Advertisment

କ’ଣ କହିଦେଲେ କଂଗ୍ରେସ ନେତା ଜୟରାମ ରମେଶ; ବିଜେପି କହିଲା- ସବୁ ସୀମା ଟପିଗଲେ

‘ବିଜେପି କେବଳ କଂଗ୍ରେସକୁ ଟାର୍ଗେଟ କରୁଛି। ସେମାନଙ୍କ ଆକ୍ରମଣ କେବଳ କଂଗ୍ରେସ ଉପରେ।’

author-image
Jitendra Garnayak
Jairam Ramesh

Jairam Ramesh

‘ଆମ ସାଂସଦମାନେ ବୁଲୁଛନ୍ତି। ଆତଙ୍କବାଦୀମାନେ ମଧ୍ୟ ବୁଲୁଛନ୍ତି।’ ଆଜି ଏଭଳି ମନ୍ତବ୍ୟ ଦେଇ ବିଜେପିର ଟାର୍ଗେଟକୁ ଆସି ଯାଇଛନ୍ତି କଂଗ୍ରେସ ନେତା ଜୟରାମ ରମେଶ।

Advertisment

ପହଲଗାମ ଘଟଣାରେ ସଂପୃକ୍ତ ଆତଙ୍କବାଦୀମାନେ ଏବେ ବି ମୁକ୍ତରେ ବୁଲୁଥିବା ବେଳେ ତା’ ସହିତ ଆତଙ୍କବାଦ ବିରୋଧରେ ଭାରତର ଆଭିମୁଖ୍ୟ ନେଇ ପକ୍ଷ ରଖିବାକୁ ବିଭିନ୍ନ ଦେଶକୁ ଗସ୍ତ କରିଥିବା ଏକାଧିକ ପ୍ରତିନିଧି ମଣ୍ଡଳୀ (ଯେଉଁଥିରେ ସାଂସଦଙ୍କ ସଂଖ୍ୟା ଅଧିକ)କୁ ତୁଳନା କରିବା ଫଳରେ ଜୟରାମ ରମେଶଙ୍କ ଉପରେ କ୍ଷୁବ୍ଧ ହୋଇଛି ବିଜେପି।

ଜୟରାମ ରମେଶ କହିଛନ୍ତି, ପହଲଗାମର ସେହି ଆତଙ୍କବାଦୀମାନେ ୪ଟି ଆକ୍ରମଣ ଘଟଣାରେ ସଂପୃକ୍ତ ଅଛନ୍ତି। କିନ୍ତୁ ସେମାନେ ମୁକ୍ତ ଭାବେ ବୁଲୁଛନ୍ତି। ଆମର ସାଂସଦମାନେ ବୁଲୁଛନ୍ତି। ଆତଙ୍କବାଦୀମାନେ ମଧ୍ୟ ବୁଲୁଛନ୍ତି।

Advertisment

ସେ କହିଛନ୍ତି, ଆମେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନଗୁଡ଼ିକ ଉଠାଇଛୁ। ସେମାନେ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଦେଉ ନାହାନ୍ତି। ବିଜେପି କେବଳ କଂଗ୍ରେସକୁ ଟାର୍ଗେଟ କରୁଛି। ସେମାନଙ୍କ ଆକ୍ରମଣ କେବଳ କଂଗ୍ରେସ ଉପରେ। ସେମାନଙ୍କ ଆକ୍ରମଣ ଆତଙ୍କବାଦୀଙ୍କ ଉପରେ ହେବା ଉଚିତ। ପାକିସ୍ତାନ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ। ଆତଙ୍କବାଦୀମାନେ ଗିରଫ ହେବା ଉଚିତ। ପ୍ରତିଦିନ ମିସାଇଲ ଛଡ଼ା ଯାଉଛି। କିନ୍ତୁ ସେହି ମିସାଇଲଗୁଡ଼ିକୁ କେବଳ କଂଗ୍ରେସ ଉପରକୁ ମାଡ଼ କରାଯାଉଛି।

ଜୟରାମ ରମେଶଙ୍କ ଏଭଳି ପ୍ରତିକ୍ରିୟା ଆସିବା ପରେ କ୍ଷୁବ୍ଧ ବିଜେପି କହିଛି ଯେ କଂଗ୍ରେସ ସବୁ ସୀମା ପାର କରିଯାଇଛି। ବିଜେପି ଜାତୀୟ ମୁଖପାତ୍ର ଶେହଜାଦ ପୁନାୱାଲା କହିଛନ୍ତି ଯେ ଆତଙ୍କବାଦୀଙ୍କ ସହିତ ସାଂସଦମାନଙ୍କୁ ତୁଳନା କରାଯାଉଛି। ଏହା ତ ପାକିସ୍ତାନ ଚାହୁଁଛି। ଫଳରେ ସେମାନେ ନିଜକୁ କ୍ଲିନ୍ ଚିଟ୍ ଦେଇପାରିବ। ଏହା ହେଉଛି ସେହି କଂଗ୍ରେସ ଯାହା ଦିନେ ସେନା ମୁଖ୍ୟଙ୍କୁ ଗଳିର ଗୁଣ୍ଡା କହିଥିଲା। ସର୍ଜିକାଲ ଷ୍ଟ୍ରାଇକକୁ ରକ୍ତର ବ୍ୟବସାୟ କହିଥିଲା ଓ ବାଲାକୋଟ ଷ୍ଟ୍ରାଇକ୍‌ ନେଇ ପ୍ରମାଣ ମାଗିଥିଲା। ସେହିପରି ଅପରେସନ ସିନ୍ଦୂରକୁ ଏକ ଛୋଟ କାର୍ଯ୍ୟାନୁଷ୍ଠାନ କହି ଏହାକୁ ଅପମାନିତ କରିଥିଲା କଂଗ୍ରେସ। ସେମାନେ ସେନା, ସର୍ଜିକାଲ ଷ୍ଟ୍ରାଇକ ଓ ଆମର କୁଟନୀତିକ ପ୍ରୟାସକୁ ଅସମ୍ମାନିତ କରିଛନ୍ତି। ବର୍ତ୍ତମାନ ଯେତେବେଳେ କୁଟନୀତିକ ସ୍ତରରେ ପାକିସ୍ତାନ କୋଣଠେସା ହୋଇଗଲାଣି ସେତେବେଳେ ପାକିସ୍ତାନ ସପକ୍ଷରେ ଓକିଲାତି କରିବାକୁ ପାଦ ଥାପିଛି କଂଗ୍ରେସ। କଂଗ୍ରେସ ଦଳ ସାଂସଦମାନକୁ ଆତଙ୍କବାଦୀ କହିଛି। ସଂସଦ ପକ୍ଷରୁ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ। ତେବେ ଏସବୁ କଂଗ୍ରେସର ମାନସିକତାକୁ ପ୍ରଦର୍ଶିତ କରୁଛି।

ପୁନାୱାଲା କହିଛନ୍ତି, ଆମ ସାଂସଦମାନେ ଆମର ବନ୍ଧୁ ରାଷ୍ଟ୍ରଗୁଡ଼ିକୁ ଯାଇଛନ୍ତି ପାକିସ୍ତାନ ମୁଖା ଖୋଲିବାକୁ। କିନ୍ତୁ ଜୟରାମ ରମେଶ ସେମାନଙ୍କୁ ଆତଙ୍କବାଦୀଙ୍କ ସହିତ ତୁଳନା କରିଛନ୍ତି। ପ୍ରଥମେ ସେମାନେ ସେମାନଙ୍କ ସାଂସଦ ଶଶି ଥରୁରଙ୍କ କୋଣଠେସା କଲେ। ଆଉ ଏବେ ସେମାନଙ୍କ ମିତ୍ର ସାଂସଦମାନଙ୍କୁ ନିନ୍ଦା କରୁଛନ୍ତି। ପାକିସ୍ତାନ ତ ଏହା ଚାହୁଁଛି। ପାକିସ୍ତାନ ଏଭଳି ମନ୍ତବ୍ୟଗୁଡ଼ିକୁ ବ୍ୟବହାର କରି ନିଜକୁ କ୍ଲିନ ଚିଟ୍ ଦେବାକୁ ଅନାଇ ବସିଛି।

୨୦୧୬ରେ ସର୍ଜିକାଲ ଷ୍ଟ୍ରାଇକ ଭାବେ ଭାରତ ପ୍ରଥମ ଥର ପାଇଁ ଏଲଓସି ଅତିକ୍ରମ କରିଥିଲା ବୋଲି ଶଶି ଥରୁର ପାନାମାରେ ମନ୍ତବ୍ୟ ଦେବା ପରେ ମୁହାଁମୁହିଁ ହୋଇଥିଲେ କଂଗ୍ରେସ ଓ ବିଜେପି। ଶଶିଙ୍କ ଏହି ମନ୍ତବ୍ୟ ପରେ କଂଗ୍ରେସ ନେତା ଉଦିତ ରାଜ କହିଥିଲେ ଯେ ସେ କଂଗ୍ରେସକୁ ବଦନାମ କରୁଛନ୍ତି। ଆଉ ଏହି ବିବାଦ ପରେ ପରେ ଆସିଛି ଜୟରାମ ରମେଶଙ୍କ ମନ୍ତବ୍ୟ।

Congress Jairam Ramesh