୁଁଥିବା ଇଡି କହିଥିଲା। ଏଥିସହ ବିଭିନ୍ନ ପ୍ରକାରର କଥା କହି ଜୈନଙ୍କ ଜାମିନ ଅବଧି ଯେମିତି ନ ବଢ଼ିବ, ସେଥିପାଇଁ ଚେଷ୍ଟା କରିଥିଲା। ହେଲେ ସର୍ବୋଚ୍ଚ ଅଦାଲତ ସେପ୍ଟେମ୍ବର ୧ ଯାଏ ଜୈନଙ୍କ ଜାମିନ ଅବଧିକୁ ବୃଦ୍ଧି କରିଛନ୍ତି।

୨୦୨୨ରୁ ସତ୍ୟେନ୍ଦ୍ର ଜୈନ ଗୋଟିଏ ମନି ଲଣ୍ତରିଂ ମାମଲାରେ ଗିରଫ ହୋଇ ଇଡି ହେଫାଜତରେ ରହିଥିଲେ। ନିକଟରେ ତାଙ୍କୁ ପ୍ରଥମେ ୬ ସପ୍ତାହ ପରେ ଏହି ଅବଧିକୁ ବୃଦ୍ଧି କରାଯାଇଥିଲା। ଆଜି ଏହାକୁ ସେପ୍ଟେମ୍ବର ୧ ଯାଏ ସୁପ୍ରିମକୋର୍ଟ ପୁଣି ବଢ଼ାଇଛନ୍ତି।

Advertisment

ସତ୍ୟେନ୍ଦ୍ର ଜୈନଙ୍କ ଓକିଲ ଅଭିଷେକ ମନୁ ସିଙ୍ଘଭୀ ଡାକ୍ତରଙ୍କ ପରାମର୍ଶ ଆଧାରରେ ତାଙ୍କ ଅନ୍ତରୀଣ ଜାମିନ ଅବଧିକୁ ବୃଦ୍ଧି କରିବାକୁ ଯୁକ୍ତି ରଖିଥିଲେ। ସେ କହିଥିଲେ, ଗୁରୁତ୍ୱପୂର୍ଣ୍ଣ ସ୍ପାଇନାଲ ଅପରେସନ ପରେ ବର୍ତ୍ତମାନ ସତ୍ୟେନ୍ଦ୍ର ଜୈନ କିଛି ପ୍ରମୁଖ ରିହ୍ୟାବ ପ୍ରକ୍ରିୟାରେ ରହିଛନ୍ତି। ତେଣୁ ତାଙ୍କ ଜାମିନ ଅବଧିକୁ ବଢ଼ାଯାଉ।

ତେବେ ଇଡି ଜୋରଦାର ଢଙ୍ଗରେ ଜାମିନ ଅବଧି ବୃଦ୍ଧି ଆବେଦନକୁ ବିରୋଧ କରିଥିଲା। ଅନ୍ତରୀଣ ଜାମିନ ଅବଧିକୁ ବୃଦ୍ଧି କରିବା ପାଇଁ ମେଡିକାଲ ପରାମର୍ଶ ଯଥେଷ୍ଟ ନୁହେଁ ବୋଲି ସଂସ୍ଥା କହିଥିଲା। ଇଡି ପକ୍ଷରୁ ଅତିରିକ୍ତ ସିଲିସିଟର ଜେନେରାଲ ଏସ୍‌ଭି ରାଜୁ କହିଥିଲେ, “ଜେଲ ଭିତରେ ସେ ସୁଇମିଂ ପୁଲ ଚାହୁଁଛନ୍ତି। ସମସ୍ତଙ୍କ ପାଇଁ ଏହା ଉପଲବ୍ଧ ହୋଇପାରିବ ନାହିଁ।”

ଏମ୍ସ ଦ୍ୱାରା ଜୈନଙ୍କ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରିବା ଦାବିରେ ରାଜୁ କହିଥିଲେ, “ଯଦି ଦରକାର ପଡ଼େ ସେମାନେ ତାଙ୍କୁ(ଜୈନ)ଙ୍କୁ ଫିଜିଓଥେରାପି ପାଇଁ ଜେଲରୁ ସୁଇମିଂ ପୁଲକୁ ନେଇ ପାରିବେ।”

ଏହା ଶୁଣି କୋର୍ଟ କହିଥିଲେ, “କ’ଣ କରିବା? ଯଦି ସେ ଫିଜିଓଥେରାପୀ କରନ୍ତି, ତା’ହେଲେ ଆପଣ ଫଟୋ ଉଠାଇବେ ଓ ଏହାକୁ ପବ୍ଲିଶ କରିବେ।”

ଏହା ପରେ ସୁପ୍ରିମକୋର୍ଟ ସେପ୍ଟେମ୍ବର ୧ ତାରିଖ ଯାଏ ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଅବଧିକୁ ବୃଦ୍ଧି କରିଥିଲେ। ସେହିଦିନ ଜୈନଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି ମଧ୍ୟ ରହିଛି।

ED Raid Supreme Court AAP