/odisha-reporter/media/media_files/2025/11/19/jaish-2025-11-19-13-19-01.jpg)
ମସୁଦ ଆଝାର
ପାକିସ୍ତାନରେ ସକ୍ରିୟ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ ପୁଣି ଭାରତରେ ଆତ୍ମଘାତୀ ହମଲା ପାଇଁ ଯୋଜନା କରୁଛି। ଭାରତରେ ବଡ଼ଧରଣର ଆତ୍ମଘାତୀ ହମଲା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ଜୈଶ। ଦିଲ୍ଲୀ ଲାଲକିଲ୍ଲା କାର୍ ବୋମା ବିସ୍ଫୋରଣରେ ଜୈଶର ଲିଙ୍କ ଥିବା ଜଣାପଡ଼ିବା ପରେ ଏବେ ନୂଆ ତଥ୍ୟ ସାମ୍ନାକୁ ଆସିଛି।
ଭାରତରେ ଆଉ ଗୋଟିଏ ଆତ୍ମଘାତୀ ହମଲା କରିବାକୁ ଜୈଶ(Jaish) ଚାହୁଁଛି ଓ ଏଥିପାଇଁ ସଂଗଠନ ଏବେ ପାଣ୍ଠି ଯୋଗାଡ଼ କରିବାରେ ଲାଗି ପଡ଼ିଥିବା ଗୁଇନ୍ଦା ବିଭାଗ ଜାଣିବାକୁ ପାଇଛି।
ଗୁଇନ୍ଦା ବିଭାଗ ସୂତ୍ରରୁ ଜଣାପଡ଼ିଛି ଯେ ଲାଲକିଲ୍ଲା ବିସ୍ଫୋରଣ ତଦନ୍ତ ଚାଲିଥିବା ବେଳେ ଜୈଶର କମାଣ୍ଡରମାନେ ଡିଜିଟାଲ ଉପାୟରେ ପାଣ୍ଠି ସଂଗ୍ରହ ପାଇଁ କହିଛନ୍ତି। ପାକିସ୍ତାନରେ ଚାଲୁଥିବା ସାଡାପେ ନାମକ ଆପ୍ରେ ସଂଗଠନ ପାଇଁ ଚାନ୍ଦା ସଂଗ୍ରହ କରାଯାଉଛି। ପାଣ୍ଠି ସଂଗ୍ରହ କରି ଜୈଶ ଭାରତରେ ଆଉ ଏକ ଆତ୍ମଘାତୀ ହମଲା କରିବାକୁ ଯୋଜନା କରିଛି। ଏହି ଆତ୍ମଘାତୀ ହମଲା(Fidayeen Terrorist) ଜଣେ ମହିଳାଙ୍କ ଦ୍ୱାରା କରିବାକୁ ମଧ୍ୟ ଜୈଶ ଲକ୍ଷ୍ୟ ରଖିଛି।
ଜୈଶ ବେଶ କିଛି ମାସ ତଳେ ତା’ର ମହିଳା ୱିଙ୍ଗ ଗଠନ କରିଥିଲା। ଏହାର ନେତୃତ୍ୱ ଜୈଶର ବସ୍ ମସୁଦ ଆଝାରର ଭଉଣୀ ସାଦିୟା ନେଉଛି। ଭାରତୀୟ ସେନାର ଅପରେସନ ସିନ୍ଦୂର ବେଳେ ଜୈଶର ବାହାବଲପୁର ମୁଖ୍ୟାଳୟ ଛିନଛତ୍ର ହୋଇଥିଲା। ଏହାପରେ ହିଁ ସଂଗଠନ ପକ୍ଷରୁ ଗୋଟିଏ ମହିଳା ୱିଙ୍ଗ ତିଆରି କରାଯାଇଛି।
ଲାଲକିଲ୍ଲା ବିସ୍ଫୋରଣର ଅନ୍ୟତମ ପ୍ରମୁଖ ସନ୍ଦିଗ୍ଧ ଡାକ୍ତର ଶାହୀନ ସୟିଦ ଜୈଶର ମହିଳା ୱିଙ୍ଗର ଭାରତ ଦାୟିତ୍ୱ ପାଇଥିଲା। ଜୈଶରେ ଡାକ୍ତର ଶାହୀନ ମାଡାମ ସର୍ଜନ ଭାବେ ପରିଚିତ ଥିଲା। ସମ୍ଭବତଃ ସେ ଆକ୍ରମଣ ପାଇଁ ଚାନ୍ଦା ଯୋଗାଡ଼ କରୁଥିଲା।
ଜୈଶର ନେତାମାନେ ଚାନ୍ଦା ମାଗିବା ବେଳେ କହିଛନ୍ତି ଯେ ଯଦି କେହି ଜଣେ ମୁଜାହିଦ ପାଇଁ ଗୋଟିଏ ୱିଣ୍ଟର କିଟ୍ ଦେଉଛନ୍ତି, ତା’ହେଲେ ତାଙ୍କୁ ମଧ୍ୟ ଜିହାଦୀ ଭାବେ ବିବେଚନା କରାଯିବ। ଯଦି କେହି ଜଣେ ଜିହାଦୀର ମୃତ୍ୟୁ ପରେ ମଧ୍ୟ ତାଙ୍କ କଥା ବିଚାର କରୁଛନ୍ତି, ତା’ହେଲେ ମଧ୍ୟ ସେହି ବ୍ୟକ୍ତିଙ୍କୁ ବି ଜିହାଦୀ କୁହାଯିବ। ଚାନ୍ଦାର ପରିମାଣର ପାକିସ୍ତାନ ମୁଦ୍ରାରେ ୨୦ ହଜାର ବା ଭାରତୀୟ ମୁଦ୍ରାରେ ୬,୪୦୦ ଟଙ୍କା ରହିଛି।
ଏହି ଟଙ୍କାରେ ଜୋତା, ସୁତାର ସକ୍ସ, ଗୋଟିଏ ମ୍ୟାଟ୍ରେସ ଓ ଟେଣ୍ଟ ଭଳି ଜିନିଷ କିଣାଯିବ। ଆକ୍ରମଣ ପରେ ଓ ଆକ୍ରମଣ ପୂର୍ବରୁ ଜଣେ ଆତଙ୍କବାଦୀ ପାଇଁ ଏହି ସବୁ ଜିନିଷ ଦରକାର। ତେଣୁ ଜୈଶ ଚାନ୍ଦା ଟଙ୍କାରେ ଏସବୁ ଜିନିଷ କିଣିବାକୁ ଲକ୍ଷ୍ୟ ରଖିଛି।
ଚାନ୍ଦା ସଂଗ୍ରହ କରି ବିଭିନ୍ନ ସ୍ଥାନରେ ସକ୍ରିୟ ଥିବା ଟେରର ସେଲକୁ ଆର୍ଥିକ ସହାୟତା ପଠାଇବା ହିଁ ଜୈଶ ଏପରି ଆହ୍ୱାନ ଦେଇଛି। ଏବେ ଡିଜିଟାଲ ଫଣ୍ଡିଂ ନେଟୱର୍କର ପର୍ଦ୍ଦାଫାସ କରିବା ପାଇଁ ଭାରତୀୟ ଏଜେନ୍ସିଗୁଡ଼ିକ ଲାଗି ପଡ଼ିଛନ୍ତି।
ନଭେମ୍ବର ୧୦ରେ ଉମର ନବି ନାମକ ଜଣେ ଡାକ୍ତର ଲାଲକିଲ୍ଲା ନିକଟରେ କାର ବିସ୍ଫୋରଣ କରିଥିଲା। ନଭେମ୍ବର ୯ରେ ଜମ୍ମୁ-କଶ୍ମୀର ଓ ହରିୟାଣା ପୁଲିସ୍ ଫରିଦାବାଦରେ ରେଡ କରିବା ସହ ୨୯୦୦ କେଜିର ବିସ୍ଫୋରକ ଠାବ କରିଥିଲେ।
ବିସ୍ଫୋରକ(Blast In Delhi) ମିଳିବା ସହ ପୁଲିସ୍ ଉମରର କିଛି ସହଯୋଗୀଙ୍କୁ ଗିରଫ କରିଥିଲା। ଏଥିରେ ଡରି ଯାଇ ଭୟରେ ଫରିଦାବାଦ ଛାଡ଼ି ଦେଇଥିଲା ଗୋଟିଏ ଦିନ ପରେ ଅର୍ଥାତ ନଭେମ୍ବର ୧୦ରେ ସେ ଲାଲକିଲ୍ଲା ନିକଟରେ କାର୍ ବୋମା ବିସ୍ଫୋରଣ କରିଥିଲା। ଏଥିରେ ୧୫ ଜଶ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
