ଆତଙ୍କବାଦୀଙ୍କ ବଙ୍କର
ଜମ୍ମୁ-କଶ୍ମୀରର କିସ୍ତୱାରର ଆବଡ଼ା ଖାବଡ଼ା ଓ ବରଫାବୃତ୍ତ ପାହାଡ଼। ସେଠାକୁ ଯିବା ଓ ମାସାଧିକ କାଳ ରହିବା ବେଶ ମୁସ୍କିଲ। ହେଲେ ପାକିସ୍ତାନ ଭିତ୍ତିକ ଆତଙ୍କୀ ସଂଗଠନ ଜୈଶ-ଇ-ମହମ୍ମଦ(jaish)ର ଆତଙ୍କବାଦୀଙ୍କ ପାଇଁ ଏହା କିଛି ନୁହେଁ। ସେମାନେ ପାହାଡ଼ ଉପରେ କାର୍ଗିଲ ଷ୍ଟାଇଲ ଅଭେଦ୍ୟ ବଙ୍କର ତିଆରି କରିଥିଲେ।
ସେଠାରେ ମ୍ୟାଗି ଠାରୁ ଆରମ୍ଭ କରି ଭାତ ଓ ପନିପରିବା ଖାଇ ବେଶ ଆରାମରେ ରହୁଥିଲେ। ୧୨ ହଜାର ଫୁଟ ଉପରେ ଥିବା ଏହି ଦୁର୍ଗରେ ସେମାନେ ସମସ୍ତଙ୍କୁ ଚକମା ଦେଇ ମାସାଧିକ କାଳ ରହିବାକୁ ମଧ୍ୟ ସକ୍ଷମ ହୋଇଥିଲେ। ସୋମବାର କିନ୍ତୁ ସୁରକ୍ଷାକର୍ମୀ ସେମାନଙ୍କ ଦୁର୍ଗର ପର୍ଦ୍ଦାଫାସ କରି ଦେଇଛନ୍ତି।
ଆତଙ୍କବାଦୀମାନେ ଲୁଚି ଥିବା ବଙ୍କରୁ ମିଳିଥିବା ଜିନିଷ ସେମାନଙ୍କ ଶୀତୁଆ ରହଣୀର ଯୋଜନାକୁ ପଦାରେ ପକାଇଛି। ସେମାନେ ରହୁଥିବା ବଙ୍କର ଷ୍ଟାଇଲ ପାହାଡ଼ ସନ୍ଧିରୁ ୫୦ ପ୍ୟାକେଟ ମ୍ୟାଗି, ଆଲୁ ଓ ଟମୋଟା ଠାରୁ ବିଭିନ୍ନ ତଟକା ପନିପରିବା, ଭିନ୍ନଭିନ୍ନ ୧୫ଟି ମସଲା, ୨୦ କେଜି ଓଜନର ଶୁଦ୍ଧ ଉଚ୍ଚ ମାନର ବାସୁମତି ଚାଉଳ, ବିଭିନ୍ନ ପ୍ରକାରର ଡାଲି, ରନ୍ଧନ ଗ୍ୟାସ ଓ ଶୁଖିଲା କାଠ ଆଦି ମିଳିଛି। ସେଠାରୁ ମିଳିଥିବା ଜିନିଷଗୁଡ଼ିକ ଦ୍ୱାରା ୨ ଜଣ ବେଶ ଆରାମରେ ମାସାଧିକ କାଳ ଚଳିବାକୁ ସକ୍ଷମ ହେବେ।
ସୁରକ୍ଷାକର୍ମୀଙ୍କ କହିବା କଥା ଯେ କାର୍ଗିଲ ଷ୍ଟାଇଲ ବଙ୍କରକୁ ଜୈଶ କମାଣ୍ଡର ତଥା ପାକିସ୍ତାନୀ ଆତଙ୍କୀ ସୈଫୁଲ୍ଲା ଓ ତା’ର ସହଯୋଗୀ ଆଦିଲ ବ୍ୟବହାର କରୁଥିଲେ। ଏହା ପଥର କାନ୍ଥରେ ଏମିତି ଏକ ଦୁର୍ଗ ଥିଲା ଯାହାକୁ ଏନକାଉଣ୍ଟରର ମୁକାବିଲା କରିବାକୁ ତିଆରି କରାଯାଇଥିଲା।
ରବିବାର ଅପରାହ୍ନରେ ସୁରକ୍ଷାକର୍ମୀମାନେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜୈଶ ଆତଙ୍କବାଦୀମାନେ ଗ୍ରେନେଡ ମାଡ଼ କରିଥିଲେ। ଏଥିରେ ୭ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ହାବିଲଦାର ଗଜେନ୍ଦ୍ର ସିଂହଙ୍କ ମୃତ୍ୟୁ ହୋଇଥିଲେ। ଏହାପରେ ଖସି ଯାଇଥିବା ଆତଙ୍କବାଦୀମାନଙ୍କୁ ଧରିବାକୁ ଆରମ୍ଭ ହୋଇଛି ବଡ଼ଧରଣର ସର୍ଚ୍ଚ ଅପରେସନ। ଏହି ସର୍ଚ୍ଚ ଅପରେସନ ବେଳେ ଜୈଶ ଆତଙ୍କୀ ବ୍ୟବହାର କରୁଥିବା ଠିକଣାର ପର୍ଦ୍ଦାଫାସ ହୋଇଛି।
ଏପରି ଠିକଣାର ପର୍ଦ୍ଦାଫାସ ହେବା ପରେ ଆତଙ୍କବାଦୀଙ୍କ ସ୍ଥାନୀୟ ସହାୟତା ନେଟୱର୍କ ସମ୍ପର୍କରେ ତଥ୍ୟ ମିଳିଛି। ସ୍ଥାନୀୟ ସହାୟତା ବିନା ଏପରି ଗୋଟିଏ ଅଭେଦ୍ୟ ବଙ୍କର ତିଆରି କରିବା ସହଜ ନୁହେଁ।
ଏହି ବଙ୍କରରେ ଏକାଧିକ ପ୍ରବେଶ ଓ ପ୍ରସ୍ଥାନ ବାଟ ରହିଛି। ସେହିପରି ସେଠାରେ ରହିବା ପାଇଁ ପନିପରିବା ଠାରୁ ଆରମ୍ଭ କରି ରାସନ ପହଞ୍ଚିବା ସ୍ଥାନୀୟ ଲୋକଙ୍କ ସଂପୃକ୍ତିକୁ ଦର୍ଶାଉଛନ୍ତି। ଘଟଣା ପରେ ଆତଙ୍କବାଦୀଙ୍କୁ ସହାୟତା କରୁଥିବା ଅଭିଯୋଗରେ ପୁଲିସ୍ ୪ ଜଣ ସ୍ଥାନୀୟ ଲୋକଙ୍କୁ ଉଠାଇ ନେଇଛି। ଏବେ ସେମାନଙ୍କୁ ଜେରା ଚାଲିଛି।
ତୃତୀୟ ଦିନରେ ସର୍ଚ୍ଚ ଅପରେସନ
କିସ୍ତୱାରରୁ ଆତଙ୍କବାଦୀଙ୍କ ମୂଳପୋଛ କରିବାକୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆରମ୍ଭ ହୋଇଛି ଅପରେସନ ତ୍ରାଶି-୧। ଏହି ଅପରେସନ ଜରିଆରେ ଆରମ୍ଭ ହୋଇଥିବା ସର୍ଚ୍ଚ ଅପରେସନ ତୃତୀୟ ଦିନରେ ପହଞ୍ଚିଛି। ତଥାପି କିସ୍ତୱାର ବଙ୍କରରୁ ଫେରାର ଥିବା ଆତଙ୍କବାଦୀଙ୍କ ପତ୍ତା ମିଳିନାହିଁ। ଆଗକୁ ସାଧାରଣତନ୍ତ୍ର ଦିବସ ଆସୁଥିବାରୁ ସୁରକ୍ଷାକର୍ମୀ ଉପତ୍ୟକାରେ ଅପରେସନକୁ ଆହୁରି ଜୋରଦାର କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/20/bunker-2026-01-20-16-57-00.jpg)