Advertisment

ଜମ୍ମୁ-କଶ୍ମୀର ଓ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା

ଜମ୍ମୁ ଓ କଶ୍ମୀରରେ ୩ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ। ହରିୟାଣାରେ ଗୋଟିଏ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ।

author-image
Jitendra Garnayak
ଅଦ୍ୟତନ ହୋଇଛି
Vote

Vote

ଜମ୍ମୁ ଓ କଶ୍ମୀର ଏବଂ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର। ଜମ୍ମୁ ଓ କଶ୍ମୀରରେ ୩ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ହରିୟାଣାରେ ଗୋଟିଏ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ କରାଯିବ। ଅକ୍ଟୋବର ୪ରେ ଉଭୟ ରାଜ୍ୟର ଭୋଟ୍ ଗଣତି ହେବ।

Advertisment

ଜମ୍ମୁ-କଶ୍ମୀରରେ ସେପ୍ଟେମ୍ବର ୧୮, ୨୫ ଓ ଅକ୍ଟୋବର ୧ ତାରିଖରେ ଭୋଟ୍ ଗ୍ରହଣ ହେବ। ହରିୟାଣାରେ ଅକ୍ଟୋବର ୧ ତାରିଖରେ ଭୋଟ୍ ଗ୍ରହଣ କରାଯିବ।

ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ୨୦୧୪ରେ ଶେଷଥର ପାଇଁ ସେଠାରେ ନିର୍ବାଚନ ହୋଇଥିଲା। ଜମ୍ମୁ-କଶ୍ମୀରରେ ୯୦ଟି ବିଧାନସଭା ଆସନ ଅଛି। ସେଥିରୁ ୭୪ଟି ସାଧାରଣ ବର୍ଗ ପାଇଁ ଥିବା ବେଳେ ୯ଟି ଏସ୍‌ଟି ଓ ୭ଟି ଏସ୍‌ସି ବର୍ଗ ପାଇଁ ସଂରକ୍ଷିତ ହୋଇଛି।

Advertisment

ଏଥର ଜମ୍ମୁ ଓ କଶ୍ମୀରରେ ୮୭.୦୯ ଲକ୍ଷ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ। ସେମାନଙ୍କ ମଧ୍ୟରେ ୪୪.୪୬ ଲକ୍ଷ ପୁରୁଷ ଓ ୪୨.୬୨ ଲକ୍ଷ ମହିଳା ଭୋଟର ଅଛନ୍ତି। ସେହିପରି ଏହି ଭୋଟରଙ୍କ ମଧ୍ୟରୁ ୨୦.୭ ଲକ୍ଷ ହେଉଛନ୍ତି ଯୁବ ଭୋଟର। ଏଥର ଜମ୍ମୁ ଓ କଶ୍ମୀରରେ ୩.୭୧ ଲକ୍ଷ ଭୋଟର ପ୍ରଥମ ଥର ଭୋଟ୍ ଦେବେ। ତେବେ ଅଗଷ୍ଟ ୨୦ ତାରିଖରେ ଜମ୍ମୁ ଓ କଶ୍ମୀରର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଏହି ନିର୍ବାଚନ ପାଇଁ ସେଠାରେ ୧୧ ହଜାର ୮୦୦ଟି ପୋଲିଂ ଷ୍ଟେସନ କରାଯିବ ବୋଲି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି।

କଶ୍ମୀରୀ ପ୍ରବାସୀମାନେ ଯେପରି ସେମାନଙ୍କ ମତ ସାବ୍ୟସ୍ତ କରିପାରିବେ, ସେଥିପାଇଁ ମଧ୍ୟ ନିର୍ବାଚନ କମିଶନ ବ୍ୟବସ୍ଥା କରିଛନ୍ତି। ସେମାନଙ୍କ ପାଇଁ ୨୬ଟି ସ୍ୱତନ୍ତ୍ର ପୋଲିଂ ଷ୍ଟେସନ କରାଯିବ। ଏଥିରୁ ଦିଲ୍ଲୀରେ ୪ଟି, ଜମ୍ମୁରେ ୨୧ଟି ଓ ଉଧାମପୁରରେ ଗୋଟିଏ ହେବ। ଏହି ୨୬ଟି ପୋଲି ଷ୍ଟେସନରେ ୨୩,୫୦୪ କଶ୍ମୀରୀ ପ୍ରବାସୀ ସେମାନଙ୍କ ମତ ସାବ୍ୟସ୍ତ କରିପାରିବେ।

ଜମ୍ମୁ ଓ କଶ୍ମୀରରେ ସେପ୍ଟେମ୍ବର ୧୮ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୨୪ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ। ଏଥିପାଇଁ ଅଗଷ୍ଟ ୨୦ ତାରିଖରେ ଗେଜେଟ ନୋଟିଫିକେସନ ଜାରି କରାଯିବ। ଅଗଷ୍ଟ ୨୭ ହେଉଛି ପ୍ରାର୍ଥିପତ୍ର ଦାଖଲ କରିବାର ଶେଷ ତାରିଖ। ଅଗଷ୍ଟ ୨୮ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ। ଅଗଷ୍ଟ ୩୦ ହେଉଛି ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ।

ସେହିପରି ସେପ୍ଟେମ୍ବର ୨୫ ତାରିଖରେ ଜମ୍ମୁ ଓ କଶ୍ମୀରରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ ୨୬ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ। ଏହି ପର୍ଯ୍ୟାୟ ଭୋଟ୍ ପାଇଁ ଅଗଷ୍ଟ ୨୯ ତାରିଖରେ ଗେଜେଟ ନୋଟିଫିକେସ ଜାରି ହେବ। ସେପ୍ଟେମ୍ବର ୫ ହେଉଛି ପ୍ରାର୍ଥିପତ୍ର ଦାଖଲ କରିବାର ଶେଷ ତାରିଖ। ସେପ୍ଟେମ୍ବର ୬ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ହେବ। ଯେଉଁମାନେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା ପାଇଁ ଚାହିଁବ, ସେମାନଙ୍କ ପାଇଁ ସେପ୍ଟେମ୍ବର ୯ ହେଉଛି ଶେଷ ତାରିଖ।

ତୃତୀୟ ପର୍ଯ୍ୟାୟରେ ଜମ୍ମୁ ଓ କଶ୍ମୀରର ୪୦ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ। ସେଥିପାଇଁ ସେପ୍ଟେମ୍ବର ୫ ତାରିଖରେ ଗେଜେଟ ନୋଟିଫିକେସନ ଜାରି ହେବ। ସେପ୍ଟେମ୍ବର ୧୨ ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ତାରିଖ ହେବ। ସେପ୍ଟେମ୍ବର ୧୩ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ସେପ୍ଟେମ୍ବର ୧୭ ହେଉଛି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ। ଏହା ପରେ ଅକ୍ଟୋବର ୧ ତାରିଖରେ ଭୋଟ୍ ଗ୍ରହଣ ହେବ।

ହରିୟାଣା ବିଧାନସଭାରେ ୯୦ଟି ଆସନ ଅଛି। ଏଠାରେ ଏଥର ୨.୦୧ କୋଟି ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ। ସେମାନଙ୍କ ମଧ୍ୟରୁ ୧.୦୬ କୋଟି ପୁରୁଷ ଭୋଟର ଥିବା ବେଳେ ୦.୯୫ କୋଟି ମହିଳା ଭୋଟର ଅଛନ୍ତି। ୨୦ରୁ ୨୯ ବର୍ଷ ଭିତରେ ସେଠାରେ ୪୦.୯୫ ଲକ୍ଷ ଭୋଟର ଅଛନ୍ତି। ସେହିପରି ଏଥର ପ୍ରଥମ ଥର ପାଇଁ ମତ ସାବ୍ୟସ୍ତ କରିବେ ୪.୫୨ ଲକ୍ଷ ଭୋଟର। ସେମାନଙ୍କ ବୟସ ୧୮ରୁ ୧୯ ବର୍ଷ ହେବ। ରାଜ୍ୟରେ ଭୋଟ୍ ଗ୍ରହଣ ପାଇଁ ୨୦ ହଜାର ୬୨୯ଟି ପୋଲିଂ ଷ୍ଟେସନ କରାଯିବ।

ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ଗେଜେଟ୍ ନୋଟିଫିକେସନ ଜାରି କରାଯିବ। ସେପ୍ଟେମ୍ବର ୧୨ ହେଉଛି ପ୍ରାର୍ଥିପତ୍ର ଦାଖଲ କରିବାର ଶେଷ ତାରିଖ। ସେପ୍ଟେମ୍ବର ୧୩ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ହେବ। ସେପ୍ଟେମ୍ବର ୧୬ ହେଉଛି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ। ଏହା ପରେ ଅକ୍ଟୋବର ୧ ତାରିଖରେ ଭୋଟ୍ ଗ୍ରହଣ ହେବ ଓ ୪ ତାରିଖରେ ଗଣତି ହେବ।   

Jammu Kashmir Haryana Assembly Polls